ହିଂସାରେ ସଂପୃକ୍ତ ଚାଷୀଙ୍କ ଭିସା, ପାସପୋର୍ଟ ବାତିଲ ହେବ !


ପ୍ରସାଦ ରାଓ
ଫେବୃୟାରୀ ୨୯
ଏମଏସପିର ଆଇନଗତ ସୁରକ୍ଷା ସମେତ ଅନ୍ୟାନ୍ୟ ଦାବିରେ ସଂଯୁକ୍ତ କିଶାନ ମୋର୍ଚ୍ଚା (ଅଣ-ରାଜନୈତିକ) ଓ କିଶାନ ମଜଦୂର ମୋର୍ଚ୍ଚାର ‘ଦିଲ୍ଲୀ ଚଲୋ’ ଅଭିଯାନ ଜାରି ଥିବା ବେଳେ ହରିୟାଣା ସୀମାନ୍ତରେ ପୁଲିସ ଅବରୋଧ ଭାଂଗିବାକୁ ଉଦ୍ୟମ କରି ହିଂସା ଭିଆଇ ଥିବା ଚାଷୀଙ୍କ ଭିସା, ପାସପୋର୍ଟ ରଦ୍ଦ ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ସଂପୃକ୍ତ ଦୂତାବାସକୁ ଚିଠି ଲେଖାଯିବା ବୋଲି ହରିୟାଣା ପୁଲିସ ଆଜି ସୂଚନା ଦେଇଛି । ଅମ୍ବାଲା ପୁଲିସ ଡିଏସପି ଯୋଗୀନ୍ଦର ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚାଷୀ ଆନ୍ଦୋଳନ ନାମରେ ଯେଉଁମାନେ ପଂଜାବ-ହରିୟାଣା ସୀମାନ୍ତରେ ହିଂସାକାଣ୍ଡ ଭିଆଇ ଥିଲେ ସେମାନଙ୍କୁ ସିସିଟିଭି ଓ ଡ୍ରୋନ୍ କ୍ୟାମେରା ଫୁଟେଜ୍ ରୁ ଚିହ୍ନଟ କରାଯାଇଛି । ସେମାନଙ୍କ ଫଟୋ, ନାମ ଓ ଠିକଣା ସବୁ ପାସପୋର୍ଟ କାର୍ଯ୍ୟାଳୟକୁ ପଠାଯାଇ ଭିସା ଓ ପାସପୋର୍ଟ ରଦ୍ଦ କରାଯିବାାକୁ ଅନୁରୋଧ କରାଯିବ । ପୂର୍ବରୁ ଆନ୍ଦୋଳନରେ ସଂପୃକ୍ତ ଚାଷୀଙ୍କୁ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ବଳରେ ଗିରଫ କରିବାକୁ ହରିୟାଣା ପୁଲିସ ନିର୍ଣ୍ଣୟ ନେଇଥିଲେ ମଧ୍ୟ ତାହା ପ୍ରତ୍ୟାହାର କରିଥିଲେ ।
ଏମଏସପିକୁ ଆଇନଗତ ସୁରକ୍ଷା ଦିଆଯିବା ଓ ଅନ୍ୟାନ୍ୟ ଦାବିରେ ଚାଷୀଙ୍କ ଏହି ‘ଦିଲ୍ଲୀ ଚଲୋ’ ଅଭିଯାନ ଚାଲିଥିବା ବେଳେ ହରିୟାଣାରେ ପ୍ରବେଶ ପୂର୍ବରୁ ସେମାନଙ୍କୁ ରୋକି ଦିଆଯାଇଛି । ଚାଷୀ ସଂଗଠନମାନେ ପଂଜାବ ସୀମା ଅତିକ୍ରମ କରି ହରିୟାଣାରେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ହରିୟାଣାର ଶମ୍ଭୁ ବର୍ଡରରେ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ହରିୟାଣା ପୁଲିସ ଶମ୍ଭୁ ବର୍ଡରକୁ କଂକ୍ରିଟ୍ ଓ କଂଟାବାଡରେ ମଲ୍ଟି-ଲେୟାର ବ୍ୟାରିକେଡିଂ କରି ଚାଷୀଙ୍କୁ ରୋକି ଦେଇଛନ୍ତି । ଫେବୃୟାରୀ ୧୩ ତାରିଖ ଦିନ ଚାଷୀ ଟ୍ରାକ୍ଟର ସାହାଯ୍ୟରେ ଏହି ବ୍ୟାରିକେଡଗୁଡିକୁ ଭାଂଗି ହରିୟାଣାରେ ପ୍ରବେଶ ଉଦ୍ୟମ କରିବାରୁ ପୁଲିସ ସହ ସଂଘର୍ଷ ହୋଇଥିଲେ । ବ୍ୟାରିକେଡଗୁଡିକୁ ଭାଂଗୁଥିବା ଚାଷୀଙ୍କୁ ଘଉଡାଇବା ପାଇଁ ହରିୟାଣା ପୁଲିସ ପାଣି ମାଡ ସହ ଡ୍ରୋନ୍ ସହାୟତାରେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ । ଚାଷୀଙ୍କ ଆଡୁ ପଥର ମାଡ ହେବାରୁ ରବର ଗୁଳି ମଧ୍ୟ ପ୍ରୟୋଗ ହୋଇଥିଲା । ଖଣ୍ଡଯୁଦ୍ଧରେ ଉଭୟ ଚାଷୀ ଓ ହରିୟାଣା ପୁଲିସର ସୁରକ୍ଷା କର୍ମୀ ଆହତ ହୋଇଥିଲେ ।
ପଂଜାବ-ହରିୟାଣା ସୀମାନ୍ତ ସାଂଗରୁରର ମୋନାକଠାରେ ମଧ୍ୟ ଚାଷୀ ସଂଗଠନଗୁଡିକ ଏକାଭଳି ଅତିକ୍ରମଣ ଉଦ୍ୟମ ଓ ଭଂଗାରୁଜା କରିଥିବା ହରିୟାଣା ପୁଲିସ ଅଭିଯୋଗ କରିଛି । ଫେବୃୟାରୀ ୨୧ ତାରିଖ ଦିନ ଚାଷୀମାନେ ଖାନାଉରୀ ସୀମାରେ ବ୍ୟାରିକେଡ ଭାଂଗାବାକୁ ଉଦ୍ୟମ କରିବା ସମୟରେ ହରିୟାଣା ପୁଲିସ ସହ ସଂଘର୍ଷ ଘଟି ଥିଲା । ସଂଘର୍ଷରେ ପଂଜାବ ଭତିଣ୍ଡା ସହରର ୨୧ ବର୍ଷର ଯୁବ ଚାଷୀ ଶୁଭକରଣ ସିଂହଙ୍କ ମୃତ୍ୟୁ ଘଟିଥିଲା ଓ ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ପୁଲିସ ଗୁଳିରେ ଶୁଭକରଣ ସିଂହଙ୍କ ମୃତ୍ୟୁ ଘଟିଛି ବୋଲି ଚାଷୀ ଅଭିଯୋଗ କରିବା ସହ ହତ୍ୟାକାରୀଙ୍କ ବିରୋଧରେ ହତ୍ୟା ମାମଲା ପଂଜୀକରଣ କରିବାକୁ ଅଡି ରହିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିଲା । ପୁନର୍ବାର ଫେବୃୟାରୀ ୨୩ ତାରିଖରେ ଆନ୍ଦୋଳନକାରୀ ଚାଷୀ ହରିୟାଣା ସୀମାନ୍ତ ପଂଜାବର ଖାନାଉରୀରେ ସୀମା ଅତିକ୍ରମଣ ଉଦ୍ୟମ କରି ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଏବଂ ପୁଲିସ ସେମାନଙ୍କୁ ଘଉଡାଇବାକୁ ଲୁହବୁହା ବାଷ୍ପ ଓ ରବର ଗୁଳି ପ୍ରୟୋଗ କରିଥିଲେ ।
ଶୁଭକରଣ ସିଂହଙ୍କ ମୃତ୍ୟୁପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଚାଷୀ ସଂଗଠନମାନେ ସେମାନଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନକୁ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲେ ମଧ୍ୟ ଶୁଭକରଣଙ୍କ ହତ୍ୟାକାରୀଙ୍କ ବିରୋଧରେ ପଂଜାବ ପୁଲିସ ହତ୍ୟା ମାମଲା ପଂଜୀକୃତ କରିବା ଦାବିରେ ଅଡି ରହି ଶବଦାହ କରାଇ ଦେଇ ନଥିଲେ । ଅବଶ୍ୟ ପରେ ଚାଷୀଙ୍କୁ ବୁଝାସୁଝା କରାଯାଇ ଶବଦାହ ହୋଇଥିଲା । ଶୁୁଭକରଣଙ୍କ ହତ୍ୟାର ସାତ ଦିନ ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଙ୍କ ନିର୍ଦେଶକ୍ରମେ ଗତକାଲି ରାତିରେ ପଂଜାବ ପୁଲିସ ହରିୟାଣା ସୁରକ୍ଷା କର୍ମୀଙ୍କ ବିରୋଧରେ ହତ୍ୟା ମାମଲା ପଂଜୀକୃତ କରିଛନ୍ତି । ପଂଜାବ ପଟିଆଲା ଥାନାରେ ଆଇପିସିର ୩୦୨ ଓ ୧୪୪ ଦଫାରେ ମାମଲାର ପଂଜୀକୃତ ହୋଇଥିବା ଜଣାପଡିଛି । ପୂର୍ବରୁ ହରିୟାଣା ପୁଲିସ ଅଭିଯୋଗ କରିଆସୁଛନ୍ତି ଯେ ପଂଜାବ-ହରିୟାଣା ସୀମାନ୍ତରେ ଅଚଳାବସ୍ଥା ସୃଷ୍ଟି କରିଥିବା ପଂଜାବ ଚାଷୀଙ୍କୁ ସେଠାରୁ ହଟାଇବାରେ ପଂଜାବ ପୁଲିସ ସହଯୋଗ କରୁ ନାହାନ୍ତି । ଏହାକୁ ନେଇ ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ଛକାଂପଂଝା ଲାଗି ରହିଛି । ପଂଜାବରେ ଆମ୍ ଆଦମୀ ପାର୍ଟି ସରକାର ଥିବା ବେଳେ ହରିୟାଣାରେ ବିଜେପିର ସରକାର ରହିଛି ।
କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରୁଥିଲେ ମଧ୍ୟ ତାହାକୁ ଆଇନଗତ ମାନ୍ୟତା ଦେଉନଥିବାରୁ ଚାଷୀ ସରକାରୀ ଘୋଷିତ ମୂଲ୍ୟ ପାଉ ନାହାନ୍ତି । କେବଳ ସରକାର ଯେତିକି କୃଷି ଉପଜ କିଣୁଛନ୍ତି ସେଥିପାଇଁ ଏମଏସପି ଦେଉଛନ୍ତି । ଘରୋଇ ବ୍ୟବସାୟୀ ଓ ମଧ୍ୟସ୍ଥିମାନେ କୃଷି ଉତ୍ପାଦନର ସରକାରୀ ଘୋଷିତ ମୂଲ୍ୟ ନଦେଇ ଅତି କମ୍ ମୂଲ୍ୟରେ ଫସଲ ଖର୍ଦ୍ଦି କରୁଥିବାରୁ ଚାଷୀ ତାହାର ବିରୋଧ କରୁଛନ୍ତି । ସେଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଏମଏସପିର ଆଇନଗତ ସୁରକ୍ଷା ଦାବି କରୁଛନ୍ତି । ଏହାଛଡା, କଷି ଋଣ ଛାଡ, ସ୍ୱାମୀନାଥନ କମିଶନ ସୁପାରିଶ ପୂର୍ଣ୍ଣତଃ କାର୍ଯ୍ୟକାରୀ ହେବା, ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ଚାଷୀଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାନଯିବା, ୨୦୨୦-୨୧ ଚାଷୀ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ଯେଉଁ ସବୁ ମାମଲା ହୋଇଥିଲା ସେସବୁ ପ୍ରତ୍ୟାହାର କରାଯିବା, ଆନ୍ଦୋଳନରେ ସହୀଦ ହୋଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ସେମାନଙ୍କ ପରିବାରରୁ ଜଣକୁ ଲେଖାଏଁ ସରକାରୀ ନିଯୁକ୍ତି, ୨୦୧୩ ଜମି ଅଧିଗ୍ରହଣ ଆଇନକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ଓ ୨୦୨୧ରେ ୟୁପିର ଲକ୍ଷ୍ମୀପୁର ଖେରୀରେ ହିଂସାର ଶିକାର ହୋଇଥିବା ଚାଷୀଙ୍କୁ ଉଚିତ ନ୍ୟାୟ ମିଳିବା ଦାବିରେ ଚାଷୀଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଚାଲିଛି ।
୨୦୨୦-୨୧ରେ କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନ ବିରୋଧରେ ୪୦ରୁ ଅଧିକ ଚାଷୀ ସଂଗଠନ ବେଁରୁ ଅଧିକ ସମୟ ଆନ୍ଦୋଳନ କରି ଦିଲ୍ଲୀ ସୀମାନ୍ତକୁ ଅବରୋଧ କରି ରଖିଥିଲେ । ଚାଷୀଙ୍କ ଚାପରେ କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରି ଥିଲେ ମଧ୍ୟ ଏମଏସପିର ଆଇନଗତ ସୁରକ୍ଷା ଓ ଅନ୍ୟାନ୍ୟ ଦାବି ଅସମାଧିତ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିବା ସମୟରେ ଆନ୍ଦୋଳନର ପରିସମାପ୍ତି ପାଇଁ ଚାଷୀ ସଂଗଠନଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସରକାର ତାହା ପାଳନ ନ କରିବାରୁ ଏହି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ମୁଣ୍ଡ ଟେକିଛି । ୨୦୨୧ରେ ୟୁପିର ଲକ୍ଷ୍ମୀପୁର ଖେରୀରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଭାଇ ଏସୟୁଭି ଗାଡି ମଡାଇ ଦେବାରୁ ଘଟଣା ସ୍ଥଳରେ ଚାରି ଜଣ ଚାଷୀ ଓ ଜଣେ ସାମ୍ବାଦିକ ମୃତ୍ୟୁ ଘଟି ଥିଲା । ପୁଲିସ ତଦନ୍ତରୁ ମଧ୍ୟ ଏହା ସିଦ୍ଧ ହୋଇ ମନ୍ତ୍ରୀଙ୍କ ଭାଇ ବିରୋଧରେ ହତ୍ୟା ମାମଲା ଚାଲିଛି । ତେବେ, ହତ୍ୟାରେ ବ୍ୟବହୃତ ଏସୟୁଭି ଗାଡି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ବୋଲି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସେମାନଙ୍କ ଚାର୍ଜସିଟ୍ ରେ ଦର୍ଶାଇ ଥିଲେ ମଧ୍ୟ କେନ୍ଦ୍ର ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରୁ ହଟାଇ ନାହାନ୍ତି । ଏହାକୁ ନେଇ ଚାଷୀଙ୍କ ଅସନ୍ତୋଷ ରହିଛି ।
ଚାଷୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଚାହୁଁଥିବା ବେଳେ ହରିୟାଣା ସୀମାନ୍ତରେ ସେମାନଙ୍କୁ ରୋକି ଦିଆଯାଇ ବଳ ପ୍ରୟୋଗ କରାଯାଉଥିବା ଅଭିଯୋଗ ହେଉଛି । ହରିୟାଣା ସରକାର ଏହି ଦମନଲୀଳା ଚଳାଇ ଥିବା ବିଭିନ୍ନ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ହରିୟାଣା ସୀମାନ୍ତରେ ରୋକିଯିବା ଘଟଣାକୁ ନେଇ ପଂଜାବ ଓ ହରିୟାଣା ସରକାର ମୁହାଁମୁହିଁ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସମେତ ଏମ ତିନି ଜଣିଆ ମନ୍ତ୍ରୀ ଗୋଷ୍ଠୀ ଚାଷୀ ସଂଗଠନଙ୍କ ସହ ଆଲୋଚନା କରୁଛନ୍ତି । ଇତିମଧ୍ୟରେ ଅନ୍ୟୁନ ପାଂଚ ଥର ଆଲୋଚନା ବିଫଳ ହେଲାଣି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଚାଷୀଙ୍କ ଜିଦ୍ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି । ନିର୍ବାଚନ ତାରିଖ ଘୋଷଣା ପରେ ବି ଆନ୍ଦୋଳନ ଜାରି ରହିବ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ-ଅଣ ରାଜନୈତିକ) ଓ କିଶାନ ମଜଦୂର ମୋର୍ଚ୍ଚା ପକ୍ଷରୁ ନିକଟରେ ଘୋଷଣା କରାଯାଇଥିବା ବେଳେ ସରକାର ଚାଷୀ ସଂଗଠନଙ୍କ ସହ ଆଲୋଚନା ଜାରି ରଖିଛନ୍ତି, ଅତିଶୀଘ୍ର ସମାଧାନର ବାଟ ବାହାରିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି । ତେବେ, ଚାଷୀଙ୍କ ବିରୋଧରେ ଚାଲିଥିବା ଦମନମୂଳକ କାର୍ଯ୍ୟାନୁଷ୍ଠାନ ଆଲୋଚନାର ବାଟକୁ କେତେଦୂର ସୁଗମ କରିବ – ଆଜି ଦିନରେ ତାହା ହିଁ ମୂଳ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS