ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ: ଶୀଘ୍ର ଆସୁଛି କୋଭିନ୍ଦ କମିଟି ରିପୋର୍ଟ !
ପ୍ରସାଦ ରାଓ
ଭୁବନେଶ୍ୱର/ମାର୍ଚ୍ଚ ୦୧
ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ବିଜେପି ଆଗକୁ ବଢୁଥିବା ଦେଖିବାକୁ ମିଳୁଛି । ଅଶି ଦଶକରୁ ବିଜେପି ଆଜେଣ୍ଡାରେ ଏହି ଯୋଜନା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରିବାକୁ ସୁଯୋଗ ନଥିଲା । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଶ ବର୍ଷର ଶାସନରେ ଏହାର ଭିତ୍ତିଭୂମି ପଡିଛି । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ପ୍ରସ୍ତାବ ସପକ୍ଷରେ ଦେଶବ୍ୟପୀ ସହମତି ମିଳିଲେ ୨୦୨୯ରେ ତାହା କାର୍ଯ୍ୟକାରୀ କରିବାକୁ ବିଜେପି ଯୋଜନାରେ ଥିବା ବେଳେ ଏହାଦ୍ୱାରା ଦେଶରେ ଏକଛତ୍ରବାଦ ଶାସନର ମୂଳଦୁଆ ପଡିବ ଦର୍ଶାଇ ବିରୋଧୀ ଦଳମାନେ ତାହାର ଘୋର ବିରୋଧ କରୁଛନ୍ତି । ତେବେ, ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ, ବିମୁଦ୍ରୀକରଣ, ଜିଏସଟି ଭଳି ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଆଜେଣ୍ଡା ମଧ୍ୟ ଅନାୟାସରେ ଦେଶ ଉପରେ ଲଦି ଦିଆଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।
ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବ୍ୟାଖ୍ୟାୟନକୁ ଆଗେଇ ନେବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ବିଭିନ୍ନ ରାଜ୍ୟ ଓ ରାଜନୈତିକ ଦଳଙ୍କ ସହ ଆଲୋଚନା ମାଧ୍ୟମରେ ସହମତି ଆଣିବାକୁ ଉଦ୍ୟମରେ ଲାଗିଛି । ଆସନ୍ତା କିଛି ଦିନ ମଧ୍ୟରେ କୋଭିନ୍ଦ କମିଟି ସରକାରଙ୍କ ନିକଟରେ ତାହାର ରିପୋର୍ଟ ଦାକଲ କରିବ ଓ ମୋଦୀ ସରକାର ୨୦୨୪ ସାଧାରଣ ନିର୍ବାଚନ ପାଇଁ ଯେଉଁ ଇସ୍ତାହାର ପ୍ରସ୍ତୁତ କରିବେ ସେଥିରେ ଏହି ପ୍ରସ୍ତାବ ମଧ୍ୟ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି ଆଲୋଚନା ହେଉଛି । କୋଭିନ୍ଦ କମିଟିରେ ପୂର୍ବତନ ରାଷ୍ଟ୍ରପତି କୋଭିନ୍ଦ ଅଧ୍ୟକ୍ଷ ଥିବା ବେଳେ ସଦସ୍ୟ ରହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ.ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ସୁଭାଷ କାଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ପୂର୍ବତନ ସିଭିସି ସଂଜୟ କୋଠାରୀ ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ସଚିବ କମିଟିର ସଦସ୍ୟ ସଚିବ ରହିଛନ୍ତି । ବିରୋଧୀ ଦଳରୁ ଲୋକସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସର ଅଧୀର ରଂଜନ ଚୌଧୁରୀଙ୍କୁ ଏହି ସାତ ଜଣିଆ କମିଟିରେ ସଦସ୍ୟ ରଖା ଯାଇଥିଲା । ତେବେ, କମିଟି ଗଠନ ପରେ ସେ ଏଥିରୁ ନିଜକୁ ଦୂରେଇ ନେଇଥିଲେ । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର ମୂଳ ଆଭିମୁଖ୍ୟ ହେଉଛି ଦେଶରେ ଏକାଠି ଲୋକସଭା ସହ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ କରାଇବା । ୨୦୨୪ରେ ଏହା ସମ୍ଭବ ନଥିବାରୁ ମୋଦୀ ସରକାର ୨୦୨୯ ସାଧାରଣ ନିର୍ବାଚନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅଛନ୍ତି । ଦେଶରେ ଏକା ସମୟରେ ଲୋକସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡିକ ପାଇଁ ନିର୍ବାଚନ କରାଯିବା ବ୍ୟବସ୍ତାକୁ ବିରୋଧ କରୁଥିବା ରାଜନୈତିକ ଦଳଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ, ସିପିଏମ, ସିପିଆଇ, ଡ଼ିଏମକେ, ଟିଏମସି, ଆପ୍ ଓ ଏଆଇଏମଆଇଏମ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ଶାସନର ପୁନଃ ପ୍ରତିଷ୍ଠା ହେବ ଏବଂ ବିରୋଧୀ ଗୌଣ ହୋଇଯିବେ ବୋଲି ବିରୋଧୀ ଦଳମାନେ ଆଙ୍କା କରୁଛନ୍ତି ।
ତେବେ, ବିଜେପିର ଯୁକ୍ତ ହେଉଛି-ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅଳଗା ଅଲଗା ନିର୍ବାଚନ ହୋଇ ଦେଶର ଅର୍ଥନୀତି ଓ ଲୋକବଳ ଉପରେ ଯେଉଁ ଚାପ ପଡୁଛି ତାହା ବହୁମାତ୍ରାରେ ହ୍ରାସ ପାଇବ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ । ଏବେ ଲୋକସଭା ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଏକାଠି ହେଉଥିବା ବେଳେ ଆଉ କିଛି ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ବିଧାନସଭା ନିର୍ବାଚନ ହେଉଥିବାରୁ ନିର୍ବାଚନ ପରିଚାଳନା ପାଇଁ ବିପୁଳ ପରିମାଣର ଅର୍ଥ ସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ସରକାରୀ କଳ ଓ ଲୋକବଳର ବ୍ୟାପକ ବ୍ୟବହାର ହେଉଛି । ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ତୁରନ୍ତ ଆଦର୍ଶ ଆଚରଣ ବିଧି ଲାଗୁ କରି ଦେଉଥିବାରୁ ଚାଲି ଥିବା ବିକାଶ କାର୍ଯ୍ୟ ମଧ୍ୟ ସାମୟିକ ଭାବେ ଠପ୍ ହୋଇଯାଉଛି । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ନିର୍ବାଚନ ବାବଦରେ ହେଉଥିବା ଖର୍ଚ୍ଚ ହ୍ରାସ ପାଇବ । ଲୋକବଳ ମଧ୍ୟ ଥରକରେ ବ୍ୟବହାର ହୋଇପାରିବ । ବାରମ୍ବାର ବିକାଶ କାର୍ଯ୍ୟକୁ ରୋକିବାକୁ ପଡିବ ନାହିଁ ।
ପାଂଚ ବର୍ଷ ପରେ, ଅର୍ଥାତ ୨୦୨୯ ସାଧାରଣ ନିର୍ବାଚନରେ ଦେଶରେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବିଜେପି ଯୋଜନାରେ ଥିବାରୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାଠି କରିବାକୁ ହେଲେ ଭାରତୀୟ ସମ୍ବିଧାନ ଏବଂ ଜନପ୍ରତିନିଧି ଆଇନରେ ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି । କୋଭିନ୍ଦ କମିଟିର ରିପୋର୍ଟ ପ୍ରାୟ ଚୂଡାନ୍ତ ହୋଇସାରିଲାଣି । ଭାରତୀୟ ସମ୍ବିଧାନ ଓ ଜନ ପ୍ରତିନିଧି ଆଇନରେ କି କି ସଂଶୋଧନ ଆବଶ୍ୟକ ତାହା କମିଟି ତାଙ୍କ ରିପୋର୍ଟରେ ସରକାରଙ୍କୁ ପରାମର୍ଶ ଦେବେ । ଲୋକସଭା ହେଉ ବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳି ଝୁଲା ଲୋକସଭା ବା ବିଧାନସଭା ହେଲେ, ଅନାସ୍ଥା ଭୋଟରେ ସରକାରଙ୍କ ପତନ ଘଟିଲେ କିମ୍ବା ଦଳ ବଦଳ କାରଣରୁ ସରକାର ସଂଖ୍ୟାଲଘୁ ହୋଇପଡିଲେ ବ୍ୟବସ୍ଥାକୁ କିଭଳି ସୁରକ୍ଷିତ ରଖି ହେବ, ସେନେଇ ମଧ୍ୟ କୋଭିନ୍ଦ କମିଟି ସରକାରଙ୍କୁ ସୁପାରିଶ କରୁଥିବା ଜଣାପଡିଛି ।
୧୯୬୭ ପର୍ଯ୍ୟନ୍ତ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ସବୁ ଏକାଠି ହେଉଥିଲା । ପରେ, ଏହି ଧାରା ଭାଂଗିଛି । ରାଜ୍ୟମାନଙ୍କରେ ପ୍ରତିଷ୍ଠିତ ମେଂଟ ସରକାର ସବୁ ଅସମୟରେ ଭାଂଗିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଧାର୍ଯ୍ୟ ସମୟର ଗୋଟିଏ ବର୍ଷ ପୂର୍ବରୁ, ଅର୍ଥାତ ୧୯୭୧ରେ ସାଧାରଣ ନିର୍ବାଚନ କରାଇବାରୁ ଏକାଠି ନିର୍ବାଚନର ଧାରା ଭାଂଗିଥିବା କୁହାଯାଉଛି । ବିଜେପି ଅଶି ଦଶକରୁ ଏକାଠି ନିର୍ବାଚନ ହେବା ସପକ୍ଷରେ ଯୁକ୍ତି ବାଢି ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳରେ ଏଥିପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ଆତୁର ଥିବାରୁ ଏବଂ ୨୦୨୯ରେ ତାହା କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବାରୁ କୋଭିନ୍ଦ କମିଟି ରିପୋର୍ଟ ଓ ସୁପାରିଶ ସବୁ ତାହାକୁ ସମର୍ଥନ କଲା ଭଳି ଆସିବ ବୋଲି ଆଶା କରାଯାଉଛି । ନିର୍ବାଚନ କମିଶନ ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ କୋଭିନ୍ଦ କମିଟି ସୁପାରିଶ ସାମ୍ନାକୁ ଆସିଗଲେ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ତାହାକୁ ନେଇ ମତ ରଖିବେ । ଫଳରେ, ଏହି ପ୍ରସ୍ତାବକୁ ନେଇ ଦେଶବ୍ୟାପୀ ବିତର୍କ ସମ୍ଭବ ହୋଇପାରିବ ବୋଲି ବିଜେପି ଆଶା ରଖିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS