ସନ୍ଦେଶଖାଲିକୁ ନେଇ ମମତାଙ୍କ ଅଡୁଆ ବଢୁଛି !
ପ୍ରସାଦ ରାଓ
ମାର୍ଚ୍ଚ ୦୬
ସାଧାରଣ ନିର୍ବାଚନ ପୂର୍ବରୁ ସନ୍ଦେଶଖାଲି ମାମଲାରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି । ମହିଳାଙ୍କ ପ୍ରତି ଅତ୍ୟାଚାର, ଗଣଦୁର୍ଷ୍କମ, ଜବରଦସ୍ତ ଜମି ହଡପ ପ୍ରଭୃତି ସଂଗୀନ ଅଭିଯୋଗ ଥିବା ସନ୍ଦେଶଖାଲିର ବାହୁବଳୀ ତୃଣମୂଳ କଂଗ୍ରେସ ନେତା (ଏବେ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ) ଶେଖ ସାହାଜାହାନଙ୍କୁ ପଶ୍ଚିମ ବଂଗ ପୁଲିସ ଆଜି ଅପରାହ୍ନ ୪ଟା ୧୫ ମିନିଟ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବା ପାଇଁ କୋଲକାତା ହାଇକୋର୍ଟ ନୂଆ ସମୟ ସୀମା ଧାର୍ଯ୍ୟ କରିବା ପରେ ମମତା ସରକାର ଅଡୁଆରେ ପଡିଛନ୍ତି । ଶେଖ ସାହାଜାହାନକୁ ନିଜ ହେପାଜତକୁ ନେବା ପାଇଁ ସିବିଆଇ ଅଧିକାରୀମାନେ ବେଂଗଲରେ ଡେରା ପକାଇଛନ୍ତି । ଶେଖ ସାହାଜାହାନ ଏବେ ଇଡି ମାମଲାରେ ଗିରଫ ହୋଇ ପଶ୍ଚିମ ବଂଗ ପୁଲିସ ହେପାଜତରେ ଅଛନ୍ତି । ଗତ ଜାନୁୟାରୀ ମାସରେ ଇଡି ଅଧିକାରୀମାନେ ତାଙ୍କ ବାସଭବନରେ ଚଢାଉ ପାଇ ପହଂଚି ଥିବା ବେଳେ ସାହାଜାହାନଙ୍କ ସମର୍ଥକମାନେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ସାହାଜାହାନ ମଧ୍ୟ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣ ନେଇ ଇଡି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପଶ୍ଚିମ ବଂଗ ପୁଲିସ କିନ୍ତୁ ସାହାଜାହାନ ଫେରାର ଥିବା ଦର୍ଶାଇ ତାଙ୍କୁ ଗିରଫ କରୁନଥିଲେ । ଏହି ବାହୁବଳୀ ନେତାଙ୍କୁ ତୁରନ୍ତ ଗିରଫ କରି ଅଦାଲତରେ ହାଜର କରାଇବାକୁ କୋଲକାତା ହାଇକୋର୍ଟ ନିର୍ଦେଶ ଦେବା ପରେ ପଶ୍ଚିମ ବଂଗ ପୁଲିସ ଆକ୍ସନ୍ ମୋଡ୍ କୁ ଆସିଥିଲେ । ୫୫ ଦିନ ଧରି ଫେରାର ଥିବା ସାହାଜାହାନଙ୍କୁ ଗତମାସରେ ଗିରଫ କରି ଅଦାଲତରେ ହାଜର କରିଥିଲେ ଏବଂ କୋର୍ଟରୁ ୧୦ ଦିନିଆ ରିମାଣ୍ଡରେ ନେଇ ନିଜ ହେପାଜତରେ ରଖିଛନ୍ତି ।
ପଶ୍ଚିମ ବଂଗ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ପ୍ରତି ରାଜ୍ୟ ପୁଲିସର ଅହେତୁକ ଅନୁକଂପା ଏବଂ ଅଭିଯୁକ୍ତ ଶେଖ ସାହାଜାହାନଙ୍କୁ ଗିରଫ କରିବାରେ ହୋଇଥିବା ଘୋର ଅବହେଳାକୁ ଦର୍ଶାଇ ରାଜ୍ୟ ବିଜେପି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବାକୁ ଦାବି କରିଥିଲା । କେଲକାତା ହାଇକୋର୍ଟରେ ଏନେଇ ହୋଇଥିବା ଏକ ଆବେଦନକୁ ବିଚାର କରି ଅଭିଯୁକ୍ତ ଶେଖ ସାହାଜାହାନଙ୍କୁ ପୁଲିସ ଅପରାହ୍ନ ସାଢେ ୪ଟା ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ଗତକାଲି ରୁଲିଂ ଦେଇଥିଲେ । କୋଲକାତା ହାଇକୋର୍ଟଙ୍କ ଏହି ରୁଲିଂ ବିରୋଧରେ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଆବେଦନ କରିବା ସହ ଜରୁରୀ ଶୁଣାଣୀ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଶାହାଜାହାନଙ୍କୁ ନିଜ ହେପାଜତକୁ ନେବାକୁ ପହଂଚି ଥିବା ସିବିଆଇ ଅଧିକାରୀଙ୍କୁ ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା କହି ଫେରାଇ ଦିଆଯାଇଥିଲା । କୋଲକାତା ହାଇକୋର୍ଟଙ୍କ ରୁଲିଂ ସଂଘୀୟ ବ୍ୟବସ୍ଥାର ବିରୋଧାଚରଣ କରୁଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଂଘଭି ସୁପ୍ରିମ କୋର୍ଟରେ ଯୁକ୍ତି ଦର୍ଶାଇବା ସହ ମାମଲାର ଜରୁରୀ ଶୁଣାଣୀ କରି ଏକ ଅନ୍ତରୀଣ ଆଦେଶ ଦେବାକୁ ପାଇଁ ସୁପ୍ରିମ କୋର୍ଟରେ ନିବେଦନ କରିଥିଲେ । ତେବେ, ସୁପ୍ରିମ କୋର୍ଟ ବିାଚରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ବେଂଚ ମାମଲା ପଂଜୀକୃତ କରିବା ବିଷୟ ସୁପ୍ର୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନିକଟରେ ଉପଓ୍ତାପନ କରିବାକୁ ରାଜ୍ୟ ସରକାରଙ୍କୁ କହିବା ସହ କୌଣସି ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ । ରାଜ୍ୟ ସରକାରଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟ କୌଣସି ଅନ୍ତରୀଣ ଆଦେଶ ନଦେବାରୁ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କ ନେଇ ଗଠିତ ଏକ ଖଣ୍ଡପୀଠ କୋର୍ଟଙ୍କ ପୂର୍ବ ରୁଲିଂକୁ କାର୍ଯ୍ୟକାରୀ କରି ଆଜି ଅପରାହ୍ନ ୪ଟା ୧୫ ମିନିଟ ସୁଦ୍ଧା ଅଭିଯୁକ୍ତ ଶେଖ୍ ସାହାଜାହାନକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନୂଆ ସମୟ ଧାର୍ଯ୍ୟ କରିଛନ୍ତି ।
କୋଲକାତା ହାଇକୋର୍ଟ ପଶ୍ଚିମ ବଂଗ ପୁଲିସର ଅପରାଧ ତଦନ୍ତ ବିଭାଗ (ସିଆଇଡି) ବିରୋଧରେ ଆଜି ଏକ କୋର୍ଟ ଅବମାନନା ନୋଟିସ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ପଶ୍ଚିମ ବଂଗ ଚବିଶି ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଦ୍ୱୀପ ସହର ଆଜି ଦିନରେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଛି । ଟିଏମସିର ବାହୁବଳୀ ନେତା ଥାଇ ଶେଖ ସାହାଜାହାନ ଯେଭଳି ବର୍ବର କାଣ୍ଡ ଘଟାଇ ଚାଲିଥିଲେ ତାହା ଇଡି ଚଢାଉ ପରେ ସାମ୍ନାକୁ ଆସିଥିବା ବେଳେ ଏହି ଦୁର୍ଦ୍ଦାନ୍ତ ନେତାଙ୍କୁ ମମତା ସରକାର ଓ ପଶ୍ଚିମ ବଂଗ ପୁଲିସ ସୁରକ୍ଷା ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାବମୂତ୍ତୀକୁ କ୍ଷୁର୍ଣ୍ଣ କରିଛି । ଏହାକୁ ନେଇ ଏବେ ମମତା ସରକାରଙ୍କ ଅଦାଲତୀ ଅଡୁଆ ବଢିଛି । ଦେଶରେ ଆସନ୍ତା ଏପ୍ରିଲରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଏକାକୀ ୩୭୦ ଆସନ ଓ ଏନଡିଏ ମେଂଟକୁ ୪୦୦ରୁ ଅଧିକ ଆସନରେ ଜିତାଇବାକୁ ପଣ ନେଇଛି । ପଶ୍ଚିମ ବଂଗରେ ୪୨ଟି ଲୋକସଭା ଆସନ ଥିବାରୁ ବିଜେପି ମମତାଙ୍କ ହାତରୁ ଅଧିକରୁ ଅଧିକ ଆସନ ଛଡାଇ ନେବାକୁ ସନ୍ଦେଶଖାଲି ପ୍ରସଙ୍ଗକୁ ବଡ ପ୍ରସଙ୍ଗ କରି ପ୍ରଚାର ଅଭିଯାନ ଚଳାଇଛି । ଦେଶବ୍ୟାପୀ ମହିଳା ଭୋଟରଙ୍କ ମନରେ ବିରୋଧୀ ମେଂଟ ‘ଇଣ୍ଡିଆ’ ପ୍ରତି କ୍ରୋଧର ବାତାବରଣ ସୃଷ୍ଟି କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଛରେ ନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ସଭା, ସମାବେଶରେ ଉଦ୍ବୋଦନ ଦେଉଛନ୍ତି ଓ ତାଙ୍କ ଭାଷଣରେ ସନ୍ଦେଶଖାଲି ପ୍ରମୁଖ ପ୍ରସଙ୍ଗ କରିଛନ୍ତି । ଟିଏମସି ଓ ‘ଇଣ୍ଡି’ ମେଂଟ ବିରୋଧରେ ମହିଳା ଭୋଟରଙ୍କୁ ଉସୁକାଇବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଏକ ବଳିଷ୍ଠ ଉଦ୍ୟମ ବୋଲି ଆଲୋଚନା ହେଉଛି । ଅନମନୀୟ ମମତା ବାନାର୍ଜୀଙ୍କୁ ପଦାନତ କରିବାକୁ ଯେମିତି ତାଙ୍କ ହାତରେ ଯାଦୁର ଛଡି ଲାଗି ଯାଇଛି । ମୋଦୀଙ୍କ ଭାଷଣରୁ ତାହା ସ୍ପଷ୍ଟ ହେଉଛି । ସନ୍ଦେଶଖାଲିକୁ ନେଇ ରାଜନୈତିକ ତାତି ଏବେ ପଶ୍ଚିମ ବଂଗରେ ସୀମିତ ନାହିଁ । ଏହି ତାତି ଦେଶ ସାରା ବ୍ୟପିଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟର ପ୍ରମୁଖ ନେତାମାନେ ତାହାର ସାମ୍ନା କରୁଛନ୍ତି ।
ସନ୍ଦେଶଖାଲିରେ ଶେଖ୍ ସାହାଜାହାନ ଦୀର୍ଘ ବର୍ଷ ଧରି ମହିଳାଙ୍କ ପ୍ରତି ଅତ୍ୟାଚାର, ଗଣଦୁଷ୍କର୍ମ କରୁଥିବା ବେଳେ ମମତା ନିରବ ଥିଲେ କାହିଁକି ? ସବୁ କଥା ସାମ୍ନାକୁ ଆସିବା ପରେ ମଧ୍ୟ ‘ଇଣ୍ଡି’ ମେଂଟ ନେତାମାନେ ମମତାଙ୍କୁ ନିନ୍ଦା ନ କରି ମୁହଁ ଲୁଚାଇ ବସିଛନ୍ତି କଣ ପାଇଁ (?) ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବା କେବଳ ମମତାଙ୍କୁ ନୁହେଁ, କଂଗ୍ରେସକୁ ମଧ୍ୟ ଅଡୁଆରେ ପକାଇଛି । କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏବେ ମୋଦୀଙ୍କ ସମାଲୋଚନାର କେନ୍ଦ୍ରବିନ୍ଦୁ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମ ବଂଗର ବରସାତ୍ ଠାରେ ବିଜେପି ମହିଳା ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ସଭାରେ ଭାଷଣ ଦେଇ ସନ୍ଦେଶଖାଲିରୁ ଆସିଥିବା କିଛି ମହିଳାଙ୍କୁ ଭେଟି ଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ‘ମହିଳା ବିରୋଧୀ’ ବୋଲି ପ୍ରଧାନମନ୍ତ୍ରୀ ଆକ୍ଷେପ କରିବା ପରେ ଟିଏମସି ସାଂସଦ ଡେରେକ୍ ଓ’ବ୍ରେନ୍ ତାହାର ଜବାବ ଦେଇଛନ୍ତି । ବିଶ୍ୱସ୍ତର ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ପଦକ ଜିତିଥିବା ମହିଳା ରେସଲର୍ (କୁସ୍ତିଯୋଦ୍ଧା)ଙ୍କୁ ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଯୌନ ଉତ୍ପୀଡନ କରିଥିବାର ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି । ଟିଏମସି ସାଂସଦ ଡେରେକ ଓ’ବ୍ରେନ୍ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ ରେ ମହିଳା କୁସ୍ତଯୋଦ୍ଧାଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାକୁ ସମାଲୋଚନା କରିଛନ୍ତି । ମୋଦୀ ସରକାର ମହିଳା କୁସ୍ତିଯୋଦ୍ଧାଙ୍କୁ ସୁରକ୍ଷା ଦେବା ବଦଳରେ ଦଳର ସାଂସଦ ବ୍ରିଜ୍ ଭୂଷଣ ସିଂହଙ୍କୁ ସୁରକ୍ଷା ଦେଇଥିବା ଦର୍ଶାଇ ମୋଦୀ ପଶ୍ଚିମ ବଂଗରେ ‘ନାରୀ ଶକ୍ତି’କୁ ନେଇ ଲମ୍ବା ଭାଷଣ ଦେଇଥିବା ବେଳେ ଦେଶରେ ପ୍ରତି ଘଂଟାରେ ୫୧ଟି ମହିଳା ବିରୋଧୀ ଅପରାଧ ଘଟୁଛି କାହିଁକି (?), ଲୋକସଭାରେ ବିଜେପିର ମହିଳା ପ୍ରତିନିଧିତ୍ୱ ୧୩ ପ୍ରତିଶତରେ ସୀମିତ କାହିଁକି (?) ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଯେଉଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ୧୯୫ ଜଣଙ୍କ ନାମ ଥିବା ବେଳେ ମହିଳାଙ୍କ ପ୍ରତିନିଧିତ୍ୱ ମାତ୍ର ୧୪ ପ୍ରତିଶତ କାହିଁକି (?) ବୋଲି ପ୍ରଶ୍ନ କରିଛନ୍ତି ।
ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ସନ୍ଦେଶଖାଲିକୁ ପ୍ରମୁଖ ପ୍ରଚାର ଅସ୍ତ୍ର କରିଛି । ଟିଏମସି ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡନ ଓ ବିଜେପି ସାଂସଦଙ୍କ ସଂପୃକ୍ତି ସହ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ବିଜେପି ବ୍ୟାଖ୍ୟାୟନର ପ୍ରତିହତ କରିବାକୁ ଉଦ୍ୟମ କରୁଛି । ରାଜନୀତି ପାଇଁ ଏସବୁ ଠିକ୍ ଥିଲେ ମଧ୍ୟ ପଶ୍ଚିମ ବଂଗ ସରକାର ସୁପ୍ରିମ କୋର୍ଟରୁ ତୁରନ୍ତ କୌଣସି ଆଶ୍ୱସ୍ତ ନପାଇବା ଏବଂ କୋଲକତା ହାଇକୋର୍ଟ ସନ୍ଦେଶଖାଲି ଖଳନାୟକ ଶେଖ୍ ସାହାଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରାଯିବା ରୁଲିଂରେ ଅଡି ରହି ରାଜ୍ୟ ପୁଲିସର କ୍ରିମିନାଲ ଇନଭେଷ୍ଟିଗେସନ୍ ଡିପାର୍ଟମେଂଟ (ସିଆଇଡି) ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରିବା ରାଜ୍ୟ ସରକାର, ବିଶେଷକରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢାଇଛି – ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS