ଜ୍ଞାନେଶ କୁମାର, ସୁଖବୀର ସାନ୍ଧୁଙ୍କ ନିଯୁକ୍ତିକୁ ଅଧୀର ରଂଜନଙ୍କ ବରୋଧ
ପ୍ରସାଦ ରାଓ
ନୂଆଦିଲ୍ଲୀ/୧୪ ମାର୍ଚ୍ଚ
ଦେଶରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକ ବସି ଖାଲି ଥିବା ଦୁଇଟି କମିଶନର ପଦବୀରେ ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ଦିଆଯାଇଛି । ତିନି ଜଣିଆ ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଜଣେ ମନ୍ତ୍ରୀ ଓ ଲୋକସଭାର ବିରୋଧୀ ଦଳ ନେତା ସଦସ୍ୟ ରହିଛନ୍ତି । ଆଜିର ନିଯୁକ୍ତିକୁ ନେଇ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଠିକ୍ ନଥିଲା ବୋଲି ବୈଠକ ପରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚୌଧୁରୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସରକାରଙ୍କ ପକ୍ଷ ଭାରି ଥିବାରୁ ତାଙ୍କ ଅସହମତି ପ୍ରଭାବହୀନ ରହିଲା ବୋଲି ଚୌଧୁରୀ କହିବା ସହ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କ ଚୟନ ପାଇଁ ଅନୁସୃତ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଚୌଧୁରୀ କହିଛନ୍ତି, ଖାଲି ଥିବା ଦୁଇଟି ନିର୍ବାଚନ କମିଶନର ପଦବୀ ପାଇଁ କେଉଁ ସବୁ ଅଫିସରଙ୍କ ନାମ ତାଲିକା ପ୍ରସ୍ତୁତ ହୋଇଛି ତାହା ତାଙ୍କୁ ଆଗୁଆ ଦଆଯାଇନଥିଲା । କମିଟି ବୈଠକରେ ଆଲୋଚନା ସମୟରେ ଛଅ ଜଣଙ୍କୁ ସଟଲିଷ୍ଟ କରାଯାିଥିବା କୁହାଯାଇଥିଲା । କିଛି ସମୟ ପରେ ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁଙ୍କୁ ଚୟନ କରାଯାଇଥିବା ଜଣାଇ ଦିଆଗଲା । ତିନି ଜଣିଆ କମିଟିରୁ ଦୁଇ ଜଣ ଏହି ନିଯୁକ୍ତିରେ ସହମତ ଥିବାରୁ ତାଙ୍କ ମତ ମୂଲ୍ୟହୀନ ହୋଇଥିଲା । ଚୌଧୁରୀ କହିଛନ୍ତି, ଏହି ଦୁଇ ପଦବୀ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ସର୍ଚ୍ଚ କମିଟି ୨୧୨ ଜଣଙ୍କ ନାମ ତାଲିକା ପ୍ରସ୍ତୁତ କରିଥିଲେ । ପ୍ରଥମେ ଏହି ୨୧୨ଟି ନାମ ଆଲୋଚନା ଟେବୁଲକୁ ଆସିଥିଲା । ତାହା ପରେ ସେଥିରୁ ଛଅ ଜଣଙ୍କୁ ବଛା ଯାଇ ତାହାର ତାଲିକା କମିଟିକୁ ଦିଆଯାଇଥିଲା । ୨୧୨ ନାମରୁ ଏହି ଛଅ ଜଣଙ୍କୁ ବାଛିବାର ଆଧାର କଣ ଥିଲା ତାହା ଅସ୍ପଷ୍ଟ । ଯେଉଁମାନେ ଚୂଡାନ୍ତ ଛଅ ଜଣିଆ ତାଲିକାରେ ସ୍ଥାନ ପାଇଥିଲେ ସେମାନେ ହେଉଛନ୍ତି – ଉତ୍ପଲ କୁମାର ସିଂହ, ପ୍ରଦୀପ କୁମାର ତ୍ରିପାଠୀ, ଜ୍ଞାନେଶ କୁମାର, ଇନ୍ଦେଭର ପାଣ୍ଡେ, ସୁଖବୀର ସିଂହ ସାନ୍ଧୁ ଓ ସୁଧୀର କୁମାର ଗଂଗାଧର ରାହାତେ । ସମସ୍ତେ ହେଉଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ । ଦୁଇ ନିର୍ବାଚନ କମିଶନର ନିଯୁକ୍ତି ସଂପର୍କିତ ଘୋଷଣାର ଦଶ ମିନିଟ ପୂର୍ବରୁ ଏହି ଛଅ ଜଣଙ୍କ ନାମ ଦିଆଯାଇଥିଲା । ପରେ, ଜ୍ଞାନେଶ ଓ ସୁଖବୀରଙ୍କ ଚୟନ କରାଯାଇଥିବା ଘୋଷଣା ହୋଇଥିଲା । ସେ ଜାଣିଥିଲେ, ସରକାର ଆଇନରେ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି କମିଟିରେ ରହି ପାରିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ଜଣେ କେନ୍ଦ୍ର ମନ୍ତ୍ରୀ ତିନି ଜଣିଆ ନିଯୁକ୍ତ କମିଟିରେ ରହିଲେ ସେମାନଙ୍କ ମତ ହିଁ ସଂଖ୍ୟାଗରିଷ୍ଠ ମତ ହେବା ସ୍ୱାଭାବିକ । କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ବ୍ୟକ୍ତି ନିର୍ବାଚନ କମିଶନର ହେବା ସରକାର ଚାହିଁବେ । ତେଣୁ, ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁଙ୍କ ନାମରେ ମୋହର ମରା ଯାଇଛି । ଏହି ନିଯୁକ୍ତି ଏକପାଖିଆ ବୋଲି ବିରୋଧୀ ଦଳ ନେତା ଚୌଧୁରୀ କହିଛନ୍ତି । ପୂର୍ବତନ ପ୍ରଶାସକ ଜ୍ଞାନେଶ କୁମାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟରତ ଥିବା ସମୟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ହୋଇଥିଲା । ସେଥିରେ ତାଙ୍କ ଯୋଗଦାନ ଥିଲା ବୋଲି ଆଲୋଚନା ହେଉଛି । ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନଗୁଡିକ ପରିଚାଳନା ପାଇଁ ତିନି ଜଣିଆ ନିର୍ବାଚନ କମିଶନ ରହିଛି । କମିଶନରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ରହୁଥିବା ବେଳେ ଦୁଇ ଜଣ କମିଶନର ରହୁଛନ୍ତି । ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ସେମାନେ ପରିଚାଳିତ କରିଥା’ନ୍ତି । ସଂପ୍ରତି ରାଜୀବ କୁମାର ଦେଶର ମୁଖ୍ୟ ନିର୍ବାଚନ କମିଶନର ରହିଛନ୍ତି । ଦୁଇ କମିଶନରଙ୍କ ମଧ୍ୟରୁ ଅନୁପ ଚନ୍ଦ୍ର ପାଣ୍ଡେ ଗତ ଫେବୃୟାରୀ ୧୪ ତାରିଖରେ ଅବସର ନେବା ପରେ ଗୋଟିଏ ପଦ ଖାଲି ରହିଥିଲା । ଅନ୍ୟତମ ନିର୍ବାଚନ କମିଶନର ଅରୁଣ ଗୋଏଲ ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେବା ପରେ ଦ୍ୱିତୀୟ ନିର୍ବାଚନ କମିଶନର ପଦବୀ ଖାଲି ପଡିଥିଲା । ୨୦୨୪ ଏପ୍ରିଲ-ମେ’ରେ ଦେଶରେ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ (ଓଡ଼ିଶା, ଆନ୍ଧ୍ର ପ୍ରଦେଶ ସମେତ) ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ନିର୍ବାଚନ କମିଶନର ପଦରୁ ଅରୁଣ ଗୋଏଲଙ୍କ ଇସ୍ତଫା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଏକାକୀ ସାଧାରଣ ନିର୍ବାଚନ ପରିଚାଳନା କରିବାକୁ ସକ୍ଷମ ।ତେବେ, ଦୁଇଟି ନିର୍ବାଚନ କମିଶନର ପଦ ଖାଲି ଥିବାରୁ ସରକାର ମାର୍ଚ୍ଚ ୧୪/୧୫ ତାରିଖ ମଧ୍ୟରେ ସେହି ସ୍ଥାନ ପୂରଣ କରିବାକୁ ଘୋଷଣା କରି ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଆଇନ ମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ସର୍ଚ୍ଚ କମିଟି ୨୧୨ଟି ନାମ ଉପସ୍ଥାପନ କରଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ଜ୍ଞାନେଶ କୁମାର ଓ ସାନ୍ଧୁଙ୍କ ନାମରେ ମୋହର ମାରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଭାରତ ଭଳି ଏକ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଭଳି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ଆବଶ୍ୟକତା ରହିଛି ବୋଲି ସୁପ୍ର୍ରିମ କୋର୍ଟ ଅନୁଭବ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସାମ୍ବିଧାନିକ ବେଂଚ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନରଙ୍କ ଚୟନକୁ ନେଇ ଏକ ଐତିହାସିକ ରାୟ ଦେଇଥିଲେ । ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ଚୟନ ନିମନ୍ତେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ବା ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କ ସହ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରହିବେ ସୁପ୍ରିମ କୋର୍ଟଙ୍କ ରାୟ ଥିଲା । ଦେଶବ୍ୟାପୀ ଏହାକୁ ସ୍ୱାଗତ କରାଯାଇଥିଲା । ତେବେ, କେନ୍ଦ୍ର ସରକାର ଚାହିଁଲେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟା ପରିଚାଳନା ପାଇଁ ସଂସଦରେ ଆଇନ ଆଣି ପାରିବେ ବୋଲି ସୁପ୍ରିମ କୋର୍ଟ କହିବା ସହ ସେପର୍ଯ୍ୟନ୍ତ କୋର୍ଟ ରାୟ କାର୍ଯ୍ୟକାରୀ ରହିବ ବୋଲି ସ୍ପଷ୍ଟ କରି ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ରାୟ ସରକାରଙ୍କୁ ସୁହାଉ ନଥିବାରୁ ତାହାକୁ ଅଚଳ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ବିଲ୍ ପାରିତ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ଆଣିଥିଲେ । ଯେଉଁଥିରେ କି ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ କମିଶନରଙ୍କ ଚୟନ ଓ ନିଯୁକ୍ତି ପାଇଁ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ବା ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କ ସହ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ ମନ୍ତ୍ରୀଙ୍କୁ ରଖାଯିବା ବ୍ୟବସ୍ଥା ହୋଇଛି । କଂଗ୍ରେସ ସମେତ ସମସ୍ତ ବିରୋଧୀ ରାଜନୈତିକ ଦଳ ଏହି ବିଲ୍ କୁ ସଂସଦର ଉଭୟ ଗୃହରେ ବିରୋଧ କରିଥିଲେ ମଧ୍ୟ ସଂଖ୍ୟାଗରିଷ୍ଠ ମତରେ ତାହା ପାରିତ ହୋଇ ଆଇନରେ ପରିଣତ ହୋଇଛି । ତେଣୁ, ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ଏକପାଖିଆ ନିର୍ବାଚନ କମିଶନର ନିଯୁକ୍ତି ଦେବା ସରକାରଙ୍କ ପାଇଁ ସୁବିଧାଜନକ ହେଲା ବୋଲି ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS