କେଜରୀୱାଲଙ୍କ ବିଚାରଣା ମୁକ୍ତ ଓ ନିରପେକ୍ଷ ହେଉ – ଜର୍ମାନୀର ମନ୍ତବ୍ୟକୁ ନେଇ ଭାରତ କ୍ଷୁବ୍ଧ
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୩ ମାର୍ଚ୍ଚ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଗିରଫ କରାଯିବା ଘଟଣାରେ ଜର୍ମାନୀ ଦୂତାବାସ ଭାରତ ସରକାରଙ୍କ ରୋଷର ଶିକାର ହୋଇଛି । ଆଜି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଦିଲ୍ଲୀରେ ଅବସ୍ଥାପିତ ଜର୍ମାନୀ ଦୂତାବାସର ଡେପୁଟୀ ହେଡ୍ ଅଫ୍ ମିସନ୍ ଜର୍ଜ ଏନଜ୍ୱେଲରଙ୍କୁ ଡକାଇ ଭାରତ ସରକାରଙ୍କ ପ୍ରତିବାଦ ଜଣାଇ ଦେଇଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟ ଏହି ଗିରଫଦାରୀ ଉପରେ ମନ୍ତବ୍ୟ ଦେବା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସଦୃଶ ହୋଇଛି ବୋଲି ଭାରତ ସରକାର ଜଣାଇ ଦେଇଛନ୍ତି । ଆଜି ସକାଳେ ଜର୍ମାନୀ ଦୂତାବାସର ଡେପୁଟୀ ହେଡ୍ ଅଫ୍ ମିସନ୍ ଏନଜ୍ୱେଲର ସାଉଥ ବ୍ଲକସ୍ଥିତ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟକୁ ଆସି ଫେରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଦେଖିଛନ୍ତି । କେଜରୀୱାଲଙ୍କ ଗିରଫ ଉପରେ ଜମାନୀ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିକ୍ରିୟା ରଖାଯାଇ ତଦନ୍ତ ମୁକ୍ତ ଓ ନିରପେକ୍ଷ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଥିଲେ, ‘ଭାରତ ହେଉଛି ଏକ ଗଣତନ୍ତ୍ରିକ ରାଷ୍ଟ୍ର, ଆମେ ସ୍ୱୀକାର କରୁଛୁ । ଏହି ମାମଲାର ବିଚାରଣା ବେଳେ ବିଚାର ବ୍ୟବସ୍ଥାର ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା କରିବାକୁ ଭାରତ ପ୍ରାଧାନ୍ୟ ଦେବ ବୋଲି ଆମେ ଆଶା କରୁଛୁ ।’ ବିଚାରଣା ମୁକ୍ତ ଓ ନିରପେକ୍ଷ ହେବା କେଜରୀୱାଲଙ୍କ ଅଧିକାର ଏବଂ ଜଣେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ଦୋଷ ବୋଲି ବିଚାର କରାଯିବାର ମୌଳିକ ଅଧିକାର ହେଉଛି ଆଇନର ଶାସନ ବୋଲି ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମତ ଦେଇଥିଲେ । କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏଥିରେ କ୍ଷୁବ୍ଧ ହୋଇ ଜର୍ମାନୀ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି ବୋଲି କହିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଧିକାରୀମାନେ ଗୁରୁବାର ରାତି ୭ଟା ସମୟରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଚଢାଉ କରିଥିଲେ ଏବଂ ଦୁଇ ଘଂଟା ଜେରା କରିବା ପରେ ରାତି ୯ଟାରେ ଗିରଫ କରିଥିଲେ । ଗତକାଲି ଅପରାହ୍ନରେ କେଜରୀୱାଲଙ୍କୁ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ବିଚାରପତି ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କେଜରୀୱାଲଙ୍କୁ ଅଧିକ ଜେରା ପାଇଁ ଇଡି ରିମାଣ୍ଡରେ ଛାଡିଛନ୍ତି । ଇଡି ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ସାତ ଦିନ ପାଇଁ ରିମାଣ୍ଡ ଦେବା ସହ ୨୮ ତାରିଖ ଦିନ କେଜରୀୱାଲଙ୍କୁ କୋର୍ଟରେ ହାଜର କରିବାକୁ ଇଡିକୁ ନିର୍ଦେଶ ଦେଇଛନ୍ତି । ଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେରୀୱାଲଙ୍କୁ ମୁଖ୍ୟ ‘ଷଡଯନ୍ତ୍ରକାରୀ’ ଦର୍ଶାଇ ଗୁରୁବାର ରାତିରେ ଗିରଫ କରିଛନ୍ତି । ଦିଲ୍ଲୀ ସରକାର ପରେ ପ୍ରତ୍ୟାହାର କରି ନେଇଥିବା ଏହି ନୂତନ ଅବକାରୀ ନୀତିରେ ଅବିଶ୍ୱସନୀୟ ମୁନାଫା ବ୍ୟବସ୍ଥା ହୋଇଥିଲା । ରିଟେଲରମାନେ ପାଖାପାଖି ୧୮୫ ପ୍ରତିଶତ ଓ ହୋଲସେଲରମାନେ ୧୨ ପ୍ରତିଶତ ମୁନାଫା କମାଇବା ବ୍ୟବସ୍ଥା ହୋଇଥିଲା, ଯେଉଥିରେ କି ମଧ୍ୟସ୍ଥି, ବ୍ୟବସାୟୀ ଓ ରାଜନେତାଙ୍କ ଏକ ନେଟୱାର୍କ କାମ କରୁଥିଲା । ଏହାକୁ ‘ଦକ୍ଷିଣୀ ଗୃପ୍’ ବୋଲି ଇଡି କୋର୍ଟରେ ଦର୍ଶାଇଛି । ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରାଇବାରେପ୍ରମୁଖ ଭୂମିକାରେ ଥିବା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀ ୨୬ ତାରିଖରେ ସିବିଆଇ ଦ୍ୱାରା ଏବଂ ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ଅକ୍ଟୋବର ୫ ତାରିଖରେ ଇଡି ଦ୍ୱାରା ଗିରଫ ହୋଇ ଜାମିନ ମିଳୁ ନଥିବାରୁ ଜେଲରେ ରହିଛନ୍ତି । ଦକ୍ଷିଣୀ ଲବିର ମୁଖ୍ୟ କୁହାଯାଉଥିବା ତେଲେଂଗାନାର ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତା ନିକଟରେ ହାଇଦ୍ରାବାଦରୁ ଗିରଫ ହୋଇ ଦିଲ୍ଲୀରେ ଇଡି ହେପାଜତରେ ରହିଛନ୍ତି । କବିତା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ । ଗତକାଲି ସୁପ୍ରିମ କୋଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ଏବଂ ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ନିର୍ଦେଶ ଦେଇଥିଲେ । ଜେରା ସମୟରେ କବିତା ଦେଇଥିବା ବୟାନ ଭିତ୍ତିରେ ଇଡି ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦଶମ ସମନ ଜାରି କରି ତାଙ୍କ ବାସଭବନରେ ଚଢାଉ କରିବା ସହ ତାଙ୍କୁ ଗିରଫ କରିଥିଲା । କେଜରୀୱାଲ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଇଡି ହାଜତରେ ରହି ଜେରାର ସମ୍ମୁଖିନ ହେବେ । କେଜରୀୱାଲଙ୍କ ଘନିଷ୍ଟ ସହଯୋଗୀ ତଥା ‘ଆପ୍’ର ସଂଯୋଜନା ବିଭାଗ ମୁଖ୍ୟ ବିଜୟ ନାୟାର ମଧ୍ୟ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି । ସେ ବର୍ତ୍ତମାନ ରାଜସାକ୍ଷୀ ପାଲଟି ଥିବାରୁ ‘ଆପ୍’ର ଅଡୁଆ ବଢିଛି । ଅବକାରୀ ଦୁର୍ନୀତିରୁ ‘ଆପ୍’କୁ ମିଳିଥିବା ଶତାଧିକ କୋଟି ଟଙ୍କା ଗୋଆ ବିଧାନସଭା ନିର୍ବାଚନ ଓ କିଛି ଅଂଶରେ ପଂଜାବ ବିଧାନସଭା ନିର୍ବାଚନରେ ଦଳ ଖର୍ଚ୍ଚ କରିଛି ବୋଲି ଇଡି ତଦନ୍ତ ବେଳେ ପ୍ରମାଣ ପାଇଛି ବୋଲି କୋର୍ଟକୁ ଜଣାଇଛି । କେଜରୀୱାଲଙ୍କ ଗିରଫ ବିରୋଧରେ ‘ଆପ୍’ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନାତ୍ମକ କାର୍ଯ୍ୟ ଚାଲିଥିବା ବେଳେ ବିରୋଧୀ ଦଳ ମେଂଟ (ଇଣ୍ଡିଆ)ରେ ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ମିଳିତ ଭାବେ ତାହା ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ନେତାଙ୍କ ବିରୋଧରେ ସିବିଆଇ, ଇଡି ଓ ଆୟକର ବିଭାଗକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଦେଶର ଗଣତନ୍ତ୍ର ପାଇଁ ଏବେ ‘କଳା ଦିନ’ ଚାଲିଛି ବୋଲି କହି ଆସନ୍ତା ସାଧାରଣ ନିର୍ବାଚନରେ ଦେଶବାସୀ ହାର ଉଚିତ ଜବାବ ଦେବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । କେଜରୀୱାଲଙ୍କ ଗିରଫ ବିରୋଧରେ ‘ଆପ୍’ ପକ୍ଷରୁ ଆସନ୍ତା ୨୬ ତାରିଖ ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଆଜି ଦଳର ନେତା ଗୋପାଳ ରାଏ ଗଣମାଧ୍ୟମକୁ କହିଛନ୍ତି । ଅପରପକ୍ଷରେ, ଦିଲ୍ଲୀରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍)ର ମୁଖ୍ୟ କାର୍ଯ୍ୟାଳୟକୁ ଆଜି ଦିଲ୍ଲୀ ପୁଲିସ ଚାରିପଟୁ ସିଲ୍ କରି ଦେଇଥିବା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତଶୀ ଅଭିଯୋଗ କରିଛନ୍ତି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ମୁକ୍ତ ଓ ଅବାଧ ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରିଛି । ତେଣୁ, ଦଳ ଏନେଇ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରସ୍ଥ ହେବ ବୋଲି ଅତଶୀ କହିଛନ୍ତି । କେଜରୀୱାଲଙ୍କ ଗିରଫଦାରୀ ଅଗଣତାନ୍ତ୍ରିକ ବୋଲି ତାଙ୍କ ପତ୍ନୀ ସୁନିତା କେଜରୀୱାଲ ମଧ୍ୟ ଗତକାଲି ବୟାନ ଦେଇଛନ୍ତି, ଯାହାକି ଦେଶର ସମସ୍ତ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ବିଜେପି ଏହାର କଡା ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ପଦରୁ କେଜରୀୱାଲଙ୍କୁ ହଟାଇବା ପାଇଁ ‘ଆପ୍’ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ଏହି ଦୌଡରେ କେଜରୀୱାଲଙ୍କ ପତ୍ନୀ ମଧ୍ୟ ସାମିଲ ହୋଇଯାଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି କଟାକ୍ଷ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସଂଜୟ ନିରୁପମଙ୍କ ବୟାନ ମଧ୍ୟ ବିବାଦୀୟ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ କାହାଠୁ ଟଙ୍କା ନେଇଛନ୍ତି କି ନାହିଁ ତାହା କୋର୍ଟ ବିଚାର କରିବେ । ତାହା ଉପରେ ତାଙ୍କର କିଛି କହିବାର ନାହିଁ । ତେବେ, ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ୟକ୍ତି, ବିଶେଷକରି ଜଣେ ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ନଦେଇ ଜେଲ ଭିତରୁ ସରକାର ଚଳାଇବେ ବୋଲି କହିବା ଖରାପ ପରଂପରା ସୃଷ୍ଟି କରୁଛି ବୋଲି ନିରୁପମ କହିଛନ୍ତି । ପଂଜାବର କଂଗ୍ରେସ ନେତାମାନେ ମଧ୍ୟ କେଜରୀୱାଲଙ୍କ ଗିରଫଦାରୀକୁ ସ୍ୱାଗତ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଜାତୀୟସ୍ତର ନେତାମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫଦାରୀକୁ ନିନ୍ଦା କରି ଦେଶର ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ଏହାଦ୍ୱାରା ବିପନ୍ନ ହୋଇଛି ବୋଲି କହୁଥିବା ବେଳେ ପଂଜାବ କଂଗ୍ରେସ ନେତାମାନେ ଏହି ଗିରଫଦାରୀକୁ ସ୍ୱାଗତ କରିବା ଏବଂ ସଂଜୟ ନିରୁପମଙ୍କ ଭଳି କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ଜାତୀୟ ମୁଖପାତ୍ର ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିବା କଂଗ୍ରେସ ଦଳ ଓ ବିରୋଧୀ ମେଂଟରେ ସବୁ କିଛି ଠିକ୍ ଠାକ୍ ଚାଲିନି ବୋଲି ସନ୍ଦେଶ ଦେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS