ଇସିଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମ କୋର୍ଟ
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୧ ମାର୍ଚ୍ଚ
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣାର ଠିକ୍ ପୂର୍ବରୁ କେନ୍ଦ୍ର ସରକାର ତରବରିଆ ଭାବେ ଉଚ୍ଚ କ୍ଷମତା ସଂପନ୍ନ କମିଟିର ବୈଠକ କରି ଖାଲି ଥିବା ଦୁଇଟି ଦୁଇଟି ନିର୍ବାଚନ କମିଶନର ପଦବୀ ପୂରଣ କରିଛନ୍ତି । ଦୁଇ ଜଣ ପୂର୍ବତନ ପ୍ରଶାସକଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ଅବୈଧ ଦର୍ଶାଇ ନିଯୁକ୍ତି ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମ କୋର୍ଟର ଏକ ତିନି ଜଣିଆ ବେଂଚ୍ ଖାରଜ କରିଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଇସିଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି କଲେ ଘୋର ବିଭ୍ରାଟ ହେବ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା, ଦୀପଙ୍କର ଦତ୍ତ ଓ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ତିନି ଜଣିଆ ବେଂଚ୍ ଆଜି ଦୁଇ ଇସିଙ୍କ ନିଯୁକ୍ତି ଉପରେ ରହିତାଦେଶ ଦେବାକୁ ମନା କରିବା ସହ ସେମାନଙ୍କ ନିଯୁକ୍ତି ନିମନ୍ତେ ଉଚ୍ଚ କ୍ଷମତା ସଂପନ୍ନ ନିଯୁକ୍ତି କମିଟିର ବୈଠକ ତରବାିଆ ଭାବେ କରାଯାଇଥିବା ନେଇ ପିଟିସନକାରୀ ଯେଉଁ ଅଭିଯୋଗ କରିଛନ୍ତି ତାହା ତଥ୍ୟ ସହ ଅଲଗା ଭାବେ ଆବେଦନ କରିବାକୁ କହିଛନ୍ତି । ନିର୍ବାଚନ କମିଶନ ପ୍ରଶାସନର ‘ହସ୍ତମୁଦିମାହାଲ’ ପାଲଟିଛି ବୋଲି ଅଭିଯୋଗକାରୀଙ୍କ ଅଭିଯୋଗକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ୨୦୨୩ରେ ଯେଉଁ ଆଇନ (ନିଯୁକ୍ତି, ଚାକିରୀ ସର୍ତ୍ତ ଓ କାର୍ଯ୍ୟକାଳ) ପ୍ରଣୟନ କରିଛନ୍ତି ତାହାର କାର୍ଯ୍ୟକାରିତା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମଧ୍ୟ ଆଜି ସୁପ୍ରିମ କୋର୍ଟ ଆଜି ମନା କରିଛନ୍ତି ।
ସୁପ୍ରିମ କୋର୍ଟ ବେଂଚ୍ କହିଛନ୍ତି, କେନ୍ଦ୍ର ସରକାର ୨୦୨୩ରେ ଯେଉଁ ଆଇନ ଆଣିଛନ୍ତି ତାହାର ବୈଧତାକୁ ଚାଲେଂଜ କରି ହୋଇଥିବା ମୂଳ ଆବେଦନକୁ ବେଂଚ୍ ବିଚାର କରିବେ । ଆଇନର ବୈଧତାକୁ ଚ୍ୟାଲେଂଜ କରି ଯେଉଁ ଆବେଦନ ହୋିଛି ତାହା ଉପରେ ଛଅ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ସହ ଅଗଷ୍ଟ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ‘ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ୨୦୨୩ ଆଇନ ଉପରେ କୌଣସି ରହିତାଦେଶ କିମ୍ବା ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିପାରିବୁ ନାହିଁ । ଅଦାଲତ ନୂଆ ନିଯୁକ୍ତି ଆଇନ ଓ ତାହାର କାର୍ଯ୍ୟକାରିତା ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ଘୋର ଅନିଶ୍ଚିତତା ସୃଷ୍ଟି ହେବ, ଯାହାକି ଅଦାଲତ ଚାହୁଁ ନାହାନ୍ତି’ ବୋଲି ସୁପ୍ରିମ କୋର୍ଟ ବେଂଚ୍ କହିଛନ୍ତି ।
କେନ୍ଦ୍ର ସରକାର ଯେଉଁ ଦୁଇ ଜଣ ପୂର୍ବତନ ପ୍ରଶାସକଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କୌଣସି ଅଭିଯୋଗ ନଥିବା ବେଂଚ୍ ପିଟିସନକାରୀଙ୍କୁ ସୂଚିତ କରିବା ସହ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି ପାଇଁ ଯେଉଁ ଆବେଦନ ହୋଇଛି ତାହାକୁ ଖାରଜ କରିଛନ୍ତି । ସୁପ୍ରିମ କୋର୍ଟ ବେଂଚ୍ କହିଛନ୍ତି, ନିର୍ବାଚନ କମିଶନରମାନେ ମୁକ୍ତ ଓ ନିରପେକ୍ଷ ହେବା କେହି ଅଗ୍ରାହ୍ୟ କରି ପାରିବେ ନାହିଁ । ତେବେ, ସ୍ୱାଧୀନତା ପରରୁ ଦେଶରେ ନିର୍ବାଚନ ହୋଇ ଆସୁଛି । ଅତୀତରେ ଦେଶ ଅନେକ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ କମିଶନରଙ୍କୁ ପାଇଛି । ଅତୀତରେ ନିର୍ବାଚନ କମିଶନରମାନେ ପ୍ରଶାସକଙ୍କ ଦ୍ୱାରା ନିଯୁକ୍ତ ପାଉଥିଲେ । ଏବେ କେନ୍ଦ୍ର ସରକାରଙ୍କ ଏକ ନୂୂଆ ଆଇନ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି ।
ଦେଶରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ଗତ ବର୍ଷ ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ବେଂଚ୍ ଯେଉଁ ରାୟ ଦେଇଥିଲେ ସେଥିରେ କେଉଁଠି ହେଲେ କହି ନାହାନ୍ତି ଯେ, ସିଇସି ଓ ଇସିଙ୍କ ଚୟନ ଓ ନିଯୁକ୍ତି ପାଇଁ ସରକାର ଯେଉଁ ନୂଆ ଆଇନ ପ୍ରଣୟନ କରିବେ ସେଥିରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଥିବା ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ବିଚାର ବିଭାଗରୁ ଜଣେ ସଦସ୍ୟ ରହିବେ । ସଂସଦରେ ସରକାର ଏକ ନୂଆ ଆଇନ ଆଣିବା ପର୍ଯ୍ୟନ୍ତ ସିଇସି ଓ ଇସିଙ୍କ ଚୟନ ଓ ନିଯୁକ୍ତି ପ୍ରକି୍ରିୟା ପାଇଁ ଥିବା କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଏବଂ ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ରହିବେ ବୋଲି ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ୍ ର ରାୟ ଥିଲା ବୋଲି ଆଜି ସୁପ୍ରିମ କୋର୍ଟ ବେଂଚ୍ କହିବା ସହ ସରକାର ଗତ ୧୪ ତାରିଖ ଦିନ ଦୁଇ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ଯେଉଁ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଦୁଇ ନିର୍ବାଚନ କମିଶନରଙ୍କୁ ଚୟନ ଓ ନିଯୁକ୍ତି ଦେବା ସମୟରେ ନିଯୁକ୍ତି କମିଟିକୁ ବିଚାର ବିମର୍ଷ ପାଇଁ ଯଥେଷ୍ଟ ସମୟ ମିଳିିବା ଉଚିତ ଥିଲା । ତାଲିକାରେ ଥିବା ନାମଗୁଡିକୁ ପରଖିବା ଏବଂ ସମସ୍ତଙ୍କ ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ନିଯୁକ୍ତି କମିଟି ସମୟ ପାଇ ନଥିଲେ । ସୁପ୍ରିମ କୋର୍ଟ ମଧ୍ୟ ତାହା ଅନୁଭବ କରିଥିବା ଅନୁମାନ କରି ହେଉଛି । ଖାଲି ଥିବା ଦୁଇଟି ନିର୍ବାଚନ କମିଶନର ପଦବୀରେ ନିଯୁକ୍ତି ପାଇଁ ମାର୍ଚ୍ଚ ୧୪ ତାରିଖରେ ତରବିରିଆ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକ ଡକାଯାଇଥିଲା । ବୈଠକରେ ପ୍ରଥମେ ୨୧୨ଟି ନାମ ଉପସ୍ଥାପନ ହୋଇଥିଲା । କିଛି ସମୟ ପରେ ପ୍ରଶାସନିକ ସ୍ତରରେ ଛଅ ଜଣଙ୍କ ନାମ ସଟଲିଷ୍ଟ୍ କରାଯାଇ କମିଟି ନିକଟରେ ଉପସ୍ଥାନ ହୋଇଥିଲା । କିଛି ସମୟ ମଧ୍ୟରେ ପୂର୍ବତନ ପ୍ରଶାସକ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ଇସିି ନିଯୁକ୍ତ କରାଯାଇଥିବା ଘୋଷଣା ହୋଇଥିଲା ।
ସବୁ କିଛି ଏତେ ତରବରିଆ ଭାବେ ହୋଇଥିଲା ଯେ ସେ ଭାବିବାକୁ ସମୟ ପାଇନଥିଲେ ବୋଲି ଚୟନ କମିଟି ସଦସ୍ୟ ଥିବା ଲୋକସଭା ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ଚୟନ କମିଟି ବୈଠକ ସରିବା ପରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲେ । ଏହି ନିଯୁକ୍ତି ସହ ସେ ସହମତ ନଥିବା ଜଣାଇ ଦେଇଛନ୍ତି ବୋଲି ଚୌଧୁରୀ ସାମ୍ବାଦିକମାନଙ୍କୁ କହିଥିଲେ । ସିଇସି ଓ ଇସି ନିଯୁକ୍ତି ପାଇଁ ସରକାର ଯେଉଁ ଆଇନ ପ୍ରଣନ କରିଛନ୍ତି ସେଥିରେ ଉଚ୍ଚ କ୍ଷମତା ସଂପନ୍ନ ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ଓ କେନ୍ଦ୍ର ମନ୍ତ୍ରୀ ସଦସ୍ୟ ରହିବା ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତି ଶାହା ନିଯୁକ୍ତି କମିଟି ସଦସ୍ୟ ଥିବାରୁ ବିରୋଧୀ ଦଳ ନେତାଙ୍କ ମତ ଗୌଣ ହୋଇ ଯାଇଛି ।
ମାର୍ଚ୍ଚ ୧୪ ତାରିଖ ଦିନ ଜ୍ଞାନେଶ କୁମାର ଓ ସାନ୍ଧୁଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତିନି ଜଣିଆ ନିର୍ବାଚନ କମିଶନ ମାର୍ଚ୍ଚ ୧୯ ତାରିଖ ଦିନ ଆଗାମୀ ସାଧାରଣ ନିର୍ବାଚନର ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତେଣୁ, ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଏବଂ ୨୦୨୩ରେ ସିଇସି ଓ ଇସି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନର ବୈଧତାକୁ ଚ୍ୟାଲେଂଜ କରି କେତେକ ଆବେଦନକାରୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ, ସୁପ୍ରିମ କୋର୍ଟ ଆଜି ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଏବଂ କେନ୍ଦ୍ର ସରକାରଙ୍କ ନୂଆ ଦ୍ୱାରା ପ୍ରଣିତ ନୂଆ ନିଯୁକ୍ତି ଆଇନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନା କରିଦେଇ ଏକ ସାମ୍ବିଧାନିକ ସଂକଟ ସୃଷ୍ଟି ହେବା ପରିସ୍ଥିତିକୁ ଟାଳି ଦେଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS