ସାଧାରଣ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ବଡ ଝଟକା !
ପ୍ରସାଦ ରାଓ
ଫେବୃୟାରୀ ୨୭
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୟୁପି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନିଜ ଦଳ ଭିତରୁ ବଡ ଝଟକା ଲାଗିଛି । ଆସନ୍ତା ଏପ୍ରିଲରେ ଖାଲି ହେବାକୁ ଯାଉଥିବା ୟୁପର ୧୦ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ ହୋଇଥିବା ବେଳେ ସମାଜବାଦୀ ପାର୍ଟିର କିଛି ବିଧାୟକ ବିଜେପି ମୁହାଁ ହୋଇ ଅଖିଳେଶଙ୍କୁ ଶକ୍ତ ଝଟକା ଦେଇଛନ୍ତି । ଆସନ୍ତା ଏପ୍ରିଲରେ ମୋଟ ୫୬ଟି ରାଜ୍ୟ ସଭା ଆସନ ଖାଲି ହେଉଥିବା ବେଳେ ସେଥିରୁ ୪୧ଟି ଆସନରେ ନୂଆ ସଦସ୍ୟ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ୟୁପି ସମେତ ତିନିଟି ରାଜ୍ୟର ୧୫ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ ହୋଇଛି । ୟୁପି ବିଧାନସଭାରେ ବିଜେପି ଓ ସମାଜବାଦୀ ପାର୍ଟି ବିଧାୟକଙ୍କ ଗଣିତ ଯାହା ଖାଲି ହେଉଥିବା ୧୦ଟି ରାଜ୍ୟସଭା ଆସନରୁ ୭ଟିରେ ବିଜେପି ଓ ୩ଟିରେ ସମାଜବାଦୀ ପାର୍ଟି ଜିତିବାରେ କୌଣସି ପ୍ରତିବନ୍ଧକ ନଥିଲା । ପ୍ରଥମେ ବିଜେପି ସାତଟି ଆସନ ପାଇଁ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପରେ ଅଷ୍ଟମ ଆସନ ପାଇଁ ପୂର୍ବତନ ସାଂସଦ ସଂଜୟ ସେଠ୍ ଙ୍କୁ ପ୍ରାର୍ଥୀ କରିବାରୁ ଭୋଟିଂର ଆବଶ୍ୟକତା ପଡିଛି । ବିଜେପିକୁ ଅଧିକ ଗୋଟିଏ ଆସନ ପାଇବାକୁ ହେଲେ ବିରୋଧୀ ପକ୍ଷର ବିଧାୟକଙ୍କ ମଧ୍ୟରୁ କେତେକଙ୍କୁ ନିଜ ପକ୍ଷକୁ ନେବାକୁ ପଡିବ । ତେଣୁ, ବିଜେପି ଆଜି ଭୋଟିଂ ପୂର୍ବରୁ ତାହାର ଖେଳ ଆରମ୍ଭ କରି ଦେଇଥିଲା । ଅଷ୍ଟମ ଆସନ ପାଇବା ସକାଶେ ଦଳ ସମାଜବାଦୀ ପାଟି ବିଧାୟକଙ୍କୁ ଟାର୍ଗେଟ୍ କରି ସଫଳ ହୋଇଛି । ଆଜି ରାଜ୍ୟସଭା ଭୋଟ ଥିବାରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦଳୀୟ ବିଧାୟକଙ୍କ ପାଇଁ ଲକ୍ଷ୍ନୌସ୍ଥିତ ବାସଭବନରେ ଗତକାଲି ରାତିରେ ଏକ ନୈଶ୍ୟ ଭୋଜି ରଖିଥିଲେ । ଦଳର ଆଠ ଜଣ ବିଧାୟକ ଏହି ନୈଶ୍ୟ ଭୋଜିରେ ଅନୁପସ୍ଥିତ ରହିବା ଆଜି କ୍ରସ୍ ଭୋଟିଂ ହେବା ଆଶଙ୍କା ସୃଷ୍ଟି କରିଥିଲା । ଯେଉଁ ଆଠ ଜଣ ବିଧାୟକ ନୈଶ୍ୟ ଭୋଜିରେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ପାଇଁ ଅଖିଳେଶଙ୍କ ଚିନ୍ତା ବଢାଇ ଥିଲେ ମଧ୍ୟ ସେମାନେ ଅନ୍ୟ କୌଣସି କାରଣରୁ ନୈଶ୍ୟ ଭୋଜିରେ ଅନୁପସ୍ଥିତ ରହିଥାଇ ପାରନ୍ତି ବୋଲି ମନକୁ ବୁଝାଇ ଥିଲେ । ତେବେ, ଆଜି ସକାଳେ ରାଜ୍ୟସଭା ଭୋଟିଂ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଥିବା ମନୋଜ କୁମାର ପାଣ୍ଡେ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ଘୋଡା ବେପାର ଆଶଙ୍କାକୁ ଅଧିକ ଦୃଢ କରିଥିଲେ । ଏହି ସମାଜବାଦୀ ପାର୍ଟି ବିଧାୟକମାନେ ବିଜେପି ଦ୍ୱାରା ପ୍ରଲୋଭନର ଶିକାର ହୋଇ ଦଳ ସହ ପ୍ରତାରଣା କରିଥିବା ଅଖିଳେଶ କହିବା ସହ ପ୍ରତାରକମାନଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଆଜି ରାଜ୍ୟସଭା ଭୋଟିଂ ପରେ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିବା ମନୋଜ ପାଣ୍ଡେ ଓ ଅନ୍ୟ ଜଣେ ବିଧାୟକ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ଭୋଟି ଥିବା ସୂଚନା ମିଳିଛି । ଆଗାମୀ ଲୋକସଭା ନିର୍ବାଚନରେ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ପରାଜିତ କରିବା ପାଇଁ ଗତ ବର୍ଷ ଜୁନ ମାସରେ ଗଠିତ ବିରୋଧୀ ମେଂଟ ‘ଇଣ୍ଡିଆ’ରେ ସମାଜବାଦୀ ପାଟି ପ୍ରମୁଖ ଅଂଶୀଦାର ରହିଛି । ଦେଶର ସର୍ବାଧିକ ସଂଖ୍ୟକ ଲୋକସଭା ଆସନ ୟୁପିରେ ରହିଛି ଏବଂ କେନ୍ଦ୍ରରେ ସରକାର ଗଠନକୁ ହେଲେ ୟୁପି ତାହାର ପ୍ରବେଶ ଦ୍ୱାର ବୋଲି ରାଜନୈତିକ ଦଳମାନେ ଭଲରେ ଜାଣନ୍ତି । ତେଣୁ, ୟୁପିର ୮୦ ଲୋକସଭା ଆସନ ଉପରେ ସବୁ ପ୍ରମୁଖ ଦଳର ଆଖି ରହିଛି । ବିଜେପି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ୟୁପିରେ ସର୍ବାଧିକ ସଂଖ୍ୟକ ଆସନ ଜିତିଥିଲା । ୨୦୨୪ରେ ମଧ୍ୟ ୮୦ରୁ ୮୦ ଆସନ ଜିତିବ ବୋଲି ପଣ କରିଛି । ଏଭଳି ସ୍ଥିତିରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ସମାଜବାଦୀ ପାର୍ଟି କଂଗ୍ରେସ ସହ ଆସନ ବୁଝାମଣା କରିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ନିକଟରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁଯାୟୀ ରାଜ୍ୟର ୬୩ ଲୋକସଭା ଆସନରେ ସମାଜବାଦୀ ପାର୍ଟି ଓ ତାହାର ସହଯୋଗୀ ଦଳମାନେ ଲଢିବେ । କଂଗ୍ରେସକୁ ୧୭ଟି ଆସନ ମିଳିଛି । ଏହି ବୁଝାମଣା ପରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ରାଜ୍ୟରେ ମିଳିତ ନିର୍ବାଚନ ଅଭିଯାନ ଆରମ୍ଭ କରିଥିବା ବେଳେ ଆଜି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମାଜବାଦୀ ପାର୍ଟି ପାଇଁ ଚିନ୍ତାର କାରଣ ହୋଇଛି । ଦଳର ବିଧାୟକମାନେ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ଏବଂ କିଛି ବିଧାୟକ ଇସ୍ତଫା ଦେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା କେବଳ ସମାଜବାଦୀ ପାର୍ଟିକୁ ନୁହେଁ, ବିରୋଧୀ ମେଂଟ ପାଇଁ ମଧ୍ୟ ଚିନ୍ତାର ବିଷୟ ହୋଇଛି । ଆଜି ଭୋଟିଂ ହୋଇଥିବା ୧୫ ରାଜ୍ୟସଭା ଆସନରୁ ୧୦ଟି ୟୁପିର ହୋଇଥିବା ବେଳେ ବଳକା ପାଂଚଟି ଆସନରୁ ୪ଟି ହେଉଛି କର୍ଣ୍ଣାଟକର ଓ ଗୋଟିଏ ଆସନ ହିମାଚଳ ପ୍ରଦେଶର । କର୍ଣ୍ଣାଟକରେ କଂଗ୍ରେସ ଦଳର ସରକାର ରହିଛି । ବିଧାନସଭା ଗଣିତ ଦୃଷ୍ଟିରୁ କର୍ଣ୍ଣାଟକରେ ଭୋଟ ହେଉଥିବା ୪ଟି ଆସନରୁ ତିନିଟିରେ କଂଗ୍ରେସ ଓ ଗୋଟିକରେ ବିଜେପି-ଜେଡିଏସ୍ ମେଂଟ ସହଜରେ ବିଜୟୀ ହେବା କଥା । ତେବେ, ବିଜେପି-ଜେଡିଏସ୍ ମେଂଟ ପାଂଚମ ପ୍ରାର୍ଥୀ ଦେଇ କ୍ରସ୍ ଭୋଟିଂ ସମ୍ଭାବନା ସୃଷ୍ଟି କରିଥିଲେ । ଫଳରେ, ଆଜିର ନିର୍ବାଚନ ରୋଚକ ହୋଇଥିଲା । କଂଗ୍ରେସ ଘୋଡା ବେପାର ଆଶଙ୍କା କରି ନିଜ ଦଳର ବିଧାୟକଙ୍କୁ ନେଇ ଗୋଟିଏ ଘରୋଇ ହୋଟେଲରେ ରଖିଥିଲା । ହିମାଚଳ ପ୍ରଦେଶରେ ମଧ୍ୟ କଂଗ୍ରେସ କ୍ଷମତାରେ ରହିଛି । ରାଜ୍ୟରେ ଗୋଟିଏ ରାଜ୍ୟସଭା ଆସନ ଆସନ ପାଇଁ ଆଜି ଭୋଟି ହେଉଥିବା ବେଳେ ବିଧାୟକ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ସହଜରେ ଜିତିବା ନିଶ୍ଚିତ । ତେବେ, ବିଜେପି ଆବଶ୍ୟକ ସଂଖ୍ୟକ ବିଧାୟକ ନଥାଇ ଜଣେ ପ୍ରାର୍ଥୀଙ୍କୁ ଠିଆ କରାଇବା ଫଳରେ ଆଜି ଭୋଟ ହେବାର ଆବଶ୍ୟକତା ପଡିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS