ମନ ବଦଳାଇବେ କି ଓଡ଼ିଶାବାସୀ ?
ପ୍ରସାଦ ରାଓ
ଭୁବନେଶ୍ୱର /୧୫ ମାର୍ଚ୍ଚ
କେନ୍ଦ୍ର ସରକାର ଖାଲି ପଡିଥିବା ଦୁଇଟି ନିର୍ବାଚନ କମିଶନର ପଦବୀକୁ ଗତକାଲି ପୂରଣ କରି ଦୁଇ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ସେହି ପଦବୀରେ ନିଯୁକ୍ତି ଦେବା ପରେ ଦେଶର ତିନି ଜଣିଆ ନିର୍ବାଚନ କମିଶନ ପୂର୍ଣ୍ଣାଂଗ ହେବା ସହ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏହା ଥିବା କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ ପଦକ୍ଷେପ । ତିନି ଜଣିଆ କମିଶନ ମଧ୍ୟ ନିର୍ବାଚନ ତାରିଖ ଘୋଷଣା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା କାଲି ଅପରାହ୍ନ ୩ଟା ସମୟରେ ସେମାନେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ଲୋକସଭା ଓ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହା ସହ ଦେଶବ୍ୟାପୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ । ଆଜି ନିର୍ବାଚନ କମିଶନ ପକ୍ଷରୁ ଏହାର ମୁଖପାତ୍ରଙ୍କ ‘ଏକ୍ସ’ରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୧୬ ତାରିଖରେ ଶେଷ ହେଉଥିବାରୁ ନିର୍ବାଚନ କମିଶନ ତାହା ପୂର୍ବରୁ ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ । ନିର୍ବାଚନ ତାରିଖ ଘୋଷଣା ସହ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବା ନିଶ୍ଚିତ ଥିବାରୁ ସରକାର ଓ ବିରୋଧୀ ରାଜନୈତିକ ଦଳମାନେ ଭୋଟରଙ୍କୁ ପ୍ରଲୁବ୍ଧ କରିବା ପାଇଁ ସେମାନଙ୍କ ଲୋଭନୀୟ ପ୍ରତିଶ୍ରୁତି ଘୋଷଣାରେ ତତ୍ପର ହୋଇସାରିଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସମତେ ତାହାର ଏନଡିଏ ମେଂଟ ସଦସ୍ୟମାନେ ‘ମୋଦୀ ଗ୍ୟାରେଂଟି’କୁ ନେଇ ନିର୍ବାଚନ ମଇଦାନକୁ ଯାଉଥିବା ବେଳେ ବିରୋଧୀ ମେଂଟରେ ଥିବା ଦଳମାନେ ଏକକ ନିର୍ବାଚନ ଇସ୍ତାହାର ଘୋଷଣା କରିନଥିଲେ ମଧ୍ୟ ଅଲଗା ଅଲଗା ସେମାନଙ୍କ ଦଳର ଇସ୍ତାହାର ଜନସାଧାରଣଙ୍କ ସମ୍ମୁଖରେ ରଖୁଛନ୍ତି । ଶାସକ ଦଳମାନେ ଉଦ୍ଘାଟନ, ଶିଳାନ୍ୟାସରେ ମାତିଥିବା ବେଳେ କ୍ଷମତା ଦଖଲ କରିବାକୁ ଚାହୁଁଥିବା ଦଳମାନେ ସବୁ ଶ୍ରେଣୀର ଭୋଟରଙ୍କୁ ପ୍ରଲୁବ୍ଧ କଲା ଭଳି ଘୋଷଣାମାନ କରୁଥିବା ଦେଖିବାକୁ ମିଳୁଛି । ଚାଷୀ ଓ ମହିଳା ସେମାନଙ୍କ ନିର୍ବାଚନ ଇସ୍ତାହାରର ପ୍ରମୁଖ ସ୍ଥାନରେ ରହିଛନ୍ତି ।
ଓଡ଼ିଶାରେ ବିଜେଡ଼ି ସରକାର ବହୁ ଆଗରୁ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି । ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ ଚାଲିଛି । ବିଜେଡ଼ିର ନିର୍ବାଚନ ମେସିନ୍ ଭୋଟରଙ୍କୁ ପ୍ରଭାବିତ କରିବା ଦିଗରେ ରାତି ଦିନ ଏକାଠି କରିଛି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିର ଏକାମାତ୍ର ଆଶ୍ରା ‘ମୋଦୀ ଗ୍ୟାରେଂଟି’ ହୋଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ ପ୍ରଚାରକୁ ପ୍ରତିହତ କରିବା ପାଇଁ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କ ନଅଟି ଗ୍ୟାରଂଟିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରି ଭୋଟରଙ୍କୁ ପ୍ରଲୁବ୍ଧ କରିବା ଉଦ୍ୟମରେ ରହିଛି । ଜାତୀୟସ୍ତରରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଣା ସରିଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଅଜୟ କୁମାର ମଧ୍ୟାହ୍ନରେ ଭୁବନେଶ୍ୱର ‘କଂଗ୍ରେସ ଭବନ’ରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କ ସମ୍ମୁଖରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଉପସ୍ଥାପନ କରିଛନ୍ତି । ଓଡ଼ିଶାବାସୀ ଆସନ୍ତା ନିର୍ବାଚନରେ ଯଦି ରାଜ୍ୟରେ କଂଗ୍ରେସ ଏବଂ ଜାତୀୟସ୍ତରରେ ମିଳିତ ବିରୋଧୀ ମେଂଟକୁ ଆଶୀର୍ବାଦ କରନ୍ତି ତେବେ ରାହୁଲ ଗାନ୍ଧୀଙ୍କ ନଅଟି ଗ୍ୟାରେଂଟି ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
କଂଗ୍ରେସର ନଅଟି ଗ୍ୟାରେଂଟିରେ ଚାଷୀ, ମହିଳା, ଭିନ୍ନକ୍ଷମ, ବେକାର ଯୁବକ, ଯୁବତୀଙ୍କ ପାଇଁ ଲୋଭନୀୟ ପ୍ରତିଶ୍ରୁତିମାନ ରହିଛି । ରାଜ୍ୟରେ ଯଦି କଂଗ୍ରେସ ସରକାର କରିବ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇ ଦିଆଯିବ, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଂଟି ଦିଆଯିବ, ବୋନସ ସେମାନଙ୍କୁ ଧାନ ବାବଦରେ ଏମଏସପି କୁଇଂଟାଲ ପିଛା ୦୩ ହଜାର ଟଙ୍କା ହେବ, କୃଷି ଋଣ ଛାଡ ସହ ଚାଷୀଙ୍କୁ ମାସିକ ୦୨ ହଜାର ଟଙ୍କା ପେନସନ ଦିଆଯିବ ବୋଲି କଂଗ୍ରେସ ଘୋଷଣା କରିଛି । ସେହିଭଳି, କଂଗ୍ରେସ ଦଳ କ୍ଷମତାକୁ ଆସିଲେ ପାଂଚ ଲକ୍ଷ ବେକାର ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ଗ୍ୟାରେଂଟି ଦେଇଛି । ସମସ୍ତ ବେକାରଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ମାସିକ ୦୩ ହଜାର ଟଙ୍କା ଲେଖାଏଁ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ୦୨ ହଜାର ଟଙ୍କା ଭତ୍ତା, ପ୍ରତି ପରିବାରକୁ ମାସିକ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଣ, ସମସ୍ତଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା, ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୦୨ ହଜାର ଟଙ୍କା ଳେଖାଏଁ ଭତ୍ତା, ଜାତି ଭିତ୍ତିକ ସାମାଜିକ ଓ ଆର୍ଥନୈତିକ ସର୍ଭେ ଆରମ୍ଭ କରାଯିବା ଏବଂ ଅନୁସୂଚିତ ଜାତି/ ଜନଜାତି ପରିବାରଙ୍କୁ ମାସିକ ୩୫ କିଲୋ ଚାଉଳ, ଏକ କେଜି ଡାଲି, ଏକ ଲିଟର ତେଲ, ଏକ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବା ଘୋଷଣା ହୋଇଛି ।
ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରକାଶିତ ନିର୍ବାଚନ ଇସ୍ତାହାରରେ ସବୁଠାରୁ ବଡ ଗ୍ୟାରଂଟି ରହିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ଶାସନରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିରେ କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯିବ । ୬୦ ଲକ୍ଷ ପରିବାର ଚିଟ୍ ଫଣ୍ଡ୍ ଦୁର୍ନୀତିରେ ସର୍ବସ୍ୱାନ୍ତ ହୋଇଛନ୍ତି । କଂଗ୍ରେସ ଦଳ ସେମାନଙ୍କୁ ଏହି ଗ୍ୟାରେଂଟି ଦେଉଛି ବୋଲି ଓଡ଼ିଶା ପାଇଁ ନିଯୁକ୍ତ ଏଆଇସିସି ପ୍ରଭାରୀ ଅଜୟ କୁମାର ଆଜି ଗଣମାଧ୍ୟମରେ ଘୋଷଣା କରିଛନ୍ତି । ନବୀନ ସରକାରଙ୍କ ଯେଉଁ ମନ୍ତ୍ରୀ, ବିଧାୟକ, ଅଧିକାରୀ ଏତିରେ ସଂପୃକ୍ତ ସେମାନଙ୍କ ସଂପତ୍ତି ଜବତ କରାଯାଇ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବ ବୋଲି ସେ କହିଛନ୍ତି । କଂଗ୍ରେସକୁ ଏସମସ୍ତ ପ୍ରତିଶ୍ରୁତି ପାଳନ ପାଇଁ ପ୍ରାୟ ୪୮ ହଜାର କୋଟି ଟଙ୍କାର ଆବଶ୍ୟକତା ପଡିବ । ବର୍ତ୍ତମାନର ସରକାରୀ ଦଳର ମାମଲତକାରମାନେ ଦୈନିକ କୋଟି କୋଟି ଟଙ୍କା ବାଟମାରଣାରେ ମାତିଛନ୍ତି । ତେଣୁ, କଂଗ୍ରେସ ଦଳକୁ ତାହାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଅର୍ଥର ଅଭାବ ରହିବ ନାହିଁ ବୋଲି ଅଜୟ କୁମାର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ସବୁ ଶାଖାର ନେତା ଯୋଗ ଦେଇଥିଲେ ଏବଂ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏହି ଇସ୍ତାହାର କଂଗ୍ରେସ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।
ଏବେ ଆସିବା ଓଡ଼ିଶା ରାଜନୀତିକୁ । ଆଜିର ରାଜନୈତିକ ପରିସ୍ଥିତିକୁ ନେଇ ଓଡ଼ିଶାବାସୀ କିଭଳି ଦ୍ୱନ୍ଦ୍ୱରେ ଅଛନ୍ତି – ତାହା ଆଲୋଚନା କରିବାକୁ । ୨୦୦୦ ମସିହାରୁ ଓଡ଼ିଶାରେ ବିଜେଡ଼ି ସରକାର ରହିଛି । ୨୦୦୯ ପର୍ଯ୍ୟନ୍ତ ବିଜେପି ଏଥିରେ ଭାଗୁଆଳୀ ଥିଲା । ୨୦୦୯ରେ ଦୁଇ ଦଳ ମଧ୍ୟରେ ସଂପର୍କ ତୁଟିବା ପରେ ପରସ୍ପର ପ୍ରତି ରକ୍ତମୁଖା ରହିଛନ୍ତି । ନବୀନଙ୍କ ଶାସନରେ ଓଡ଼ିଶାରେ କଂଗ୍ରେସ ନିଷ୍ପ୍ରଭ ହେବା ଆରମ୍ଭ ହୋଇଥିଲା । ୨୦୧୯ ନିର୍ବାଚନରେ ଦଳ ବିଜେପି ପଛକୁ ଖସି ଯାଇ ତିନି ନମ୍ବର ସ୍ଥାନରେ ରହିଛି । ତେବେ, ସମଗ୍ର ରାଜ୍ୟରେ କଂଗ୍ରେସର ନିଜସ୍ୱ ସଂଗଠନ ରହିଛି । ନିର୍ବାଚନରେ ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ହୋଇଥାଏ । ଓଡ଼ିଶାରେ କଂଗ୍ରେସ କାହିଁକି ନିଷ୍ପ୍ରଭ ହୋଇ ପଡିଛି, ତାହାର କାରଣ କାହାରିକୁ ଅଛପା ନାହିଁ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ପ୍ରତିଷ୍ଠା ହେବା ପରେ ଜାତୀୟସ୍ତରରେ ଯେମିତି କଂଗ୍ରେସ ଗୌଣ ହୋଇଯାଇଛି । ଓଡ଼ିଶାରେ ମଧ୍ୟ କଂଗ୍ରେସ ଦଳ ଦିଗହରା ହୋଇ ଗତ ୨୪ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ନଜରରୁ ଦୂରେଇ ଯାଇଛି । ୨୦୧୯ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆଉ ଉଧେଇ ପାରୁନି ।
ଓଡ଼ିଶାରେ ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଜେପି । ୨୦୨୪ ନିର୍ବାଚନରେ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜ୍ୟବାସୀ ଆଶା କରୁଥିଲେ । କେନ୍ଦ୍ରରେ ମୋଦୀ ସରକାରଙ୍କ ଲୋକପ୍ରିୟତା ଚରମରେ ଥିବାରୁ ବିଜେପି ଏଥର ବିଜେଡ଼ିକୁ ମାତ୍ ଦେଇ ଓଡ଼ିଶାରେ କ୍ଷମତାକୁ ଆସିବ ବୋଲି ଆଶା ରଖି ସଂଗଠନକୁ ସୁଦୃଢ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇସ୍ ବାର୍ ମୋଦୀ ସରକାର୍, ୪୦୦ ପାର୍’ ସ୍ଲୋଗାନ ରାଜ୍ୟ ବିଜେପିକୁ ବାଟବଣା କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ନେତାମାନେ ୨୦୨୪ ନିର୍ବାଚନରେ ୪୦୦ରୁ ଅଧିକ ଲୋକସଭା ଆସନରେ ବିଜୟୀ ହୋଇ ତୃତୀୟ ଥର କ୍ଷମତାକୁ ଆସିବା ସହ ରେକର୍ଡ ସୃଷ୍ଟି କରିବାକୁ ଯେଉଁ ଅଭିଳାଷ ରଖିଛନ୍ତି ତାହା ଅଧିକରୁ ଅଧିକ ଅଣ-ବିଜେପି ରାଜନୈତିକ ଦଳ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ)ରେ ସାମିଲ ହେଲେ ହିଁ ସମ୍ଭବ ହେବ । ଗତ ୨୪ ବର୍ଷ ହେଲା କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ କରାଇବାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ି ଦଳକୁ ବିଜେପି ଆନୁଷ୍ଠାନିକ ଭାବେ ଏଥର ଏନଡିଏରେ ସାମିଲ କରିବା ରଣନୀତିରେ ରହିଛି ।
ଓଡ଼ିଶାର ବିଜେପି ନେତା ଓ କର୍ମୀମାନେ ବିଜେଡ଼ି ସହ ମେଂଟ ସକ୍ଷରେ ନାହାନ୍ତି । କାରଣ, ସେମାନେ କ୍ଷମତାକୁ ଆସିବା ଦୀର୍ଘ ବର୍ଷ ହେଲା ଲଢେଇରେ ଅଛନ୍ତି । ତେବେ, ବିଜେପିର କେନ୍ଦ୍ରୀୟ ନେତାଙ୍କ ଚାପରେ ମେଂଟ ଆଲୋଚନା ଚାଲିଛି ଏବଂ ବାରମ୍ବାର କିଛି ନା କିଛି କାରଣରୁ ଆଲୋଚନା ଆଗକୁ ଯାଉନି । ବିଜେଡ଼ି ରାଜ୍ୟର ଲୋକପ୍ରିୟ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ କମିନି । ୨୪ ବର୍ଷ ହେଲା ନବୀନ ମୁଖ୍ୟମନ୍ତ୍ରୀ ଥାଇ ରାଜ୍ୟରେ ସରକାର-ବିରୋଧୀ ହାୱା ନଥିବା ବେଳେ ବିଜେଡ଼ି କିପ୍ରକାର ଚାପରେ ରହି ବିଜେପି ସହ ମେଂଟ କରିବାକୁ ଧାଉଁଛି, ତାହା ରାଜ୍ୟବାସୀ ବୁଝିପାରୁ ନାହାନ୍ତି । ରାଜ୍ୟ ବିଜେପି ନେତାମାନେ ମେଂଟ ନେଇ ଚାଲିଥିବା ଆଲୋଚନାକୁ ଅସ୍ୱୀକାର କରୁଛନ୍ତି, ଆଲୋଚନା ଅଗାକୁ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ତଥାପି, ବିଜେଡ଼ି ବିଜେପିର କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପକାଇ ମେଂଟ ଆଲୋଚନା ଆଗେଇ ନେବାକୁ ଉଦ୍ୟମ କରୁଛି । ଏହି ମେଂଟ ଆଲୋଚନାକୁ ଉଭୟ ବିଜେଡ଼ି ଓ ବିଜେପି (ରାଜ୍ୟ) ନେତାମାନେ ବିତସ୍ପୃହ ଥିଲେ ମଧ୍ୟ ଦଳର ସୁପ୍ରିମୋଙ୍କ ସାମ୍ନାରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି । ବିଜେଡ଼ି ନେତାମାନେ ଏଇଥି ପାଇଁ ବିତସ୍ପୃହ ଯେ, ବିଜେପି ସହ ମେଂଟ ହେଲେ ଅଧିକ ସଂଖ୍ୟକ ଲୋକସଭା ଆସନ ବିଜେପିକୁ ଛାଡିବାକୁ ପଡିବ । କିଛି ବିଧାନସଭା ଆସନ ମଧ୍ୟ ବିଜେପି ନେଇଯିବ । ସେହିଭଳି, ରାଜ୍ୟ ବିଜେପି ନେତା ଓ କର୍ମୀମାନେ ମେଂଟକୁ ନେଇ ବିତସ୍ପୃହ ହେବା କାରଣ ହେଉଛି, ଯେଉଁ ଦଳ ବିରୋଧରେ ପ୍ରଚାର କରି ସେମାନେ ରାଜ୍ୟରେ ନିଜ ସ୍ଥିତି ସୁଦୃଢ କରିଛନ୍ତି ଆସନ୍ତା ନିର୍ବାଚନରେ ସେହି ଦଳ ସପକ୍ଷରେ କେମିତି ପ୍ରଚାର କରିବେ ଓ ଭୋଟ ଟ୍ରାନ୍ସଫର୍ କରିବେ ?
ଏଭଳି ଏକ ଦ୍ୱନ୍ଦ୍ୱରେ ରାଜ୍ୟରେ ବିଜେଡ଼ି ଓ ବିଜେପି ରହିଥିବା ବେଳେ ରାଜ୍ୟର ମତଦାତା ମଧ୍ୟ ଦ୍ୱନ୍ଦ୍ୱରେ ପଡିଛନ୍ତି । ଏହାର କାରଣ ମଧ୍ୟ ସ୍ପଷ୍ଟ । ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ରହିଛି । ୨୦୧୪ ପରରୁ ବିଜେପି ଓଡ଼ିଶାରେ ତାହାର ସଂଗଠନକୁ ସୁଦୃଢ କରିବାରେ ମୋଦୀ ଭକ୍ତଙ୍କ ବିଶେଷ ଅବଦାନ ରହିଛି । ସେହି ଭକ୍ତମାନେ ଚାହାଁନ୍ତି ନାହିଁ ଓଡ଼ିଶାରେ ବିଜେଡ଼ି-ବିଜେପି ମେଂଟ ହେଉ । ସେହିଭଳି, ୨୪ ବର୍ଷ ଶାସନ ପରେ ମଧ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ମଳିଚିଆ ପଡି ନଥିବାରୁ ବିଜେଡ଼ି ସମର୍ଥକମାନେ ଭାବୁଛନ୍ତି – ନବୀନ ଘରେ ଶୋଇଲେ ବି ବିଜେଡ଼ିକୁ ଭୋଟ ମିଳିବ, ମୋଦୀ ଓ ବିଜେପି ପଛରେ ସେ ଧାଉଁଛନ୍ତି କାହିଁକି ? ନବୀନଙ୍କ ମେଂଟ ନିଷ୍ପତ୍ତି ପଛରେ ଅନ୍ୟ କାହାର କିଛି ଅଭିସନ୍ଧି ରହିଥିବା ସେମାନେ ସନ୍ଦେହ କରୁଛନ୍ତି । ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ କଂଗ୍ରେସକୁ ଉତ୍ସାହିତ କରିଛି । ବିଜେଡ଼ି-ବିଜେପି ମେଂଟ ଆଜି ନୂଆ ନୁହେଁ, ମୋଦୀ କ୍ଷମତାକୁ ଆସବା ଦିନରୁ ଭାବ-ପ୍ରିତି ଲାଗି ରହିଛି ବୋଲି କଂଗ୍ରେସ ପକ୍ଷରୁ ଧାରଣା ସୃଷ୍ଟି କରାଯାଉଛି । ଉଭୟ ବିଜେଡ଼ି ଓ ବିଜେପି ଓଡ଼ିଶା ପାଇଁ କ୍ଷତିକାରକ, ରାଜ୍ୟରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଯେଉଁ ଧାରଣା ସୃଷ୍ଟି ହେଲାଣି ସେଥିରେ ବୋନସ୍ ହୋଇଛି ରାହୁଲଙ୍କ ଗ୍ୟାରେଂଟି କାର୍ଡ । ଓଡ଼ିଶାବାସୀ ଏହାକୁ କେତେଦୂର ଗ୍ରହଣ କରିବେ ଭିନ୍ନ କଥା । ତେବେ, ରାଜ୍ୟର ଅତି ସାଧାରଣ ବର୍ଗର ଭୋଟରସ୍ତରରେ ଯେଉଁ କଥୋପକଥନ ଶୁଣିବାକୁ ମିଳୁଛି ତାହା ବିଜେଡ଼ି-ବିଜେପି ମେଂଟ ଆଲୋଚନାକୁ ନେଇ ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ ହେଉଥିବା ଭଳି ମନେ ହେଉଛି । ଯଦି ବିଜେପି ସହ ବିଜେଡ଼ିର ମେଂଟ ଉଦ୍ୟମ ସଫଳ ହୁଏ ତେବେ ଓଡ଼ିଶା ଭୋଟର ତାହାକୁ ଗ୍ରହଣ କରି ନେବେ ନା କଂଗ୍ରେସ ଆଡକୁ ମନ ବଳାଇବେ – ଆଜି ଦିନରେ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଭାବେ ଉଭା ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS