ଦଳର ଭବିଷ୍ୟତକୁ ନେଇ ବିଜେଡ଼ି କଣ ଚିନ୍ତାରେ ?


ପ୍ରସାଦ ରାଓ
ଭୁବନେଶ୍ୱର/ ମାର୍ଚ୍ଚ ୦୯
୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଓଡ଼ିଶାରେ ବିଜେପି ସହ ମେଂଟ କରିବାକୁ ଚାହୁଁଛି । ଯାହା ଆଲୋଚନା ହେଉଛି, ବିଜେଡ଼ି ନେତୃତ୍ୱ ବିଜେପି କେନ୍ଦ୍ରୀୟ ନେତୃତ୍ୱକୁ ପ୍ରଥମେ ମେଂଟ ପ୍ରସ୍ତାବ ଦେଇଥିଲେ, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୫ ତାରିଖ ଚଣ୍ଡିଖୋଲ ଗସ୍ତ ପରେ ଆଗକୁ ବଢିଛି । ସେଦିନ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟରେ ସଭା ମଂଚ ଉପରେ କଣ କଥାବାର୍ତ୍ତା ହେଲା – ତାହା ଦୁଇ ଜଣଙ୍କ ମଧ୍ୟରେ ସୀମିତ ଥିଲେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଭାବ ବିନିମୟ ବେଳେ ଲକ୍ଷ୍ୟ କରାଯାଇଥିବା ଆନ୍ତରିକତା ମେଂଟ ସମ୍ଭାବନାକୁ ଉଜ୍ୱଳ କରିଥିଲା । ପରେ ପରେ ବିଜେଡ଼ି ନେତୃତ୍ୱ ୫-ଟି ଅଧ୍ୟକ୍ଷ ଭି.କାତ୍ତିକେୟନ ପାଣ୍ଡିଆନ ଓ ଦଳର ସଂଗଠନ ସଂପାଦକ ବବି ଦାସଙ୍କୁ ଚାର୍ଟର୍ଡ ବିମାନରେ ଦିଲ୍ଲୀ ପଠାଇଲେ ଏବଂ ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକାଇ ଲମ୍ବା ଆଲୋଚନାରେ ବ୍ୟସ୍ତ ରହିଲେ । ମେଂଟ ଆଲୋଚନା ସକାରାତ୍ମକ ଗତି ନେଉଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ଦୁଇ ଦଳ ମଧ୍ୟରେ ବିଧାନସଭା ଓ ଲୋକସଭା ଆସନ ଭାଗବଂଟାକୁ ନେଇ ସହମତି ହୋଇନପାରିବାରୁ ଆଲୋଚନା ଅଟକି ଥିବା କୁହାଯାଉଛି ।
ତେବେ, ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ମେଂଟକୁ ନେଇ ଯେଭଳି ବୟାନବାଜୀ କରୁଛନ୍ତି ତାହା ବିଜେଡ଼ିର ଦୁର୍ବଳତାକୁ ପଦାରେ ପକାଇବା ଭଳି ହୋଇଛି । ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢିବ, ସବୁ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ମେଂଟ ଆଲୋଚନା କଥା ଯାହା କୁହାଯାଉଛି ତାହା କେବଳ ଗୁଜବ । ବିଜେଡ଼ି ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଗୁଜବ ପ୍ରଚାର କରାଇଛି ବୋଲି ସାମଲ ଗଣମାଧ୍ୟମକୁ କହି ମେଂଟ ପାଇଁ ବିଜେଡ଼ି ବ୍ୟାକୁଳ ଥିବା ଦର୍ଶାଇବାକୁ ଚାହିଁଥିବା ବେଳେ ଓଡ଼ିଶା ପାଇଁ ବିଜେପିର ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ବିଜୟପାଲ ସିଂହ ତୋମର ମଧ୍ୟ ଗଣମାଧ୍ୟମରେ ଏକାଭଳି ବୟାନ ଦେଇ ସନ୍ଦେହକୁ ବଳ ଦେଇଛନ୍ତି । ତୋମର ଆଜି ଗଣମାଧ୍ୟମରେ କହିଛନ୍ତି, ବିଜେଡ଼ିର କୌଣସି ନେତା ଦିଲ୍ଲୀରେ ତାଙ୍କୁ ଭେଟି ନାହାନ୍ତି । ମେଂଟ ନେଇ ଦୁଇ ଦଳ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନାହିଁ । ବିଜେପି ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ‘ଆମେ ଓଡ଼ିଶାରେ ୮୦ ବିଧାନସଭା ଓ ୧୬ ଲୋକସଭା ଆସନରେ ବିଜୟୀ ହେବୁ’ ।
ବିଜେପି କେନ୍ଦ୍ରୀୟ ନେତାଙ୍କ ଅନୁମତି ବିନା ତୋମର ବା ବିଜେପି ରାଜ୍ୟ ସଭାପତି ସାମଲ ଗଣମାଧ୍ୟମରେ ଏଭଳି ବୟାନବାଜୀ କରୁଥିବେ ବୋଲି ଭାବି ନେବା ମୁର୍ଖାମୀ ହେବ । କାରଣ, ମୋଦୀ, ଶାହା ଓ ନଡ୍ଡାଙ୍କ ଅନୁମତି ବିନା ବିଜେପିରେ ପତ୍ରଟିଏ ହଲିବା ସମ୍ଭବ ନୁହେଁ । ବିଜେପି ରାଜ୍ୟ ସଭାପତି ସାମଲ ଗତକାଲି ସନ୍ଧ୍ୟାରେ ଗଣମାଧ୍ୟମରେ ଦେଇଥିବା ବୟାନ ସହ ଓଡ଼ିଶା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ତୋମର ଆଜି ଦେଇଥିବା ବୟାନ ମେଳ ଖାଉଥିବାରୁ ଦଳର ରାଷ୍ଟ୍ରୀୟ ନେତୃତ୍ୱର ଇସାରାରେ ହିଁ ସେମାନେ ଏଭଳି ବୟାନ ଦେଉଥିବା ଏକପ୍ରକାର ସ୍ପଷ୍ଟ ହେଉଛି । ଅଚାନକ କାହିଁକି ବିଜେପିର ମନ ବଦଳିଲା ଓ ଯୋଶ୍ କମିଲା – ତାହା ରହସ୍ୟରେ ଥିବା ବେଳେ ଏଭଳି କିଛି ଚାଲି ନାହିଁ କହି ବୋଲି ବିଜେପି ନେତାମାନେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା କାରଣ କଣ (?) – ତାହା ମଧ୍ୟ ଅସ୍ପଷ୍ଟ ରହିଛି । ବିଜେପି ରାଜ୍ୟ ସଭାପତି ସାମଲ ଓ କେନ୍ଦ୍ରୀୟ ନିର୍ବାଚନ ପ୍ରଭାରୀ ତୋମର ଗଣମାଧ୍ୟମରେ ଯାହା ବୟାନ ଦିଅନ୍ତୁ ନା କାହିଁକି ଓଡ଼ିଶାବାସୀ ଭଲରେ ଜାଣନ୍ତି ଗଲା କିଛି ଦିନ ହେଲା ବିଜେଡ଼ି ଓ ବିଜେପି ନିର୍ବାଚନ ପୂର୍ବରୁ ମେଂଟ ପାଇଁ ଜୋରଦାର କସରତ କରୁଥିଲେ ।
ବିଜେଡ଼ି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ‘ନବୀନ ନିବାସ’ରେ ଦଳର ବରିଷ୍ଠ ନେତାମାନଙ୍କ ଡକାଇ ଆଲୋଚନା କରିବା ପରେ ଦଳର ଉପ ସଭାପତି ଥିବା ବରିଷ୍ଠ ବିଧାୟକ ଦେବୀ ମିଶ୍ର ଗଣମାଧ୍ୟମରେ ବୟାନ ଦେଇ ବୈଠକରେ ଅନ୍ୟାନ୍ୟ ବିଷୟ ସହ ମେଂଟ କଥା ମଧ୍ୟ ଆଲୋଚିତ ହୋଇଥିଲା ବୋଲି କହିଥିଲେ । ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡ଼ି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ଦଳ ପାଇଁ ଗ୍ରହଣୀୟ ବୋଲି ଦେବୀଙ୍କ ସହ ବିଜେଡ଼ିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ବୟାନବାଜୀ କରି ଆସୁଛନ୍ତି । ମେଂଟର ରୂପରେଖ କଣ ହେବ, ସେନେଇ ସେମାନେ ନିଶ୍ଚିତ ଭାବେ କିଛି କହିପାରୁ ନଥିଲେ ମଧ୍ୟ ଆଲୋଚନା ଚାଲୁଥିବା ସ୍ୱୀକାର କରୁଛନ୍ତି । ବିଜେଡ଼ି ନେତା ପାଣ୍ଡିଆନ ଓ ବବି ଦାସ ଚାର୍ଟର୍ଡ ବିମାନରେ ଦିଲ୍ଲୀ ଯାଇ ବିଜେପିର ବରିଷ୍ଠ ନେତାଙ୍କୁ ଭେଟି ଥିବା ଓ ବିଜେଡ଼ି ସୁପ୍ରିମୋଙ୍କ ବାର୍ତ୍ତା ସେମାନଙ୍କ ନିକଟରେ ପହଂଚାଇ ଥିବା ଓଡ଼ିଶାବାସୀଙ୍କୁ ଅଛପା ନାହିଁ । ତେବେ, ଆସନ ବୁଝାମଣା ନେଇ ସହମତି ନହେବାରୁ ବିଜେପି ନେତାମାନେ ମେଂଟ ନେଇ ଆଲୋଚନା ଚାଲିଥିବା କଥାକୁ ଅଗ୍ରାହ୍ୟ କରିଦେବା ବିଜେଡ଼ି ନେତୃତ୍ୱ ଉପରେ ଚାପ ସୃଷ୍ଟି ପାଇଁ ଏକ ସୁଚିନ୍ତିତ ଯୋଜନା ବୋଲି ରାଜନୀତିରେ ରୁଚି ରଖିଥିବା ଲୋକମାନେ ବିଶ୍ୱାସ କରୁଛନ୍ତି ।
ବାସ୍ତବରେ ଓଡ଼ିଶାରେ ଗଲା ୨୪ ବର୍ଷ ହେଲା ସରକାରରେ ଥିବା ଏବଂ ବିଭିନ୍ନ ଉପାୟରେ ବିଭିନ୍ନ ବର୍ଗର ଜନତାଙ୍କୁ ସନ୍ତୁଷ୍ଟ କରି ନିଜର ଲୋକପ୍ରିୟତା ବଜାୟ ରଖିଥିବା ବିଜେଡ଼ି ଅଚାନକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସହ ମେଂଟ କରିବାକୁ କାହିଁକି ବ୍ୟାକୁଳ (?) – ତାହା ସ୍ପଷ୍ଟ ହେଉନି । ଗୋଟିଏ ଜାତୀୟ ଗଣମାଧ୍ୟମ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗତ ଡିସେମ୍ବର-ଜାନୁୟାରୀରେ ଜନମତ ସର୍ଭେ କରାଯାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ଦେଶର ଏକ ନମ୍ବରରେ ଥବା ଏବଂ ତାଙ୍କ ପ୍ରତି ଜନସମର୍ଥନ ପୂର୍ବଭଳି ଅତୁଟ ରହିଥିବା ଦର୍ଶାଯାଇଥିଲା । ଏଥିରୁ ଓଡ଼ିଶାରେ ସରକାରୀ-ବିରୋଧୀ ଅଣ୍ଡର କରେଂଟ ନଥିବା ସ୍ପଷ୍ଟ ହୋଉଛି । ତେବେ, ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ୨୦୧୯ ତୁଳନାରେ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ଏହି ସର୍ବେକ୍ଷଣ ରିପୋର୍ଟ କହିଥିଲା । ରାଜ୍ୟରେ ବିଜେପି ନେତା ଓ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଏଭଳି ସର୍ବକ୍ଷଣ ରିପୋର୍ଟମାନ ପ୍ରକାଶ ପାଉଛି, ୨୦୨୪ ନିର୍ବାଚନରେ ବିଜେଡ଼ି ୨୦୧୯ ତୁଳନାରେ ଅଧିକ ସଂଖ୍ୟାରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଲଗାତର ଷଷ୍ଠ ଥର ପାଇଁ ସରକାର କରିବ ବୋଲି ବିଜେଡ଼ି ମୁଖପାତ୍ରମାନେ ଦାବି କରୁଥିଲେ । ଏମିତି କଣ ହେଲା ଯେ ବିଜେଡ଼ି କେନ୍ଦ୍ରରେ ଏନଡିଏରେ ସାମିଲ ହେବାକୁ ଓ ରାଜ୍ୟରେ ବିଜେପି ସହ ମେଂଟ କରିବାକୁ ବ୍ୟାକୁଳ ହେଉଛି – ତାହା ଆଜି ଦିନର ନିୟୁତ ଡ଼ଲାର ପ୍ରଶ୍ନ ହୋଇଛି ।
କେବଳ ଓଡ଼ିଶାର ନୁହେଁ, ଜାତୀୟସ୍ତର ରାଜନୈତିକ ବିଶ୍ଲେଷକମାନେ ମଧ୍ୟ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି-ବିଜେପି ମଧ୍ୟରେ ହେବାକୁ ଥିବା ମେଂଟ ନେଇ ତର୍ଜମା କରୁଛନ୍ତିି । ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ଦଳର ମେଂଟ ଥିଲା ଏବଂ ରାଜ୍ୟରେ ବିଜେଡ଼ି-ବିଜେପିର ମିଳିତ ସରକାର ଚାଲିଥିଲା । ହିନ୍ଦତ୍ୱବାଦୀ ସନ୍ଥ ଓ ସମାଜସେବକ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପରେ କନ୍ଧମାଳରେ ଯେଉଁ ଦଙ୍ଗା ହେଲା ତାହାକୁ ଆଳ କରି ବିଜେଡ଼ି ବିଜେପିକୁ ସାଂପ୍ରଦାୟିକ ଦଳ ଭାବେ ଆକ୍ଷେପ କରିବା ସହ ୨୦୦୯ରେ ମେଂଟରୁ ଦୂରେଇ ଯାଇଥିଲା । ୨୦୦୯ ସାଧାରଣ ନିର୍ବାଚନରୁ ୨୦୧୯ ସାଧାରଣ ପର୍ଯ୍ୟନ୍ତ ରାଜ୍ୟରେ ଦୁଇ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢିଛନ୍ତି । ରାଜ୍ୟରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହୋଇଆସୁଛି । ତେବେ, ରାଜ୍ୟରେ ବିଜେପି ତାହାର ଶକ୍ତି ବୃଦ୍ଧି କରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୨୧ରୁ ୦୮ ଲୋକସଭା ଆସନ ଓ ୧୪୭ରୁ ୨୩ ବିଧାନସଭା ଆସନରେ ଜିତି କଂଗ୍ରେସକୁ ତିନି ନମ୍ବରକୁ ଠେଳି ଦେବା ସହ ନିଜ ଦୁଇ ନମ୍ବର ସ୍ଥିତିକୁ ସୁଦୃଢ କରି ୨୦୨୪ରେ ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଛି ।
ଅବଶ୍ୟ ବିଜେପିର ଓଡ଼ିଶା ନେତାମାନେ ଜାଣନ୍ତି ୨୦୨୪ରେ ସେମାନଙ୍କ ଏହି ଆଶା ପୂରଣ ହେବା ସମ୍ଭାବନା କ୍ଷୀଣ । ତେବେ, ବିଜେଡ଼ି ଭିତରେ ଥିବା ନେତୃତ୍ୱ କନ୍ଦଳ ଓ ଅସନ୍ତୁଷ୍ଟ ନେତାମାନେ ବିଜେଡ଼ି ଛାଡି ବିଜେପିରେ ସାମିଲ ହେଉଥିବା ବିଜେପି ନେତାଙ୍କୁ ଉତ୍ସାହିତ କରିଛି । କିଛି କଂଗ୍ରେସ ନେତା ମଧ୍ୟ ବିଜେପିରେ ସାମିଲ ହେଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟତାବାଦୀ ଆଭିମୁଖ୍ୟ ଓ ବଳିଷ୍ଠ ନେତୃତ୍ୱ ଦ୍ୱାରା ଆକର୍ଷିତ ହୋଇ ସେମାନେ ବିଜେପିକୁ ଯାଉଛନ୍ତି ବୋଲି ଏହି ଅସନ୍ତୁଷ୍ଟ ନେତାମାନେ ବୟାନ ଦେଉଥିବା ରାଜ୍ୟରେ ବିଜେଡ଼ିର ପତିଆରାକୁ କ୍ଷୁର୍ଣ୍ଣ କଲା ଭଳି ହୋଇଛି । ଦଳତ୍ୟାଗକୁ ରୋକିବା ବିଜେଡ଼ି ପାଇଁ ବଡ ଆହ୍ୱାନ ହୋଇଥିବା ବେଳେ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ମଧ୍ୟ ଦଳର ନେତୃତ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ୭୭ ବର୍ଷ ବୟସ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେ ଲୋକପ୍ରିୟ ହେଲେ ମଧ୍ୟ ଆଗାମୀ ବର୍ଷମାନଙ୍କରେ ଦଳର ଭବିଷ୍ୟତ ନେଇ ଚିନ୍ତିତ ଥିବା ଏବଂ ଯାହାକୁ ଉତ୍ତରାଧିକାରୀ ଚୟନ କରିବେ ବା କରିଛନ୍ତି ତାଙ୍କ ହାତରେ ନିବିଘ୍ନରେ କ୍ଷମତା ଅର୍ପଣ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଏକ ସ୍ଥିର ରାଜନୈତିକ ବାତାବରଣ ରହିବା ଚାହୁଛନ୍ତି । ଏହାଛଡା, ମହାରାଷ୍ଟ୍ରରେ ଶିବ ସେନା ଓ ଏନସିପି ବିଭାଜନ ଏବଂ ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି ଆଡୁ ଚାଲିଥିବା ଏଭଳି ଉଦ୍ୟମ ମଧ୍ୟ ବିଜେଡ଼ି ମୁଖ୍ୟଙ୍କୁ ଚିନ୍ତାରେ ପକାଇଛି । ତେଣୁ, ସେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସହ ମେଂଟ ଚୂଡାନ୍ତ କରି ନିଶ୍ଚିନ୍ତ ହେବାକୁ ଚାହୁଁଛନ୍ତି ବୋଲି କିଛି ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି ।
ବିଜେଡ଼ିର ଯୁକ୍ତି ହେଉଛି, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଶତ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପୂର୍ବାଂଚଳ ରାଜ୍ୟମାନଙ୍କ ବିକାଶକୁ ଗୁରୁତ୍ୱ ଦେଇ ବିକାଶ କାର୍ଯ୍ୟ ପାଇଁ ବିପୁଳ ଆର୍ଥିକ ସହାୟତା ଦେଉଛନ୍ତି । ଏନଡିଏ ଶାସନରେ ରାଜ୍ୟମାନଙ୍କ ବିକାଶ ଦୃତତର ହୋଇଛି । ବିଜେଡ଼ି ଏନଡିଏରେ ରହିଲେ ୨୦୩୬ରେ ଶତବାଷିକୀ ପାଳନ ବେଳକୁ ଓଡ଼ିଶା ମଧ୍ୟ ଏକ ବିକଶିତ ରାଜ୍ୟରେ ପରିଣତ ହୋଇସାରିଥିବ । ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡ଼ି ବିଜେପି ସହ ମେଂଟ ହେବା ଚାହୁଁଛି । ତେବେ, କିଛି ରାଜନୈତିକ ବିଶ୍ଲେଷକଙ୍କ ମତରେ, ୨୦୨୪ ନିର୍ବାଚନରେ ଯଦି ବିଜେଡ଼ିର ପ୍ରଦର୍ଶନ ଭଲ ନହୁଏ ଏବଂ ବିଜେପି ନିଜ ବଳରେ ୪୦୦ରୁ ଅଧିକ ଲୋକସଭା ଆସନରେ ଜିତେ ତାହା ହେଲେ ଜାତୀୟ ରାଜନୀତିରେ ବିଜେଡ଼ି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଲଚାଲ କ୍ଷମତା ବର୍ତ୍ତମାନ ଭଳି ନଥାଇପାରେ । ତେଣୁ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସହ ମେଂଟ କରି ନିଜ ସ୍ଥିତି ସୁଦୃଢ କରିବାକୁ ଚାହୁଛନ୍ତି ।
ବିଜେଡ଼ି-ବିଜେପି ମେଂଟ ଉଦ୍ୟମକୁ ନିଜ ରାଜ୍ୟ ଓ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକମାନଙ୍କ ଅନୁମାନିକ ବିଶ୍ଲେଷଣମାନ ଯାହା ହେଉନା କାହିଁକି ଦିଲ୍ଲୀରେ ଦୁଇ ଦିନର କସରତ ପରେ ବିଜେପି ରାଜ୍ୟ ରାଜ୍ୟ ସଭାପତି ସାମଲ ଓଡ଼ିଶା ଫେରିବା ପରେ ଗତକାଲି ଏବଂ ଓଡ଼ିଶାରେ ବିଜେପିର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ତୋମର ଆଜି ଗଣମାଧ୍ୟମରେ ଯେଉଁ ବୟାନ ରଖିଛନ୍ତି ତାହା ଓଡ଼ିଶାରରେ ବିଜେଡ଼ି ସହ ମେଂଟ କରିବା ପାଇଁ ବିଜେପି ଆଗ୍ରହୀ ନଥିବା ଭଳି ସଂକେତ ଦେଉଛି । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ଫେରିବା ପରେ ପରେ ଦୁଇ ଦଳର ନେତାମାନେ ଦିଲ୍ଲୀ ଦୌଡି ଦୁଇ ଦିନ ହେଲା ଯେଉଁ ଆଲୋଚନା କରୁଥିଲେ ତାହା କେବଳ କଣ ପ୍ରହସନ ଥିଲା ? ଏନେଇ ବିଜେଡ଼ି ନେତାଙ୍କୁ ପ୍ରଶ୍ନ ହେଲେ ଉତ୍ତର ମିଳୁଛି, ବିଜେପି-ବିଜେଡ଼ି ମଧ୍ୟରେ ଆଲୋଚନା ଜାରି ରହିଛି । ଦୁଇ ଦଳ ସର୍ବାଚ୍ଚ ନେତୃତ୍ୱସ୍ତରରେ ମେଂଟ ଓ ଆସନ ବୁଝାମଣାକୁ ଚୂଡାନ୍ତ କରିବା ପରେ ତାହାର ଘୋଷଣା ହେବ । ବିଜେପି ରାଜ୍ୟ ମୁଖ୍ୟ ସାମଲ ଓ କେନ୍ଦ୍ରୀୟ ନେତା ତୋମରଙ୍କ ବୟାନ ପରେ ମଧ୍ୟ ବିଜେଡ଼ିର ମେଂଟ ଆଶା ବଳବତ୍ତର ଥିବା ଏଥରୁ ସୂଚନା ମିଳୁଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ମାର୍ଚ୍ଚ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ଗସ୍ତ ପରେ ହିଁ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS