ବିନା ବିଚାରରେ ଅଭିଯୁକ୍ତଙ୍କୁ କେତେ ଦିନ ଜେଲରେ ରଖିବ ? – ଇଡ଼ିକୁ ପ୍ରଶ୍ନ କଲେ ସୁପ୍ରିମ କୋର୍ଟ ବେଂଚ୍
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୦ ମାର୍ଚ୍ଚ
କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡିି) ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଉଛନ୍ତି । ତଦନ୍ତ ଶେଷ ନହେଉଣୁ ଅଦାଲତରେ ଚାର୍ଜସିଟ୍, ଅତିରିକ୍ତ ଚାର୍ଜସିଟ୍ ଦାଖଲ କରି ଅଭିଯୁକ୍ତଙ୍କ ଜାମିନ ଆବେଦନର ବିରୋଧ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଜେଲରେ ରଖୁଛନ୍ତି । ଅଦାଲତ ବିନା ଶୁଣାଣୀରେ ଅଭିଯୁକ୍ତଙ୍କୁ କେତେ ଦିନ ଜେଲରେ ରଖି ହେବ ବୋଲି ଆଜି ସୁପ୍ରିମ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ପ୍ରଶ୍ନ କରିବା ସହ ‘ଏହା ଆମକୁ ଚିନ୍ତାରେ ପକାଇଛି’ ବୋଲି କହିଛନ୍ତି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ବେଂଚ୍ ଆଜି ଏକ ମାମଲାର ଶୁଣାଣୀ ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁଙ୍କୁ ଏହି ପ୍ରଶ୍ନ କରିଛନ୍ତି । ଇଡି ଦ୍ୱାରା ନିଯୁକ୍ତ ଓକିଲ ଅତିରିକ୍ତ ସଲିସିଟର ଜେନେରାଲ ରାଜୁଙ୍କୁ ବିଚାରପତି ଜଷ୍ଟିସ ଖାନ୍ନା କହିଛନ୍ତି, ‘ଡିଫଲ୍ଟ ବେଲ୍ ବା ଜାମିନର ଉଦ୍ଦେଶ୍ୟ ହେଉଛି, କୌଣସି ମାମଲାର ତଦନ୍ତ ନ ସରିବା ଯାଏଁ ଅଭିଯୁକ୍ତକୁ ଗିରଫ କରାଯିବା କଥା ନୁହଁ । ତୁମେ କହି ପାରିବ ନାହିଁ ମାମଲାର ତଦନ୍ତ ସରି ନଥିବାରୁ ଅଦାଲତରେମାମଲାର ବିଚାରଣା ଆରମ୍ଭ ହୋଇପାରିବ ନାହିଁ । ତୁମେ ଗୋଟିଏ ପରେ ଗୋଟିଏ ସପ୍ଲିମେଂଟାରୀ ଚାର୍ଜସିଟ୍ ଅଦାଲତରେ ଦାଖଲ କରି ବିନା ବିଚାରରେ ଅଭିଯୁକ୍ତକୁ ଅନିଦ୍ଧିଷ୍ଟ କାଳ ପାଇଁ ଜେଲରେ ଅଟକ ରଖି ପାରିବ ନାହିଁ । ଏହି ମାମଲାରେ ଜଣେ ଅଭିଯୁକ୍ତ ବିନା ବିଚାରରେ ୧୮ ମାସ ହେଲା ଜେଲରେ ରହିବା ଆମ ପାଇଁ ଚିନ୍ତାର କାରଣ ହୋଇଛି’ ।
‘କିଛି ମାମଲାରେ ଆମେ ହସ୍ତକ୍ଷେପ କରି ଆମେ ଇଡିକୁ ନୋଟିସ କରୁଛୁ । ଜଣେ ଅଭିଯୁକ୍ତକୁ ଯେତେବେଳ ଗିରଫ କରାଯାଉଛି ତୁରନ୍ତ ଅଦାଲତାରେ ବିଚାରଣା ଆରମ୍ଭ ହୋଇଯିବା କଥା’ବୋଲି ଜଷ୍ଟିସ ଖାନ୍ନ ଆଜି ମାମଲାର ବିଚାରଣା ସମୟରେ ଇଡିର ଓକିଲଙ୍କୁ କହିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି, ସଂପ୍ରତି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ତଦନ୍ତକାରୀ ସଂସ୍ଥା ଜଣେ ଅଭିଯୁକ୍ତକୁ ଗିରଫ କରିବାର ୬୦ରୁ ୯୦ ଦିନ (ପରିସ୍ଥିତିକୁ ଦେଖି) ମଧ୍ୟରେ ମାମଲାର ତଦନ୍ତ ଶେଷ କରି ଅଦାଲତରେ ଫାଇନାଲ ଚାର୍ଜସିଟ୍ ଦାଖଲ ନକଲେ ଅଭିଯୁକ୍ତ ଡିଫଲ୍ଟ୍ ବେଲ୍ ବା ଜାମିନ ପାଇବାକୁ ହକଦାର । ସିଆରପିସିରେ ଏହି ବ୍ୟବସ୍ଥା ରହିଛି । କୌଣସି ମାମଲାର ପୂର୍ଣ୍ଣାଂଗ ତଦନ୍ତ ନସାରି ତଦନ୍ତକାରୀ ସଂସ୍ଥା ଅଦାଲତରେ ଚାର୍ଜସିଟ୍ ଦାଖଲ କରି ପାରିବେ ନାହିଁ ଏବଂ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତଙ୍କୁ ଜାମିନ ପାଇବା ହକ୍ ରୁ ବଂଚିତ କରି ପାରିବେ ନାହିଁ । ଗତ ବର୍ଷ ଏପ୍ରିଲ ମାସରେ ଅନ୍ୟ ଏକ ମାମଲାରେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ କ୍ରୀଷ୍ଣା ମୁରାରୀ ଓ ଜଷ୍ଟିସ ସି.ଟି.ରବିକୁମାରଙ୍କ ବେଚ୍ ମଧ୍ୟ ଏକାଭଳି ରାୟ ଦେଇଥିଲେ ।
ବିଭିନ୍ନ ମାମଲାରେ ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତି, ବିଶେଷକରି ବିରୋଧୀ ଦଳର ନେତା ଗିରଫ ହୋଇ ଜେଲରେ ଥିବା ବେଳେ ତଦନ୍ତକାରୀ ଏଜେନ୍ସୀ ଚାର୍ଜସିଟ୍ ପରେଏକାଧିକ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରି ତଦନ୍ତ ସରିନଥିବା କହି ବିଚାରଣାକୁ ଆଗେଇବାକୁ ଦେଉ ନାହାନ୍ତି । ଫଳରେ, ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଅଦାଲତରୁ ଜାମିନ ପାଇବାରୁ ବଂଚିତ ହୋଇ ଜେଲରେ ପଡି ରହୁଛନ୍ତି । ସୁପ୍ରିମ କୋର୍ଟ ବେଂଚ୍ ଙ୍କ ଆଜିର ରାୟର ପ୍ରଭାବ ସେସବୁ ମାମଲା ଉପରେ ପଡିପାରେ ବୋଲି ଆଇନ ବିଶେଷଜ୍ଞ କହୁଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଖାନ୍ନା ଓ ଜଷ୍ଟିସ ଦତ୍ତଙ୍କ ବେଂଚ୍ ଆଜି ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ୧୮ ମାସ ହେଲା ଜେଲରେ ଥିବା ପ୍ରେମ ପ୍ରକାଶଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କଲା ବେଳେ ଇଡି ଓକିଲଙ୍କୁ ପ୍ରଶ୍ନ କରିବା ସହ ବିନା ବିଚାରରେ ଅଭିଯୁକ୍ତଙ୍କ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯିବା ଉପରେ ଟିପ୍ପଣୀ ଦେଇଛନ୍ତି । ପ୍ରେମ ପ୍ରକାଶ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଟ ସହଯୋଗୀ ।
ପ୍ରେମ ପ୍ରକାଶ ଗତ ବର୍ଷ ଜାନୁୟାରୀ ମାସରୁ ଗିରଫ ହୋଇ ଜେଲରେ ଅଛନ୍ତି । ଗତ ମାସରେ ଇଡି ତାଙ୍କୁ ମନିଲଂଡରିଂ ମାମଲାରେ ଗିରଫ କରିଛନ୍ତି । ପ୍ରେମ ପ୍ରକାଶ ୧୮ ମାସ ହେଲା ବିନା ବିଚାରଣାରେ ଜେଲରେ ଥିବା ଏବଂ ତଦନ୍ତକାରୀ ଏଜେନ୍ସୀ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅଦାଲତରେ ଫାଇନାଲ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହୋଇଥିବା ଦର୍ଶାଇ ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଗିରଫ ହେବା ପରେ ପ୍ରେମ ପ୍ରକାଶ ଗତ ବର୍ଷ ଜାନୁୟାରୀ ମାସରେ ଝାଡଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ପ୍ରେମ ପ୍ରକାଶଙ୍କୁ ଜାମିନ ଦିଆଗଲେ ସେ ବାହାରକୁ ଯାଇ ସାକ୍ଷୀଙ୍କ ଭୟଭିତ କରିପାରନ୍ତି ଏବଂ ତାଙ୍କ ବିରୋଧରେ ଥିବା ପ୍ରମାଣ ସବୁ ନଷ୍ଟ କରି ଦେଇ ପାରନ୍ତି ବୋଲି ଇଡିର ଓକିଲ ରାଜୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ କୋର୍ଟ ସେଥିରେ ପ୍ରଭାବିତ ହୋଇନଥିଲେ । ‘ଅଭିଯୁକ୍ତ ଯଦି ସେଭଳି କିଛି କରନ୍ତି ଆମ ପାଖକୁ ଆସିବ’ ବୋଲି ଜଷ୍ଟିସ ଖାନ୍ନା କହିଥିଲେ । ତେବେ, ସୁପ୍ରିମ କୋର୍ଟ ବେଂଚ ଆଜି ଇଡିର ଅନୁରୋଧ ରକ୍ଷା କରି ଅଭିଯୁକ୍ତ ପ୍ରେମ ପ୍ରକାଶଙ୍କୁ ଅନ୍ତରୀଣ ଜାମିନ ମଂଜୁର କରି ନାହାନ୍ତି । ଗୋଟିଏ ମାସ ବିଚାରଣାର ଅଗ୍ରଗତିକୁ ଦେଖି କୋର୍ଟ ଜାମିନ ଆବେଦନ ଉପରେ ନିର୍ଣ୍ଣୟ ନେବେ ବୋଲି କହିଛନ୍ତି । ଏବେ ପ୍ରତିଦିନ ଏହି ମାମଲାର ଶୁଣାଣୀ ହେବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS