ମଦ ଦୁର୍ନୀତିର ରାଜସାକ୍ଷୀ ଇବି ମାଧ୍ୟମରେ ବିଜେପିକୁ ୩୪ କୋଟି ଟଙ୍କା ଦେଇଛନ୍ତି !
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୪ ମାର୍ଚ୍ଚ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପରେ ରାଜସାକ୍ଷୀ ହୋଇଥିବା ଶରତ ଚନ୍ଦ୍ର ରେଡ୍ଡୀଙ୍କ ଫାର୍ମା କଂପାନୀ ‘ଅରବିନ୍ଦ ଫାର୍ମା’ ମୋଟ ୫୨ କୋଟି ଟଙ୍କାର ଇଲୋକ୍ଟୋରାଲ ବଣ୍ଡ୍ (ଇବି) କିଣିଥିବା ବେଳେ ସେଥିରୁ ୫ କୋଟି ଟଙ୍କାର ବଣ୍ଡ୍ ବିଜେପିକୁ ଦେଇଥିବା ଓ ବିଜେପି ତାହାକୁ ଭଂଗାଇ ଥିବା ନିର୍ବାଚନ କମିଶନ ପକ୍ଷରୁ ଖୁଲାସା ହୋଇଥିବା ତଥ୍ୟରୁ ସୂଚନା ମିଳିଛି । ଶରତ ଚନ୍ଦ୍ର ରେଡ୍ଡୀ ବଣ୍ଡ୍ କିଣା ସମୟରେ ଅରବିନ୍ଦ ଫାର୍ମାର ନିର୍ଦେଶକ ଥିଲେ । ୨୦୨୨ରେ ଅବକାରୀ ଦୁର୍ନୀତି ମାମଲାରେ ଶରତ ରେଡ୍ଡୀ ଗିରଫ ହେବାର ପାଂଚ ଦିନ ପରେ କଂପାନୀ ୫ କୋଟି ଟଙ୍କାର ଇବି କିଣିଥିଲା । ୫ କୋଟି ଟଙ୍କାର ବଣ୍ଡ୍ କିଣାର କିଛି ଦିନ ପରେ ୨୦୨୨ରେ ହିଁ ବିଜେପି ଏହାକୁ ଭଂଗାଇଛି । ଅରବିନ୍ଦ ଫାର୍ମା ମୋଟ ୫୨ କୋଟି ଟଙ୍କାର ବଣ୍ଡ୍ କିଣିଥିବା ବେଳେ ଏହାର ୬୬ ପ୍ରତିଶତ ଅର୍ଥାତ ୩୪ କୋଟି ଟଙ୍କା ବିଜେପିକୁ ମିଳିଛି । ତେଲେଂଗାନାର ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ଏଥିରୁ ୨୯ ପ୍ରତିଶତ ବଣ୍ଡ୍ ପାଇ ଭଂଗାଇ ଥିବା ବେଳେ ବଳକା ଟଙ୍କାର ବଣ୍ଡ୍ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁର ତେଲୁଗୁ ଦେଶମ ପାର୍ଟି (ଟିଡିପି)କୁ ଯାଇଛି ବୋଲି ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।
ଏହି ରିପୋର୍ଟରୁ ଜଣାପଡିଛି, ନିର୍ବାଚନ କମିଶନ ଦ୍ୱାରା ଜାରି ଇଲୋକ୍ଟୋରାଲ ବଣ୍ଡ୍ ସଂପର୍କିତ ସଦ୍ୟ ତଥ୍ୟ ଅନୁଯାୟୀ ଅରବିନ୍ଦ ଫାର୍ମା କଂପାନୀ ୨୦୨୧ ଏପ୍ରିଲରୁ ୨୦୨୩ ନଭେମ୍ବର ମଧ୍ୟରେ ଏହି ୫୨ କୋଟି ଟଙ୍କାର ଇବି କିଣିଥିଲା । ସେଥିରୁ ୫ କୋଟି ଟଙ୍କା ବଣ୍ଡ୍ ବିଜେପି ପାଇଛି । ଅରବିନ୍ଦ ଫାର୍ମା ନିର୍ଦେଶକ ସତୀଶ ରେଡ୍ଡୀ ୨୦୨୨ ନଭେମ୍ବର ୧୦ ତାରିଖରେ ଗିରଫ ହୋଇଥିଲେ । ତାଙ୍କ ଫର୍ମା କଂପାନୀ ୨୦୨୨ ନଭେମ୍ବର ୧୫ ତାରିଖରେ ଏହି ୫ କୋଟି ଟଙ୍କାର ବଣ୍ଡ୍ କିଣିଥିଲା ଏବଂ ବିଜେପିକୁ ୨୦୨୨ ନଭେମ୍ବର ୨୧ ତାରିଖରେ ଏହି ବଣ୍ଡ୍ ଭଂଗାଇଛି । ବତ୍ ର୍ତମାନ କଂପାନୀର ନନ୍-ଏକଜିକ୍ୟୁଟିଭ ଡାଇରେକ୍ଟର ଥିବା ସତୀଶ ରେଡ୍ଡୀଙ୍କୁ ୨୦୨୩ ଜୁନରେ ଦିଲ୍ଲୀ ଏକ ଅଦାଲତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜସାକ୍ଷୀ ହେବାକୁ ଅନୁମତି ଦେଇଥିଲେ । ଅତିରିକ୍ତ ଭାବେ କୋର୍ଟ ତାଙ୍କୁ ଏହି ମାମଲାରେ କ୍ଷମା ପ୍ରଦାନ କରିଥିଲେ ।
ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀ ସରକାରର ଶିକ୍ଷା ମନ୍ତ୍ରୀ ଅତଶୀ ଶନିବାର ସତୀଶ ରେଡ୍ଡୀଙ୍କ କଂପାନୀର ବଣ୍ଡ୍ କିଣି ଏବଂ ସେଥିରୁ ନିର୍ବାଚନ ପାଣ୍ଠି ବାବଦରେ କାହାକୁ କେତେ ଯାଇଛି ତାହାର ସୂଚନା ଦେଇଥିଲେ ଏବଂ ଇଡି (କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ) କିଭଳି ଶାସକ ବିଜେପି ପାଇଁ କାମ କରୁଛି ତାହା ସୂଚାଇ ଥିଲେ । ଇଡି ପୂର୍ବରୁ ସତୀଶ ରେଡ୍ଡୀଙ୍କୁ ମଦ ପ୍ରସ୍ତୁତ କରୁଥିବା ଶିଳ୍ପ ସହ ସଂପୃକ୍ତ ଥିବା ଏବଂ ଏହି କାରବାରରେ ଥିବା ବ୍ୟବସାୟୀ ଓ ରାଜନେତାଙ୍କ ସହ ସଂପର୍କରେ ରହି ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତିର ଫାଇଦା ନେଇଥିବା ଅଭିଯୋଗରେ ଅଭିଯୁକ୍ତ କରିଥିଲା । ଦିଲ୍ଲୀ ଏଲଜିଙ୍କ ସୁପାରିଶକ୍ରମେ ସିବିଆଇ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିବା ପରେ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ ।
ଅରବିନ୍ଦ ଫାର୍ମା ହେଉଛି ଦେଶର ଏକ ଅଗ୍ରଣୀ ଫାର୍ମାସ୍ୟୁଟିକାଲ କଂପାନୀ । ୨୦୨୩ରେ କଂପାନୀର ଆୟ ୨୪ ହଜାର କୋଟି ଟଙ୍କା ଟପି ଯାଇଥିଲା । କଂପାନୀ ଯେଉଁ ୫୨ କୋଟି ଟଙ୍କାର ଇବି କିଣି ଥିଲା ସେଥିରୁ ୫୭ ପ୍ରତିଶତ ୨୦୨୨ ନଭେମ୍ବରରୁ ୨୦୨୩ ନଭେମ୍ବର ମଧ୍ୟରେ କିଣା ଯାଇଥିଲା ବୋଲି ନିର୍ବାଚନ କମିଶନ ପକ୍ଷରୁ ଜାରି ଇବି ସଂପର୍କିତ ସଦ୍ୟ ତଥ୍ୟରୁ ସୂଚନା ମିଳିଛି । ଇଡି କୋର୍ଟରେ ଦାଖଲ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ସମୟରେ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ ହୋଇଛି । ଏହି ସବୁ ବୟାନରୁ ଆମ୍ ଆଦମୀ ପାର୍ଟି (ଆପ୍)ର ଯୋଗାଯୋଗ ଇନ୍-ଚାର୍ଜ ବିଜୟ ନାୟାର ‘ଦକ୍ଷିଣୀ ଗୃପ୍’ ନିକଟରୁ ୧୦୦ କୋଟି ଟଙ୍କା ଲାଂଚ ନେଇଥିବା ସୂୂଚନା ମିଳୁଛି । ତାହା ମଧ୍ୟ ଦକ୍ଷିଣୀ ଗୃପ୍ ଓ ଆପ୍ ନେତାଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ନାୟାରଙ୍କୁ ଆଗୁଆ ମିଳି ଯାଇଥିଲା । ସତୀଶ ରେଡ୍ଡୀ ‘ଦକ୍ଷିଣୀ ଗୃପ୍’ ସହଯୋଗୀ ବୋଲି ଇଡି ପୂର୍ବରୁ ତାହାର ଅଭିଯୋଗପତ୍ରରେ ଦର୍ଶାଇଥିଲା ।
ଏଠାରେ ଦୁଇଟି ସୂଚନା ଦିଆଯାଇପାରେ । ପ୍ରଥମ ହେଉଛି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା (ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ) ୧୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ରାଜସାକ୍ଷୀ ପାଲଟିଛନ୍ତି । ବିଜୟ ନାୟାର ଓ ସତୀଶ ରେଡ୍ଡୀ ରାଜସାକ୍ଷୀଙ୍କ ମଧ୍ୟରେ ଅଛନ୍ତି । ଦ୍ୱତୀୟ ସୂଚନା ହେଉଛି, ଅରବିନ୍ଦ ଫାର୍ମା ହେଉଛି ଏକ ବିଶ୍ୱସ୍ତରୀୟ ଫାର୍ମାସ୍ୟୁଟିକାଲ କଂପାନୀ, ଯାହାରକି ୯୦ ପ୍ରତିଶତ ଆୟ ଆନ୍ତର୍ଜାତିକ କାରବାରରୁ ଆସୁଛି । ଦେଶର ବିଭିନ୍ନ ରାଜନୈତିକ ଦଳ କର୍ପୋରେଟ ସଂସ୍ଥା ଓ ବ୍ୟକ୍ତବିଶେଷଙ୍କଠାରୁ ପାଉଥିବା ନିର୍ବାଚନ ପାଣ୍ଠିର ପରିମାଣକୁ ଅଧିକ ପାରଦର୍ଶୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୮ରେ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ କାର୍ଯ୍ୟକାରୀ କରିଥିଲେ । ଇବି ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ମିଳିଥିବା ନିର୍ବାଚନ ପାଂଠିରୁ ସର୍ବାଧିକ ଭାଗ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ ମିଳିଛି ।
କେଉଁ ରାଜନୈତିକ ଦଳକୁ କେଉଁ କର୍ପୋରେଟ ସଂସ୍ଥା ବା ବ୍ୟକ୍ତବିଶେଷ ନିର୍ବାଚନ ବଣ୍ଡ୍ ମାଧ୍ୟମରେ ରାଜନୈତିକ ଦଳକୁ ଇବି ମାଧ୍ୟମରେ କେତେ ଅର୍ଥ ଦାନ କରିଛନ୍ତି ତାହା ଗୋପନ ରଖାଯିବାକୁ ସରକାର ବ୍ୟବସ୍ଥା କରିଥିଲେ । ଏହା ସମ୍ବିଧାନରେ ଥିବା ଜନସାଧାରଣଙ୍କ ତଥ୍ୟ ଜାଣିବାର ଅଧିକାରକୁ ଉଲଂଘନ କରୁଥିବା ଏବଂ ନିର୍ବାଚନ ବଣ୍ଡ୍ ସ୍କିମରେ ପାରଦର୍ଶିତା ନଥିବା ଅଭିଯୋଗ କରି ସୁପ୍ରିମ କୋର୍ଟରେ ଏକାଧିକ ମାମଲା ହୋଇଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ନାଂଚ ଜଣିଆ ବେଂଚ୍ ଏସବୁ ମାମଲାର ବିଚାର କରି ଗତ ଫେବୃୟାରୀ ୧୫ ତାରିଖରେ ରାୟ ପ୍ରଦାନ କରିଥିଲେ । ଇବି ସ୍କିମ୍ ରେ ଦାତା ଓ ଦାନ ଦେଇଥିବା ସଂସ୍ଥାଙ୍କ ନାମ ଗୋପନ ରଖାଯିବା ବ୍ୟବସ୍ଥା ଜନସାଧାରଣଙ୍କ ତଥ୍ୟ ଜାଣିବାର ଅଧିକାରକୁ ନେଇ ସମ୍ବିଧାନରେ ଥିବା ବ୍ୟବସ୍ଥାର ଉଲଂଘନ କରୁଛି ବୋଲି ସୁପ୍ରିମ କୋର୍ଟ ଦେବା ସହ ସେହି ଦିନ ଏହି ସ୍କିମ୍ କୁ ‘ଅସାମ୍ବିଧାନିକ’ ଘୋଷଣା କରିଥିଲେ ।
ଏସବିଆଇ (ଭାରତୀୟ ଷ୍ଟେଟ ବ୍ୟାଙ୍କ) ହେଉଛି ଏକମାତ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଯିଏକି ନିର୍ବାଚନ ବଣ୍ଡ୍ ବିକ୍ରି କରୁଥିଲା ଏବଂ ଯେଉଁ ରାଜନୈତିକ ଦଳ ବଣ୍ଡ୍ ପାଉଥିଲେ ସେମାନେ ୧୫ ଦିନ ମଧ୍ୟରେ ତାହା ବ୍ୟାଙ୍କକୁ ନେଇ ଭଂଗାଉ ଥିଲେ । ୧୫ ଦିନ ମଧ୍ୟରେ ବଣ୍ଡ୍ ନ ଭଂଗାଇଲେ ସେବାବଦ ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ଚାଲିଯିବା ବ୍ୟବସ୍ଥା ଥିଲା । ୨୦୧୮ରୁ ଏହି ସ୍କିମ୍ କାର୍ଯ୍ୟକାରୀ ହୋଇଥିବାରୁ ବଣ୍ଡ୍ ସଂପର୍କିତ ସମସ୍ତ ତଥ୍ୟ ଏସବିଆଇ ନିକଟରେ ଗୋପନୀୟ ରହିଥିଲା । ସୁପ୍ରିମ କୋର୍ଟ ବଣ୍ଡ୍ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ଏବଂ ନିର୍ବାଚନ କମିଶନ ସଂପୂର୍ଣ୍ଣ ତଥ୍ୟ ପାଇବା ପରେ ଜନସାଧାରଣଙ୍କୁ ତାହା ସହଜରେ ଉପଲବ୍ଧ କରାଇବା ପାଇଁ ନିଜ ୱେବ୍ ସାଇଟରେ ଅପ୍ ଲୋଡ୍ କରିବାକୁ ନିର୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ତାଗିଦ ପରେ ଏସବିଆଇ ନିର୍ବାଚନ କମିଶନଙ୍କ ନିକଟରେ ଇବି ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନକୁ ହସ୍ତାନ୍ତର କରିଛି ଏବଂ ନିର୍ବାଚନ କମିଶନ ସେସବୁ ତଥ୍ୟ ନିଜ ୱେବ୍ ସାଇଟରେ ଅପ୍ ଲୋଡ୍ କରିବା ପରେ ଏବେ ବହୁ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS