ବିପଦରେ ହିମାଚଳ ପ୍ରଦେଶ ସରକାର ?
ପ୍ରସାଦ ରାଓ
ଫେବୃୟାରୀ ୨୮
ଗତକାଲି ତିନିଟି ରାଜ୍ୟ ଉତ୍ତର ପ୍ରଦେଶ (ୟୁପି), କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ୧୫ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବ୍ୟାପକ କ୍ରସ୍ ଭୋଟିଂ ହୋଇ ବିଜେପି ସେଥିରୁ ସର୍ବାଧିକ ଫାଇଦା ପାଇଥିବା ଘଟଣା ଦେଶବାସୀଙ୍କୁ ବିସ୍ମିତ କରିନଥିଲେ ମଧ୍ୟ ଆଜି ଦିନରେ ରାଜନୀତିରେ ଦେଖା ଦେଇଥିବା ‘ନୈତିକ ସ୍ଖଳନ’କୁ ଅଧିକ ଉଜାଗର କରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଉଭୟ ଏନଡିଏ ଓ ‘ଇଣ୍ଡିଆ’ ମେଂଟ ପାଇଁ ଶକ୍ତି ପ୍ରଦର୍ଶନର ପ୍ରକୃତ ସମୟ ଥିଲା । ବିଜେପି ନିଜ କୋଟାରୁ ଅଧିକ ଆସନ ପାଇ ତାହାର ନିର୍ବାଚନ ମେସିନ ଯେକୌଣସି ପରିସ୍ଥିତିରେ ନିର୍ବାଚନର ମୋଡ ବଦଳାଇବାକୁ ସକ୍ଷମ ବୋଲି ପ୍ରମାଣ କରି ଦେଇଥିବା ବେଳେ ବିରୋଧୀ ମେଂଟରେ ଥିବା ଦଳର ବିଧାୟକମାନେ ଶାସକ ଦଳ ନିକଟରେ ବିକ୍ରି ହେବା ପାଇଁ ସର୍ବଦା ପ୍ରସ୍ତୁତ ଥିବା ପ୍ରମାଣ କରି ଦେଇଛନ୍ତି । ୟୁପିର ସର୍ବାଧିକ ୧୦ଟି ରାଜ୍ୟସଭା ଆସନ ପାଇଁ ଗତକାଲି ଭୋଟ ହୋଇଥିବା ବେଳେ ବିଜେପି ସାତଟି ବଦଳରେ ଆଠଟି ଆସନରେ ବିଜୟୀ ହୋଇଛି ଏବଂ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ତିନିଟି ଆସନରେ ବିଜୟୀ ହେବାକୁ ସକ୍ଷମ ଥିଲେ ମଧ୍ୟ ଦଳର କିଛି ବିଧାୟକଙ୍କ ପ୍ରତାରଣର କାରଣରୁ ଦୁଇଟି ରାଜ୍ୟସଭା ଆସନ ଜିତିବାରେ ସୀମିତ ରହିଛି । ୟୁପିରେ ବିଜେପି ସରକାର ଥିବାରୁ ‘ଘୋଡା ବେପାର’ ଠିକ ବାଟରେ ହୋଇଥିବା ଏବଂ ସମାଜବାଦୀ ପାର୍ଟି ତାହାର ଶିକାର ହୋଇଥିବା ଗତକାଲି ରାତିରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି । ନିକଟରେ ସମାଜବାଦୀ ପାର୍ଟି ରାଜ୍ୟର ୮୦ ଲୋକସଭା ଆସନ ପାଇଁ କଂଗ୍ରେସ ସହ ଆସନ ବୁଝାମଣା କରିଛି । ରାଜ୍ୟରେ ଏକାକୀ ତାଙ୍କ ଦଳ (ସମାଜବାଦୀ ପାର୍ଟି) ବିଜେପିର ମୁକାବିଲା କରିବାକୁ ସକ୍ଷମ ଏବଂ ୮୦ରୁ ୮୦ ଆସନରେ ଦଳ ବିଜୟୀ ହେବ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିକଟରେ ବାହାସ୍ପୋଟ ମାରିଥିବା ବେଳେ ତାଙ୍କରି ଦଳର ବିଧାୟକମାନେ ଗତକାଲିର ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ କ୍ରସ୍ ଭୋଟିଂ କରି ଅଖିଳେଶଙ୍କ ଦମ୍ଭ ଭାଂଗି ଦେଇଛନ୍ତି । ୟୁପି ବିଧାନସଭାରେ ବିଜେପି ଓ ସମାଜବାଦୀ ପାର୍ଟିର ବିଧାୟକଙ୍କ ଗଣିତକୁ ଦେଖିଲେ ଗତକାଲି ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜେପି ୧୦ଟିରୁ ସାତଟି ଆସନରେ ଓ ସମାଜବାଦୀ ପାର୍ଟି ତିନଟି ଆସନରେ ସହଜରେ ବିଜୟ ହାସଲ କରିବାର ଥିଲା । କିନ୍ତୁ, ସମାଜବାଦୀ ପାର୍ଟିର କିଛି ବିଧାୟକ ବିଜେପି ସପକ୍ଷରେ ‘କ୍ରସ୍ ଭୋଟିଂ’ କରିବାରୁ ଅଂକ ବଦଳି ଗଲା । ବିଜେପି ଗୋଟିଏ ଅଧିକ ଆସନ, ଅର୍ଥାତ ଆଠଟି ଆସନରେ ପ୍ରାର୍ଥୀ ଦେଇ ବିଜୟ ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା ସେଥିରେ ସଫଳ ହୋଇଥିବା ବେଳେ ସମାଜବାଦୀ ପାର୍ଟି ହତାଶ ହୋଇଛି । ସୋମବାର ରାତିରୁ ସମାଜବାଦୀ ପାର୍ଟିର ଆଠ ଜଣ ବିଧାୟକ ଦଳର ମୁଖ୍ୟ ଅଖିଳେଶ ଯାଦବ ଦେଉଥିବା ନୈଶ୍ୟ ଭୋଜିରେ ଅନୁପସ୍ଥିତ ରହି ଏହି ସୂଚନା ଦେଇ ସାରିଥିଲେ । ମଂଗଳବାର ଦିନ ରାଜ୍ୟସଭା ଭୋଟ ଆରମ୍ଭ ପୂର୍ବରୁ ୟୁପି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ମନୋଜ କୁମାର ପାଣ୍ଡେ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିର ରଣନୀତିକୁ ଅଧିକ ସୁଦୃଢ କରିଥିଲେ । କେବଳ, ୟୁପି ନୁହେଁ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ଗତକାଲି ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ହୋଇଛି । ହିମାଚଳ ପ୍ରଦେଶରେ କଂଗ୍ରେସର ସରକାର ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ‘କ୍ରସ୍ ଭୋଟିଂ’କୁ ରୋକିପାରି ନାହାନ୍ତି । ରାଜ୍ୟର ଗୋଟିଏ ରାଜ୍ୟସଭା ଆସନ ପାଇଁ ଗତକାଲି ନିର୍ବାଚନ ହୋଇଥିଲା । ବିଧାନସଭାରେ ଥିବା କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ଗୋଟିଏ ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନରେ କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି ରାଜନୈତିକ ବିଶ୍ଲେଷକମାନେ ଆକଳନ କରୁଥିଲେ । ତେବେ, କଂଗ୍ରେସରୁ କ୍ରସ୍ ଭୋଟିଂ କରାଇ ବିଜେପି ଏହି ଆକଳନକୁ ଭୁଲ ସାବ୍ୟସ୍ତ କରିଛି । ହିମାଚଳ ପ୍ରଦେଶ ଯେଉଁ ଛଅ ଜଣ କଂଗ୍ରେସ ବିଧାୟକ ଗତକାଲିର ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ ସେମାନେ ବିଜେପି ସହ ସଂପର୍କରେ ଥିବା ଖବର ମିଳୁଥିବା ବେଳେ ବିଧାନସଭାରେ ନିଜର ସଂଖ୍ୟାରିଷ୍ଠତା ପ୍ରତିପାଦିତ କରିବାକୁ ସେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି । ଅପରପକ୍ଷରେ, କଂଗ୍ରେସର ଛଅ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ବିଜେପିକୁ ଜିତାଇ ଥିବାରୁ ସୁଖୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ନୈତିକତା ହରାଇ ବସିଛନ୍ତି ବୋଲି ବିଜେପି କହିଛି ଓ ତାଙ୍କ ଇସ୍ତଫା ଦାବି କରିଛି । ତେବେ, ସୁଖୁ କହିଛନ୍ତି – କେହି ତାଙ୍କ ଇସ୍ତଫା ଦାବି କରିନାହାନ୍ତି ବା ସେ ଇସ୍ତଫା ଦେବାକୁ ଯାଉ ନାହାନ୍ତି । ହିମାଚଳ ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପୁତ୍ର ବିକ୍ରମାଦିତ୍ୟ ସିଂହ ଆଜି ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଅଡୁଆ ବଢାଇ ଥିବା ବେଳେ ଗୃହରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ରାଜ୍ୟ ବିଦାନସଭା ବାଚସ୍ପତି ଆଜି ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସମେତ ୧୫ ଜଣ ବିଜେପି ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଛଅ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିବା ଓ ବିକ୍ରମାଦିତ୍ୟ ସିଂହ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେବା ଫଳରେ ରାଜ୍ୟ କଂଗ୍ରେସରେ ଯେଉଁ ସଂକଟ ସୃଷ୍ଟି ହୋଇଛି ତାହାକୁ ସଜାଡିବା ପାଇଁ କଂଗ୍ରେସ ନେତୃତ୍ୱ କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଡି.କେ.ଶିବ କୁମାରଙ୍କୁ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି । ଶିବ କୁମାର କଂଗ୍ରେସ ପାଇଁ ‘ସଂକଟ ମୋଚକ’ ଭାବେ ପରିଚିତ । ଗତକାଲି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କେବଳ କର୍ଣ୍ଣାଟକରୁ ବିରୋଧୀ ମେଂଟକୁ ଖୁସି ଖବର ମିଳିଛି । କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ପାଇଁ ଗତକାଲି ଭୋଟ ହୋଇଥିଲା । ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ତିନିଟି ଆସନରେ ଓ ବିଜେପି-ଜେଡିୟୁ ମେଂଟ ଗୋଟିଏ ଆସନରୁ ବିଜୟୀ ହେବା କଥା । ତେବେ, ବିଜେପି-ଜେଡିୟୁ ମେଂଟ ପଂଚମ ପ୍ରାର୍ଥୀ ଦେଇ ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି କରିଥିଲେ । କଂଗ୍ରେସ ହାତରୁ ସେମାନେ ଗୋଟିଏ ଆସନ ଛଡାଇ ନେବାର ଯୋଜନା ପ୍ରସ୍ତୁତ କରିଥିଲେ । ତେବେ, ବିଜେପି ଭୋଟ ଜେଡିୟୁକୁ ଠିକ ଭାବେ ଟ୍ରାନ୍ସଫର ନ ହେବାରୁ ବିଜେପିର ଯୋଜନା ବିଫଳ ହୋଇଛି । ଗୋଟିଏ ଆସନରେ ବିଜେପିର ବିଜୟ ହୋଇଥିବା ବେଳେ ଜେଡିୟୁ ପ୍ରାର୍ଥୀ ପରାଜିତ ହୋଇଛନ୍ତି । କଂଗ୍ରେସକୁ ଦୁଇ ଜଣ ସ୍ୱାଧୀନ ବିଧାୟକ ଓ ଦୁଇ ଜଣ ଆଂଚଳିକ ଦଳ ବିଧାୟକ ସମର୍ଥନ ଦେଇଥିବା ବେଳେ ଜଣେ ବିଜେପି ବିଧାୟକ କଂଗ୍ରେସ ସପକ୍ଷରେ କ୍ରସ୍ ଭୋଟିଂ କରିଥିବା ଜଣାପଡିଛି । ଆସନ୍ତା ଏପ୍ରିଲ ମାସରେ ୫୬ ଜଣ ରାଜ୍ୟସଭା ସାଂସଦ ଅବସର ଗ୍ରହଣ କରୁଥିବାରୁ ନିର୍ବାଚନ କମିଶନ ଏହି ୫୬ ଆସନ ପାଇଁ ଗତକାଲି ଭୋଟ ହେବାକୁ ତାରିଖ ଧାର୍ଯ୍ୟ କରିଥିଲେ । ତେବେ, ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ୪୧ ଜଣ ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଘୋଷିତ ହୋଇ ସାରିଥିଲେ । ତିନିଟି ରାଜ୍ୟର ୧୫ ରାଜ୍ୟସଭା ଆସନ ପାଇଁ ଗତକାଲି ଭୋଟ ହୋଇଥିଲା । ବିଜେପି ଯେତିକି ଆସନରେ ଜିତିବା କଥା ସେଥିରୁ ଅଧିକ ଦୁଇଟି ଆସନରେ ବିଜୟୀ ହୋଇଛି । ରାଜ୍ୟସଭାକୁ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେତାଙ୍କ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରହିଥିବା ବେଳେ କଂଗ୍ରେସ ନେତା ଅଜୟ ମାକନ ଗତକାଲି କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS