ଓଡ଼ିଶାରେ ଚିଟ୍ ଫଣ୍ଡ୍ ଚଢାଉ, ଇଡି ସକ୍ରିୟ !


ପ୍ରସାଦ ରାଓ
ମାର୍ଚ୍ଚ ୦୭
ଓଡ଼ିଶାରେ ଚିଟ୍ ଫଣ୍ଡ୍ ଦୁର୍ନୀତି ତଦନ୍ତର ଏକପ୍ରକାର ବାଟବଣା ହୋଇସାରିଥିବା ଜନସାଧାରଣ ଅନୁଭବ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଜି ‘ଅର୍ଥ ତତ୍ତ୍ୱ’ ଚିଟ୍ ଫଣ୍ଡ୍ ସଂସ୍ଥାର ଖାତା ଖୋଲି ସଂସ୍ଥା ସହ ସଂପୃକ୍ତି ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ଛତ୍ରପୁରରେ ଏକାଧିକ ଚଡାଉ କରିଥିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଭୁବନେଶ୍ୱରରେ ‘ସୂର୍ଯ୍ୟପ୍ରଭା’ ନାମକ ଏକ ଦୈନିକ ସମ୍ବାଦପତ୍ର କାର୍ଯ୍ୟାଳୟରେ ଆଜି ଇଡି ଚଢାଉ ହୋଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଇଡି ‘ଅର୍ଥ ତତ୍ତ୍ୱ’ ଚିଟ୍ ଫଣ୍ଡ୍ ସଂସ୍ଥାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ୧୩୩ କୋଟିରୁ ଅଧିକ ଟଂକାର ସଂପତ୍ତି ଜବତ କରିଥିଲା । ମିଳିଥିବା କେତେକ ନୂତନ ତଥ୍ୟ ଆଧାରରେ ଇଡି ଆଜି ଭୁବନେଶ୍ୱର, ବ୍ରହ୍ମପୁର ଓ ଛତ୍ରପୁରରେ ଏହି ଚଢାଉ କରିଥିବା କୁହାଯାଉଛି । ରାଜ୍ୟରେ ଖଣି ଦୁର୍ନୀତି ପରେ ଚିଟ୍ ଫଣ୍ଡ୍ ଦୁର୍ନୀତି ସବୁଠାରୁ ବଡ ଦୁର୍ନୀତି ଭାବେ ଆଲୋଚିତ ହୋଇଆସୁଛି । ବିଭିନ୍ନ ଚିଟ୍ ଫଣ୍ଡ ସଂସ୍ଥା ବିଭିନ୍ନ ଲୋଭନୀୟ ପ୍ରୋଜେକ୍ଟ ଲୋକଙ୍କୁ ଦେଖାଇ ସେଥିରେ ଅର୍ଥ ବିନିଯୋଗ କଲେ ସ୍ୱଳ୍ପ ସମୟ ମଧ୍ୟରେ ଜମା ଅର୍ଥ ଦ୍ୱିଗୁଣିତ ହୋଇଯିବ ବା ବ୍ୟାଙ୍କ ଅପେକ୍ଷା ଅଧିକ ହାରରେ ସୁଧ ସହ ଟଙ୍କା ଫେରସ୍ତ ମିଳିବ ବୋଲି ପ୍ରଲୋଭିତ କରି ରାଜ୍ୟରୁ ଓ ରାଜ୍ୟ ବାହାରୁ ହଜାର ହଜାର କୋଟି ଟଙ୍କା ସଂଗ୍ରହ କରିଥିଲେ । ଓଡ଼ିଶାରେ ଲକ୍ଷାଧିକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାର ଏସବୁ ସଂସ୍ଥାଙ୍କ ପ୍ରଲୋଭନର ଶିକାର ହୋଇ ନିଜର ସମସ୍ତ ଜମା ପୁଂଜି ଚିଟ୍ ଫଣ୍ଡ୍ ସଂସ୍ଥାରେ ଲଗାଇ ଦେଇଥିଲେ । ତେବେ, ମ୍ୟାଚୁରିଟି ପରେ ସେମାନଙ୍କୁ ମୂଳ ଟଙ୍କା ମଧ୍ୟ ଫେରସ୍ତ ମିଳିନଥିଲା । ଅନ୍ୟପକ୍ଷରେ, ଲୋକଙ୍କୁ ଠକି ଥିବା ଚିଟ୍ ଫଣ୍ଡ୍ ସଂସ୍ଥାଗୁଡିକର ମାଲିକମାନେ ସଂସ୍ଥା କାର୍ଯ୍ୟାଳୟରେ ଚାବି ପକାଇ ଫେରାର ହୋଇଯାଇଥିଲେ । ଜମାକାରୀମାନେ ପୁଲିସରେ ଅଭିଯୋଗ କରିବା ପରେ ପ୍ରଥମେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଂଚ ଏହାର ତଦନ୍ତ କରିଥିଲେ । ତେବେ, ପରେ ଉଚ୍ଚ ଅଦାଲତଙ୍କ ନିର୍ଦେଶରେ ସିବିଆଇ ଓ ଇଡି ଦେଶର ବିଭିନ୍ନ ଅଂଚଳରେ, ବିଶେଷକରି ଓଡ଼ିଶା ଓ ପଶ୍ଚିମ ବଂଗରେ ଏଭଳି ଠକି ଥିବା ୪୪ଟି ଚିଟ୍ ଫଣ୍ଡ୍ ସଂସ୍ଥାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବିଭନ୍ନ ଚିଟ ଫଣ୍ଡ୍ ସଂସ୍ଥାର ମୁଖ୍ୟ ଓ ସହଯୋଗୀ ଗିରଫ ହୋଇଛନ୍ତି । ଶାସକ ଓ ବିରୋଧୀ ଦଳର ବିଧାୟକ, ସାଂସଦମାନେ ମଧ୍ୟ ଗିରଫ ହୋଇ ଜେଲ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ କୋର୍ଟରୁ ଜାମିନରେ ଆସି ମାମଲାର ସମ୍ମୁଖୀନ ହେଉଛନ୍ତି । ଆଉ କିଛି ଜେଲରେ ରହିଛନ୍ତି । ‘ଅର୍ଥ ତତ୍ତ୍ୱ’ ମୁଖ୍ୟ ପ୍ରଦୀପ ସେଠୀ ଦଶ ବର୍ଷରୁ ଅଧିକ ସମୟ ହେଲା ଜେଲରେ ରହିଛନ୍ତି । ଓଡ଼ିଶାରେ ବିଜେଡ଼ି ସରକାର ଅମଳରେ ହୋଇଥିବା ଏହି ମହାଦୁର୍ନୀତିରେ ଶାସକ ଓ ବିରୋଧୀ ଦଳର ବହୁ ଛୋଟ, ବଡ ନେତା, ପ୍ରଶାସନିକ ଓ ପୁଲିସ ଅଧିକାରୀ ଏବଂ କିଛି ଗଣମାଧ୍ୟମର ସଂପୃକ୍ତି ଥିବା ଅଭିଯୋଗ ହୋଇଆସୁଥିବା ବେଳେ ସିବିଆଇ ପ୍ରଥମେ ପ୍ରଥମେ ସକ୍ରିୟତା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଯାଏଁ ପହଂଚି ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଜଣେ ଅଧସ୍ତନ କର୍ମଚାରୀଙ୍କୁ ସିବିଆଇ ନିଜ କାର୍ଯ୍ୟାଳୟକୁ ଡାକି ଜେରା କରିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଜେରାର ସମ୍ମୁଖୀନ ହୋଇପାରନ୍ତି ବୋଲି ସମ୍ଭାବନା ଦେଖା ଦେଇଥିଲା । ଶାସକ ଦଳର କିଛି ନେତା ସିବିଆଇ ଓ ଇଡିର ଜେରାର ସମ୍ମୁଖୀନ ହୋଇ ଗିରଫ ହୋଇଥିଲେ ବା ଗିରଫ ଭୟରେ ଆତଙ୍କିତ ରହିଛନ୍ତି । ଏଭଳି ସ୍ଥିତିରେ ଗଲା କିଛି ବର୍ଷ ହେଲା ଓଡ଼ିଶାରେ ଚିଟ୍ ଫଣ୍ଡ୍ ଦୁର୍ନୀତି ତଦନ୍ତ ଶିଥିଳ ପଡି ଯାଇଛି । ସିବିଆଇ, ଇଡି ନିଷ୍କ୍ରିୟ ରହିବା ପଛରେ କେନ୍ଦ୍ର ପ୍ରତି ରାଜ୍ୟ ସରକାରଙ୍କ ଆନୁଗତ୍ୟକୁ ବିରୋଧୀ ଆଂଗୁଠି ଦେଖାଉଛନ୍ତି । ସିବିଆଇ ଭୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ପ୍ରତ୍ୟେକ କଥାରେ ସାଲିସ କରୁଛନ୍ତି ବୋଲି ଆଜି ମଧ୍ୟ ଅଭିଯୋଗ ହୋଇ ଆସୁଛି । ଏଭଳି ସ୍ଥିତିରେ ଇଡି ଆଜି ଅଚାନକ ଆଜି ‘ଅର୍ଥ ତତ୍ତ୍ୱ’ ଚିଟ୍ ଫଣ୍ଡ୍ ସଂସ୍ଥାର ଖାତା ଖୋଲି ଭୁବନେଶ୍ୱର, ବ୍ରହ୍ମପୁର ଓ ଛତ୍ରପୁରରେ ଏକାଧିକ ଚଢାଉ କରିବା ତଥ୍ୟାଭିଜ୍ଞ ମହଲକୁ ବିସ୍ମିତ କରିଛି । ତେବେ, ଇତିମଧ୍ୟରେ ଇଡି ଚିଟ୍ ଫଣ୍ଡ୍ ମାମଲା ନହେଲେ ମଧ୍ୟ ଅନ୍ୟ ମାମଲାରେ ରାଜ୍ୟର ବରିଷ୍ଠ ବିଜେଡ଼ି ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘର ଓ ସେମାନଙ୍କ ପରିଚାଳନାରେ ଥିବା ବରପଦା ଇଂଜିନିୟରିଂ କଲେଜରେ ଚଢାଉ କରି ସେମାନଙ୍କୁ ଦୀର୍ଘ ସମୟ ଜେରା କରିବା ମାଧ୍ୟମରେ ଓଡ଼ିଶାରେ ତାହାର ଉପସ୍ଥିତି ଜାହିର କରିଛି । ଇଂଜିନିୟରିଂ କଲେଜ ସହ ସଂପୃକ୍ତ ଜମି ଦୁର୍ନୀତି ମାମଲାକୁ ନେଇ ଇଡି ଏହି ଛଢାଉ କରିଥିବା ଓ ସାମଲ ବାପ-ପୁଅଙ୍କୁ ଜେରା କରିଥିବା ଜଣାପଡିଛି । ଇଡି ଗତ ମାସ ୧୫ ତାରିଖରେ ସାମଲ ପରିବାର ସହ ସଂପୃକ୍ତ ୧୦ଟି ସ୍ଥାନରେ ଚଢାଉ କରିଥିଲା । ଫେବୃୟାରୀ ୨୮ ତାରିଖରେ ପ୍ରଫୁଲ୍ଲ ସାମଲ ଓ ମାର୍ଚ୍ଚ ୫ ତାରିଖରେ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଇ ଦୀଘ ସମୟ ଧରି ଜେରା କରାଯାଇଥିଲା । ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ପୂର୍ବତନ ମନ୍ତ୍ରୀ ସାମଲ ଅଭିଯୋଗ କରିଥିଲେ ମଧ୍ୟ କାହାରି ପ୍ରତି ସ୍ପଷ୍ଟ ଇଂଗିତ କରି ନାହାନ୍ତି । ଆସନ୍ତା ମାସରେ ଦେଶରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ କିଏ ଟାର୍ଗେଟ କରିଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏତିକି ବେଳେ ଇଡି ‘ଅର୍ଥ ତତ୍ତ୍ୱ’ ଚିଟ୍ ଫଣ୍ଡ୍ ସଂସ୍ଥା ଦ୍ୱାରା ହୋଇଥିବା ଦୁର୍ନୀତିର ଖାତା ଖୋଲି ନୂଆ କିଛି ଲୋକଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ଛତ୍ରପୁରରେ ଆଜି ଚଢାଉ କରିଥିବା ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏକ ଝଲକ ବୋଲି ଆଲୋଚନା ହେଉଛି । ଆସନ୍ତା ନିର୍ବାଚନରେ ବିଜେଡ଼ି-ବିଜେପି ମେଂଟ କରି ଓଡ଼ିଶାରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଲଢିବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିଟ୍ ଫଣ୍ଡ୍ ମହାଦୁର୍ନୀତିର ତଦନ୍ତ ପ୍ରତି ଉଦାସୀନ ବୋଲି ରାଜ୍ୟବାସୀଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୋଇସାରିଛି ତାହା ଦୂର କରିବା ସକାଶେ ଆଜିର ଇଡି ଚଢାଉ ଉଦ୍ଦିଷ୍ଟ ନୁହେଁ ତ (?) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS