ସୁପ୍ରିମ କୋର୍ଟ ରାୟରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ବାର୍ ଅଧ୍ୟକ୍ଷଙ୍କ ଚିଠି
ପ୍ରସାଦ ରାଓ
ନୂଆଦିଲ୍ଲୀ/୧୩ ମାର୍ଚ୍ଚ
ସୁପ୍ରିମ କୋର୍ଟଙ୍କ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଧମକ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)କର୍ତ୍ତୃପକ୍ଷ ‘ନିର୍ବାଚନ ବଣ୍ଡ୍’ ସଂପର୍କିତ ସବିଶେଷ ତଥ୍ୟ ଗତକାଲି ଭାରତୀୟ ନିର୍ବାଚନ ଆୟୁକ୍ତି (ଇସିଆଇ)ଙ୍କ ନିକଟରେ ଦାଖଲ କରିଛନ୍ତି । ଆଜି ସତ୍ୟପାଠ ମାଧ୍ୟମରେ ଏସବିଆଇ ତାହା ସୁପ୍ରିମ କୋର୍ଟଙ୍କୁ ଜଣାଇଛି । ଦୁଇଟି ପିଡିଏଫ୍ ଫାଇଲରେ ସମସ୍ତ ତଥ୍ୟ ସଂକଳିତ କରାଯାଇ ଗୋଟିଏ ପେନ୍ ଡ୍ରାଇଭରେ ଇସିଆଇକୁ ଦିଆଯାଇଛି । ତଥ୍ୟ ସମ୍ବଳିତ ଫାଇଲ୍ ମଧ୍ୟ ପାସୱାଡ୍ ଦ୍ୱାରା ସୁରକ୍ଷିତ ବୋଲି ବ୍ୟାଙ୍କ ପକ୍ଷରୁ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠରେ କୁହାଯାଇଛି ।
ଏସବିଆଇ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡିଛି, ୨୦୧୯ ଏପ୍ରିଲରୁ ୨୦୨୪ ଫେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ସୁପ୍ରିମ କୋର୍ଟ ନିର୍ବାଚନ ବଣ୍ଡ୍ କୁ ‘ଅସିଦ୍ଧ’ ଘୋଷଣା କରିବା ପର୍ଯ୍ୟନ୍ତ ବ୍ୟାଙ୍କ ପକ୍ଷରୁ ମୋଟ ୨୨,୨୧୭ଟି ବଣ୍ଡ୍ ବିକ୍ରି ହୋଇଛି । ସେଥିରୁ ରାଜନୈତିକ ଦଳମାନେ ୨୨,୦୩୦ଟି ବଣ୍ଡ୍ ଭଂଗାଇ ସାରିଥିବା ବେଳେ ୧୮୭ଟି ବଣ୍ଡ୍ ଭଂଗା ଯାଇଥିଲେ ମଧ୍ୟ ସେହି ଟଙ୍କା ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଂଠିରେ ଜମା କରାଯାଇଥିବା ଏସବିଆଇ କହିଛି । ସୁପ୍ରିମ କୋର୍ଟ ଦ୍ୱାରା ଫେବୃୟାରୀ ୧୫ ତାରିଖ ଅସିଦ୍ଧ ଘୋଷିତ ହୋଇଥିବା ‘ନିର୍ବାଚନ ବଣ୍ଡ୍’ ସ୍କିମ୍’ରେ ଥିବା ବ୍ୟବସ୍ଥା ମୁତାବକ, ରାଜନୈତିକ ଦଳମାନଙ୍କୁ ଅର୍ଥଦାନ କରୁଥିବା ଦାତାମାନେ ନିଜ ଇଚ୍ଛା ମୁତାବକ ମୂଲ୍ୟର ବଣ୍ଡ୍ କିଣି ସଂପୃକ୍ତ ରାଜନୈତିକ ଦଳକୁ ଦାନ କରି ପାରିବେ । ତେବେ, ଦାନସୂତ୍ରରେ ଯେଉଁ ଦଳ ବା ବ୍ୟକ୍ତି ବିଶେଷ ବଣ୍ଡ୍ ପାଇଛନ୍ତି ସେମାନେ ୧୫ ଦିନ ମଧ୍ୟରେ ତାହା ଭଂଗାଇବାକୁ ପଡିବ । ନଚେତ, ବ୍ୟାଙ୍କ୍ ରିଡିମ୍ ହୋଇନଥିବା ବଣ୍ଡ୍ ବାବଦ ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରେ ଜମା କରିଥାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶରେ ନିର୍ବାଚନ ପାଣ୍ଠି ସଂଗ୍ରହକୁ ସ୍ୱଚ୍ଛ କରିବା ପାଇଁ ୨୦୧୭ରେ ‘ନିର୍ବାଚନ ବଣ୍ଡ୍’ ସ୍କିମ୍ ଆରମ୍ଭ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) କେବଳ ଏହି ବଣ୍ଡ୍ ବିକ୍ରି ପାଇଁ ସତ୍ତ୍ୱାଧିକାର ପାଇଥିଲା । ବିଭିନ୍ନ ସଂସ୍ଥା ବା ବ୍ୟକ୍ତିବିଶେଷ ନିର୍ବାଚନ ବଣ୍ଡ୍ କିଣି ନିଜ ଇଚ୍ଛା ଅନୁସାରେ ରାଜନୈତିକ ଦଳ ବା ବ୍ୟକ୍ତିବିଶେଷଙ୍କୁ ତାହା ଦାନ କରୁଥିଲେ । ଏହାଦ୍ୱାରା ନିର୍ବାଚନ ପାଣ୍ଠି ମିଳିବାରେ ପାରଦର୍ଶିତା ରହିବ ବୋଲି ସରକାର ଦାବି କରୁଥିଲେ ମଧ୍ୟ କେଉଁ ରାଜନୈତିକ ଦଳକୁ କିଏ କେତେ ଟଙ୍କା ଦାନ କରିବାକୁ ବଣ୍ଡ୍ କିଣିଛି ତାହା ଗୋପନୀୟ ରଖିବାକୁ ଏସବିଆଇକୁ ସରକାରଙ୍କ ନିର୍ଦେଶ ଥିବାରୁ ବ୍ୟାଙ୍କ ତାହାର ନିତ୍ୟ ନିୟମିତ ବ୍ୟବସ୍ଥା ବାହାରେ ନିର୍ବାଚନ ବଣ୍ଡ୍ ସ୍କିମ୍ ର ପରିଚାଳନା କରୁଥିଲେ । ସରକାରଙ୍କ ଏହି ଗୋପନୀୟତା କ୍ଲଜ୍ କୁ ନେଇ କିଏ କେତେ ଟଙ୍କାର ନିର୍ବାଚନ ବଣ୍ଡ କିଣି କାହାକୁ ଦେଇଛନ୍ତି ସେଥିରେ ପରଦର୍ଶିତା ରହୁନଥିଲା । ତେଣୁ, ଆସୋସିଏସନ୍ ଫର୍ ଡ଼େମୋକ୍ରେଟିକ୍ ରିଫର୍ମ୍ସ (ଏଡିଆର) ସମେତ ଅନ୍ୟ କେତେ ପକ୍ଷ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଏହି ସ୍କିମ୍ ରଦ୍ଦ କରାଯିବାକୁ ଆବେଦନ କରିଥିଲେ ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ବେଂଚ୍ ମାମଲାର ଶୁଣାଣୀ କରି ଫେବୃୟାରୀ ୧୫ ତାରିଖ ଦିନ ସର୍ବସମ୍ମତ ରାୟ ଦେଇଥିଲେ । ଅଦାଲତ ସରକାରଙ୍କ ‘ନିର୍ବାଚନ ବଣ୍ଡ୍’ ସ୍କିମ୍ କୁ ‘ଅସାମ୍ବିଧାନିକ’ ଘୋଷଣା କରିବା ସହ ସେଥିରେ ଥିବା ବ୍ୟବସ୍ଥା ସାଧାରଣ ଜନତାଙ୍କ ତଥ୍ୟ ଜାଣିବା ଅଧିକାରର ଉଲଂଘନ କରୁଛି ବୋଲି କୋର୍ଟ ରାୟ କହିଥିଲେ । ନିର୍ବାଚନ ବଣ୍ଡ୍ ବିକ୍ରି ଉପରେ ମଧ୍ୟ ସୁପ୍ରିମ କୋର୍ଟ ତୁରନ୍ତ ରୋକ୍ ଲଗାଇବା ଏକ ଐତିହାସିକ ଘଟଣା ବୋଲି ଆବେଦନକାରୀ କହିବା ସହ ତାହାକୁ ସ୍ୱାଗତ କରିଥିଲେ । ସୁପ୍ରିମ କୋର୍ଟଙ୍କ ଫେବୃୟାରୀ ୧୫ ତାରିଖ ରାୟ ସରକାରଙ୍କ ଦ୍ୱାରା ୨୦୧୭ରୁ ପ୍ରଚଳିତ ‘ନିର୍ବାଚନ ବଣ୍ଡ୍’ ସ୍କିମ୍ କୁ ଅସିଦ୍ଧ କରି ତାହାର ବିକ୍ରି ଉପରେ ରୋକ୍ ଲଗାଇବାରେ ସୀମିତ ନଥିଲା । ଏହି ସ୍କିମ୍ କାର୍ଯ୍ୟକାରୀ କରୁଥିବା ଏସବିଆଇକୁ ମଧ୍ୟ ସ୍କିମ୍ ଆରମ୍ଭରୁ କୋର୍ଟ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ କେତେ ନିର୍ବାଚନ ବଣ୍ଡ୍ ବିକ୍ରି ହୋଇଛି, ତାହା କେଉଁମାନେ କିଣିଛନ୍ତି ଏବଂ କେଉଁ ରାଜନୈତିକ ଦଳ ବା ବ୍ୟକ୍ତବିଶେଷଙ୍କୁ ଦେଇଛନ୍ତି ତାହାର ବିସ୍ତୃତ ବିବରଣୀ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ନିର୍ଦେଶ ଥିଲା ।
ଏସବିଆଇରୁ ସବିଶେଷ ତଥ୍ୟ ମିଳିବା ପରେ ନିର୍ବାଚନ କମିଶନ ତାହାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ କହିଥିଲେ । ତେବେ, ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ୍ ରାୟ ଦେବାର ୨୬ ଦିନ ପରେ ମଧ୍ୟ ଏସବିଆଇ ତାହାର ପରିପାଳନ ନ କରିବାରୁ ଏବଂ ସମସ୍ତ ତଥ୍ୟକୁ ସଂକଳିତ ଓ ପୁନଃ ଯାଂଚ କରି ସିଇସିରେ ଦାଖଲ କରିବାକୁ ତିନି ମାସ ସମୟ ଦିଆଯାଉ ବୋଲି ସୁପ୍ରିମ କୋର୍ଟରେ ଆବେଦନ କରି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିବାରୁ କୋର୍ଟ କ୍ଷୁବ୍ଧ ହୋଇଥିଲେ । ଆସଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଓ ବ୍ୟାଙ୍କ ମିଳିତ ଭାବେ ଏହି ତଥ୍ୟ ଗୋପନ ରଖିବାର ଫନ୍ଦି କରୁଛନ୍ତି ବୋଲି ଆବେଦନକାରୀମାନେ ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଇତିମଧ୍ୟରେ ଏସବିଆଇର ଜଣେ ବରିଷ୍ଠ ଅଧିକାରୀ ସୁପ୍ରିମ କୋର୍ଟ ଫେବୃୟାରୀ ୧୫ ତାରିଖରେ ଦେଇଥିବା ରାୟର ପରିବତ୍ ର୍ତନ କରାଯିବା ସକାଶେ କୋର୍ଟରେ ଆବେଦନ କରି ସତ୍ୟପାଠ ଦାଖଲ କରିବା ସର୍ବାଚ୍ଚ ନ୍ୟାୟାଳୟକୁ ଅଧିକ କ୍ଷୁବ୍ଧ କରିଥିଲା ।
ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ୍ ଏସବିଆଇର ଆବେଦନ ଉପରେ ମାର୍ଚ୍ଚ ୧୧ ତାରିଖ ଦିନ ଶୁଣାଣୀ କରି ତଥ୍ୟ ସବୁ ସଂଯୋଗ କରି ଦାଖଲ କରିବାରେ ବ୍ୟାଙ୍କର ଟାଳଟୁଳ ନୀତି ପାଇଁ ବର୍ଷି ଥିଲେ । କୋର୍ଟ ରାୟର ୨୬ ଦିନ ବିତି ଥିଲେ ମଧ୍ୟ କଣ କରୁଥିଲ ବୋଲି କୋର୍ଟ ଏସବିଆଇକୁ ପ୍ରଶ୍ନ କରିବା ସହ ୨୪ ଘଂଟା ମଧ୍ୟରେ ଇସିଆଇ ନିକଟରେ ସବିଶେଷ ତଥ୍ୟ ଦାଖଲ ନ କଲେ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କରିବାକୁ ଚେତାବନୀ ଦେଇଥିଲେ । ଇସିଆଇ ମଧ୍ୟ ବ୍ୟାଙ୍କୁ ସବିଶେଷ ତଥ୍ୟ ପାଇବା ପରେ ଶୁକ୍ରବାର (୧୫ ତାରିଖ) ସୁଦ୍ଧା ତାହାର ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରିବାକୁ ସର୍ବାଚ୍ଚ ନ୍ୟାୟାଳୟର ନିର୍ଦେଶ ଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଅଦାଲତ ଅବମାନନା ଚେତାବନୀ ଦେବା ପରେ ଏସବିଆଇ ୨୪ ଘଂଟା, ଅର୍ଥାତ ମାର୍ଚ୍ଚ ୧୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ ବଣ୍ଡ ବିକ୍ରି ସଂପର୍କିତ ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାକଲ କରିଛି ଏବଂ ଏକ ସତ୍ୟପାଠ ମାଧ୍ୟମରେ ଆଜି ତାହା ସୁପ୍ରିମ କୋର୍ଟଙ୍କୁ ଜଣାଇଛି । ତେବେ, ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଏସବିଆଇରୁ ମିଳିଥିବା ତଥ୍ୟ ୧୫ ତାରିଖ ସୁଦ୍ଧା ନିଜ ୱେବ୍ ସାଇଟରେ ଅପ୍ ଲୋଡ୍ କରିବାକୁ ଥିବା ବେଳେ ସୁପ୍ରିମ କୋର୍ଟ ବାର୍ ଆସୋସିଏସନ୍ (ଏସସିବିଏ) ମୁଖ୍ୟ ଅଦିଶ ଚନ୍ଦ୍ର ଅଗ୍ରୱାଲ ସୁପ୍ରିମ କୋର୍ଟଙ୍କ ଫେବୃୟାରୀ ୧୫ ଓ ମାର୍ଚ୍ଚ ୧୧ ତାରିଖ ରାୟକୁ ରାଷ୍ଟ୍ରପତି ସଂଜ୍ଞାନକୁ ନେଇ ତାହାର ବିଚାର କରିବାକୁ ଆବେଦନ କରିବା ସଂପୃକ୍ତ ପକ୍ଷମାନଙ୍କୁ ଆଚମ୍ବିତ କରିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏସସିବିଏ ମୁଖ୍ୟ ଅଗ୍ରୱାଲ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମଂଗଳବାର ଦିନ ଲେଖିଥିବା ଚିଠିରେ ସୁପ୍ରିମ କୋର୍ଟଙ୍କ ନିର୍ବାଚନ ବଣ୍ଡ୍ ସଂପର୍କିତ ରାୟରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଦେଶରେ ନିର୍ବାଚନ ବଣ୍ଡ୍ ସ୍କିମ୍ କାର୍ଯ୍ୟକାରୀ ହେବା ପରେ କର୍ପୋରେଟ୍ ସଂସ୍ଥାମାନେ ଇଚ୍ଛା ଅନୁସାରେ ରାଜନୈତିକ ଦଳଙ୍କୁ ବଣ୍ଡ୍ ମାଧ୍ୟମରେ ଅର୍ଥଦାନ କରୁଛନ୍ତି । କିଏ କାହାକୁ କେତେ ଟଙ୍କା ଦାନ କରିଛନ୍ତି (ନିର୍ବାଚନ ବଣ୍ଡ୍ ମାଧ୍ୟମରେ) ତାହାର ଗୋପନୀୟତା ରକ୍ଷା କରାଯାଉଥିଲା । ସୁପ୍ରିମ କୋର୍ଟ ରାୟ ଏହି ଗୋପନୀୟତା ରକ୍ଷା ଉଦ୍ଦେଶ୍ୟର ପରିପନ୍ଥୀ ହୋଇଛି । କେଉଁ କର୍ପୋରେଟ୍ ସଂସ୍ଥା କେଉଁ ରାଜନୈତିକ ଦଳ କେତେ ପାଣ୍ଠି ଦେଇଛି – ତାହା ସର୍ବସାଧାରଣରେ ପ୍ରଘଟ ହେଲେ ଅନର୍ଥ ସୃଷ୍ଟି ହେବା ଆଶଙ୍କା ରହିଛି । କେଉଁ ରାଜନୈତିକ ଦଳକୁ କିଏ କେତେ ପାଣ୍ଠି ଦେଇଛନ୍ତି ତାହା ସର୍ବସାଧାରଣ ହେଲେ କର୍ପୋରେଟ୍ ସଂସ୍ଥାମାନେ ହଇରାଣ ହରକତ ହେବେ । ତେଣୁ, ସୁପ୍ରିମ କୋର୍ଟଙ୍କ ମାର୍ଚ୍ଚ ୧୧ ତାରିଖ ରାୟରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବା ଆବଶ୍ୟକ । ଅଗ୍ରୱାଲ ଏସସିବିଏ ଲେଟର ହେଡ୍ ବଦଳରେ ସର୍ବଭାରତୀୟ ଆଇନଜୀବୀ ସଂଘର ଲେଟର ହେଡ୍ ରେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ପଠାଇ ଥିବା କୁହାଯାଉଛି । ଅଗ୍ରୱାଲଙ୍କ ଚିଠି ଉପରେ ରାଷ୍ଟ୍ରପତିଙ୍କ ନିର୍ଣ୍ଣୟ କଣ ହେବ, ତାହା ପଛ କଥା । କିନ୍ତୁ, ସାମୟିକ ଭାବେ ଏହା ଦ୍ୱନ୍ଦ୍ୱ ବଢାଇବ – ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS