ନବୀନଙ୍କୁ ଝୁଲାଇ ରଖିଛନ୍ତି ମୋଦୀ, ନଡ୍ଡା !
ପ୍ରସାଦ ରାଓ
ଭୁବନେଶ୍ୱର/୧୯ ମାର୍ଚ୍ଚ
ଏକଥା ସତ ଯେ ଓଡ଼ିଶାରେ ମେ’ ୧୩ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏଥିସକାଶେ ଏପ୍ରିଲ ୧୮ରୁ ବିଭିନ୍ନ ପର୍ଯ୍ୟାୟରେ ବିଜ୍ଞପ୍ତି ଜାରି, ନାମାଂକନପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଂଚ, ପ୍ରତ୍ୟାହାର ଏବଂ ଚୂଡାନ୍ତ ତାଲିକା ପ୍ରକାଶନ ଭଳି ସମସ୍ତ ପ୍ରକ୍ରିୟା ସଂପନ୍ନ ହେବ । ବିଭିନ୍ନ ପର୍ଯ୍ୟାୟରେ କେତୋଟି ଲେଖାଏଁ ଲୋକସଭା ଓ ବିଧାନସଭା ଆସନରେ ମତଦାନ ହେବ – ତାହା ମଧ୍ୟ ନିର୍ବାଚନ କମିଶନ ଘୋଷଣା କରି ସାରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ ହିଁ ଦେଶବ୍ୟାପୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି ଏବଂ ୧୮ତମ ସାଧାରଣ ନିର୍ବାଚନର ବିଗୁଲ ବାଜି ଯାଇଛି ।
ଓଡ଼ିଶାରେ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ମାର୍ଚ୍ଚ ୧୩, ୨୦, ୨୫ ଓ ଜୁନ ୧ ତାରିଖରେ ଭୋଟ ହେବ । କେଉଁ ଲୋକସଭା ଓ ବିଧାନସଭା ଆସନ ପାଇଁ କେତେ ତାରିଖ ଦିନ ମତଦାନ ହେବ – ତାହା ମଧ୍ୟ ନିର୍ବାଚନ କମିଶନ ଘୋଷଣା କରି ସାରିଛନ୍ତି । ଏବେ ଆସିଛି ରାଜନୈତିକ ଦଳଙ୍କ ପାଳି । କେଉଁ ଦଳରୁ କିଏ କେଉଁ ଲୋକସଭା ବା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ତାହା ରାଜନୈତିକ ଦଳମାନେ ନିର୍ଣ୍ଣୟ କରି ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀ ନାମାଂକନ ଦାଖଲ ପ୍ରକ୍ରିୟାରେ ସାମିଲ ହେବେ । ଏବଂ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଆଗକୁ ନେଇ ବିଜୟ ପାଇଁ ପ୍ରୟାସ କରିବେ । ଏହା ହେଉଛି ନିର୍ବାଚନରେ ନିର୍ବାଚନ କମିଶନ ଓ ରାଜନୈତିକ ଦଳମାନଙ୍କ ଚିରାଚରିତ ଭୂମିକା ।
ଦେଶରେ ସାଧାରଣ ନିର୍ବାଚନ ମତଦାନ ପ୍ରକ୍ରିୟା ଜୁନ ୧ ତାରିଖରେ ସରିବା ପରେ ନିର୍ବାଚନ କମିଶନ ଜୁନ ୪ ତାରିଖ ଦିନ ଭୋଟ ଗଣତି କରାଇ (ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଓ ଫଳାଫଳ ଜୁନ ୨ ତାରିଖରେ ପ୍ରକାଶ ପାଇଯିବ) ଫଳାଫଳ ପ୍ରକାଶ କରିବେ । ନିର୍ବାଚନ କମିଶନଙ୍କ ଆଡୁ ୧୮ତମ ଲୋକସଭା ଏବଂ ଓଡ଼ିଶା, ଆନ୍ଧ୍ର, ସିକିମ୍ ଓ ଅରୁଣାଚଳ ପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ମତଦାନ ତାରିଖ ଘୋଷଣା ଓ କାର୍ଯ୍ୟସୂଚୀ ଘୋଷଣା ହୋଇଯିବା ପରେ ସବୁ ରାଜ୍ୟରେ ଶାସକ ଓ ବିରୋଧୀ ରାଜନୈତିକ ଦଳମାନଙ୍କ ଆଡୁ ଆସନ ବୁଝାମଣା ଓ ପ୍ରାର୍ଥୀଙ୍କ ନାମ ଘୋଷଣା ଭଳି ପର୍ବ ଆରମ୍ଭ ହୋଇସାରିଥିବା ବେଳେ ଓଡ଼ିଶାରେ ଆଜି ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।
କାରଣ, ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ି (ବିଜୁ ଜନତା ଦଳ) ଓ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି (ଭାରତୀୟ ଜନତା ପାର୍ଟି) ଏଥର ଏକାଠି ନିର୍ବାଚନ ଲଢିବେ କି ୨୦୦୯ ସାଧାରଣ ନିର୍ବାଚନରୁ ଯେଭଳି ଭିନ୍ନ ଭିନ୍ନ ଭାବେ ଲଢି ଆସୁଛନ୍ତି ୨୦୧୪ରେ ମଧ୍ୟ ସେଭଳି ଲଢିବେ, ତାହା ଆଜି ସୁଦ୍ଧା ଅସ୍ପଷ୍ଟ । ୨୦୦୦ ମସିହାରୁ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡ଼ି) ୨୦୨୪ରେ ମଧ୍ୟ ଏକାକୀ ଲଢିବ ଏବଂ ବିଜେପି ଓ କଂଗ୍ରେସକୁ ପରାଜିତ କରି ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବ ବୋଲି ରାଜ୍ୟବାସୀ ଭାବୁ ଥିଲେ । କିନ୍ତୁ, ଗଲା ଏକ ମାସରୁ ଅଧିକ ସମୟ ହେଲା ପରିସ୍ଥିତି ବଦଳିଛି । ବିଜେଡ଼ି-ବିଜେପି ମେଂଟରେ ନିର୍ବାଚନ ଲଢିବେ ଏବଂ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ରହିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଜେଡ଼ିକୁ ଝୁଲାଇ ରଖିବା କାରଣରୁ ରାଜ୍ୟରେ ରାଜନୈତିକ ବାତାବରଣରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ରାଜ୍ୟବାସୀ ମଧ୍ୟ ଝୁଲନ୍ତା ଅବସ୍ଥାରେ ରହିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଶାସକ ବିଜେଡ଼ି ତାହାର ରାଜନୈତିକ ଶତୃ (ଓଡ଼ିଶାରେ) ବିଜେପି ସହ ମେଂଟ କରି ନିର୍ବାଚନ ମଇଦାନକୁ ଉତୁରିବ – ଏକଥା କାନକୁ ଠିକ୍ ଲାଗୁ ନଥିଲେ ମଧ୍ୟ ଦୁଇ ଦଳର ସର୍ବୋଚ୍ଚ ନେତୃସ୍ତରରେ ସେଦିଗରେ ପ୍ରୟାସ ଜାରି ଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)କୁ ଅଧିକ ବ୍ୟାପକ ଓ ଶକ୍ତିଶାଳୀ କରିବାକୁ ଓଡ଼ିଶାର ଶାସକ ବିଜେଡ଼ିକୁ ସାଥୀରେ ନେବାକୁ ବ୍ୟଗ୍ର ବୋଲି କିଛି କହୁଥିବା ବେଳେ ଆଉ କିଛି କହୁଛନ୍ତି – ଗଲା ୨୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀଙ୍କ ତଦନ୍ତ ପରିସରରେ ରହି ଥିବାରୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ, ସମଦୂରତା ନୀତିକୁ ଜଳାଂଜଳି ଦେଇ ଏନଡିଏ ସହ ସାମିଲ ହୋଇଯିବାକୁ ବ୍ୟଗ୍ରତା ଦେଖାଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବା ଆଗରୁ ବିଜେଡ଼ି-ବିଜେପି ମେଂଟ ଆଲୋଚନା ଆରମ୍ଭ ହୋଇସାରିଥିଲା । ମୋଦୀଙ୍କ ଗସ୍ତ ପରେ ତାହା ତ୍ୱରାନ୍ୱିତ ହୋଇ ନୂଆଦିଲ୍ଲୀ ଏବଂ ଓଡ଼ିଶାର ରାଜନୈତିକ ବାତାବରଣକୁ ସରଗରମ କରିଥିଲା । କିଛି ଦିନ ହେଲା ସେଥିରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ରାଜ୍ୟରେ ବିଜେପି ନେତାମାନେ ବିଜେଡ଼ି ସହ ମେଂଟ ହେବା ଚାହୁଁ ନାହାନ୍ତି । ବାରମ୍ବାର ସେମାନେ ଗଣମାଧ୍ୟମରେ ଏକଥା କହି ବିଜେଡ଼ିକୁ ଅପଦସ୍ତ କରୁଛନ୍ତି । ତଥାପି, ବିଜେଡ଼ି ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଜାରି ରହିଛି । ଓଡ଼ିଶାରେ ବିଜେଡ଼ି ସହ ମେଂଟ ନକରି ମଧ୍ୟ ବିଜେପି ନିର୍ବାଚନରେ ଭଲ ଫଳାଫଳ କରି ପାରିବ ବୋଲି ରାଜ୍ୟ ବିଜେପି ନେତୃତ୍ୱର ଇସାରା ସତ୍ତ୍ୱେ ଦଳର କେନ୍ଦ୍ରୀୟ ନେତୃତ୍ୱ ବିଜେଡ଼ିକୁ କୋଳାଇବାକୁ ଉଦ୍ୟମ ଜାରି ରଖିବା ପଛରେ ଲୋକସଭାରେ ଗଣତି ବଢାଇବା ଏକମାତ୍ର ଲକ୍ଷ୍ୟ ବୋଲି କୁହାଯାଉଛି ।
ତେବେ, କେଉଠି ନା କେଉଁଠି ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ରାଜନୈତିକ ସ୍ୱାର୍ଥରକ୍ଷାର ଲଢେଇ ମେଂଟ ଘୋଷଣାକୁ ବିଳମ୍ବିତ କରିଛି । ମେଂଟ ହେବ କି ନାହିଁ – ସେହି ଅନିଶ୍ଚିତତା ଭିତରେ ଉଭୟ ଦଳର ନେତା ଓ କର୍ମୀମାନେ ରହିଛନ୍ତ । ଯଦି ମେଂଟ ହୁଏ – କଣ ରଣନୀତି ହେବ ଏବଂ ମେଂଟ ନହେଲେ କଣ ରଣନୀତି ହେବ – ସେ ନେଇ ଦୁଇ ଦଳର ଶୀର୍ଷ ନେତୃତ୍ୱ ଏବେ ଆକଳନ କରିବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ବିଜେପି ଏକାକୀ ଲଢିବ କହି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟରେ ସବୁ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଉପସ୍ଥାପନ କରି ଅନୁମୋଦନ ଅପେକ୍ଷାରେ ଥିବା ବେଳେ ବିଜେଡ଼ି ଶୀର୍ଷ ନେତୃତ୍ୱ ମଧ୍ୟ ଏକାକୀ ଲଢିବା ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ତଥାପି, ମେଂଟ ହେବା ଆଶାରେ ବିଜେଡ଼ି ବିଜେପିର ଶୀର୍ଷ ନେତୃତ୍ୱର ଇସାରାକୁ ଅପେକ୍ଷା କରିଥିବା ଅନୁଭବ କରି ହେଉଛି ।
ମୋଦୀ ସରକାରଙ୍କ ଗଲା ଦଶ ବର୍ଷର ଶାସନରେ ବିଜେଡ଼ି ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସମର୍ଥନ କରି ଏନଡିଏରେ ନଥିଲେ ମଧ୍ୟ ଏନଡିଏର ନିକଟତର ବୋଲି ଅଭାସ ଦେଇ ଆସିଛି । ଏହାଦ୍ୱାର ସଂଘୀୟ ବ୍ୟବସ୍ଥା ସୁଦୃଢ ହେବା ସହ ଓଡ଼ିଶାର ମଧ୍ୟ ସ୍ୱାର୍ଥ ସାଧନ ହେଉଛି ବୋଲି ବିଜେଡ଼ି ଦାବି କରିଆସୁଛି । ୨୦୦୯ରେ ଦୁଇ ଦଳର ମେଂଟ ଭାଂଗିବା ପରେ ବିଜେଡ଼ି ଓ ବିଜେପି ରାଜ୍ୟରେ ପରସ୍ପରର ଶତୃ ଭାବେ ଆଚରଣ କରୁଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ବିଜେଡ଼ି ଶୀର୍ଷ ନେତୃତ୍ୱର ସୌହାର୍ଦ୍ଧ୍ୟପୂର୍ଣ୍ଣ ସଂପର୍କ ରହି ଆସିଛି । ୨୦୨୪ ନିର୍ବାଚନରେ ପୁନର୍ବାର ସେମାନେ ଆନୁଷ୍ଠାନିକ ଭାବେ ଏକାଠି ହେବା ଉଦ୍ୟମରେ ଅଛନ୍ତି । ଦୁଇ ଦଳର ଶୀର୍ଷ ନେତୃତ୍ୱସ୍ତରରେ ହେଉଥିବା ଗୋପନୀୟ ଆଲୋଚନାରୁ ତାହା ସ୍ପଷ୍ଟ ହେଉଛି । ତେବେ, ମେଂଟ ନେଇ ଘୋଷଣା ବିଳମ୍ବିତ ହେବା କାରଣରୁ ଦୁଇ ଦଳର ତଳିଆ ନେତା ଓ କର୍ମୀ କିଭଳି ମାନସିକ ଚାପରେ ଅଛନ୍ତି, ଏବଂ ନିର୍ବାଚନ ତାରିଖ ଘୋଷଣା ପରେ ତାହା କେତେଦୂର ବଢିଛି – ଏକଥା ଦୁଇ ଦଳର ଶୀର୍ଷ ନେତୃତ୍ୱ ଅନୁଭବ କରୁ ନାହାନ୍ତି କି ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି ।
ନିକଟରେ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ଆଡୁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଓଡ଼ିଶାରେ ବିଜେଡ଼ି-ବିଜେପି ମେଂଟ ନେଇ ପ୍ରଶ୍ନ ହୋଇଥିଲା । ବିତର୍କ ପରିଚାଳନା କରୁଥିବା ଆଂକରଙ୍କୁ ଶାହାଙ୍କ ଉତ୍ତର ଥିଲା – ଓଡ଼ିଶାରେ ବିଜେପି ବିଜେଡ଼ି ସହ ମେଂଟ କରିବ କି ନାହିଁ – ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । ବିଜେଡ଼ି ରାଜ୍ୟରେ କ୍ଷମତାରେ ଥିବା ବେଳେ ବିଜେପି ମୁଖ୍ୟ ବିରୋଧୀ ଦଳ ରହିଛି । ଦୁଇ ଦଳ ମଧ୍ୟରେ ମେଂଟ କେମିତି ସମ୍ଭବ ବୋଲି ପ୍ରଶ୍ନ ହେବାରୁ, ନିର୍ବାଚନରେ ବୈଚାରିକ ମତ ଆପେକ୍ଷା ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ବୋଲି ଶାହାଙ୍କ ଉତ୍ତର ଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଶାରେ ବିଜେପି ବିଜେଡ଼ି ମଧ୍ୟରେ ବୈଚାରିକ ସମତା ନଥିଲେ ମଧ୍ୟ ଲୋକସଭାରେ ନିଜର ସଂଖ୍ୟା ବଢାଇବା ଲକ୍ଷ୍ୟରେ ବିଜେପି ମେଂଟ ଉଦ୍ୟମ କରୁଛି ।
ଶାହାଙ୍କ ମନ୍ତବ୍ୟରୁ ବିଜେପି କେନ୍ଦ୍ରୀୟ ନେତୃତ୍ୱର ଅଭିଳାଷ ଅତ୍ୟନ୍ତ ସ୍ପଷ୍ଟ । ତଥାପି, ବିଜେଡ଼ି ଶୀର୍ଷ ନେତୃତ୍ୱ ମେଂଟ ଦିଗରେ ଆଗ୍ରହୀ ଥିବା ମେଂଟ ନେଇ ଦଳର ନିରବତା ସୂଚିତ କରୁଛି । ଏହା ପଛରେ ବିଜେଡ଼ିର କି ପ୍ରକାର ଅସୁରକ୍ଷା ଭାବ ରହିଛି, ତାହା ମୁହଁରେ ପ୍ରକାଶ କରୁନଥିଲେ ମଧ୍ୟ ଜନତା ସିବିଆଇ, ଇଡି ଓ ଆୟକର ଚଢାଉ ଆଡକୁ ଇଂଗିତ କରୁଛନ୍ତି । ଏମିତି ବି ନିର୍ବାଚନ ପାଖେଇବା କ୍ଷଣି ରାଜ୍ୟରେ ଇଡି, ସିବିଆଇ ଓ ଆୟକର ବିଭାଗର ଚଡାଉ ତ୍ୱରାନ୍ୱିତ ହୋଇଛି । ଦୀର୍ଘ ବର୍ଷ ଧରି ଥଣ୍ଡା ବାକ୍ସରେ ରହିଥିବା ଚିଟ୍ ଫଣ୍ଡ୍ ମହାଦୁର୍ନୀତିର ଖୋଳତାଡ ପୁନର୍ବାର ଆରମ୍ଭ ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ମହାଦୁର୍ନୀତି ସହ ସଂପୃକ୍ତ ବ୍ୟବସାୟୀ, ସରକାରୀ ଅଧିକାରୀ ଓ ନେତାଙ୍କ ତାଲିକା ପ୍ରସ୍ତୁତି କରି ଜେରା ପାଇଁ ସଜବାଜ ହେଉଥିବା ଖବର ପ୍ରକାଶ ପାଉଛି । ମେଂଟ ପାଇଁ ବିଜେଡ଼ି ନେତୃତ୍ୱକୁ ଚାପରେ ରଖିବାକୁ ଏହା ବିଜେପିର ଗୋଟିଚାଳନା ବୋଲି ରାଜ୍ୟ କଂଗ୍ରେସ ନେତୃବର୍ଗ ଅଭିଯୋଗ କରୁଥିବା ବେଳେ ରାଜ୍ୟବାସୀ ମଧ୍ୟ ତାହା ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ହେଲେ କଂଗ୍ରେସ ହିଁ ଏଥିରୁ ସର୍ବାଧିକ ଫାଇଦା ପାଇବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS