ନିର୍ବାଚନ ବଣ୍ଡ୍ ମାମଲା : ସୁପ୍ରିମ କୋର୍ଟ ଏସବିଆଇକୁ ମାତ୍ର ୨୪ ଘଂଟା ସମୟ ଦେଲେ
ପ୍ରସାଦ ରାଓ
ନୂଆଦିଲ୍ଲୀ/୧୧ ମାର୍ଚ୍ଚ
‘ଇଲୋକ୍ଟୋରାଲ୍ ବଣ୍ଡ୍’ ସ୍କିମ୍ ମାମଲାରେ ଆଜି ସୁପ୍ରିମ କୋର୍ଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ବଡ ଝଟକା ଲାଗିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଏହି ସ୍କିମ୍ ପ୍ରାରମ୍ଭରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଆସିଛି । ତେବେ, ଇଲୋକ୍ଟୋରାଲ ବଣ୍ଡ୍ କେଉଁମାନେ କିଣିଛନ୍ତି ଏବଂ କେଉଁ ରାଜନୈତିକ ଦଳ ନାମରେ କେତେ ମୂଲ୍ୟର ବଣ୍ଡ୍ ବ୍ରିକୟି ହୋଇଛି ତାହା ଗୋପନୀୟ ଦର୍ଶାଇ କେନ୍ଦ୍ର ସରକାର ଓ ଏସବିଆଇ ଏସଂପର୍କିତ ତଥ୍ୟ ଗୋପନ ରଖୁଥିଲେ । ତଥ୍ୟ ପ୍ରକାଶ ହେଲେ ବଣ୍ଡ୍ କିଣିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ଅସୁବିଧାରେ ପଡିବେ ବୋଲି ସରକାର ଯୁକ୍ତି ଦର୍ଶାଇ ତାହାର ଗୋପନୀୟତାକୁ ଗୁରୁତ୍ୱ ଦେଇ ଆସୁଥିେ । ତେବେ, ସରକାରଙ୍କ ଏହି ସ୍କିମ୍ ରେ ପରଦର୍ଶିତା ନଥିବା ଦର୍ଶାଇ ଏଡିଆର (ଆସୋସିଏସନ୍ ଫର୍ ଡେମୋକ୍ରେଟିକ୍ ରିଫର୍ମ୍ସ) ସମତେ ଅନ୍ୟ କେତେ ଜଣ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେବାରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ବେଂଚ୍ ଏହା ର ଶୁଣାଣୀ କରି ଗତ ଫେବୃୟାରୀ ୧୫ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ‘ଅସାମ୍ବିଧାନିକ’ ବୋଲି ସୁପ୍ରିମ କୋର୍ଟ କହିବା ସହ ତୁରନ୍ତ ବଣ୍ଡ୍ ବିକ୍ରିକୁ ନିଷିଦ୍ଧ କରିଥିଲେ । ସ୍କିମ୍ ପ୍ରଚଳନ ହେବା ଦିନରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହି ବଣ୍ଡ୍ ବିକ୍ରି କରି ଆସୁଥିବାରୁ କେଉଁ ରାଜନୈତିକ ଦଳ ନାମରେ କେତେ ବଣ୍ଡ ବିକ୍ରି ହୋଇଛି ଏବଂ କେଉଁମାନେ କେତେ ମୂଲ୍ୟର ବଣ୍ଡ୍ କିଣିଛନ୍ତି ତାହାର ବିସ୍ତୃତ ବିବରଣୀ ଧାର୍ଯ୍ୟ ସମୟ ମଧ୍ୟରେ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ)ଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମ କୋର୍ଟ ରାୟ ଦେବା ଦିନ ଏସବିଆଇକୁ ନିର୍ଦେଶ ଦେଇଥିଲେ । ବିବରଣୀ ହସ୍ତଗତ ହେବାର ତିନି ସପ୍ତାହ ମଧ୍ୟରେ ତାହା ସର୍ବସାଧାରଣଙ୍କ ଉପଲବ୍ଧ ହେବା ଭଳି ନିଜ ୱେବ୍ ସାଇଟରେ ଅପଲୋଡ୍ କରିବାକୁ ଇସିଆଇ ମଧ୍ୟ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଥିଲା । ତେବେ, କୋର୍ଟ ରାୟ ଆସିବାର ୨୬ ଦିନ ପରେ ମଧ୍ୟ ଏସବିଆଇ ‘ଇଲୋକ୍ଟୋରାଲ ବଣ୍ଡ୍’ ସଂପର୍କିତ ବିସ୍ତୃତ ତଥ୍ୟ ଭାରତୀୟ ନିର୍ବାଚନ ଅୟୁକ୍ତ (ଇସିଆଇ)ଙ୍କ ନିକଟରେ ଉପସ୍ଥାପନ ନକରି ଅଧିକ ତିନି ମାସ, ଅର୍ଥାତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିବାରୁ ଆଜି କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି ଏବଂ ଏସବିଆଇକୁ ବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ ମାତ୍ର ୨୪ ଘଂଟା ସମୟ ଦେଇଛନ୍ତି । ଇସିଆଇ ମଧ୍ୟ ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ତଥ୍ୟ ନିଜ ୱେବ୍ ସାଇଟ୍ ରେ ଅପଲୋଡ୍ କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି । ଏସବିଆଇ ଏହି ଆଦେଶକୁ କାର୍ଯ୍ୟକାରୀ ନକଲେ ବ୍ୟାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ହେବ ବୋଲି ମଧ୍ୟ ସୁପ୍ରିମ କୋର୍ଟ ଆଜି ଚେତାବନୀ ଦେଇଛନ୍ତି । ସୁପ୍ରିମ କୋର୍ଟ ପୂର୍ବରୁ ଇସିଆଇକୁ ଏସବିଆଇରୁ ମିଳିବାକୁ ତଥ୍ୟ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜ ୱେବ୍ ପୃଷ୍ଠାରେ ଅପଲୋଡ୍ କରିବାକୁ ନିର୍ଦେଶ ଦେଇଥିଲେ । ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶରେ ନିର୍ବାଚନ ପାଣ୍ଠି ସଂଗ୍ରହରେ ସ୍ୱଚ୍ଛତା ଆଣିବା ନାମରେ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ କାର୍ଯ୍ୟକାରୀ କରିଥିଲେ ଏବଂ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ଏହି ବଣ୍ଡ୍ ବିକ୍ରି ହେଉଥିଲା । ଏହାଦ୍ୱାରା ନିର୍ବାଚନ ପାଣ୍ଠିକୁ ନେଇ ପାରଦର୍ଶିତା ରହିବ ବୋଲି ସରକାରଙ୍କ ଆଡୁ ଦାବି ହେଉଥିଲା । ତେବେ, ସରକାରଙ୍କ ଗୋପନୀୟତା କାରଣରୁ ନିର୍ବାଚନ ପାଣ୍ଠି ମିଳିବାରେ ପରଦର୍ଶିତା ରହୁନଥିବା ଆସୋସିଏସନ୍ ଫର୍ ଡ଼େମୋକ୍ରେଟିକ୍ ରିଫର୍ମ୍ସ (ଏଡିଆର) ସମେତ ଅନ୍ୟ କେତେ ଜଣ ସୁପ୍ରିମ କୋର୍ଟରେ ଅଭିଯୋଗ କରିବା ସହ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ରଦ୍ଦ କରାଯିବାକୁ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ବଣ୍ଡ୍ ସଂପର୍କିତ ବିସ୍ତୃତ ତଥ୍ୟ ଦାଖଲ କରିବା ଏସବିଆଇ ପାଇଁ ସମୟ ଧାର୍ଯ୍ୟ କରିଥିଲେ ମଧ୍ୟ ଏସବିଆଇ ବିଭିନ୍ନ ଆଳ ଦେଖାଇ ଅଧିକ ତିନି ମାସ ସମୟ ମାଗିବାରୁ ଆଜି ସୁପ୍ରିମ କୋର୍ଟରେ ଏଡିଆର ପକ୍ଷରୁ ତାହାର ବିରୋଧ କରାଯାଇଥିଲା । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଇଲୋକ୍ଟୋରାଲ ବଣ୍ଡ୍ ସଂପର୍କିତ ବିସ୍ତୃତ ବିବରଣୀ ଜନସାଧାରଣଙ୍କ ନିକଟରେ ପହଂଚିବା ଏସବିଆଇ ଚାହୁଁ ଥିବାରୁ ସମୟ ଗଡାଇବାକୁ ଚାହୁଁଛି ବୋଲି ଏଡିଆର ପକ୍ଷରୁ ସୁପ୍ରିମ କୋର୍ଟରେ ଅଭିଯୋଗ ହୋଇଥିଲା । ତେବେ, ଏସବିଆଇ ପକ୍ଷରୁ ଆଜି ସୁପ୍ରିମ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଯୁକ୍ତି ରଖିଥିଲେ ଯେ, ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ମାଧ୍ୟମରେ ହୋଇଥିବା କାରବାରର ଗୋପନୀୟତା ରକ୍ଷା କରାଯିବାରୁ ପୂର୍ବରୁ ସରକାରଙ୍କ ଆଡୁ ନିର୍ଦେଶ ଥିଲା । ତେଣୁ, ଏସବିଆଇ ତାହାର କୋର୍ ବ୍ୟାଙ୍କିଂ ବ୍ୟବସ୍ଥା ବାହାରେ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ସଂପର୍କିତ ସମସ୍ତ ତଥ୍ୟ ଗଚ୍ଛିତ ରଖୁଥିଲା ଏବଂ ଏନେଇ ଏସଓପି (ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର) ପାଳନ କରୁଥିଲା । କୋର୍ଟ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ସମସ୍ତ ତଥ୍ୟ ଏକାଠି କରାଯାଉଛି । ଏଥିସକାଶେ ସଂପୂର୍ଣ୍ଣ ବ୍ୟବସ୍ଥାକୁ ପଛକୁ ଫେରାଇ ଆଣି ତଥ୍ୟ ବାହାର କରିବାକୁ ସମୟ ଲାଗୁଛି । ତେଣୁ, ସୁପ୍ରିମ କୋର୍ଟ ଫେବୃୟାରୀ ୧୫ ତାରିଖ ଆଦେଶ କାର୍ଯ୍ୟକାରୀ କରିବାକୁ ଏସବିଆଇକୁ ଅଧିକ ସମୟ ଦେବା ଆବଶ୍ୟକ । ଆଜିର ଶୁଣାଣୀ ବେଳେ ପାଂଚ ଜଣିଆ ସାମ୍ବିଧାନିକ ବେଂଚ୍ ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଉପସ୍ଥିତ ଥିଲେ । ଇଲୋକ୍ଟୋରାଲ ବଣ୍ଡ୍ ସ୍କିମରେ କେଉଁମାନେ ବିଭିନ୍ନ ରାଜନୈତିକ ଦଳଙ୍କୁ ନିର୍ବାଚନ ପାଣ୍ଠି ବାବଦରେ କେତେ ଦାନ ଦେଇଛନ୍ତି ତାହାର ବିବରଣୀ ଏସବିଆଇ ମୁମ୍ବାଇ ଶାଖାରେ ଏକ ଜଉମୁଦ ଲଫାଫାରେ ରହିଛି, ଆପଣମାନେ କେବଳ ସେହି ଲଫାଫାକୁ ଖୋଲି ସେଥିରୁ ତଥ୍ୟ ବାହାର କରି ଇସିଆଇ ନିକଟରେ ଦାଖଲ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଓ ସାମ୍ବିଧାନିକ ବେଂଚର ଅନ୍ୟତମ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା କହିଥିଲେ । ଆଇନଜୀବୀ ସାଲଭେଙ୍କ ଯୁକ୍ତି ଥିଲା, କିଏ ବଣ୍ଡ୍ କିଣିଛନ୍ତି, ଟଙ୍କା କେଉଁଠୁ ଆସିଛି ଏବଂ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଯାଇଛି ସେସଂପର୍କିତ ବିସ୍ତୃତ ତଥ୍ୟ ତାଙ୍କ ନିକଟରେ ରହିଛି । ତେବେ, ତାଲିକା ସହ ନାମ ଓ ବଣ୍ଡ୍ ନମ୍ବର ମେଳ କରିବାକୁ ସମୟ ଲାଗିବ । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏହାର ଉତ୍ତରରେ କହିଥିଲେ, କୋର୍ଟ ମ୍ୟାଚିଂ ଏକ୍ସରସାଇଜ୍ କଥା କହୁ ନାହାନ୍ତି, ତାହା ସମୟ ସାପେକ୍ଷ ବୋଲି କୋର୍ଟ ଜାଣନ୍ତି । ଆମେ କେବଳ ସାମ୍ବିଧାନିକ ବେଂଚଙ୍କ ନିର୍ଦେଶ କାର୍ଯ୍ୟକାରୀ ହେବା ଚାହୁଁଛୁ । ସୁପ୍ରିମ କୋର୍ଟ ରାୟ ପ୍ରକାଶ ପାଇବାର ୨୬ ଦିନ ବିତିଥିଲେ ମଧ୍ୟ ବ୍ୟାଙ୍କ ନିର୍ଦେଶ ପାଳନ ଦିଗରେ କଣ କାମ କରିଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଶ୍ନ କରିଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ବ୍ୟାଙ୍କ ତଥ୍ୟ ଦାଖଲ କରିନଥିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ । ସାମ୍ବିଧାନିକ ବେଂଚଙ୍କ ରାୟରେ ପରିବର୍ତ୍ତନ ସକାଶେ ଏସବିଆଇର ଜଣେ ବରିଷ୍ଠ ଅଧିକାରୀ ଅଦାଲତରେ ସତ୍ୟପାଠ ଦାଖଲ କରିଥିବା ତାଙ୍କ ନଜରକୁ ଆସିଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବ୍ୟାପାର ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଥିଲେ । ଏଡିଆର ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମ କୋର୍ଟରେ ଉପସ୍ଥିତ ରହି ଏସବିଆଇ ନିକଟରେ ସମସ୍ତ ତଥ୍ୟ ଥିଲେ ମଧ୍ୟ ଦାଖଲ କରୁନାହିଁ, ଓଲଟା ଏହାର ଅଧ୍ୟକ୍ଷ ରାୟ ବଦଳାଇବାକୁ ସତ୍ୟପାଠ ଦାଖଲ କରି ଆବେଦନ କରିଛନ୍ତି ବୋଲି ପ୍ରଶାନ୍ତ ଭୂଷଣ କହିବା ସହ ଏସବିଆଇ ବଣ୍ଡ୍ ସଂପର୍କିତ ତଥ୍ୟ ଦେବାକୁ ଅଧିକ ତିନି ମାସ ସାମୟ ମାଗି ଦାଖଲ କରିଥିବା ଆବେଦନପତ୍ରକୁ ସୁପ୍ରିମ କୋର୍ଟ ଖାରଜ କରିଥିବାରୁ ତାହାକୁ ସ୍ୱାଗତ କରିଥିଲେ । ସେ ଇଲୋକ୍ଟୋରାଲ ବଣ୍ଡ୍ କୁ ନେଇ ସାମ୍ବିଧାନିକ ପୀଠଙ୍କ ଫେବୃୟାରୀ ୧୫ ତାରିଖ ରାୟକୁ ଅତ୍ୟନ୍ତ ବଳିଷ୍ଠ ଓ ଐତିହାସିକ ବୋଲି ପ୍ରଶଂସା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଇଲୋକ୍ଟୋରାଲ ବଣ୍ଡ୍ ମାମଲାରେ ସୁୁପ୍ରିମ କୋର୍ଟର ପାଂଚ ଜଣିଆ ସାମ୍ବିଧାନିକ ବେଂଚ ଫେବୃୟାରୀ ୧୫ ତାରିଖରେ ଦେଇଥିବା ରାୟରେ ଏହାକୁ ‘ଅସାମ୍ବିଧାନିକ’ କୁହାଯିବା ବଣ୍ଡ୍ ସ୍କିମ୍ ତୁରନ୍ତ ବନ୍ଦ ପାଇଁ ସରକାରଙ୍କୁ ନିର୍ଦେଶ ଦିଆଯାଇଥିଲା ଏବଂ ବଣ୍ଡ୍ ମାଧ୍ୟମରେ ହୋଇଥିବା ନିର୍ବାଚନ ପାଣ୍ଠି ସଂଗ୍ରହର ବିସ୍ତୃତ ବିବରଣୀ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଦାଖଲ କରିବାକୁ ଏସବିଆଇକୁ ନିର୍ଦେଶ ଦିଆଯିବା ସହ ଇସିଆଇ ମଧ୍ୟ ତାହା ଜନସାଧାରଣଙ୍କ ଉପଲବ୍ଧ ପାଇଁ ନିଜ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରିବାକୁ ନିର୍ଦେଶ ଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS