ବିହାରରୁ ଆରମ୍ଭ ବିରୋଧୀଙ୍କ ମିଳିତ ଅଭିଯାନ, ମଂଚରୁ ଲାଲୁଙ୍କ କଟାକ୍ଷକୁ ନେଇ ବିଜେପି କ୍ଷୁବ୍ଧ
ପ୍ରସାଦ ରାଓ
ମାର୍ଚ୍ଚ ୦୪
ପରିବାରବାଦକୁ ନେଇ ବିଜେପି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କୁ କଡା ସମାଲୋଚନା କରି ଆସୁଥିବା ବେଳେ ବିରୋଧୀ ମଧ୍ୟ ଏବେ ବିଜେପିକୁ ଶାଣିତ ଆକ୍ରମଣ କଲେଣି । ବିଜେପିରେ ପରିବାରବାଦୀ ନେତାଙ୍କ ସଂଖ୍ୟା କିଛି କମ୍ ନୁହେଁ ବୋଲି ସେମାନେ କହୁଥିଲେ । ରବିବାର (ମାର୍ଚ୍ଚ ୩ତାରିଖ) ଦିନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପରିବାରବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସଳଖ କଟାକ୍ଷ କରି ବିଜେପି ନେତାଙ୍କ ପଛରେ ନିଆଁ ଲଗାଇ ଦେଇଛନ୍ତି । ବିହାର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ଆୟୋଜିତ ବିରୋଧୀ ମହାଂମେଟର ‘ଜନ ବିଶ୍ୱାସ ମହାରାଲି’ରେ ଲାଲୁ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ବିଜେପି ନେତାମାନେ ଲାଲୁଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସେମାନଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ‘ଏକ୍ସ’ରେ ‘ମୋଦୀ କା ପରିବାର’ ନାମରେ ନୂଆ କ୍ୟାଂପେନ୍ ଆରମ୍ଭ କରିଛନ୍ତି ।
ବିହାର ମହାରାଲିରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦଙ୍କ କଟାକ୍ଷ ଥିଲା, ‘ନରେନ୍ଦ୍ର ମୋଦୀଙ୍କ ନିଜର ଯଦି ପରିବାରଟିଏ ନାହିଁ ଆମେ କଣ କରି ପାରିବୁ ?’ ମୋଦୀ ରାମ ମନ୍ଦିର ନାମରେ ଜୋରଦାର ପ୍ରଚାର କରୁଛନ୍ତି । ବାସ୍ତବରେ ସେ ପ୍ରକୃତ ହିନ୍ଦୁ ନୁହନ୍ତି । ଯଦି ହିନ୍ଦୁ ହୋଇଥା’ନ୍ତେ ତେବେ ହିନ୍ଦୁ ପରଂପରା ରକ୍ଷା କରି ତାଙ୍କ ମାଆଙ୍କ ମୃତ୍ୟୁରେ ମୁଣ୍ଡନ ହୋଇଥା’ନ୍ତେ । ଦାଢି ମଧ୍ୟ କାଟି ଥା’ନ୍ତେ । ତେବେ, ମୋଦୀ ମୁଣ୍ଡନ ହୋଇ ନାହାନ୍ତି ବା ଦାଢି କାଟି ନାହାନ୍ତି । ପରିବାରବାଦକୁ ନେଇ ଲାଲୁଙ୍କ ଏହି ବ୍ୟାଖ୍ୟାନ ବିଜେପିରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ରାଜନାଥ ସିଂହ ପ୍ରମୁଖ ବିଜେପିର ବରିଷ୍ଠ ନେତା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନିଜ ନାମ ପୂର୍ବରୁ ‘ମୋଦୀ କା ପରିବାର’ ବୋଲି ଯୋଡିଛନ୍ତି ଏବଂ ସେମାନ ହେଉଛନ୍ତି ତାଙ୍କ ପରିବାର ବୋଲି ଦର୍ଶାଇବାକୁ ଚାହିଁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ତେଲେଂଗାନାର ଆଦିଲାବାଦଠାରେ ଆୟୋଜିତ ଏକ ଜନସଭାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି । ‘ବିରୋଧୀଙ୍କ ବଂଶବାଦ ରାଜନୀତିକୁ ନେଇ ମୁଁ ପ୍ରଶ୍ନ ଉଠାଉଥିବା ବେଳେ ବିରୋଧୀ କହୁଛନ୍ତି ମୋଦୀଙ୍କ ନିଜର ପରିବାରଟିଏ ନାହିଁ । ମୋ ଜୀବନ ଏକ ଖୋଲା ବହି … ମୁଁ ମୋ ଦେଶ ପାଇଁ ବଂଚିବି’ ବୋଲି ମୋଦୀ ବଞାନ ରଖିଥିବା ବେଳେ ବିଜେପି ଜାତୀୟ ମୁଖପାତ୍ର ସାଂସଦ ସୁଧାଂଶୁ ତ୍ରିବେଦୀ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ପ୍ରକୃତ ହିନ୍ଦୁ ନୁହନ୍ତି ବୋଲି ଲାଲୁଙ୍କ କଟାକ୍ଷର ଜବାବ ରଖିଛନ୍ତି । ସେ କହିଛନ୍ତି, ବିରୋଧୀ ମେଂଟ ନେତାଙ୍କ ଦୃଷ୍ଟିରେ ଦେଶରେ ହିନ୍ଦୁ ବୋଲି କେହି ନାହାନ୍ତି । ପଛୁଆ ବର୍ଗ, ଦଳିତ, ସବର୍ଣ୍ଣ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ, କନ୍ନଡ, ତେଲୁଗୁ, ମରାଠି, ପଂଜାବୀ, ବଂଗାଳୀ – ଏପରିକି ହିନ୍ଦିଭାଷୀଙ୍କୁ ବାଂଟିବା ଏବଂ ସେମାନଙ୍କୁ ବିଭାଜିତ ଅବସ୍ଥାରେ ଦେଖିବା ହେଉଛି ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ । ସେଇମାନେ ହିଁ ବିରୋଧୀଙ୍କ ଆଖିରେ ପ୍ରକୃତ ହିନ୍ଦୁ ।
ଗୋଟିଏ ପରିବାର ରାଜନୀତିରେ ରହିବା ପାଇଁ ଦେଶବାସୀଙ୍କୁ ବିଭାଜିତ କରି ରଖିଥିଲା । ଆଜି ମଧ୍ୟ ଏହି ପରିବାର ବିଭାଜନକାରୀ ଶକ୍ତି ସହ ରହିଛି ଏବଂ ଗୋଟିଏ ପକ୍ଷର ସମର୍ଥନରେ ପୁନର୍ବାର କ୍ଷମତାକୁ ଫେରିବା ଉଦ୍ୟମ କରୁଛି ବୋଲି ତ୍ରିବେଦୀ କହିଥିବା ବେଳେ ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ମଧ୍ୟ ଲାଲୁଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି । ଲାଲୁଙ୍କ ମନ୍ତବ୍ୟ ଆପତ୍ତିଜନକ ଓ ସନାତନ ଧର୍ମକୁ ଅପମାନିତ କଲା ଭଳି ଦର୍ଶାଇ ସିହ୍ନା କହିଛନ୍ତି ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ଲାଲୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଆରଜେଡ଼ି ନେତାମାନଙ୍କ ମାନସିକତାକୁ ସ୍ପଷ୍ଟ କରୁଛି । ସେମାନେ ‘ରାଜନୈତିକ ଜୋକର’ ଭଳି ବ୍ୟବହାର କରୁଛନ୍ତି । ଦେଶରେ ସନାତନ ଧର୍ମର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବଦାନ ଅତୁଳନୀୟ ଦର୍ଶାଇ ଲାଲୁଙ୍କ ଭଳି ସନାତନ ଧର୍ମ ବିରୋଧୀ ଶକ୍ତିଙ୍କୁ ରୋକିବାକୁ ପଡିବ ସିହ୍ନା କହିଛନ୍ତି ।
ତେବେ, କଂଗ୍ରେସ ଲାଲୁଙ୍କୁ ସମର୍ଥନ ଦେବାକୁ ଯାଇ ବିଜେପିକୁ ଅନ୍ୟବାଟରେ ଆକ୍ରମଣ କରିଛି । ଦେଶର ଯେଉଁ କୃଷକ, ଯୁବକ ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଛନ୍ତି ସେମାନଙ୍କ ପରିବାର କଣ ବିଜେପି ପରିବାର ନୁହନ୍ତି (?) ବୋଲି କଂଗ୍ରେସ ପ୍ରଶ୍ନ କରିଛି । କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ଦେଶରେ ପ୍ରତି ଘଂଟାରେ ଜଣେ ଚାଷୀ ଓ ଦୁଇ ଜଣ ଯୁବକ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ପରିବାରକୁ ନେଇ ସରକାର କେବେ ଚିନ୍ତି ନୁହନ୍ତି । ବିଜେପି ଯଦି ସେମାନଙ୍କ ପାଇଁ ଚିନ୍ତିତ ଆତ୍ମହତ୍ୟା କରୁଥିବା ଚାଷୀ ଓ ଯୁବକଙ୍କ ପରିବାର ସହ ନିଜ ନାମ ଯୋଡୁ ନାହିଁ କାହିଁକି (?) ବୋଲି ଖେରା ଜାତୀୟ ଗଣମାଧ୍ୟରେ ବୟାନ ଦେଇ ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟ ତାହାର ପ୍ରଥମ ମିଳିତ ମହାରାଲି ଗତକାଲି ବିହାରରୁ ଆରମ୍ଭ କରିଛି । ଦେଶରୁ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ) ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ବିରୋଧୀ ମେଂଟର ଲକ୍ଷ୍ୟ ରହିଛି ।
ରବିବାର ପାଟନା ଗାନ୍ଧୀ ମଇଦାନରେ ଆୟୋଜିତ ବିରୋଧୀ ‘ଇଣ୍ଡିଆ’ ମେଂଟର ପ୍ରଥମ ‘ଜନ ବିଶ୍ୱାସ ମହାରାଲି’ରେ ଆରଜେଡ଼ି ସଭାପତି ଲାଲୁ ପ୍ରସାଦ ଯାଦବ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବାମପନ୍ଥୀ ନେତା ସୀତାରାମ ୟଚୁରୀ, ଡି.ରାଜା, ଦୀପଂକର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ବିରୋଧୀ ମେଂଟର ଏକତାକୁ ପ୍ରଦର୍ଶନ କରିବାକୁ ଯାଇ ସେମାନେ ମଂଚରୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ସାମାନ୍ୟ ବର୍ଷା ସତ୍ତ୍ୱେ ମହାସମାବେଶରେ ଲକ୍ଷାଧିକ ଜନସମାଗମ ହୋଇଥିବା ସୂଚନା ମିଳିଛି । ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ତାଙ୍କ ଭାଷଣରେ ‘ଆମକୁ ଦିଲ୍ଲୀକୁ କବ୍ଚା କରିବାକୁ ପଡିବ’ ବୋଲି କହିଥିଲେ । ବିଜେପି ଏକ ଶକ୍ତିଶାଳୀ ଦଳ କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାହା କଣ (?) ବୋଲି ସେ ପ୍ରଶ୍ନ କରିଥିଲେ । ‘ମୋଦୀ କିଏ ? – ଆମେ ତାଙ୍କୁ ପାସଙ୍ଗରେ ନେଉନୁ’ ବୋଲି ଲାଲୁ ମନ୍ତବ୍ୟ ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିହାରରେ ଯାହା ନିଷ୍ପତ୍ତି ହୁଏ ତାହାର ପ୍ରଭାବ ସମଗ୍ର ଦେଶରେ ପଡିଥାଏ ବୋଲି ଲାଲୁ ଏହି ସଭାରେ କହିଥିଲେ ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ‘ରଂଗ ବଦଳା’ ନୀତିକୁ ମଧ୍ୟ ଲାଲୁ ସଭା ମଂଚରେ ସମାଲୋଚନା କରିଥିଲେ । ନୀତୀଶ ପୁଣି ଥରେ ବିରୋଧୀ ମହାଗଠବନ୍ଧନକୁ ଫେରିବାକୁ ଚାହିଁଲେ ତାଙ୍କୁ ଧକ୍କା ମାରି ବିଦା କରାଯିବ ବୋଲି ଲାଲୁ କହିଥିଲେ । ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରକୁ ଦେଶର ରାଜନୀତିର କେନ୍ଦ୍ରବିନ୍ଦୁ ଦର୍ଶାଇ ଏଠାରୁ ଯେଉଁ ପରିବର୍ତ୍ତନର ତୋଫାନ ବୋହିବ ତାହା ତାହା ଅନ୍ୟ ରାଜ୍ୟକୁ ବ୍ୟାପି ଯିବ ବୋଲି ଦୃଢୋକ୍ତି ପ୍ରକାଶ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଦୁଇ, ତିନିଟି ଧନୀ ପରିବାରଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଏବଂ ସରକାରଙ୍କ ଦ୍ୱାରା ଦେଶର କୃଷକ, ଯୁବକ ଓ ସାଧାରଣ ବର୍ଗ ଉପେକ୍ଷିତ ହେଉଥିବା ରାହୁଲ ଦୋହରାଇ ଥିବାବେଳେ ଏଆଇସିସି ସଭାପତି ଖର୍ଗେ ଦେଶର ଜନତା ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାଚ୍ୟୁତ କରି ବିପନ୍ନ ହୋଇପଡି ଥିବା ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାଗଠବନ୍ଧନକୁ ଫେରିବାକୁ ଚାହିଁଲେ ମଧ୍ୟ ତାଙ୍କୁ ସ୍ୱୀକାର ନ କରିବାକୁ ସେ ଲାଲୁ-ପୁତ୍ର ତେଜସ୍ୱୀଙ୍କୁ ପରାମର୍ଶ ଦେଇଥିଲେ ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଭାଷଣରେ ୟୁପି, ବିହାର ଜନତା ଦେଶରେ ଗଣତନ୍ତ୍ରକୁ ବଂଚାଇବା ପାଇଁ ଆସନ୍ତା ନିର୍ବାଚନରେ ବିଜେପିକୁ ମୂଳପୋଛ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଦୁଇଟି ରାଜ୍ୟରେ ଯଦି ଗୋରୁଆ ଦଳ ଓ ତାହାର ସମର୍ଥକମାନ ମୂଳପୋଛ ହୋଇଯିବେ ତେବେ ମୋଦୀ କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହେବେ ନାହିଁ ବୋଲି ଅଖିଳେଶ କହିଥିଲେ । ଦୁଇ ରାଜ୍ୟର ଜନତା ଏଦିଗରେ ସଚେତନ ହେବାକୁ ସେ ନିବେଦନ କରିଥିଲେ । ବାମପନ୍ଥୀ ଦଳର ନେତାମାନେ ମଧ୍ୟ ଅସନ୍ତା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଗତକାଲି ବିରୋଧୀ ମେଂଟ ନେତାଙ୍କ ଏହି ପ୍ରଥମ ମିଳିତ ସଭା ବିଜେପିକୁ ଯେତିକି ବିଚଳିତ କରି ନାହିଁ ଲାଲୁଙ୍କ କଟାକ୍ଷ ସେତିକି ବିଚଳିତ କରିଛି । ମୋଦୀଙ୍କ ନିଜର ବୋଲି ପରିବାର ନାହିଁ ଓ ମୋଦୀ ପ୍ରକୃତରେ ହିନ୍ଦୁ ନୁହନ୍ତି ବୋଲି ଲାଲୁଙ୍କ କଟାକ୍ଷ ବିଜେପି ନେତାଙ୍କୁ ଆହତ କରିଛି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେମାନେ ଆଜିଠାରୁ ଯେଉଁ କ୍ୟାଂପେନ୍ ଆରମ୍ଭ କରିଛନ୍ତି ସେଭଳି କ୍ୟାଂପେନ୍ ୨୦୨୦-୨୧ ତିନି କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ, ଏଥର ବିରୋଧୀ ମେଂଟ ବିରୋଧରେ କ୍ୟାଂପେନ୍ ଆରମ୍ଭ ହୋଇଥିବାରୁ ଆଗକୁ କଣ ହେବ ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS