ଗୋପନ ରଖିଥିବା ତଥ୍ୟ ମଧ୍ୟ ହସ୍ତାନ୍ତର କର, ଏସବିଆଇକୁ ସିଜେଆଇଙ୍କ ନିର୍ଦେଶ
ପ୍ରସାଦ ରାଓ
ନୂଆଦିଲ୍ଲୀ/୧୮ ମାର୍ଚ୍ଚ
ନିର୍ବାଚନ ବଣ୍ଡ୍ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଇସିଆଇକୁ ହସ୍ତାନ୍ତର କରାଯିବା ନେଇ ଏସବିଆଇ (ଭାରତୀୟ ଷ୍ଟେଟ୍ ବ୍ୟାଙ୍କ)ର ଲୁଚକାଳି ଖେଳ ଖେଳୁ ଥିବାରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଆଜି କ୍ଷୁବ୍ଧ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ବେଂଚ୍ ଗତ ଫେବୃୟାରୀ ୧୫ ଓ ମାର୍ଚ୍ଚ ୧୧ ତାରିଖ ରାୟରେ ଦେଇଥିବା ରାୟରେ ଏସବିଆଇ ତାହା ନିକଟରେ ଥିବା ନିର୍ବାଚନ ବଣ୍ଡ୍ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ)କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ । ତେବେ, ଏସବିଆଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଉହ୍ୟ ରଖି ଇସିଆଇକୁ ତଥ୍ୟ ହସ୍ତାନ୍ତର କରିଥିବା ଶୁକ୍ରବାର ଦିନ ସୁପ୍ରିମ କୋର୍ଟଙ୍କ ଜ୍ଞାତସାରକୁ ଆସିବା ପରେ ଆଜି ପୁଣିଥରେ ମାମଲାରେ ହସ୍ତକ୍ଷେପ କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ସଂପୂର୍ଣ୍ଣ ତଥ୍ୟର ଅର୍ଥ ହେଉଛି ‘ସଂପୂର୍ଣ୍ଣ’ ତଥ୍ୟ । ଯଦି କିଛି ରହି ଯାଇଛି ତାହା ମଧ୍ୟ ଇସିଆଇକୁ ହସ୍ତାନ୍ତର କରାଯିବା ଆବଶ୍ୟକ ।
ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ୍ ମାର୍ଚ୍ଚ ୧୧ ତାରିଖ ଦିନ ଏସବିଆଇକୁ ସଂପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ନିର୍ଦେଶ ଦେବା ସହ ତାହା କାର୍ଯ୍ୟକାରୀ ନହେଲେ ଏସବିଆଇ ବିରୋଧରେ ‘କୋର୍ଟ ଅବମାନନା’ କାର୍ଯ୍ୟାନୁଷ୍ଠାନ କରିବାକୁ ଚେତାବନୀ ଦେଇଥିଲେ । ଏହାପରେ ଏସବିଆଇ କୋର୍ଟ ଦେଇଥିବା ଚବିଶି ଘଂଟା ସମୟ ସୀମା ମଧ୍ୟରେ ଇସିଆଇ ନିକଟରେ ନିର୍ବାଚନ ବଣ୍ଡ୍ ସଂପର୍କିତ ତଥ୍ୟ ଏକ ପେନ୍ ଡ୍ରାଇଭରେ ଦାଖଲ କରିଥିଲା । ତେବେ, ବ୍ୟାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉହ୍ୟ ରଖି ନିର୍ବାଚନ କମିଶନଙ୍କୁ ବଣ୍ଡ୍ ସଂପର୍କିତ ତଥ୍ୟ ଦେଇଥିବା ନିର୍ବାଚନ କମିଶନ ସୁପ୍ରିମ କୋର୍ଟଙ୍କୁ ଅବଗତ କରିବା ପରେ ସାମ୍ବିଧାନିକ ବେଂଚ ଆଜି ପୁଣି ଥରେ ମାମଲାର ଶୁଣାଣୀ କରିଥିଲେ ।
ନିର୍ବାଚନ ବଣ୍ଡ୍ ସଂପର୍କିତ କିଛି ତଥ୍ୟ ଯଦି ଉହ୍ୟ ରଖା ଯାଇଛି ତାହା ତୁରନ୍ତ ଇସିଆଇଙ୍କୁ ହସ୍ତାନ୍ତର କରିବାକୁ ଏବଂ ଇସିଆଇ ମଧ୍ୟ ତାହାକୁ ସର୍ବସାଧାରଣଙ୍କ ପାଇଁ ନିଜ ୱେବ୍ ସାଇଟରେ ଅପ୍ ଲୋଡ୍ କରିବାକୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆଜି କହିଛନ୍ତି । ସଂପୂର୍ଣ୍ଣ ତଥ୍ୟ ଇସିଆଇକୁ ହସ୍ତାନ୍ତର କରାଯାଇଛି, କୌଣସି ତଥ୍ୟ ଉହ୍ୟ ରଖାଯାଇ ନାହିଁ ବୋଲି ଏସବିଆଇ ଅଧ୍ୟକ୍ଷ ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ଆଜି ସାମ୍ବିଧାନିକ ବେଂଚ୍ ତାଙ୍କୁ ନିର୍ଦେଶ ଦେଇଛନ୍ତି । ମାର୍ଚ୍ଚ ୧୧ ତାରିଖରେ ସୁପ୍ରିମ କୋର୍ଟଙ୍କ ଚେତାବନୀ ପରେ ଏସବିଆଇ ନିର୍ବାଚନ ବଣ୍ଡ୍ ସଂପର୍କିତ ବିସ୍ତୃତ ତଥ୍ୟ ଇସିଆଇକୁ ଦେଇଥିଲେ ମଧ୍ୟ ଯେଉଁ ସବୁ ନିର୍ବାଚନ ବଣ୍ଡ୍ ରିଡିମ୍ ହୋଇସାରିଛି (ହିତାଧିକାରୀ ଭଂଗାଇଛନ୍ତି) ସେସବୁର ଆଲଫାନ୍ୟୁମରିକ ନମ୍ବର ଓ ସିରିଏଲ୍ ନମ୍ବର ଦେଇ ନାହାନ୍ତି । ଏହି ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସୁପ୍ରିମ କୋର୍ଟ କ୍ଷୁବ୍ଧ ହୋଇଛନ୍ତି ।
ଏସବିଆଇରୁ ଏହି ତଥ୍ୟ ମିଳିବା ସଂଗେ ସଂଗେ ଇସିଆଇ ତାହାକୁ ନିଜ ୱେବ୍ ସାଇଟରେ ଅପ୍ ଲୋଡ୍ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏସବିଆଇ ନିକଟରୁ ତଥ୍ୟ ମିଳିବା ପରେ ସେଥିରେ ନିର୍ବାଚନ ବଣ୍ଡ୍ ରେ ଅଦୃଶ୍ୟ ଆକାରରେ ରହିଥିବା ଆଲଫାନ୍ୟୁମରିକ ନମ୍ବର ଓ ସିରିଏଲ୍ ନମ୍ବର ସଂପର୍କିତ ତଥ୍ୟ ନଥିବା ଇସିଆଇ ଶୁକ୍ରବାର ଦିନ ସୁପ୍ରିମ କୋର୍ଟଙ୍କୁ ଜଣାଇ ଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦଚୂଡ ବିରକ୍ତି ପ୍ରକାଶ କରି ଆଜି ମାମଲାର ଶୁଣାଣୀ କରିବୋ ବୋଲି ଧାର୍ଯ୍ୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ରାଜନୈତିକ ଦଳ ପାଇଥିବା ନିର୍ବାଚନ ବଣ୍ଡ୍ ବ୍ୟାଙ୍କରୁ ଭଂଗାଇ ନେବା ପରେ ସେଥିରେ ଅଦଶ୍ୟ ଅବସ୍ଥାରେ ଥିବା ଆଲଫାନ୍ୟୁମରିକ ନମ୍ବର ଓ ସିରିଏଲ୍ ନମ୍ବର ମେଳ କଲେ ହିଁ କେଉଁ କର୍ପୋରେଟ୍ ସଂସ୍ଥା ନିର୍ଦ୍ଧିଷ୍ଟ ଭାବେ କେଉଁ ରାଜନୈତିକ ଦଳକୁ କେତେ ନିର୍ବାଚନ ପାଣ୍ଠି ଦେଇଛନ୍ତି ଜଣାପଡିବ ।
ଏସବିଆଇ ରିଡିମ୍ ହୋଇଥିବା ବଣ୍ଡ୍ ସବୁର ଆଲଫାନ୍ୟୁମରିକ ନମ୍ବର ଓ ସିରିଏଲ୍ ନମ୍ବର ଉହ୍ୟ ରଖି ଇସିଆଇକୁ ତଥ୍ୟ ପ୍ରଦାନ କରିବାରୁ ନିଦ୍ଧିଷ୍ଟ ଭାବେ କେଉଁ କପୋରେଟ୍ ସଂସ୍ଥା କାହାକୁ କେତେ ନିର୍ବାଚନ ପାଣ୍ଠି ଦେଇଛନ୍ତି ତାହା ଜାଣିବା ମୁସ୍କିଲ୍ । ଅବଶ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୮ରେ ଦେଶରେ ନିର୍ବାଚନ ବଣ୍ଡ୍ ସ୍କିମ ପ୍ରଚଳନ କରିବା ସମୟରେ କିଏ କାହାକୁ କେତେ ନିର୍ବାଚନ ପାଣ୍ଠି ଦେଉଛନ୍ତି ତାହା ଗୋପନ ରଖିବାକୁ ଏସବିଆଇକୁ ନିର୍ଦେଶ ଦେଇଥିଲେ । ଏସବିଆଇ ମଧ୍ୟ ନିର୍ବାଚନ ବଣ୍ଡ୍ ସବୁର ଅଦୃଶ୍ୟ ଆଲଫାନ୍ୟୁମରିକ ନମ୍ବର ଓ ସିରିଏଲ୍ ନମ୍ବର ରଖି ସରକାରଙ୍କ ଆଦେଶ ପାଳନ କରିଥିଲେ । କେବେଳ କେନ୍ଦ୍ର ସରକାର ଓ ଏସବିଆଇ ହିଁ ଦାତା ଓ ଦାନ ପାଇଥିବା ରାଜନୈତିକ ଦଳଙ୍କ ତଥ୍ୟ ପାଇବା ବ୍ୟବସ୍ଥା ଥିଲା ।
ନିର୍ବାଚନ ପାଂଠିର ଦାତା ଓ ଦାନ ଗ୍ରହୀତାଙ୍କ ସଂପର୍କରେ ଏଭଳି ତଥ୍ୟ ଗୋପନ ରଖାଯିବା ସ୍କିମ୍ ର ପାରଦର୍ଶିତା ରହୁନି ଏବଂ ସାଧାରଣ ଜନତା ଅନ୍ଧାରରେ ରହୁଛନ୍ତି ଦର୍ଶାଇ ଏଡ଼ିଆର (ଆସୋସିଏସନ୍ ଫର୍ ଡ଼େମୋକ୍ରେଟକ୍ ରିର୍ଫ୍ମ୍ସ) ସମତେ ଅନ୍ୟ କେତେକ ଭିନ୍ନ ଭିନ୍ନ ପିଟିସନ୍ ମାଧ୍ୟମରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସ୍କିମ୍ ରଦ୍ଦ କରାଯିବାକୁ ର୍ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ପାଂଚ ଜଣିଆ ସାମ୍ବିଧାନିକ ବେଂଚ୍ ସମସ୍ତ ଆବେଦନର ଶୁଣାଣୀ କରି ଗତ ଫେବୃୟାରୀ ୧୫ ତାରିଖରେ ନିର୍ବାଚନ ବଣ୍ଡ୍ ସ୍କିମ୍ ‘ଅଣସାମ୍ବିଧାନିକ’ ବୋଲି ଘୋଷଣା କରିବା ସହ ତାହାକୁ ରଦ୍ଦ କରିଥିଲେ । ରାୟ ପ୍ରକାଶ ତାରିଖ ସୁଦ୍ଧା ଏହି ସ୍କିମ୍ ମାଧ୍ୟମରେ ଯେତେ ସବୁ ବଣ୍ଡ୍ ବିକ୍ରି ହୋଇଛି ଓ ରାଜନୈତିକ ଦଳଙ୍କ ଦ୍ୱାରା ଭଂଗା ଯାଇଛି ସେସବୁର ସଂପୂର୍ଣ୍ଣ ତଥ୍ୟ ଇସିଆଇ (ଭାରତୀୟ ନିର୍ବାଚନ ଆୟୁକ୍ତ)ଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ ଏସବିଆଇକୁ ନିର୍ଦେଶ ଦେଇଥିଲେ ।
ପ୍ରତ୍ୟେକ ଭାରତୀୟ ତଥ୍ୟ ଜାଣିବାର ଅଧିକାର ରଖି ଥିବାରୁ ଏସବିଆଇରୁ ଯାହା ତଥ୍ୟ ଆସୁଛି ତାହା ଇସିଆଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନିଜ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ବେଂଚଙ୍କ ନିର୍ଦେଶ ଥିଲା । ତେବେ, ଏସବିଆଇ ଗିଛି ଗୁରୁପତ୍ୱପୂର୍ଣ୍ଣ ତଥ୍ୟ ଚପାଇ ରଖି ଇସିଆଇକୁ ତଥ୍ୟ ପ୍ରଦାନ କରିଥିବା ଜଣାପଡିବା ପରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସାମ୍ବିଧାନିକ ବେଂଚ ଆଜି ତାହାର ଶୁଣାଣୀ କରି ଏସବିଆଇକୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଏସବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଜି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ସଲିଓିଟର ଜେନେରାଲ ମେହେଟ୍ଟା ଶୁଣାଣୀ ବେଳେ ନିର୍ବାଚନ ବଣ୍ଡ୍ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ଐତିହାସିକ ବୋଲି କହିଥିଲେ ମଧ୍ୟ ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଯେଭଳି ଆଲୋଚନା, ସମାଲୋଚନା ଚାଲିଛି ତାହା କେନ୍ଦ୍ର ସରକାର, ଏସବିଆଇ ଓ କୋର୍ଟଙ୍କ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଅଭିଯୋଗ କରିବା ସହ ପ୍ରଧାନ ବିଚାରପତି ଏହାକୁ ବିଚାରକୁ ନେଇ କିଛି ନିର୍ଦେଶ ଦେବାକୁ ନିବେଦନ କରିଥିଲେ ।
ତେବେ, ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଲେ, ‘ସୁପ୍ରିମ କୋର୍ଟ ଆଇନ ଓ ସମ୍ବିଧାନ ଦ୍ୱାରା ପରିଚାଳିତ । ବିଚାରପତି ଭାବେ ଆମେ ସାମାଜିକ ଗଣମାଧ୍ୟମରେ ଆଲୋଚିତ, ସମାଲୋଚିତ ହେଉଛୁ ସିନା ଏକ ଅନୁଷ୍ଠାନ ଭାବେ ଆମେ ସାମାଜିକ ଗଣମାଧ୍ୟମର ସମାଲୋଚନାକୁ ବିଶାଳ ହୃଦୟ ଦେଖାଇ ଗ୍ରହଣ କରୁଛୁ । ନିର୍ବାଚନ ବଣ୍ଡ୍ ପ୍ରସଙ୍ଗକୁ ନେଇ ଯେଭଳି ମିଡ଼ିଆ କ୍ୟାଂପେନ ଚାଲିଛି ସେଥିପ୍ରତି ମଧ୍ୟ ଏସଜି ମେହହେଟ୍ଟା ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାହାର ଉତ୍ତରରେ ପ୍ରଧାନ ବିଚାରପତି କହିଲେ – ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ କୋର୍ଟ ରାୟକୁ ନେଇ ହେଉଥିବା ସମାଲୋଚନା ସଂପର୍କରେ ତାଙ୍କୁ ପ୍ରଶ୍ନ ହୋଇଥିଲା । ‘ଜଣେ ବିଚାରପତି ଭାବେ ଆମେ ଆମ ରାୟକୁ ସୁରକ୍ଷା ଦେଇ ପାରିବୁ ନାହିଁ । କାରଣ, ଥରେ ଗୋଟିଏ ରାୟ ପ୍ରକାଶ ପାଇବା ପରେ ତାହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇଗଲା’ ବୋଲି ସେ ଉତ୍ତର ଦେଇଥିବା ପ୍ରଧାନ ବିଚାରପତି କହିଥିଲେ ।
ସୁପ୍ରିମ କୋର୍ଟରୁ ନିର୍ବାଚନ ବଣ୍ଡ୍ ମାମଲା ସଂପର୍କିତ ରାୟ ଆସିବା ପରେ ମିଡ଼ିଆ ଏସବିଆଇ ପଛରେ ପଡିଛି । ପିଟିସନକାରୀ ଏସବିଆଇକୁ ମଜା ଚଖାଇବେ ବୋଲି କହୁଛନ୍ତି । ଅଦାଲତ ସେମାନଙ୍କ ବିରୋଧରେ କୋର୍ଟ ଅବମାନନା କାର୍ଯ୍ୟାନୁଷ୍ଠାନ କରୁ ବୋଲି ଏସବିଆଇ ଓକିଲ ହରିଶ ସାଲଭେ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏସବିଆଇ ଇସିଆଇକୁ ନିର୍ବାଚନ ବଣ୍ଡ୍ ସଂପର୍କିତ ସମସ୍ତ ତଥ୍ୟ ଦେଇ ସାରିଛି, କୌଣସି ତଥ୍ୟ ଗୋପନ ରଖିଛି ବୋଲି ସେ ଯୁୁକ୍ତି ବାଢିଥିଲେ । ସାଲଭେ କହିଲେ, ଭୋଟରମାନେ ଏହି ତଥ୍ୟ ଜାଣିବା ଭିନ୍ନ କଥା । କିନ୍ତୁ, ଏାକୁ ନେଇ ଆନେକ ଜନସ୍ୱାର୍ଥ ମାମଲା କରି ବିଭିନ୍ନ ପ୍ରକାର ତଥ୍ୟ ମାଗିବା ଆଶଙ୍କା ରହିଛି । କୋର୍ଟ ଦେଇଥିବା ରାୟର ଉଦ୍ଦେଶ୍ୟ ବୋଧହୁଏ ଏହା ନଥିବ । ତେବେ, କିଛି ଲୋକ ନିଜର ଭିତିରି ଉଦ୍ଦେଶ୍ୟ ସାଧନ ପାଇଁ ଏହି ରାୟକୁ ବ୍ୟବହାର କରିପାରନ୍ତି ବୋଲି ସାଲଭେ ଆଶଙ୍କା ବ୍ୟକ୍ତ କରିଥିଲେ ।
ତେବେ, ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏସବିଆଇର ଏଭଳି ରୁକ୍ଷତାକୁ ନେଇ ପ୍ରତିକ୍ରିୟା ରଖିବା ସହ ଏସିବିଆଇର ଅଡିଆଳ ପଣକୁ ସମାଲୋଚନା କରିଥିଲେ । ‘ତୁମେ କୁହ ଆମେ କଣ ତଥ୍ୟ ଜଣାଇବୁ, ଆମେ ତାହା ଜଣାଇବୁ’ ଏସବିଆଇର ଏଭଳି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ ବୋଲି ପ୍ରଧାନ ବିଚାରପତି କହିଥିଲେ । ‘ଆମେ ଯେତେବେଳେ ଇସିଆଇକୁ ସଂପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିବା କଥା କହୁଛି ତାହା ହେଉଛି ଏସବିଆଇରେ ନିର୍ବାଚନ ବଣ୍ଡ୍ ସଂପର୍କରେ ଥିବା ସଂପୂର୍ଣ୍ଣ ତଥ୍ୟ । ବ୍ୟାଙ୍କରେ ଥିବା ସମସ୍ତ ଗ୍ରହଣଯୋଗ୍ୟ ତଥ୍ୟ ଇସିଆଇକୁ ହସ୍ତାନ୍ତର କରାଯିବା ଆବଶ୍ୟକ’ ବୋଲି ଆଜି ପ୍ରଧାନ ବିଚାରପତି କହିଛନ୍ତି ଏବଂ ଏସବିଆଇ ସଂପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିଛି ବୋଲି ଏହାର ଅଧ୍ୟକ୍ଷ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS