ଏନଡିଏରେ ନୀତୀଶଙ୍କ କି ଦୟନୀୟ ଅବସ୍ଥା ?
ପ୍ରସାଦ ରାଓ
ମାର୍ଚ୍ଚ ୦୩
ଏକଦା ନିଜକୁ ଦେଶର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ବୋଲି ଦାବି କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦିନରେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ କିଭଳି ବିକଳ ହେଉଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ନିଜର ବିଶ୍ୱସନୀୟତା ପ୍ରମାଣ କରିବା ସକାଶେ ଆତ୍ମସମ୍ମାନକୁ ମଧ୍ୟ ବଳି ଦେଇପାରୁଛନ୍ତି ତାହା ଦେଖିବାକୁ ମିଳିଛି ଶନିବାର ଔରଂଗାବାଦରେ ଆୟୋଜିତ ଏକ ସରକାରୀ ଉତ୍ସବରେ । ପ୍ରଧାନମନ୍ତ୍ରୀ ମୋଦୀ ୨୧,୪୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବାକୁ ଶନିବାର ଦିନ ବିହାର ଔରଂଗାବାଦ ଜିଲ୍ଲାକୁ ଯାଇଥିଲେ । ସେଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ମଧ୍ୟ ଉପସ୍ଥିତ ଥିଲେ । ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାକୁତି ମିନତି ହୋଇ ଯେଉଁ ପ୍ରତିଶ୍ରୁତି ଦେଲେ ତାହା ରାଜନୀତିରେ ରୁଚି ରଖୁଥିବା ଆଲୋଚକ, ସମାଲୋଚକଙ୍କୁ ସମାଲୋଚନାର ଖୋରାକ ଯୋଗାଇଛି । ନୀତୀଶ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ – ‘ମୁଁ କିଛି ଦିନ ନିଖୋଜ ହୋଇଗଲି ସିନା ଆଗକୁ ଆଉ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ହାତ ଛାଡିବି ନାହିଁ’ । ନୀତୀଶଙ୍କ ଏହି ଆଶ୍ୱାସନାବାଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେତେମାତ୍ରାରେ ପ୍ରଭାବିତ କରିଛି ଭିନ୍ନ କଥା, କିନ୍ତୁ ମଂଚ ଉପରେ ଓ ତଳେ ଥିବା ଲୋକଙ୍କୁ ଆମୋଦିତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ବିହାର ରାଜ୍ୟପାଳ ଆରଲେକରଙ୍କ ମଧ୍ୟ ନୀତୀଶଙ୍କ ଭାବଭଂଗୀ ଓ ପ୍ରତିଶ୍ରୁତିରେ ଆମୋଦିତ ହୋଇଥିଲେ ବୋଲି ଜାତୀୟସ୍ତରରେ ଖବର ପ୍ରକାଶ ପାଇଛି । ପୂର୍ବ ଲାଲୁ-ରାବ୍ରୀ ଶାସନରେ ରାଜ୍ୟରେ କୌଣସି ବିକାଶ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବକ୍ତବ୍ୟ ମଂଚରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ମୋଦୀ ଓ ବିହାର ରାଜ୍ୟପାଳ ଆରଲେକରଙ୍କୁ ମଧ୍ୟ ଅମୋଦିତ କରିଥିଲା । ଦୁହେଁ ନିଜ ହସକୁ ରୋକି ପାରି ନଥିଲେ । ଜେଡିୟୁ (ଜନତା ଦଳ-ୟୁନାଇଟେଡ) ମୁଖ୍ୟ ନୀତୀଶ କୁମାର ସେ ରଂଗ ବଦଳାଇବାରେ ଓସ୍ତାଦ, ଏକଥା ସମଗ୍ର ଦେଶ ଜାଣିଛି । କେତେବେଳେ ସେ ବିଜେପି ଓ ଏନଡିଏରେ ରହି ବିହାର ମୁଖ୍ୟମନ୍ତ୍ରୀ ଚୌକିରେ ବସିଛନ୍ତି ତ ଆଉ କେତେବେଳେ ଏନଡିଏକୁ ଛାଡି କଂଗ୍ରେସ, ଆରଜେଡି ସହ ମହାମେଂଟ କରି ମୁଖ୍ୟମନ୍ତ୍ରୀ ଚଉକିକୁ ଜାବୁଡି ଧରିଛନ୍ତି । ସେ ମେଂଟ ବଦଳାଇଛନ୍ତି ସିନା ମୁଖ୍ୟମନ୍ତ୍ରୀ ଚଉକିକୁ ଛାଡି ନାହାନ୍ତି । ୨୦୧୫ରୁ ଲଗାତର ଏହି ଖେଳ ଚାଲିଛି । ଗୋଟିଏ ଗୋଟିଏ ଅବଧିରେ ଏକାଧିକ ଥର ପଟ୍ଟ (ମେଂଟ) ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖେଳ ନୀତୀଶଙ୍କ ରାଜନୈତିକ ଭାବମୂର୍ତ୍ତୀ ଧୂମିଳ କରିଛି ସିନା ସେ ଏଥିରୁ ନିବୃତ୍ତ ହୋଇପାରି ନାହାନ୍ତି । ୨୦୨୦ରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ-ବିଜେପି ମେଂଟ ସହ ଆରଜେଡି ନେତୃତ୍ୱାଧୀନ ମହାମେଂଟରେ ଲଢେଇ ହୋଇଥିଲା ଏବଂ ଆରଜେଡି ବିଧାନସଭାରେ ସର୍ବବୃହତ ଦଳ ଭାବେ ଉଭା ହୋଇ ସୁଦ୍ଧା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ସାତଟି ଆସନ କମି ଯିବାରୁ ସରକାର ଗଠନ କରିପାରି ନଥିଲା । ବିଜେପି-ଜେଡିୟୁ ମେଂଟ ରାଜ୍ୟରେ ସରକାର ଗଠନ କରିଥିଲେ । ରାଜ୍ୟ ବିଧାନସଭାରେ ଜେଡିୟୁ ବିଧାୟକଙ୍କ ସଂଖ୍ୟା ବିଜେପିଠାରୁ କମ୍ ଥିଲେ ମଧ୍ୟ ବିଜେପି ନେତୃତ୍ୱ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ରାଜ୍ୟ ଶାସନ ଚଳାଇ ଥିଲେ । କିନ୍ତୁ, ଦୁଇ ବର୍ଷ ପରେ ନୀତୀଶ ଅନୁଭବ କଲେ ବିଜେପି ତାଙ୍କ ଦଳର ବିଧାୟକଙ୍କୁ ପ୍ରଲୋଭିତ କରି ନିଜ ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛି । ରାଜ୍ୟରେ ଜେଡିୟୁକୁ ଧ୍ୱଂସ କରିଦେବା ଚକ୍ରାନ୍ତ ଚାଲିଛି । ବିଜେପି କବଳରୁ ଜେଡିୟୁକୁ ରକ୍ଷା କରିବା ବାହାନାରେ ସେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରସ୍ଥ ହେଲେ ଏବଂ ଆରଜେଡି, କଂଗ୍ରେସ ସହ ଭିତିରି ବୁଝାମଣା ପରେ ଏନଡିଏରୁ ଓହରି ଯାଇ ୨୦୨୨ ଅଗଷ୍ଟରେ ଆରଜେଡି, କଂଗ୍ରେସ ସହ ମିଶି ରାଜ୍ୟରେ ମହାଗଠବନ୍ଧନ ସରକାର ଗଠନ କରି ନିଜେ ମୁଖ୍ୟମନ୍ତ୍ରୀ ରହିଲେ । ସେତେବେଳେ ଲାଲୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ସେ ଆଉ ବିଜେପି ମେଂଟକ ଫେରିବେ ନାହିଁ । ତାଙ୍କ ସାନ ପୁଅ (ଲାଲୁଙ୍କ) ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରି ସେ ଜାତୀୟ ରାଜନୀତିରେ ଧ୍ୟାନ ଦେବେ । ନୀତୀଶଙ୍କ ପଟ୍ଟ ପରିବର୍ତ୍ତନ ପରେ କ୍ଷୁବ୍ଧ ବିଜେପି ତାଙ୍କ (ନୀତୀଶଙ୍କ) ପାଇଁ ଏନଡିଏର ଦୁଆର ସବୁ ଦିନ ସକାଶେ ବନ୍ଦ ହୋଇଗଲା ବୋଲି ଘୋଷଣା କଲା । ବିଜେପି ନେତାମାନେ ନୀତୀଶଙ୍କୁ ସୁବିଧାବାଦୀ ଓ ଅବିଶ୍ୱସନୀୟ ନେତା ଭାବେ ସମାଲୋଚନା କରିବାକୁ ପଛାଇ ନଥିଲେ । ନୀତୀଶ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଏନଡିଏ ଛାଡିଲେ ବୋଲି ସେମାନେ ପ୍ରଚାର କଲେ । ନୀତୀଶ କୁମାର ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ପରାଜିତ କରିବାର ପଣ ନେଇ ଦେଶରେ ଏକ ବିରୋଧୀ ମେଂଟ ଗଠନ ଦିଗରେ କାର୍ଯ୍ୟ କଲେ । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ରାଜନୈତିକ ଦଳ (ଆଂଚଳିକ ଦଳଙ୍କ ସମେତ)ଙ୍କୁ ଏକାଠି କରିବା ପାଇଁ ତାଙ୍କ ଉଦ୍ୟମ ୨୦୨୩ ମଧ୍ୟ ଭାଗରେ ରୂପରେଖ ନେଲା । କଂଗ୍ରେସ ସମେତ ୨୮ଟି ବିରୋଧୀ ଦଳ ଗୋଟିଏ ଛାତ ତେଳ ଏକାଠି ହୋଇ ‘ଇଣ୍ଡିଆ’ ନାମରେ ଏକ ମେଂଟ ଗଠନ କଲେ । ନୀତୀଶ କୁମାର ପ୍ରଥମ ବୈଠକ ପାଟନାରେ ଆୟୋଜନ କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କଲେ । ସେ ଚାହୁଁଥିଲେ ବିରୋଧୀ ମେଂଟ ତାଙ୍କୁ ପ୍ରଦାନମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ୱୀକୃତି ଦେଉ । ତେବେ, ମେଂଟର ପାଂଚଟି ବୈଠକ ହେଉ ହେଉ ନୀତୀଶଙ୍କ ସ୍ୱପ୍ନ ଭଂଗ ହେଲା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ମେଂଟ ତାହାର ଅଧ୍ୟକ୍ଷ ଚୟନ କରିବା ଦେଖି ନୀତୀଶ ଜାଣିଲେ ବିରୋଧୀ ମେଂଟରେ ତାଙ୍କୁ ଗୁରୁତ୍ୱ ଦିଆଯାଉନି । ୟୁଟର୍ଣ୍ଣ ମାରିବାକୁ ବାଟ ଖୋଜୁଥିଲେ, ବିଜେପି ସେହି ସୁଯୋଗ ଦେଲା । ବିହାରର ଜନପ୍ରୀୟ ସମାଜବାଦୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କୁ ୨୦୨୪ର ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷ ଆରମ୍ଭରେ ଘୋଷଣା କରିବା ସଂଗେ ସଂଗେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାହାର ଶ୍ରେୟ ନେବାକୁ ଯାଇ ତାଙ୍କ ସୁୁପାରିଶକ୍ରମେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଦାବି କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ବିରୋଧୀ ମେଂଟରେ କଂଗ୍ରେସ ବଡଭାଇ ପଣିଆ ଚଳାଇ ଥିବା ଏବଂ ତାଙ୍କୁ ଉଚିତ ସମ୍ମାନ ମିଳୁ ନଥିବା ନୀତୀଶ ଅଭିଯୋଗ କରିବା ପରେ ଏନଡିଏକୁ ଯିବା ରାସ୍ତା ସଫା ହୋଇଗଲା । କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦିଆଯିବା ଆଉ ଏକ ବାହାନା ଥିଲା । ନୀତୀଶ ‘ଇଣ୍ଡିଆ’ ମେଂଟ ସହ ସଂପର୍କ ଛିନ୍ନ କରି ଏନଡିଏକୁ ଫେରିବା ପରେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଆଉ ଏକ ରେକର୍ଡ କଲେ । ବିଜେପି ମଧ୍ୟ ତାହା ଚାହୁଁଥିଲା । କାରଣ ହେଉଛି, ୨୦୨୪ରେ ବିଜେପିର ‘ଚାରି ଶହ ପାର୍’ ରଣନୀତି । ୟୁପିର ୮୦ ଆସନ ସହ ବିହାରର ୪୦ ଲୋକସଭା ଆସନ ମିଳି ଗଲେ ବିଜେପି ଏହି ଲକ୍ଷ୍ୟ ସାଧନ କରିବ ବୋଲି ଭାବୁଛି । ଏଥିସକାଶେ ନୀତୀଶଙ୍କ ସହଯୋଗ ଜରୁରୀ ଥିଲା । ୨୦୧୯ ସାଧାରଣ ନିର୍ବାଚନରେ ବିହାରରେ ଏନଡିଏ ମେଂଟକୁ ୪୦ରୁ ୩୯ ଲୋକସଭା ଆସନ ମିଳିଥିଲା । ଆରଜେଡି, କଂଗ୍ରେସ ମହାଗଠବନ୍ଧନ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିଥିଲେ । ୨୦୨୪ରେ ବିଜେପି ୪୦ରୁ ୪୦ ଚାହୁଁଛି । ତେଣୁ, ନୀତୀଶ ବିଜେପିକୁ ଫେରିବା ବାଟ ଖୋଲି ସଫଳ ହୋଇଛି । ନୀତୀଶ ମଧ୍ୟ ନିଜ ମୁଖ୍ୟମନ୍ତ୍ରୀ ଆସନ ସୁରକ୍ଷିତ ରଖି ପାରି ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ କୃତ୍ୟକୃତ୍ୟ । ନୀତୀଶ ଏନଡିଏ ଛାଡିବାର ୧୮ ମାସ ପରେ ଏନଡିଏକୁ ଫେରିଛନ୍ତି ଏବଂ ୨୦ ମାସ ପରେ ଗତକାଲି ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଂଚ ସେୟାର କରିଛନ୍ତି । ଏହା ପୂର୍ବରୁ ଶେଷ ଥର ପାଇଁ ୨୦୨୨ ଜୁଲାଇରେ ବିହାର ବିଧାନସଭାର ଶତବାର୍ଷିକୀ ପାଳନ ଅବସରରେ ଦୁଇ ନେତା ଗୋଟିଏ ମଂଚରେ ଏକାଠି ଦେଖିବାକୁ ମିଳିଥିଲେ । ଜେଡିୟୁ ସେହି ସମୟରେ ଏନଡିଏ ମେଂଟରେ ଥିଲା ଏବଂ ନୀତୀଶ ମେଂଟ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଚେହେରା କରିବାରୁ କ୍ଷୁବ୍ଧ ହୋଇ ଏନଡିଏରୁ ଓହରି ଯାଇଥିବା ଏବଂ ୨୦୨୫ରେ ଆରଜେଡି, କଂଗ୍ରେସ ସହ ମେଂଟରେ ନିର୍ବାଚନ ଲଢି ବିହାରରେ ଅଣ ବିଜେପି ସରକାର ପ୍ରତିଷ୍ଠା କରିଥିବା ନୀତୀଶ କୁମାର ଆଜି ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭ ଦୃଷ୍ଟିରେ ରହିବାକୁ ଏତେ ବ୍ୟାକୁଳ କାହିଁକି ? ନିକଟରେ ଆରଜେଡି, କଂଗ୍ରେସ ମହାମେଂଟ ଛାଡି ସେ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦିଲ୍ଲୀ ପର୍ଯ୍ୟନ୍ତ ଧାଇଁ ବିଜେପି ଚାଣକ୍ୟ ଅମିତ ଶାହାଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପର୍ଯ୍ୟନ୍ତ ସବୁ ନେତାଙ୍କୁ ଭୋଟି ଥିଲେ ଏବଂ ଏହା ତାଙ୍କର ଶେଷ ପଟ୍ଟ ପରିବର୍ତ୍ତନ ଥିଲା, ଆଗକୁ ଆଉ ସେ ଏନଡିଏ ଛାଡି ଆଉ କୁଆଡେ ଯାଉ ନାହାନ୍ତି ବୋଲି ହଲପ ଖାଇଥିଲେ । ଗତକାଲି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଔରଂଗାବାଦରେ ସଭାରେ ସେ ସମାନ ପ୍ରତିଶ୍ରୁତି ଦୋହରାଇ ଲୋକହସା ହେବା ରହସ୍ୟ କଣ ? ସୁଶାସନ ବାବୁଙ୍କ ରହସ୍ୟକୁ କେହି ଭେଦିପାରି ନାହାନ୍ତି । ଆଗକୁ ମଧ୍ୟ ସେ ରହସ୍ୟ ରହିବେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିହାରର ୪୦ରୁ ୪୦ ଆସନ ଜିତିବାକୁ ଆଗ୍ରହୀ । ଏହି ଲକ୍ଷ୍ୟ ସାଧନ ପାଇଁ ଦଳ ନୀତୀଶଙ୍କୁ ଅସ୍ତ୍ର କରିଛି । ନିର୍ବାଚନ ସରିଲେ ନୀତୀଶ ଏନଡିଏରେ ରହିବେ କି ଅନ୍ୟ କିଆଡେ ଯିବେ – ସେଥିରେ ବିଜେପିର କିଛି ଯାଏ ଆସେ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS