ନାଏବ ସିଂହ ସାଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ନୂଆଦିଲ୍ଲୀ/୧୨ ମାର୍ଚ୍ଚ
ହରିୟାଣା ବିଜେପି ସଭାପତି ନାଏବ ସିଂହ ସାଇନି ଆଜି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସାଇନିଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ମନୋହର ଲାଲ ଖଟ୍ଟର ଓ ତାଙ୍କ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ । ଖଟ୍ଟର ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବା ପରେ ବିଧାୟକ ଦଳ ବୈଠକ ବସି ସାଇନିଙ୍କୁ ନେତା ନିର୍ବାଚନ କରାଯାଇଥିଲା । ଆସନ୍ତା ଏପ୍ରିଲ/ମେ’ରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଅଛି । ଚଳିତ ବର୍ଷ ଶେଷ ଆଡକୁ ହରିୟାଣା ବିଧାନସଭା ନିର୍ବାଚନ ହେବ । ତାହା ପୂର୍ବରୁ ବିଜେପି ନେତୃତ୍ୱ ହରିୟାଣାରେ ମୁଖ୍ୟମନ୍ତ୍ରୀ ବଦଳାଇଛନ୍ତି । ପୂର୍ବରୁ ଗୁଜରାଟ ଓ ଉତ୍ତରାଖଣ୍ଡରେ ମଧ୍ୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବତ୍ ର୍ତନ କରାଯାଇଥିଲା ଏବଂ ଏହାଦ୍ୱାରା ଦଳକୁ ସଫଳତା ମିଳିଥିଲା । ରାଜ୍ୟରେ ଥିବା ସରକାର-ବିରୋଧୀ ହାୱାକୁ ପ୍ରତିହତ କରିବା ସକାଶେ ବିଜେପି ଏଭଳି ଗୋଟିଚାଳନା କରିଥାଏ ବୋଲି ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ବଦଳିବା ପରେ ରାଜନୈତିକ ସମାଲୋଚକମାନେ କହିଛନ୍ତି । ଆଗାମୀ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ସଶକ୍ତ କରିବା ନିମନ୍ତେ ସର୍ବୋଚ୍ଚ ନେତୃତ୍ୱରେ ପରିବର୍ତ୍ତନ କରିବାକୁ ପଡିବ ବୋଲି ହରିୟାଣା ବିଜେପି ବିଧାୟକମାନଙ୍କ ସୂଚିତ କରାଯାଇଥିଲା । ନୂତନ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ହେଉଛନ୍ତି ଜଣେ ଓବିସି ନେତା ଏବଂ ହରିୟାଣାର କୁରୁକ୍ଷେତ୍ର ଲୋକସଭା ଆସନରୁ ସେ ସାଂସଦ ଅଛନ୍ତି । ଆଜି ଅପରାହ୍ନରେ ହୋଇଥିବା ହରିୟାଣା ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁ ମୁଣ୍ଡା ଓ ବିଜେପି ଜାତୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ହରିୟାଣାରେ ୧୦ଟି ଲୋକସଭା ଆସନ ରହିଛି । ଖଟ୍ଟରଙ୍କ ଇସ୍ତଫା ପରେ କୁରୁକ୍ଷେତ୍ର ଆସନ ଖାଲି ହୋଇଥିବାରୁ ବିଦାୟୀ ମୁଖ୍ୟମନ୍ତ୍ରୀ ଖଟ୍ଟର ସେହି ଆସନରୁ ଲୋକସଭାକୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଗତ ସପ୍ତାହରେ ହିସାର ସାଂସଦ ବ୍ରିଜେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ରାଜନୈତିକ ବାଧ୍ୟମାଧକତାରୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଥିଲେ । ଗୋଟିଏ ପଟେ ରାଜ୍ୟରେ କଂଗ୍ରେସର ଶକ୍ତି ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ହରିୟାଣାରେ ୨୦୧୯ ନିର୍ବାଚନ ପରେ ହୋଇଥିବା ବିଜେପି-ଜେଜେପି ମେଂଟ ଲୋକସଭା ପାଇଁ ଆସନ ବୁଝାମଣା ଆଲୋଚନା ସଫଳ ନ ହେବାରୁ ଭାଂଗି ଯାଇଛି । ରାଜ୍ୟର ୧୦ଟି ଲୋକସଭା ଆସନରୁ ଜେଜେପି ଦୁଇଟି ଆସନ ମାଗୁଥିବା ବେଳେ ବିଜେପି ଗୋଟିଏ ଦେବାକୁ ରାଜି ଥିଲା । ତେବେ, ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌତାଲା ସେଥିରେ ରାଜି ନ ହେବାରୁ ଦୁଇ ଦଳର ମେଂଟ ଭାଂଗିଛି । ୨୦୧୯ ହରିୟାଣା ବିଧାନସଭା ନିର୍ବାଚନ ପରେ ବିଜେପି-ଜେଜେପି ମେଂଟ ହୋଇଥିଲା ଏବଂ ଜେଜେପି ମୁଖ୍ୟ ଚୌତାଲା ମନୋହାର ଲାଲ ଖଟ୍ଟର ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିଲେ । ସେ ଜଣେ ଜାଟ୍ ଓ କୃଷକ ନେତା ହୋଇଥିବାରୁ ବିଜେପି ତାଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ବିଦା କରି ଜାଟ୍ ଓ କୃଷକମାନଙ୍କ ରୋଷର ସମ୍ମୁଖୀନ ହେବାକୁ ଚାହୁଁ ନଥିଲା । ତେଣୁ, ଆଜି ଖଟ୍ଟର ସରକାରଙ୍କୁ ସମୂଳେ ଇସ୍ତଫା ଦେବାକୁ କହି ସରକାର ବଦଳାଇ ଦେଇଛି ଏବଂ କୁରୁକ୍ଷେତ୍ର ସାଂସଦ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରି ହରିୟାଣା ବିଜେପିରେ ନୂତନ ରକ୍ତ ସଂଚାର କରିବାକୁ ଚାହିଁଛି । ବିଜେପି ୨୦୧୯ରେ ରାଜ୍ୟର ୧୦ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଥିଲା । ସାଇନିଙ୍କ ନେତୃତ୍ୱରେ ୨୦୨୪ରେ ମଧ୍ୟ ସେହି ଫଳାଫଳ ଦୋହରାଇବା ଆଶା ରଖିଛି । ୨୦୧୯ ଲୋକସଭା ନିର୍ବାଚନରେ ଜେଜେପି (ଜନନାୟକ ଜନତା ପାର୍ଟି) ରାଜ୍ୟର ଗୋଟିଏ ହେଲେ ଲୋକସଭା ଆସନ ଜିତ ନଥିଲା । ତେବେ, ବିଜେପି ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା । ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଅଛନ୍ତି । ୫ ଜଣ ସ୍ୱାଧୀନ ବିଧାୟକ ଓ ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କାଣ୍ଡା ସରକାରଙ୍କୁ ସମର୍ଥନ ଦେଉଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS