କଂଗ୍ରେସ ପାଇଁ ଦୁଆର ବନ୍ଦ : ୪୨ ଆସନରୁ ପ୍ରାର୍ଥୀ ଦେଲା ଟିଏମସି
ପ୍ରସାଦ ରାଓ
ମାର୍ଚ୍ଚ ୧୦
ପଶ୍ଚିମ ବଂଗରେ ଏକାକୀ ନିର୍ବାଚନ ଲଢିବ ଟିଏମସି । ଦଳର ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ରାଜ୍ୟରେ କଂଗ୍ରେସ ସହ ଆସନ ବୁଝାମଣା ସମ୍ଭାବନାର ରାସ୍ତା ବନ୍ଦ କରିଛନ୍ତି । ବିରୋଧୀ ‘ଇଣ୍ଡିଆ’ ମେଂଟରେ କଂଗ୍ରେସ ଓ ଟିଏମସି ଅଛନ୍ତି । ତେବେ, ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ସମ୍ଭବ ନ ହେବାରୁ ରାଜ୍ୟରେ ଟିଏମସି ଏକାକୀ ନିର୍ବାଚନ ଲଢିବ ବୋଲି ମମତା ବହୁ ପୂର୍ବରୁ ଘୋଷଣା କରି ସାରିଛନ୍ତି । କଂଗ୍ରେସକୁ ଟିଏମସି ଦୁଇଟି ଆସନ ଛାଡିବାକୁ ପ୍ରସ୍ତୁତ ଥିଲା । ତେବେ, କଂଗ୍ରେସ ଅଧିକ ଆସନ ଦାବି କରୁଥିଲା । ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧୀର ରଂଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତର ଟାର୍ଗେଟ କରିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରକ୍ତ ହୋଇ ଆସନ ବୁଝାମଣାର ରାସ୍ତା ବନ୍ଦ କରିଥିଲେ । ପରେ ଅବଶ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଟିଏମସି ମୁଖ୍ୟଙ୍କ ସହ ଆଲୋଚନା କରି ଆସନ ବୁଝାମଣା ରାସ୍ତା ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ, ମମତା ଆଜି ରାଜ୍ୟର ୪୨ଟି ଯାକ ଲୋକସଭା ଆସନ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ କଂଗ୍ରେସ ପାଇଁ ବୁଝାମଣା ରାସ୍ତା ବନ୍ଦ ହୋଇଥିବା ସ୍ପଷ୍ଟ ହୋଇଛି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସପଶ୍ଚିମ ବଂଗରେ ଅନ୍ତତଃ ୫ଟି ଆସନରୁ ଲଢିବାକୁ ଚାହିଁଥିଲା ଓ ଏନେଇ ଟିଏମସି ନିକଟରେ ଦାବି ରଖିଥିଲା । କିନ୍ତୁ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପଶ୍ଚିମ ବଂଗର ଯେଉଁ ଦୁଇଟି ଲୋକସଭା ଆସନରେ ବିଜୟୀ ହୋଇଥିଲା ସେହି ଦୁଇଟି ଆସନ ବ୍ୟତୀତ ତୃତୀୟ ଆସନ କଂଗ୍ରେସକୁ ଛାଡିବା ସମ୍ଭବ ନୁହେଁ, ଚାଲୁଣି ପକାଇ ଖୋଜିଲେ ମଧ୍ୟ କଂଗ୍ରେସ ପାଇଁ ତୃତୀୟ ଆସନ ମିଳୁ ନାହିଁ ବୋଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ କଟାକ୍ଷ କରିବାରୁ ରାଜ୍ୟ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀ ତାହାର ବିରୋଧ କରିଥିଲେ । କେବଳ ଆସନ ବୁଝାମଣା ନେଇ ମମତାଙ୍କ ଜିଦଖୋର ମନୋଭାବକୁ ନୁହେଁ, ସନ୍ଦେଶଖାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶେଖ ସାହାଜାହାନଙ୍କୁ ସରକାର ଘଂଟ ଘୋଡାଇବା ପ୍ରୟାସକୁ ମଧ୍ୟ ଅଧୀର ରଂଜନ ସମାଲୋଚନା କରିବା ସହ ରାଜ୍ୟରେ ମମତାଙ୍କ ‘କ୍ରୁର’ ଶାସନ ଚାଲିଛି ବୋଲି ମନ୍ତବ୍ୟ ଦେଇ ମମତାଙ୍କୁ ଅଧିକ କ୍ଷୁବ୍ଧ କରିଥିଲେ । କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଆସନ ବୁଝାମଣା ପାଇଁ ବ୍ୟଗ୍ର ଥିବା ବେଳେ ରାଜ୍ୟ ଦାୟିତ୍ୱରେ ଥିବା ଅଧୀର ରଂଜନଙ୍କ ଓଲଟା ଆଚରଣ ଗ୍ରହଣୀୟ ନୁହେଁ ବୋଲି ଟିଏମସି ସ୍ପଷ୍ଟ କରି ଦେଇଥିଲା । ଆଜି କୋଲକାତା ବ୍ରିଗେଡ ପଡିଆରେ ଆୟୋଜି ଟିଏମସିର ଏକ ମେଗା ରାଲି (ଜନ ଗର୍ଜନ ସଭା)ରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ୪୨ଟି ଲୋକସଭା ଆସନ ପାଇଁ ଦଳର ୪୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି ସଭାରେ ଟିଏମସିର ଲକ୍ଷାଧିକ ସମର୍ଥକ ଓ ବ୍ଲକସ୍ତରୀୟ ନେତା ଉପସ୍ଥିତ ଥିଲେ । ମମତାଙ୍କ ସହ ଟିଏମସିର ଜାତୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ ଆଜିର ମେଗା ସଭାର କେନ୍ଦ୍ରବିନ୍ଦୁ ଥିଲେ । ମମତା ଏହି ରାଲିରେ ଘୋଷଣା କରିଛନ୍ତି, ପଶ୍ଚିମ ବଂଗରେ ଦଳ ଏକାକୀ ନିର୍ବାଚନ ଲଢିବା ସହ ଆସାମ, ମେଘାଳୟରେ ମଧ୍ୟ ପ୍ରାର୍ଥୀ ଦେବ । ତେବେ, ୟୁପିରେ ଗୋଟିଏ ଲୋକସଭା ଆସନରେ ଟିଏମସି ତାହା ପ୍ରାର୍ଥୀ ଦେବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥାବାର୍ତ୍ତା କରୁଛି । ମମତା ଆଜି ଘୋଷଣା କରିଥିବା ୪୨ ଜଣିଆ ପ୍ରାର୍ଥୀ ତାଲିକାରେ ପୁତୁରା ଅଭିଷେକ ବାନାର୍ଜୀ, ବଲିଉଡ୍ ଅଭିନେତା ଶତୃଘନ ସିହ୍ନା, ପୂର୍ବତନ କ୍ରିକେଟର୍ ୟୁସୁଫ ପଠାନ, ପୂର୍ବତନ କ୍ରିକେଟର୍ କୀର୍ତ୍ତି ଆଜାଦ, ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ନାମ ଥିବା ବେଳେ ସନ୍ଦେଶଖାଲି ବିବାଦୀୟ ଘଟଣା ପରେ ବସିରହାଟର ଟିଏମସି ସାଂସଦ ଥିବା ଅଭିନେତ୍ରୀ ନୁସରତ ଜାହାନଙ୍କ ସ୍ଥାନରେ ହାଜୀ ନିରୁଲ ଇସଲାମଙ୍କ ନାମ ଘୋଷଣା ହୋଇଛି । ଅଭିଷେକ ବାନାର୍ଜୀ କୋଲକାତା ଡାଇମଂଡ ହାରବର ଆସନରୁ, ଶତୃଘନ ସିହ୍ନା ଆସାନସୋଲରୁ, ୟୁସୁଫ ପଠାନ ବହରମପୁର ଆସନରୁ, ମହୁଆ ମୈତ୍ର ତାଙ୍କ ପୂର୍ବ ଆସନ କ୍ରୀଷ୍ଣାନଗରରୁ ପ୍ରାର୍ଥୀ ହେଉଥିବା ଜଣାପଡିଛି । ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧୀର ରଂଜନ ଚୌଧୁରୀ ସଂପ୍ରତି ବହରମପୁରରୁ ସାଂସଦ ଅଛନ୍ତି । ପୂର୍ବତନ କ୍ରିକେଟର୍ ୟୁସୁଫ ପଠାନଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ପଶ୍ଚିମ ବଂଗ ଯାଦବପୁର ଆସନରୁ ସାଂସଦ ଥିବା ମିମି ଚକ୍ରବର୍ତ୍ତୀ ରାଜନୀତିରୁ ସନ୍ୟାସ ନେଉଥିବା ଘୋଷଣା କରିଥିବାରୁ ସେହି ଆସନରେ ଅଭିନେତ୍ରୀ ସାୟୋନୀ ଘୋଷ ପ୍ରାର୍ଥୀ ହେଉଥିବା ଦଳ ଘୋଷଣା କରିଛି । ରାଜ୍ୟର ୪୨ ଲୋକସଭା ଆସନ ପାଇଁ ଟିଏମସି ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ କଂଗ୍ରେସ ଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପଶ୍ଚିମ ବଂଗରେ କଂଗ୍ରେସ ଆଲୋଚନା ମାଧ୍ୟମରେ ଟିଏମସି ସହ ଏକ ସମ୍ମାନଜନକ ଆସନ ବୁଝାମଣା ହେବା ଚାହୁଁ ଥିଲା । କିନ୍ତୁ, ଏକପାଖିଆ ଘୋଷଣା ମାଧ୍ୟମରେ ନୁହେଁ । ଇଣ୍ଡିଆ ମେଂଟ ଆସନ୍ତା ନିର୍ବାଚନରେ ଏକାଠି ବିଜେପିକୁ ସାମ୍ନା କରିବା କଂଗ୍ରେସ ସର୍ବଦା ଚାହିଁ ଆସିଛି ବୋଲି ସେ କହିଛନ୍ତି । କଂଗ୍ରେସର ଏଭଳି ନରମ ପ୍ରତିକ୍ରିୟା କଠୋର ଟିଏମସି ମୁଖ୍ୟଙ୍କୁ କେତେମାତ୍ରାରେ ପ୍ରଭାବିତ କରିବ ତାହା ସମୟ କହିବ । ତେବେ, ଆଜି ରାଜ୍ୟର ସବୁ ଲୋକସଭା ଆସନ ପାଇଁ ଟିଏମସି ପ୍ରାର୍ଥୀଙ୍କ ନାମ ଘୋଷଣା ସରିଥିବାରୁ କଂଗ୍ରେସ ପାଇଁ ଟିଏମସି ସହ ମୁକାବିଲା ବ୍ୟତୀତ ଅନ୍ୟ ରାସ୍ତା ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS