କେଜରୀୱାଲଙ୍କ ଗିରଫରୁ କିଏ ଫାଇଦା ପାଇବ ? ବିଜେପି ମେଂଟ ନା ବିରୋଧୀ ମେଂଟ ?
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୨ ମାର୍ଚ୍ଚ
ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କଜେରୀୱାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦରେ ଥାଇ କେଜରୀୱାଲ ଗିରଫ ହେବା ପ୍ରଥମ ଘଟଣା ନୁହେଁ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତା ମଧ୍ୟ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଥାଇ ଗିରଫ ହୋଇଥିଲେ । ତେବେ, ଆଜିର ପରିସ୍ଥିତି ଭିନ୍ନ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ ୫୪୩ ଲୋକସଭା ଆସନରୁ ୪୦୦ରୁ ଅଧିକ ଆସନ ଜିତିବା ଆଶାରେ ଥିବା ଏବଂ ବିଜେପି ଏକାକୀ ୩୭୦ ଆସନ ଜିତିବା ଲକ୍ଷ୍ୟଧାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ଘୋଷଣା କରୁଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ବିଭିନ୍ନ ରାଜ୍ୟରେ ଆଂଚଳିକ ଦଳମାନଙ୍କ ସହ ମେଂଟ କରୁଛି ବା ମେଂଟ ଉଦ୍ୟମ କରି ନିଜର ପରିସୀମା ବଢାଇବାରେ ଲାଗିଛି । ଅପରପକ୍ଷରେ, ବିରୋଧୀ ‘ଇଣ୍ଡି’ ମେଂଟକୁ ଦୁର୍ବଳ କରିବାର କୌଣସି ସୁଯୋଗ ହାତଛଡା କରୁନାହିଁ । ବିଜେପିର ଏହି ରାଜନୈତିକ ଗୋଟିଚଳାନାରେ ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ପ୍ରମୁଖ ଅସ୍ତ୍ର ହୋଇଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ବିରୋଧୀ ନେତାଙ୍କ ମଧ୍ୟରେ ଅଛନ୍ତି ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମୁଖ୍ୟମନ୍ତ୍ରୀ ଥାଇ ସୋରେନ ରାଂଚି ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ତେବେ, ସେ ଇଡି ହେପାଜତକୁ ଯିବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ନେତା ଚଂପେଇ ସୋରେନ ମୁଖ୍ୟମନ୍ତ୍ରୀ ହେବା ବାଟ ଖୋଲି ଥିଲେ । କିନ୍ତୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ରାତିରେ ଇଡି ଦ୍ୱାରା ଗିରଫ ହେବା ପରେ ମଧ୍ୟ ଇସ୍ତଫା ଦେଇ ନାହାନ୍ତି । ସେ ଜେଲରେ ଥାଇ ସରକାର ଚଳାଇବେ ବୋଲି ତାଙ୍କ ଦଳର ବରିଷ୍ଠ ନେତାମାନେ ଘୋଷଣା କରିବାକୁ ପଛାଉ ନାହାନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ସିବିଆଇ ଓ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଅନ୍ୟ ରାଜନେତାଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂହ ଓ ତେଲେଂଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତା । ନିକଟରେ ଇଡି କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରି ଦିଲ୍ଲୀ ଆଣି ଥିଲା । କବିତାଙ୍କ ପରେ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସୁଦ୍ଧା ଇଡି ଯେଉଁ ୧୬ ଜଣଙ୍କୁ ଗିରଫ କରିଛି ସେଥିରେ ସିସୋଦିଆ, ସଂଜୟ ସିଂହ, କେଜରୀୱାଲ ଓ କବିତା ରହିଥିବା ବେଳେ ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ସରକାରୀ ସାକ୍ଷୀ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଥିବା ଇଡି ଦାବି କରୁଛି । ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀ ମାସରୁ ଓ ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଗତ ବର୍ଷ ଅକ୍ଟୋବର ମାସରୁ ଗିରଫ ହୋଇ ଜେଲରେ ଥିବା ବେଳେ କବିତାଙ୍କ ଜାମିନ ଆବେଦନ ଆଜି ସୁପ୍ରିମ କୋର୍ଟରେ ଖାରଜ ହୋଇଯାଇଛି । କବିତା ଟ୍ରାଏଲ୍ କୋର୍ଟ (ତଳ କୋର୍ଟ)କୁ ଯାଇ ଜାମିନ ପାଇଁ ଆବେଦନ କରିବାକୁ ସୁପ୍ରିମ କୋର୍ଟ ଆଜି କହିଛନ୍ତି । ଗତକାଲି ରାତିରେ ଇଡି ଅଧିକାରୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରି ନିଜ ହେପାଜତକୁ ନେବା ପରେ ‘ଆପ୍’ ପକ୍ଷରୁ ତାହା ବିରୋଧରେ ରାତିରୁ ହିଁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ରାତିରେ କୋର୍ଟ ଖୋଲି ଜରୁରୀ ଶୁଣାଣୀ କରାଯିବାକୁ ‘ଆପ୍’ର ଆବେଦନକୁ ସୁପ୍ରିମ କୋର୍ଟ ପ୍ରତ୍ୟାଖାନ କରିଥିଲେ । ଆଜି ତାହା ଉପରେ ଶୁଣାଣୀ କରିବେ ବୋଲି ସୁପ୍ରିମ କୋର୍ଟ କହିଥିଲେ ମଧ୍ୟ କବିତାଙ୍କ ଜାମିନ ଆବେଦନ ଆଜି ସୁପ୍ରିମ କୋର୍ଟରେ ଖାରଜ ହୋଇଥିବା ଏବଂ ତାଙ୍କ ତଳ କୋର୍ଟକୁ ଯାଇ ଜାମିନ ପାଇଁ ଆବେଦନ କରିବାକୁ କୁହାଯିବା ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । କେଜରୀୱାଲଙ୍କ ଗିରଫଦାରୀକୁ ଚ୍ୟାଲେଂଜ କରି ଗତକାଲି ରାତିରେ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ ହୋଇଥିଲା ତାହାକୁ ଆଜି ପ୍ରତ୍ୟାହାର କରିନିଆଯାଇଛି ଏବଂ କେଜରୀୱାଲ ଟ୍ରାଏଲ୍ କୋର୍ଟକୁ ଯାଇ ଜାମିନ ଆବେଦନ କରିବେ ବୋଲି ତାଙ୍କ ଓକିଲ ଅଭିଷେକ ମନୁ ସିଘଭିଙ୍କୁ ସୂଚାଇ ଦେଇଥିବା ଜଣାପଡିଛି । ଗତକାଲି ରାତିରେ ଇଡି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ନିଜ ହେପାଜତରେ ନେବା ପରେ ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟର ହାଜତରେ ରଖିଥିଲେ । ଆଜି ଅପରାହ୍ନରେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟରେ ତାଙ୍କୁ ପେସ୍ କରିଛନ୍ତି । ବିଚାରପତି କାବେରୀ ବାବେଜା ମାମଲାର ଶୁଣାଣୀ କରୁଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଶେଷରେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରାଯାଇ ଥିବାରୁ ବିଜେପି ତାହାକୁ ସ୍ୱାଗତ କରିଛି । କେଜରୀୱାଲ ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ । ଅର୍ଥନୈତିକ ଅପରାଧ ମାମଲାର ତଦନ୍ତ କରୁଥିବା ଇଡି ଶାସକ ଦଳର ଚାପରେ ନୁହେଁ, ତଦନ୍ତରୁ ମିଳିଥିବା ତଥ୍ୟ, ପ୍ରମାଣ ଆଧାରରେ କାର୍ଯ୍ୟକରୁଛି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଇଡି ପକ୍ଷରୁ ଜେରା ପାଇଁ ନଅ ଥର ସମନ କରାଯାଇଥିଲେ ମଧ୍ୟ ସେ ତାହାକୁ ଏଡାଇ ଯାଇଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଗତକାଲି ତାଙ୍କୁ ସମ୍ଭାବ୍ୟ ଗିରଫଦାରୀରୁ ଆଶ୍ୱସ୍ତି ଦେବାକୁ ମନା କରିଦେଲା । ଇଡି ଦଶମ ସମନ ସହ ତାଙ୍କ ବାସଭବନକୁ ଯାଇ ଚଢାଉ କରିବା ସହ କେଜରୀୱାଲଙ୍କୁ ଗିରଫ କରିବା ଆଇନସଂଗତ ବୋଲି ବିଜେପିର ବରିଷ୍ଠ ନେତାମାନେ ଆଜି ଗଣମାଧ୍ୟମରେ ବୟାନ ଦେଉଥିବା ବେଳେ ବିରୋଧୀ ‘ଇଣ୍ଡିଆ’ ମେଂଟ ନେତାମାନେ ଏହି ଗିରଫଦାରୀକୁ ଗଣତନ୍ତ୍ର ପ୍ରତି ଶକ୍ତ ଆଘାତ କହି ତାହାର କଡା ନିନ୍ଦା କରିଛନ୍ତି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିସ (ଡିଏମକେ) ପ୍ରମୁଖ ଏହି ଗିରଫଦାରୀର କଡା ନିନ୍ଦା କରିବା ସହ ଦେଶର ଗଣତନ୍ତ୍ର ପ୍ରତି ଏହା ଏକ ଶକ୍ତ ଆଘାତ ବୋଲି କହିଛନ୍ତି । ସେମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଏକଛତ୍ରବାଦ ଓ ସାମ୍ରାଜ୍ୟବାଦ ରାଜନୀତିକୁ ସମାଲୋଚନା କରିଛନ୍ତି । କେଜରୀୱାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଥିବା ତାଙ୍କ ବୁଢୀ ମାଆ, ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ଦିଲ୍ଲୀ ପୁଲିସ ଗୃହବନ୍ଦୀ କରିଥିବା ଏବଂ ସେମାନଙ୍କୁ ଭେଟିବାକୁ କାହାରିକୁ ସୁଯୋଗ ଦିଆଯାଉନଥିବା କଥାକୁ ମଧ୍ୟ ‘ଆପ୍’ ଓ ବିରୋଧୀ ମେଂଟ ନେତାଙ୍କ ପକ୍ଷରୁ ନିନ୍ଦା କରାଯାଇଛି । ‘ଆପ୍’ର ଶତାଧିକ କର୍ମୀ କେଜରୀୱାଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ଇଡି କାର୍ଯ୍ୟାଳୟ ନିକଟରେ ଗତକାଲି ରାତିରୁ ୧୪୪ ଧାରା ଜାରି କରାଯାଇଥିବାରୁ ତାହାର ଉଲଂଘନ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ‘ଆପ୍’ ନେତା ଓ କର୍ମୀଙ୍କୁ ଗିରଫ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହୁଛି । ଦିଲ୍ଲୀ ସରକାରର ମନ୍ତ୍ରୀ ଅତଶୀ ମଧ୍ୟ ବିକ୍ଷୋଭକାରୀଙ୍କ ସହ ଅଛନ୍ତି । କେଜରୀୱାଲଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଉ କିଛି ବିରୋଧୀ ନେତା ମଧ୍ୟ ‘ଇଡି’ର ରାଡରରେ ଥିବା ସୂଚନା ମିଳୁଛି । ୟୁପିର ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଅନ୍ୟ ଏକ ମାମଲାରେ ଇଡିରେ ହାଜର ହେବାକୁ ନୋଟିସ ହୋଇଥିବା କିଛି ଦିନ ତଳେ ଗଣମାଧ୍ୟମରେ ଖବର ହୋଇଥିଲା । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା (କଂଗ୍ରେସ) ଦୁବାଇ ଭିତ୍ତିକ ଏକ ବେଆଇନ ‘ଗେମିଂ ଆପ୍’ର ମାଲିକଙ୍କୁ ସୁରକ୍ଷା ଦେବା ଶତାଧିକ କୋଟି ଟଙ୍କାର ଲାଂଚ ନେଇଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ମାମଲା କରିଛି ଏବଂ ଅଭିଯୁକ୍ତ ତାଲିକାରେ ତାଙ୍କ ନାମ ରଖିଛି । ଆସନ୍ତା ଏପ୍ରିଲ ୧୯ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଦେଶରେ ସାଧାରଣ ନିର୍ବାଚନ ସହ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଂଟରେ ଥିବା ୧୧୫କୋଟି ଟଙ୍କାକୁ ଆୟକର ବିଭାଗ ଫ୍ରିଜ୍ କରି ଦେଇଥିବା ବା ଉଠାଇ ନେଇଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଗତକାଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । କଂଗ୍ରେସ ଦଳ ଆୟକର ବାବଦରେ ୧୧୫ କୋଟି ଟଙ୍କା ଦୀର୍ଘ ଦିନ ହେଲା ବକେୟା ରଖି ଥିବାରୁ ଦଳର ଆକାଉଂଟରେ ଥିବା ଫ୍ରିଜ୍ କରାଯାଇଛି ବୋଲି ଆୟକର ବିଭାଗ କହୁଥିବା ବେଳେ ଦଳ ଏହା ବିରୋଧରେ ଆୟକର ବିଭାଗ ଆପିଲେଟ୍ ଟ୍ରିବ୍ୟୁନାଲ ଏବଂ ଦିଲ୍ଲୀ ହାଇକୋର୍ଟକୁ ଯାଇ ମଧ୍ୟ କୌଣସି ପ୍ରକାର ଆଶ୍ୱସ୍ତି ପାଇଲା ନାହିଁ । ଆୟକର ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଦଳର ନିର୍ବାଚନ ପରିଚାଳନା କାର୍ଯ୍ୟ ମୁସ୍କିଲ ହେଇଛି । ଦଳ ପାଖରେ କପର୍ଦ୍ଦକଟିଏ ନାହିଁ ବୋଲି ସୋନିଆ ଓ ରାହୁଲ କହିଛନ୍ତି । ନିର୍ବାଚନ ପୂର୍ବରୁ ଦେଶର ମୁଖ୍ୟ ବିରୋଧୀ ଦଳକୁ ନିରସ୍ତ୍ର କରି ଦେବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଭଳି ଏ ବିଚିତ୍ର ପରିସ୍ଥିରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ବିଜେପି ସମର୍ଥକମାନେ ବିରୋଧୀ ନେତାଙ୍କୁ ଦୁର୍ନୀତିଗ୍ରସ୍ତ କହି ସିବିଆଇ, ଇଡି ଓ ଆୟକର ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେଉଥିବା ବେଳେ ବିରୋଧୀ ରାଜନୈତିକ ଦଳମାନେ ଏସବୁ କାର୍ଯ୍ୟାନୁଷ୍ଠାନକୁ ଦେଶକୁ ବିରୋଧୀ-ଶୂନ୍ୟ କରିବାକୁ ଶାସକ ଦଳର ବଡ ଚକ୍ରାନ୍ତ କହି ସମାଲୋଚନା କରୁଛନ୍ତି । ଆସନ୍ତା ନିର୍ବାଚନରେ ଦେଶରେ ବହୁ ସଂଖ୍ୟାରେ ନୂଆ ପୀଢିର ଯୁବକ, ଯୁବତୀ ଓ ମହିଳା ଭୋଟ ଦେବାକୁ ଯାଉଥିବାରୁ ସେମାନେ ସାଂପ୍ରତିକ ରାଜନୀତିକୁ ବୁଝି ମତଦାନ କରିବା ଉପରେ ଦେଶର ଭବିଷ୍ୟତ ବହୁମାତ୍ରାରେ ନିର୍ଭର କରୁଛି । ଏବେ ବିରୋଧୀ ନେତାଙ୍କୁ ସରକାରୀ ଏଜେନ୍ସୀ ଗିରଫ କରିବା ସାଧାରଣ ଘଟଣାରେ ପରିଣତ ହୋଇଛି । ତେଣୁ, କେଜରୀୱାଲ ଗିରଫ ହେବା ଘଟଣା ଆସନ୍ତା ନିର୍ବାଚନକୁ ବିଶେଷ ପ୍ରଭାବିତ କରିବ ନାହିଁ ବିଜେପି ସମର୍ଥକମାନେ ଯୁକ୍ତି କରୁଥିଲେ ମଧ୍ୟ ବାସ୍ତବରେ ଏହା ବିରୋଧୀ ମେଂଟକୁ ସରକାର ବିରୋଧରେ ଲଢିବା ପାଇଁ ଏକାଠି କରିବାରେ ସହାୟକ ହେବ ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି । ତେବେ, ସକରାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା କିଏ ଲାଭବାନ ହେଉଛି ତାହା ଜୁନ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ହିଁ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS