ଓଡ଼ିଶାରେ ‘ଅପରେସନ୍ ଲୋଟସ୍’ ?
ପ୍ରସାଦ ରାଓ
ଭୁବନେଶ୍ୱର/ମାର୍ଚ୍ଚ ୦୨
ବିଜେଡ଼ି ହେଉଛି ଏକମାତ୍ର ଆଂଚଳିକ ରାଜନୈତିକ ଦଳ ଯିଏକି ଦୀର୍ଘ ୨୪ ବର୍ଷରୁ ଅଧିକ ସମୟ ହେଲା ଓଡ଼ିଶାରେ କ୍ଷମତାସୀନ ରହିଛି । ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ପାଂଚ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପୁନର୍ବାର ବିପୁଳ ଜନମତରେ ବିଜୟୀ କରାଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସହ ପୂର୍ବରୁ ଥିବା ସବୁ ରେକର୍ଡ ଭାଂଗିବା ଅପେକ୍ଷାରେ ରହିଛନ୍ତି । ଦେଶର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନଙ୍କ ନାମ ପ୍ରଥମ ସ୍ଥାନରେ ଥିବା ଜାତୀୟ ଗଣମାଧ୍ୟମ ସର୍ଭେରୁ ଜଣାପଡିଛି । ଗଲା ୨୪ ବର୍ଷ ମଧ୍ୟରେ ଓଡ଼ିଶାରେ ହୋଇଥିବା ବିକାଶ ଅନ୍ୟ ରାଜ୍ୟ ତୁଳନାରେ କମ୍ ନୁହେଁ । ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ସ୍ଥିର ସରକାର ରହିଛି । ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ଆସ୍ଥା ମଧ୍ୟ କମି ନାହିଁ । ଗ୍ରାମାଂଚଳ ଜନତା ପୂର୍ବଭଳି ନବୀନଙ୍କୁ ଭଲ ପାଉଛନ୍ତି ଓ ତାଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ରଖିଛନ୍ତି । ଫଳରେ, ରାଜ୍ୟରେ ବିରୋଧୀ ଦଳମାନେ ଘୋର ଅସ୍ତିତ୍ୱ ସଂକଟର ସାମ୍ନା କରୁଛନ୍ତି । ବିଜେଡ଼ିର ସମକକ୍ଷ ହେବାକୁ ସେମାନେ ଏକପ୍ରକାର ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ସରକାର-ବିରୋଧୀ ଲହର ନାହିଁ, ସରକାରଙ୍କ ସପକ୍ଷରେ ଲହର ରହିଛି ବୋଲି ପ୍ରଶାସନିକସ୍ତରରେ ବିଶ୍ୱାସ ରହିଛି । ଏଭଳି ସ୍ଥିତିରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଣକ ପରେ ଜଣେ ପୁରୁଖା ନେତା ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଉଥିବା ବିସ୍ମିତ କଲା ଭଳି ହୋଇଛି । ଆଜି ରାଜ୍ୟର ଛଅ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ପୁରୁଣା ଘର ବିଜେପିକୁ ବାହୁଡୁଥିବା ସୂଚନା ଦେବା ପରେ ରାଜ୍ୟରେ କଣ ବିଜେପିର ‘ଅପରେସନ୍ ଲୋଟୋସ୍’ ଚାଲିଛି କି (?) ବୋଲି ଜନସାଧାରଣରେ ପ୍ରଶ୍ନ ହେଲାଣି । ଭୁବନେଶ୍ୱର ଜୟଦେବ ବିଧାନସଭା ଆସନରୁ ବିଧାୟକ ଥିବା ବିଜେଡ଼ି ଛାଡି ଥିବା ଢାଲି ସରପଂଚରୁ ବିଧାୟକ ପର୍ଯ୍ୟନ୍ତ ଲମ୍ବା ଅଭିଜ୍ଞତା ରଖିଛନ୍ତି । ଦୀର୍ଘ ବର୍ଷ ଧରି ଉପାନ୍ତ ମାଲକାନଗିରି ଜିଲ୍ଲା ତାଙ୍କ କର୍ମକ୍ଷେତ୍ର ଥିଲା । ସରପଂଚରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଢାଲି ୧୯୯୨ରୁ ୨୦୨୪ ମଧ୍ୟରେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ପର୍ଯ୍ୟନ୍ତ ସେ ମାଲକାନଗିରିରୁ ବିଧାୟକ ଥିଲେ ଓ ନବୀନ ନେତୃତ୍ୱରେ ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ସରକାରରେ ପରିବହନ ଓ ସମନ୍ୱୟ ବିଭାଗ ମନ୍ତ୍ରୀ ହେବା ସୁଯୋଗ ମଧ୍ୟ ପାଇଥିଲେ । ୨୦୦୬ରେ ଢାଲି ବିଜେପିର ଅସନ୍ତୁଷ୍ଟ ନେତା ଉମା ଭାରତୀଙ୍କ ଭାରତୀୟ ଜନଶକ୍ତି ପାର୍ଟି ଏବଂ ପରେ ୨୦୦୮ରେ ସମାଜବାଦୀ ପାର୍ଟିରେ ଯୋଗ ଦେଇ ୨୦୦୯ ଫେବୃୟାରୀରେ ବିଜେଡ଼ିକୁ ଆସିଥିଲେ । ବିଜେଡ଼ି ତାଙ୍କୁ ଭୁବନେଶ୍ୱର ଜୟଦେବ ଆସନରୁ ଦୁଇ ଥର ବିଧାନସଭାକୁ ପଠାଇଛି । ୨୦୦୯ ଓ ୨୦୧୪ରେ ସେ ଜୟଦେବ ଆସନରୁ ବିଧାୟକ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବିଜେଡ଼ି ଜୟଦେବ ଆସନରୁ ପ୍ରାର୍ଥୀ କରିଥିଲା । ଢାଲି ବିଜେଡ଼ିରେ ଅଣନିଶ୍ୱାସୀ ହୋଇ ପୁରୁଣା ଘର ବିଜେପିକୁ ଫେରୁଥିବା ଆଜି ସୂଚନା ଦେଇଛନ୍ତି । ଆସନ୍ତା କାଲି ସେ ବିଜେପିରେ ଯୋଗ ଦେଉଥିବା ଚର୍ଚ୍ଚା ହେଉଛି । ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିକଟରେ ବିଜେପିରେ ଯୋଗଦେବା ସମୟରେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ, ଦୁର୍ନୀତି ଓ ଠକେଇ ମାମଲାରେ ସେ ଭିଜିଲାନ୍ସ ଓ ରାଜ୍ୟ କ୍ରାଇମ ବ୍ରାଂଚ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିବାରୁ ତାଙ୍କ ବିଜେପିରେ ଯୋଗଦାନକୁ ସେତେଟା ଗୁରୁତ୍ୱ ମିଳିନଥିଲା । ଅନନ୍ୟୋପାୟ ହୋଇ ୨୦୨୪ ନିର୍ବାଚନ ପୂର୍ବରୁ ପାଣିଗ୍ରାହୀ ବିଜେପିର ହାତ ଧରିଲେ ବୋଲି ଆଲୋଚନା ସୀମିତ ରହିଥିଲା । ଜଣେ ଦାଗୀ ନେତାଙ୍କୁ ବିଜେପି କୋଳେଇଛି ବୋଲି ବିଜେଡ଼ି ସମାଲୋଚନା କରିଥିଲା । ପାଣିଗ୍ରାହୀଙ୍କ ପରେ ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରୁ ଚାରି ଥର ବିଧାୟକ ନିର୍ବାଚିତ ହୋଇଥିବା ଏବଂ ନବୀନ ସରକାରରେ ଏକଦା ପ୍ରଭାବଶାଳୀ ମନ୍ତ୍ରୀ ଥିବା ପୂର୍ବତନ ବିଧାୟକ ଦେବାଶିଷ ନାୟକ ନିକଟରେ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ବିଜେଡ଼ିରେ କଂପନ ଆରମ୍ଭ ହୋଇଥିଲା । ତେବେ, ଦେବାଶିଷଙ୍କ ଇସ୍ତଫାକୁ ନେଇ ବିଜେଡ଼ି ନେତୃତ୍ୱର ପ୍ରତିକ୍ରିୟା ସନ୍ତୁଳିତ ଥିଲା । ଦଳର ମୁଖପାତ୍ରମାନେ ଇସ୍ତଫାର କୌଣସି ପ୍ରଭାବ ଦଳ ଉପରେ ପଡିବ ନାହିଁ କହି ସମାଲୋଚନାକୁ ସୀମିତ ରଖିଥିଲେ । ଦେବାଶିଷଙ୍କ ବିଜେଡ଼ିରୁ ଇସ୍ତଫା ଏବଂ ବିଜେପିରେ ଯୋଗଦାନକୁ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ବଳ ଗୋଟାଇଉବା କୁହାଯାଇଥିଲା । ଦେବାଶିଷଙ୍କ ପରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ (ପୂର୍ବରୁ ବିଜେଡ଼ି ବିଧାୟକ ଥିଲେ) ବିଜେପିରେ ସାମିଲ ହେବା ଏବଂ ବିଜେପି ରାଜ୍ୟ ନେତୃତ୍ୱ ତାଙ୍କୁ ଉତ୍ସାହର ସହ ଗେରୁଆ ଟୋପି ଓ ଅଂଗବସ୍ତ୍ର ପିନ୍ଧାଇ ସ୍ୱାଗତ କରିବା ରାଜନୈତିକ ମହଲକୁ ଆଚମ୍ବିତ କରିଥିଲା । କାରଣ, ଏହି ବାହୁବଳୀ ବିଧାୟକ ବିଜେଡ଼ିରେ ଥିବା ସମୟରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିବା ବିରୋଧୀ ବିଜେପି ନେତା ଓ କର୍ମୀଙ୍କ ଉପରେ ନିଜେ ଚଳାଉ ଥିବା ଏସୟୁଭି ଗାଡି ମଡାଇ ଦେଇଥିଲେ । ସେଥିରେ ବହୁ ବିଜେପି କର୍ମୀ ଓ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଉତ୍କ୍ଷୀପ୍ତ ବିଜେପି କର୍ମୀମାନେ ମଧ୍ୟ ବିଧାୟକ ଜଗଦ୍ଦେବଙ୍କ ନିସ୍ତୁକ ମାଡ ମାରି ଘାଇଲା କରିଥିଲେ । ପୁଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଥିଲା । ଏହି ଘଟଣାରେ ବିଜେପି ପକ୍ଷରୁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିବାରୁ ବିଜେଡ଼ି ନେତୃତ୍ୱ ଚିଲିକା ବିଧାୟକଙ୍କୁ ପ୍ରଥମେ ଦଳରୁ ନିଲମ୍ବନ ଓ ପରେ ବହିଷ୍କାର କରିଥିଲେ । ବିଜେଡ଼ିରୁ ବହିଷ୍କୃତ ବିଧାୟକ ଜଗଦ୍ଦେବଙ୍କୁ ବିଜେପି ନେତୃତ୍ୱ କୋଳେଇ ନେଇ ଗେରୁଆ ଟୋପି ଓ ଉତ୍ତରୀୟ ପିନ୍ଧାଇବା ‘ଅପରେସନ୍ ଲୋଟୋସ୍’ର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି । ଇତିମଧ୍ୟରେ, କଂଗ୍ରେସର କିଛି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେବେ, ଆଜି ଭୁବନେଶ୍ୱର ଜୟଦେବ ବିଧାୟକ ଢାଲିଙ୍କ ବିଜେଡ଼ିରୁ ଇସ୍ତଫା ଓ ବିଜେପିକୁ ଘରବାହୁଡା ଓଡ଼ିଶାରେ ବିଜେପିର ‘ଅପରେସନ୍ ଲୋଟେସ୍’ ଆାଙ୍କାକୁ ଅଧିକ ଦୃଢିଭୂତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୫ରେ ଓଡ଼ିଶା ଆସିବାକୁ ଥିବାରୁ ରାଜ୍ୟ ବିଜେପି ନେତୃତ୍ୱ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ଅଧିକ ବିଜେଡ଼ି ଓ କଂଗ୍ରେସ ଅସନ୍ତୁଷ୍ଟଙ୍କୁ ବିଜେପିରେ ସାମିଲ କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଜେପି ଓଡ଼ିଶା ମୁଖ୍ୟ ମନମୋହନ ସାମଲ ଗଲା କିଛି ମାସ ହେଲା ଦାବି କରି ଆସୁଛନ୍ତି, ଓଡ଼ିଶାର ଶାସକ ବିଜେଡ଼ି ଓ କଂଗ୍ରେସର ବହୁ ନେତା ତାଙ୍କ ସଂପର୍କରେ ରହିଛନ୍ତି । ଏଥିରେ ଜାତୀୟ ନେତା ମଧ୍ୟ ଅଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାକୁ ଏଭଳି ବୟାନବାଜୀ କରୁଛନ୍ତି ବୋଲି ବିଜେଡ଼ି ମୁଖପାତ୍ରମାନେ ହାଲୁକା ମନ୍ତବ୍ୟ ଦେଇ ସାମଲଙ୍କ ଦାବିକୁ ବାଁ ବାଁ ଉଡାଇ ଦେଉଥିଲେ । ତେବେ, ବିଜେଡ଼ିର ପୁରୁଖା ନେତାଙ୍କ ମଧ୍ୟରୁ ଜଣକ ପରେ ଜଣେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିର ହାତ ଧରୁଥିବା ସାମଲଙ୍କ ଦାବିରେ ଯଥାର୍ଥତା ଥିବା ପ୍ରମାଣିତ କରୁଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ସେହିଦିନ ହେଉଛି ଓଡ଼ିଶାର କିମ୍ବାଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ବିଜେଡ଼ି ରାଜ୍ୟବ୍ୟାପୀ ଆଡମ୍ବରରେ ଜୟନ୍ତୀ ଉତ୍ସବ ପାଳନ ପ୍ରସ୍ତୁତି ଚଳାଇ ଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ଅରବିନ୍ଦ ଢାଲିଙ୍କ ଭଳି ଅଭିଜ୍ଞ ନେତାମାନେ ଦଳ ଛାଡି ପଦ୍ମ ଫୁଲକୁ ହାତରେ ଧରିବା ଶାସକ ଦଳରେ ସବୁ କିଛି ଠିକଠିକା ଚାଲି ନାହିଁ ବୋଲି ବାର୍ତ୍ତା ଦେଉଛି । ୨୦୧୯ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ମଂଗ ନିଜ ହାତରେ ରଖିଥିଲେ ଏବଂ ଦଳର ନେତା ଓ କର୍ମୀ ନବୀନଙ୍କ ନାମରେ ଭୋଟ ମିଳୁ ଥିବାରୁ ବିଶ୍ୱସ୍ତ ରହିବାକୁ ବାଧ୍ୟ ହେଉଥିଲେ । ୨୦୧୯ରୁ ୨୦୨୪ ମଧ୍ୟରେ ଦଳରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଦଳ ଓ ସରକାରଙ୍କ ମଂଗ ନବୀନ ଧରି ଥିଲେ ମଧ୍ୟ ଏହା ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ସାମ୍ନାକୁ ନବୀନ ଦିଶୁଛନ୍ତି ସିନା ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ଅନ୍ୟ ହାତରେ । ତେଣୁ, ବିଜେଡ଼ିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢୁଛି । ବିଜେପି ଏଥିରୁ ଭରପୁର ଫାଇଦା ନେବା ଉଦ୍ୟମରେ ରହିଛି । ବିଜେଡ଼ିରେ ଅସନ୍ତୋଷକୁ ଏଡାଇବା ପାଇଁ ଆଗକୁ ବିଜେଡ଼ି-ବିଜେପି ମେଂଟ ହେଉଥିବା ସାମାଜିକ ଗଣମାଧ୍ୟମ ଜୋରସୋର ପ୍ରଚାର ଚାଲି ଥିଲା । ତେବେ, ବିଜେପି ରାଜ୍ୟ ସଭାପତି ସାମଲ ବିଜେଡ଼ି ସହ ବିଜେପିର ମେଂଟ ସମ୍ଭାବନାକୁ ଅଗ୍ରାହ୍ୟ କରିଦେବାରୁ ଏବେ ଅସନ୍ତୁଷ୍ଟଙ୍କ ପାଇଁ ବିଜେପି ଖୋଲା ମଇଦାନ ହୋଇଛି । ଏହାଛଡା, ଓଡ଼ିଶାରେ ଇଡି ଓ ସିବିଆଇ ଚଢାଉ ଆରମ୍ଭ ହେଲାଣି । ବିଜେପି ବିଭିନ୍ନ ବାଟରେ ଅନ୍ୟଦଳର ଅସନ୍ତୁଷ୍ଟଙ୍କୁ ନିଜ ଦଳରେ ସାମିଲ କରି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଯୋଗାଡରେ ଲାଗିଛି । ଅଭିଜ୍ଞତା ନେତାଙ୍କୁ ବିଜେପିରେ ସାମିଲ କରି ରାଜ୍ୟରେ ତାହାର ଆସନ ସଂଖ୍ୟା ବଢାଇବା ଉଦ୍ୟମରେ ମଧ୍ୟ ରହିଛି । ବିଜୁ ଜନତା ଦଳ ପ୍ରତି ରାଜ୍ୟରେ ଜନସମର୍ଥନ ଅତୁଟ ଥିଲେ ମଧ୍ୟ ଦଳର ନେତୃତ୍ୱ ପୁରୁଖା ନେତାଙ୍କୁ ହତାଦର କରି ପ୍ରଶାସକ-ସର୍ବସ୍ୱ ରାଜନୀତିକୁ ପ୍ରୋତ୍ସାହିତ କରି ଚାଲିଲେ ଦଳ ଚବିଶି ନିର୍ବାଚନ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ଏବଂ ଓଡ଼ିଶାରେ ‘ଅପରେସନ୍ କମଲ୍’ ସଫଳ ହେବାକୁ ଅଧିକ ସମୟ ଲାଗିବ ନାହିଁ ବୋଲି ବହୁ ଅନୁଭବୀ ନେତା ମତ ଦେଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS