ଓଡ଼ିଶାରେ ବଳ ଗୋଟାଉଛି ବିଜେପି ?


ପ୍ରସାଦ ରାଓ
ଭୁବନେଶ୍ୱର/ଫେବୃୟାରୀ ୨୬
୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପିର ପ୍ରଦର୍ଶନ କଣ ରହିବ, ତାହା ତୁରନ୍ତ ଆକଳନ କରିବା ସମ୍ଭବ ନୁହେଁ । ତେବେ, ଗୋଟିଏ କଥା ସ୍ପଷ୍ଟ ହେଲାଣି, ବିଭିନ୍ନ କାରଣରୁ ବିଜେଡ଼ିରେ ଅସନ୍ତୁଷ୍ଟ ଥିବା ନେତା ଓ ଦଳରୁ ବିତାଡିତ ହୋଇଥିବା ନେତାମାନେ ଏବେ ବିଜେପି ମୁହାଁ ହୋଇଛନ୍ତି ଏବଂ ଏହି ସୁଯୋଗରେ ଚବିଶି ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ତାହାର ବିଜେପିର ଶକ୍ତି ବୃଦ୍ଧିରେ ଲାଗିଛି । ବିଜେଡ଼ି ନୂଆ ନେତାଙ୍କ ଭରସାରେ ଆସନ୍ତା ନିର୍ବାଚନକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ବିଜେଡ଼ି ଓ କଂଗ୍ରେସର କିଛି ପୁରୁଖା ନେତାଙ୍କୁ ଦଳରେ ସାମିଲ କରି ନିର୍ବାଚନ ପୂର୍ବରୁ ଦଳ ସପକ୍ଷରେ ଏକ ମାହୋଲ ସୃଷ୍ଟି କରିବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁ ନାହିଁ । ନିକଟରେ, ବିଜେଡ଼ିରୁ ତଡା ଖାଇଥିବା ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଦଳରେ ସାମିଲ କରିଥିବା ବେଳେ ଗତକାଲି (ଫେବୃୟାରୀ ୨୫) ଚାରି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସର ପୂର୍ବତନ ବିଧାୟକ (ଅତାବିରା) ନିହାର ରଂଜନ ମହାନନ୍ଦ ମଧ୍ୟ କାଲି ବିଜେପିରେ ଯୋଗ ଦେଇଛନ୍ତି । ଗୋପାଳପୁର ବିଧାୟକ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀର ବେକାର ଯୁବକ, ଯୁବତୀଙ୍କୁ ଟାଟା କଂପାନୀରେ ଚାକିରୀ ଦେବା ନାମରେ କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗରେ ୨୦୨୦ରେ ରାଜ୍ୟ ଭିଜିଲାନ୍ସ ଓ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହେବା ପରେ ବିଜେଡ଼ିରୁ ବିତାଡିତ ହୋଇଥିଲେ । ଏକଦା ସେ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଟ ନେତା ଭାବେ ପରିଚିତ ଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ହିଂଜିଳୀ ନିର୍ବାଚନ ମଣ୍ଡଳୀକୁ ସମ୍ଭାଳୁ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଦାୟିତ୍ୱ ଦେଇଥିଲେ । ପାଣିଗ୍ରାହୀ ନବୀନ ସରକାରରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ମଧ୍ୟ ରହିଥିଲେ । ଗଂଜାମ ଜିଲ୍ଲା ବିଜେଡ଼ିର ଜଣେ ଟାଣୁଆ ନେତା ଥିବା ପାଣିଗ୍ରାହୀ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକଟରେ ଗୋପାଳପୁର ଆସନରୁ ବିଧାୟକ ନିର୍ବାଚିତ ହେବା ପରେ ଅଚାନକ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ସହ ତାଙ୍କ ସଂପର୍କ ଖରାପ ହୋଇଯିବା ଏବଂ ୨୦୨୧ ପ୍ରାରମ୍ଭରେ ଦୁର୍ନୀତି ଓ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲରେ ପୁରାଇ ଦିଆଯିବା ପାଣିଗ୍ରାହୀଙ୍କ ରାଜନୈତିକ ଜୀବନକୁ ଅତି ନିକଟରୁ ଦେଖିବାକୁ ରାଜନୈତିକ ବିଶ୍ଲେଷକଙ୍କୁ ମଧ୍ୟ ବିସ୍ମିତ କରିଥିଲା । ପାଣିଗ୍ରାହୀ ଜେଲରୁ ଫେରିବା ପରେ ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାକୁ ନିୟନ୍ତ୍ରଣ କରୁଥିବା ପ୍ରଶାସକ ଓ ବିଜେଡ଼ି ନେତାଙ୍କ ବିରୋଧରେ ବିଷୋଦଗାର କରୁଥିଲେ । ଏବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ବିଜେଡ଼ିରୁ ତଡା ଖାଇବା ପରେ ସେ ଦୀର୍ଘ ଦିନ ଧରି ନିଜ ନିର୍ବାଚନ ମଣ୍ଡଳୀ ଓ ଅଦାଲତୀ ଲଢେଇରେ ନିଜକୁ ସୀମିତ ରଖି ଥିଲେ । ଆଶା କରୁଥିଲେ ବିଜେଡ଼ି ସୁପ୍ରିମୋ ତାଙ୍କୁ ନେଇ ମନ ବଦଳାଇ ପାରନ୍ତି । ତେବେ, ସେଭଳି କିଛି ସମ୍ଭାବନା ନଦେଖି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜକୁ ବିଜେପିରେ ସାମିଲ କରିଛନ୍ତି । ବିଜେପି ତାଙ୍କୁ ଗୋପାଳପୁର ବିଧାନସଭା ଆସନରୁ ପ୍ରାର୍ଥୀ କରି ଗଂଜାମ ଜିଲ୍ଲାରେ ବିଜେଡ଼ି ପାଇଁ କଡା ମୁକାବିଲାର ସମ୍ଭାବନା ସୃଷ୍ଟି କରିବାକୁ ପ୍ରସ୍ତୁତିରେ ଥିବା ବେଳେ ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ (ବିଜେଡ଼ି) ଓ ଅତାବିରାର ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦ (କଂଗ୍ରେସ) ଗତକାଲି ବିଜେପିରେ ସାମିଲ ହେବା ରାଜ୍ୟ ବିଜେପି ପାଇଁ ବୋନସ ହୋଇଥିବା କୁହାଯାଉଛି । ଗୋପାଳପୁର ଭଳି ଏହି ଦୁଇ ବିଧାନସଭା ଆସନରେ ମଧ୍ୟ ବିଜେପି ପାଇଁ ଆଉ ପ୍ରାର୍ଥୀ ଚିନ୍ତାରେ ରହିବ ନାହିଁ ଏବଂ ରାଜନୀତିରେ ଅଭିଜ୍ଞ ଏହି ନେତାମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଯାହାକୁ ପ୍ରାର୍ଥୀ କରୁନା କାହିଁକି ମୁକାବିଲା କରିବାକୁ ସକ୍ଷମ ହେବେ – ଏଭଳି ଏକ ଆତ୍ମବିଶ୍ୱାସ ରାଜ୍ୟ ବିଜେପି ନେତୃତ୍ୱ ମନରେ ସୃଷ୍ଟି ହେବା ଆଗକୁ ବିଜେଡ଼ି ପାଇଁ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ନିର୍ବାଚନ ଯେତେ ପାଖକୁ ଆସେ ଦଳ ଡିଆଁ ସେତେ ତୀବ୍ର ହୋଇଥାଏ – ଏହା ଜଣାଶୁଣା କଥା । ଏଥିରେ କିଛି ନୂତନତା ନାହିଁ । ରାଜ୍ୟ ବିଜେଡ଼ି, ବିଜେପି ଓ କଂଗ୍ରେସରେ ଏବେ ଯାହା ଚାଲିଛି ସେଥିରେ କେହି ବିସ୍ମିତ ନୁହନ୍ତି । ମିଶ୍ରଣପର୍ବ ନାମରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରତି ଦିନ ‘ଦଳ ଡିଆଁ’ଙ୍କୁ ନିଜ ସହ ସାମିଲ କରୁଛନ୍ତି ଏବଂ ତାହାର ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି । ନିର୍ବାଚନ ପୂର୍ବରୁ ସେମାନଙ୍କ ଶକ୍ତି ବୃଦ୍ଧି ଘଟୁଥିବା ନେଇ ଭୋଟରଙ୍କ ମନରେ ଧାରଣା ସୃଷ୍ଟି କରିବା ହେଉଛି ପ୍ରଚାରର ଉଦ୍ଦେଶ୍ୟ । ନିର୍ବାଚନ ସମୟରେ ଶାସକ ଦଳ ପ୍ରାୟତଃ ଏକ୍ଷେତ୍ରରେ ଆଗରେ ଥାଆନ୍ତି । କିନ୍ତୁ, ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟ ଦଳରେ ନୂଆ ମୁହଁ ଓ ‘ଦଳ ଡିଆଁ’ଙ୍କୁ ସାମିଲ କରିବାରେ ପଛରେ ନଥିବା ଦେଖିବାକୁ ମିଳୁଛି । ବିଶେଷକରି, ବିଜେଡ଼ି ଓ କଂଗ୍ରେସ ନେତାମାନେ ବିଜେପିରେ ସାମିଲ ହେଉଥିବା ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିର ସୂଚନା ଦେଉଛି । ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଟ ଥିଲେ । ‘ନବୀନ ନିବାସ’କୁ ତାଙ୍କ ଅବାଦ ପ୍ରବେଶ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବେ ଦଶକ ଶେଷ ଭାଗରେ ଆସିକା ଲୋକସଭା ଆସନରୁ ଉପ ନିର୍ବାଚନ ଲଢିବା ସମୟରୁ ଦେବାଶିଷ ତାଙ୍କ ଘନିଷ୍ଟ ସହଯୋଗୀ ଥିଲେ । ୧୯୯୮-୯୯ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନବୀନ ବାବୁ କେନ୍ଦ୍ରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିବା ସମୟରେ ଦେବାଶିଷ ତାଙ୍କ ଓଏସଡି ରହିଥିଲେ । ୨୦୦୦ରେ ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଦୀର୍ଘ ବର୍ଷ ଧରି ନବୀନ-ଦେବାଶିଷ ସଂପର୍କ ସୁଦୃଢ ରହିଥିଲା । ତେବେ, ନବୀନଙ୍କ ରାଜନୈତିକ ପରାମର୍ଶଦାତା ପ୍ୟାରୀ ମୋହନ ମହାପାତ୍ରଙ୍କୁ ଖୋଲା ସମାଲୋଚନା କରି ଦେବାଶିଷ ଦଳରେ କୋଣଠେସା ହୋଇଥିଲେ । ୨୦୧୧ରେ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ୨୦୧୨ରେ ନବୀନ ତାହା ପ୍ରତ୍ୟାହାର କରିନେଇ ୨୦୧୪ରେ ବିଧାନସଭା ଟିକଟ ଦେଇଥିଲେ । ତେବେ, ନବୀନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ପ୍ୟାରୀ ମୋହନ ବିଜେଡ଼ିରୁ ବହିଷ୍କୃତ ହେବାପରେ ତୃତୀୟ ମହଲାକୁ ଯେଉଁ ପ୍ରଶାସକ ଓ ନେତାମାନେ କବଜା କରି ନେଲେ ସେମାନେ ଦେବାଶିଷଙ୍କ ଭଳି ପୁରୁଖା ନେତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୁରାଇ ନ ଦେବାରୁ ଯେଉଁ ବିଦ୍ରୋହର ସୂତ୍ରପାତ ହେଲା ସେଥିରେ କିଛି ନେତା ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଗଲେ ତ ଆଉ କିଛି ନେତା ଅନନ୍ୟୋପାୟ ହୋଇ ସକ୍ରିୟ ରହିଲେ । ୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ଦେବାଶିଷଙ୍କୁ ଟିକଟ ମିଳିଲା ନାହିଁ । ବିଜେପିରୁ ବିଜେଡ଼ିକୁ ଆସିଥିବା ସୁନନ୍ଦା ଦାସଙ୍କୁ ବିଜେଡ଼ି ଟିକଟ ଦେବା ପରେ ଦେବାଶିଷ ଏକପ୍ରକାର କୋଣଠେସା ହୋଇଗଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତାଙ୍କୁ ନୋଟିସ ଦେଇ ସରକାରୀ ଘରୁ ହଟାଇ ଦେଲେ । ଆଜ ଦିନରେ ନବୀନ ପଟ୍ଟନାୟକ ବିଜେଡ଼ିର ସଭାପତି ଓ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଦଳ ଜଣେ ପୂର୍ବତନ ପ୍ରଶାସକଙ୍କ ଏକକ ନିୟନ୍ତ୍ରଣରେ ପରିଚାଳିତ ହେଉଥିବାରୁ ଅଧିକାଂଶ ବିଜେଡ଼ି ନେତା ଅସନ୍ତୁଷ୍ଟ । ତଥାପି, ସେମାନେ ଲୋକସଭା ଓ ବିଧାନସଭା ଟିକଟ ଆଶାରେ ଦଳରେ ପଡି ରହିଛନ୍ତି । ତେବେ, ବିଜେଡ଼ିରେ ତାଙ୍କ ଭବିଷ୍ୟତ ନଥିବା ଦେଖି ଦେବାଶିଷ ୨୦ ତାରିଖ ଦିନ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ୨୫ ତାରିଖ ଦିନ ତାହା ଗଣମାଧ୍ୟମକୁ ଦେବା ସହ ବିଜେପିରେ ସାମିଲ ହୋଇଛନ୍ତି । ୨୦୦୯ରୁ ୨୦୧୪ ଅତାବିରା ବିଧାୟକ ଥିବା କଂଗ୍ରେସ ନେତା ମହାନନ୍ଦ ମଧ୍ୟ ଗତାକଲି ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ି ରାଜନୀତି ଏବେ ଯେଭଳି ଭାବେ ପରିଚାଳିତ ହେଉଛି ସେଥିରେ ଦଳର ବହୁ ପୁରଖା ନେତା ଅତିଷ୍ଠ । ସେମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ ନିକଟରେ ଯେଉଁ ବୟାନ ଦେଇଥିଲେ ତାହା ନିର୍ବାଚନ ପୂର୍ବରୁ ମନୋବୈଜ୍ଞାନିକ ପ୍ରଭାବ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ବିଚାର କରାଯାଉଥିଲା । ତେବେ, ଦେବାଶିଷ ନାୟକଙ୍କ ଭଳି ପୁରୁଖା ନେତା ବିଜେଡ଼ିରୁ ଇସ୍ତଫା ଦେଇ ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧିବା ସାମଲଙ୍କ ଦାବିରେ କିଛିମାତ୍ରାରେ ସତ୍ୟତା ଥିବା ସଂକେତ ଦେଉଛି । ଦେଶରେ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ ମଧ୍ୟଭାଗରେ ନିର୍ବାଚନ କମିଶନଙ୍କ ଆଡୁ ତାରିଖ ଘୋଷଣା ହେବାକୁ ଥିବା ବେଳେ ରାଜ୍ୟରେ ବିଜେପି ବଳ ଗୋଟାଉ ଥିବା ପ୍ରଦୀପ ପାଣିଗ୍ରାହୀ, ଦେବାଶିଷ ନାୟକ, ନିହାର ମହାନନ୍ଦଙ୍କ ପରି ପୁରୁଖା ନେତାମାନେ ବିଜେପିରେ ଯୋଗଦେବା କଥାରୁ ସ୍ପଷ୍ଟ ହେଉଛି । ଅପରପକ୍ଷରେ, ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହେବାକୁ ୧୦ ହଜାରରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି ବୋଲି ଗତକାଲି ବିଜେଡ଼ି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ଜନସମର୍ଥନ ଅତୁଟ ଥିବା ଦର୍ଶାଇବାକୁ ଚାହିଁଛନ୍ତି । କଂଗ୍ରେସ ରାଜ୍ୟ ଖାଖା ମଧ୍ୟ ତିନି ହଜାରରୁ ଅଧିକ ଆବେଦନପତ୍ର ପାଇଥିବା ଦାବି କରୁଛି । ୨୦୨୪ରେ ରାଜ୍ୟରେ ତ୍ରିମୁଖୀ ଲଢେଇ ହେବ । ୨୦୧୯ରେ ହୋଇଥିବା ନିର୍ବାଚନରେ ବିଜେପି ରାଜ୍ୟର ୧୪୭ ବିଧାନସଭା ଆସନରୁ ୨୨ଟିରେ ଓ ୨୧ ଲୋକସଭା ଆସନରୁ ୮ଟିରେ ବିଜୟୀ ହୋଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ଅଧିକ ସଂଖ୍ୟକ ଲୋକସଭା ଓ ବିଧାନସଭା ଆସନ ପାଇବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ହଜାର ହଜାର କୋଟି ଟଙ୍କାର ଯୋଜନା ଓ ପ୍ରୋତ୍ସାହନ ରାଶି ଘୋଷଣା କରି ଚାଲିଛି । ତେବେ, ନିର୍ବାଚନ ପରିଚାଳନାରେ ୨୦୧୯ ଭଳି ନବୀନଙ୍କ ସକ୍ରିୟତା କମ୍, ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଅଧିକ ଦୃଶ୍ୟମାନ ହେବା ଏବଂ ଦଳର ଅନ୍ୟ ନେତମାନେ ନିର୍ବାଚନ ସମୟରେ ଏକପ୍ରକାର ଗୌଣ ହୋଇଯିବା ଦଳରେ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି । ରାଜ୍ୟ କଂଗ୍ରେସ ନେତୃତ୍ୱ ଉଭୟ ବିଜେଡ଼ି ଓ ବିଜେପିକୁ ଟାର୍ଗେଟ କରି ଦୁଇ ଦଳ ମଧ୍ୟରେ ଗୋପନ ସଂପର୍କ ଥିବା ପ୍ରଚାର କରୁଛନ୍ତି ଏବଂ ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ମତଦାତାଙ୍କୁ ନିବେଦନ କରୁଛନ୍ତି । ୨୦୨୪ରେ ରାଜ୍ୟରେ ତ୍ରିମୁଖୀ ଲଢେଇ ହେଲେ ମଧ୍ୟ ବିଜେଡ଼ି ଓ ବିଜେପି ହିଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିବେ । ଲଗାତର ୨୪ ବର୍ଷର ଶାସନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି – ଏଥିରେ କେହି ଦ୍ୱିମତ ହେବାର ନାହିଁ । ତେବେ, ବିଜେଡ଼ିର ଭବିଷ୍ୟତ ନେତୃତ୍ୱକୁ ନେଇ ଯେଉଁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଲାଣି ତାହା ୨୦୨୪ ନିର୍ବାଚନରେ ଭୋଟରଙ୍କୁ କେତେ ପ୍ରଭାବିତ କରିବ ଏବଂ ସେଥିରୁ ବିଜେପିକୁ କେତେ ଫାଇଦା ମିଳିବ – ତାହା ଆଗକୁ ହିଁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS