ପାଣ୍ଡିଆନ କହିଲେ ମେଂଟ ହୋଇପାରେ, ଝୁଲାଇ ରଖିଲେ ଶାହା !
ପ୍ରସାଦ ରାଓ
ଭୁବନେଶ୍ୱର/୨୦ ମାର୍ଚ୍ଚ
ଆସନ୍ତା ନିର୍ବାଚନରେ ବିଜେପି ଓଡ଼ିଶାରେ ବିଜେଡ଼ି ସହ ମେଂଟ କରି ନିର୍ବାଚନ ମଇଦାନକୁ ଉତୁରିବ କି ଏକାକୀ ନିର୍ବାଚନ ମଇଦାନରେ ରହି ବିଜେଡ଼ିର କଡା ମୁକାବିଲା କରିବ – ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଦୁଇ ଦଳର ତଳିଆ ନେତାମାନେ ଏନେଇ ଅନ୍ଧକାରରେ ଥିବା ବେଳେ ସର୍ବୋଚ୍ଚସ୍ତରରେ ମେଂଟ ଆଲୋଚନା ଚାଲିଛି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି । ତେବେ, ଦୁଇ ଦଳ ପକ୍ଷରୁ ବିରିଷ୍ଠ ନେତୃସ୍ତରରେ ଗଣମାଧ୍ୟମରେ ଯେଉଁ ବୟାନ ଆସିଛି ତାହା ମେଂଟ ସମ୍ଭାବନାକୁ ନେଇ ବିଭ୍ରାନ୍ତିକୁ ଅଧିକ ଘନିଭୂତ କରିଛି । ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଟ ସହଯୋଗୀ ତଥା ବିଜେଡ଼ିର ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ମେଂଟ ସମ୍ଭାବନାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦୁଇ ରାଷ୍ଟ୍ରନେତା, ସେମାନଙ୍କ ଭିତରେ ଉତ୍ତମ ସଂପର୍କ ରହି ଆସିଛି । ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ ରାଷ୍ଟ୍ରନେତା ଏକାଠି କାର୍ଯ୍ୟ କରିବାକୁ ଚାହୁଁଛନ୍ତି କହି ପାଣ୍ଡିଆନ ମେଂଟ ସମ୍ଭାବନା ଆଡକୁ ଇସାରା କରିଥିଲେ । ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଯେଉଁ ବୁଝାମଣା ହେବାକୁ ଯାଉଛି ତାହା ନିର୍ବାଚନ ରାଜନୀତିରୁ ବହୁ ଉଦ୍ଧ୍ୱର୍ରେ ବୋଲି ମଧ୍ୟ ପାଣ୍ଡିଅନ କହିଥିଲେ । ପାଣ୍ଡିଆନଙ୍କ ବୟାନ ମାନ୍ଦା ହୋଇଆସୁଥିବା ମେଂଟ ସମ୍ଭାବନାକୁ ପୁନଃପ୍ରଜ୍ୱଳିତ କରିଥିବା ବେଳେ ଆଜି ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେଥିରେ ପାଣି ଢାଳିଲା ଭଳି ବୟାନ ଦେଇଛନ୍ତି । ଶାହା ନୂଆଦିଲ୍ଲୀରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଓଡ଼ିଶାରେ ବିଜେପି ବିଜେଡ଼ି ସହ ମେଂଟ କରିବ କି ନାହିଁ – ସେନେଇ ଦଳ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଂଚି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ବିଜେଡ଼ି ସହ ବିଜେପି ମେଂଟ କରିବ କି ନାହିଁ ତାହା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ । ତେବେ, ଆଜି ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ । ଓଡ଼ିଶାରେ ବିଜେପି ତାହାର ଶକ୍ତି ବୃଦ୍ଧି କରୁଛି । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ରାଜ୍ୟରେ ଅଧିକ ସଂଖ୍ୟାରେ ଆସନ ଜିତିବା ବିଜେପିର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ହୃଦୟରେ ଅପାର ଭଲ ପାଇବା ରହି ଥିବାରୁ ୨୦୨୪ ନିର୍ବାଚନରେ ଦଳ ଓଡିଶାରେ ଅଧିକରୁ ଅଧିକ ସଂଖ୍ୟକ ଲୋକସଭା ଓ ବିଧାନସଭା ଆସନ ଜିତି ରାଜନୈତିକ ପଣ୍ଡିତମାନଙ୍କ ସମସ୍ତ ଗଣନାକୁ ଓଲଟ ପାଲଟ କରି ଦେବ । ବିଜେପି ୨୦୨୪ରେ ଓଡ଼ିଶାରେ ସରକାର କରିବ କି (?) ବୋଲି ପ୍ରଶ୍ନ ହେବାରୁ ଶାହା କହିଛନ୍ତି, ‘ଯାହା ବି ଘଟିପାରେ । ତେବେ, ପ୍ରଥମେ ଆମକୁ ଦେଖିବାକୁ ପଡିବ ରାଜ୍ୟରେ ବିଜେଡ଼ି ସହ ବିଜେପିର ମେଂଟ ହେଉଛି କି ନାହିଁ । ଯଦି ବିଜେପି ଏକାକୀ ଲଢିବ, ତେବେ ସରକାର ଗଠନ ପାଇଁ ହିଁ ଲଢିବ’ । ମେଂଟ ସମ୍ଭାବନାକୁ ନେଇ ଆଜି ମଧ୍ୟ ଶାହା ଗଣମାଧ୍ୟମକୁ ଝୁଲାଇ ରଖିଥିବା ବେଳେ ରାଜ୍ୟ ବିଜେପି ନେତାମାନେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ଜଣେ ବିଜେପି ବିଧାୟକ ଗଣମାଧ୍ୟମରେ କହିଛନ୍ତି, ରାଜ୍ୟରେ ବଜେପି ଏକାକୀ ଲଢିବା ପାଇଁ ପ୍ରସ୍ତୁତି କରି ସାରିଛି । ବିଜେଡ଼ି ସହ ମେଂଟ ନେଇ ଯଦି କିଛି ନିଷ୍ପତ୍ତି ହୁଏ ତାହା ବିଜେପିର କେନ୍ଦ୍ରୀୟ କମିଟି, ପ୍ରଧାନମନ୍ତ୍ରୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ତରରେ ହିଁ ହେବ । ଗତକାଲି ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ନୂଆଦିଲ୍ଲୀରେ କହିଥିଲେ, ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବା ସକାଶେ ବିଜେପିର ସହାୟତା ନେବାର ଆବଶ୍ୟକତା ନାହିଁ । ସେହିଭଳି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାରେ ବିଜେଡ଼ିର ସାହାଯ୍ୟ ନେବାର ଆବଶ୍ୟକତା ନାହିଁ । ଦୁଇ ରାଷ୍ଟ୍ରନେତା ନିଜ ନିଜ ସ୍ତରରେ ଏତେମାତ୍ରରେ ଲୋକପ୍ରିୟ ଯେ ୨୦୨୪ ନିର୍ବାଚନରେ ସେମାନେ କ୍ଷମତାକୁ ଫେରିବାରେ କୌଣସି ପ୍ରତିବନ୍ଧକ ନାହିଁ । ତଥାପି, ଦୁହିଁଙ୍କ ମଧ୍ୟରେ ରହିଥିବା ବନ୍ଧୁତା କାରଣରୁ ସେମାନେ ରାଜନୀତିରୁ ଉଦ୍ଧ୍ୱର୍ରେ କିଛି କରିବାକୁ ଦୂରଦୃଷ୍ଟି ରଖିଛନ୍ତି । ଯଦି ଦୁଇ ଦଳ ମଧ୍ୟରେ କିଛି ବୁଝାମଣା ହୁଏ ତାହା ସମସ୍ତେ ଜାଣିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଏତେଦୂର ଲୋକପ୍ରିୟ ଯେ ୨୪ ବର୍ଷ ଶାସନରେ ରହିବା ପରେ ମଧ୍ୟ ସରକାର ବିରୋଧରେ ଜନଅସନ୍ତୋଷ ନାହିଁ । ରାଜ୍ୟ ବିଧାନସଭାରେ ବିଜେଡ଼ି ଲଗାତର ତିନି ଚତୁର୍ଥାଂଶ ଆସନ ଜିତି ଆସୁଛି । ଗତ ପଂଚାୟତ ନିର୍ବାଚନରେ ବିଜେଡ଼ି ୯୦ ପ୍ରତିଶତ ଆସନ ଜିତିଥିବା ବେଳେ ବିଜେପିକୁ ମାତ୍ର ୫ ପ୍ରତିଶତ ଆସନ ମିଳିଛି । ତେଣୁ, ଆସନ୍ତା ନିର୍ବାଚନରେ ଓଡ଼ିଶାରେ ବିଜେପି ସହ ବିଜେଡ଼ିର ମେଂଟ ହେଉ ବା ନହେଉ ନିର୍ବାଚନ ଫଳାଫଳରେ କୌଣସି ଫରକ ପଡିବାର ନାହିଁ । ମେଂଟ ନହେଲେ ବି ବିଜେଡ଼ି ଓଡ଼ିଶାରେ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ଲୋକସଭା ଓ ବିଧାନସଭା ଆସନରେ ବିଜୟୀ ହେବ । ଗୋଟିଏ ପଟେ ପାଣ୍ଡିଆନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଗଭୀର ମିତ୍ରତା କଥା କହୁଛନ୍ତି, ଦୁଇ ନେତା ଏକାଠି ହୋଇ ରାଜନୀତିରୁ ଉଦ୍ଧ୍ୱର୍ରେ କିଛି କରି ଦେଖାଇବାକୁ ଚାହୁଁଥିବା ସନ୍ଦେଶ ଦେଉଛନ୍ତି ଏବଂ ଅନ୍ୟପଟେ ଓଡ଼ିଶାରେ ବିଜେପିର ଦୁର୍ବଳତାକୁ ପଦାରେ ପକାଇବାରେ ପଛାଇ ନାହାନ୍ତି । ବିଜେପି ବିଜେଡ଼ି ସହ ମେଂଟ ନକଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନରେ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ବିଧାନସଭା ଓ ଲୋକସଭା ଆସନରେ ବିଜୟୀ ହେବେ ଏବଂ ଲଗାତର ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ପାଣ୍ଡିଆନ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏହାକୁ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବା ସମୟ ଆସୁଛି । ପୂର୍ବ ଭାରତରେ ବିଜେପି ସାମ୍ରାଜ୍ୟ ବିସ୍ତାର ଯେଉଁ ଲକ୍ଷ୍ୟ ରଖିଛି ତାହା ବିଜେଡ଼ିକୁ ସାଥୀରେ ନେଇ ଆଗକୁ ଯିବାକୁ ଚାହୁଛି କି ଏକାକୀ ଆଗକୁ ବଢି ନିଜ ଶକ୍ତି ପରୀକ୍ଷା କରିବାକୁ ଚାହୁଛି – ତାହା ଆସନ୍ତା କିଛି ସପ୍ତାହ ମଧ୍ୟରେ, ଅର୍ଥାତ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସ୍ପଷ୍ଟ ହୋଇଯିବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ଓଡ଼ିଶାର ୨୧ରୁ ୧୨ ଲୋକସଭା ଆସନ ଓ ୧୪୭ରୁ ୧୧୨ ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୦୮ଟି ଲୋକସଭା ଆସନ ଓ ୨୩ଟି ବିଧାନସଭା ଆସନ ପାଇ ସନ୍ତୁଷ୍ଟ ରହିଥିଲା । କଂଗ୍ରେସକୁ ଗୋଟିଏ ଲୋକସଭା ଓ ୦୯ଟି ବିଧାନସଭା ଆସନ ଜିତିବାରେ ସୀମିତ ରହି ଯାଇଥିଲା । ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପିର ଆସନ ସଂଖ୍ୟା ବଢିବ ଏବଂ ବିଜେଡ଼ିର କମିବ । ତଥାପି ନବୀନ ଲଗାତର ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ବେକ୍ଷଣ ସଂସ୍ଥା ଆକଳନ କରିଛନ୍ତି । ବିଜେପି ଏହାକୁ ଭୁଲ ପ୍ରମାଣିତ କରିବାକୁ ଯାଉଛି ବୋଲି ଆଜି ଅମିତ ଶାହା ନୂଆଦିଲ୍ଲୀରେ ଦେଇଥିବା ବୟାନରୁ ସୂଚନା ମିଳୁଛି । ବାସ୍ତବରେ ଓଡ଼ିଶାବାସୀ କଣ ଚାହୁଁଛନ୍ତି ତାହା ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS