ଆନ୍ଧ୍ରରେ ବିଜେପି ସହ ମେଂଟ ଅପେକ୍ଷାରେ ଚନ୍ଦ୍ରବାବୁ !


ପ୍ରସାଦ ରାଓ
ଭୁବନେଶ୍ୱର/ଫେବୃୟାରୀ ୨୪
ଆସନ୍ତା ଏପ୍ରିଲରେ ଆନ୍ଧ୍ର ପ୍ରଦେଶର ୧୭୫ଟି ବିଧାନସଭା ଓ ୨୫ଟି ଲୋକସଭା ଆସନ ପାଇଁ ଏକାଠି ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ତେଲୁଗୁ ଚଳଚ୍ଚିତ୍ର ତାରକା ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି (ଜେଏସପି) ସହ ମେଂଟରେ ନିର୍ବାଚନ ଲଢିବାକୁ ଯାଉଥିବା ସ୍ପଷ୍ଟ କରିଦେଇଛନ୍ତି । ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ୧୧୮ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଟିଡିପି ୯୪ଟି ଏବଂ ଜେଏସପି ୨୪ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ । ୨୫ଟି ଲୋକସଭା ଆସନରୁ ତିନିଟିରେ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି (ଜେଏସପି) ପ୍ରାର୍ଥୀ ଦେଉଥିବା ଜଣାପଡିଛି । ଦୁଇ ନେତା ବିଜେପି ସହ ନିର୍ବାଚନୀ ବୁଝାମଣା ପାଇଁ ଦ୍ୱାର ଉନ୍ମୁକ୍ତ ରଖିଥିବା ଆଜି କହିଛନ୍ତି । ବିଜେପି ଯଦି ମେଂଟରେ ସାମିଲ ହୁଏ ତେବେ ସବିଶେଷ ତଥ୍ୟ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ସେମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୁଇ ସପ୍ତାହ ତଳେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ମୁଖ୍ୟ ଜେ.ପି ନଡ୍ଡାଙ୍କୁ ଭେଟି ଆଲୋଚନା କରିଥିଲେ । ତିନିଟି ଦଳ ଏକାଠି ହୋଇ ନିର୍ବାଚନ ଲଢିଲେ ରାଜ୍ୟରେ କ୍ଷମତାସୀନ ୱାଇଏସଆରସିପିକୁ ପରାଜିତ କରିବା ସହଜ ହେବ ବୋଲି ଜନ ସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ସାମ୍ବାଦିକମାନଙ୍କୁ କହିଛନ୍ତି । ଟିଡିପି ରାଜ୍ୟର ଏକ କୋଟି ଜନତାଙ୍କ ମତାମତ ସଂଗ୍ରହ କରି ୧୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଥିବା ଏବଂ ଏଥିରେ ଅଧିକାଂଶ ନୂଆ ମୁହଁ ଥିବା ଜଣାପଡିଛି । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଉଣ୍ଡାଭାଲ୍ଲିଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଟିଡିପି ଓ ଜେଏସପି ମିଳିତ ଭାବେ ଆଗାମୀ ନିର୍ବାଚନ ଲଢିବେ ଏବଂ ଏହି ମେଂଟ ରାଜ୍ୟର ଭବିଷ୍ୟତ ହେବାକୁ ଯାଉଛି । ମେଂଟ ରାଜ୍ୟର ଭବିଷ୍ୟତକୁ ମଧ୍ୟ ଉଜ୍ଜ୍ୱଳ କରିବ । ଅପରପକ୍ଷରେ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀ ଶାସକ ୱାଇଏସଆରସିପି ଓ ବିଜେପି ମଧ୍ୟରେ ମେଂଟ ପାଇଁ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ସଂପର୍କରେ ଥିବା ଆଲୋଚନା ହେଉଛି । ଜଗନମୋହନ ରେଡ୍ଡୀ ୨୦୧୯ରେ ଆନ୍ଧ୍ୟ ମୁଖ୍ୟମନ୍ତ୍ରୀ ହେବା ପରେ ଏନଡିଏରେ ନଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ଅଖି ବୁଜି ସମର୍ଥନ ଦେଇ ଆସିଛନ୍ତି । ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ଟିଡିପି ଓ ୱାଇଏସଆରସିପି ପରସ୍ପର ବିରୋଧୀ ରାଜନୈତିକ ଦଳ ହୋଇ ଥିବାରୁ ବିଜେପି କାହା ସହିତ ଯିବାକୁ ଚାହିଁବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ, ଆସନ୍ତା ନିର୍ବାଚନରେ ରାଜ୍ୟରେ ଟିଡିପିର ପ୍ରଦର୍ଶନ ଭଲ ରହିବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ଆକଳନ କରି ଥିବାରୁ ବିଜେପି ଟିଡିପି ସହ ମେଂଟ ପାଇଁ ଆଗ୍ରହ ପ୍ରକାଶ କରିପାରେ ବୋଲି ଆଲୋଚନା ହେଉଛି । ଇତିମଧ୍ୟରେ କଂଗ୍ରେସ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ.ଶର୍ମିଲା ରେଡ୍ଡୀଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି (ଏପିସିସି) ସଭାପତି ଭାବେ ନିଯୁକ୍ତି ଦେଇ ଉଭୟ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁଙ୍କ ମେଂଟ ପ୍ରତି ନୂଆ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି । ଶର୍ମିଲା ଏପିସିସି ସଭାପତି ଥିବାରୁ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ଆଶା ରଖିଛି । ଏଥିରୁ, ୨୦୨୪ରେ ଆନ୍ଧ୍ରରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ ହୋଇଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS