ବିଜେପିର ପ୍ରାର୍ଥୀ ତାଲିକା ଆସିଲା, ବିଜେଡ଼ିର କେବେ ?
ପ୍ରସାଦ ରାଓ
ଭୁବନେଶ୍ୱର/୨୫ ମାର୍ଚ୍ଚ
ବିଜେପି ଗତକାଲି ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ପାଇଁ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରି ବିଜେଡ଼ି ବିରୋଧରେ ଯୁଦ୍ଧ ଘୋଷଣା କରିଛି । କଟକ, ଯାଜପୁର ଓ କନ୍ଧମାଳରୁ ଦଳର ପ୍ରାର୍ଥୀ କିଏ ହେବେ ଘୋଷଣା ହେବାକୁ ବାକି ଥିବା ବେଳେ ୧୮ଟି ଆସନରେ ଜିତିଲା ଭଳି ଦକ୍ଷ ପ୍ରାର୍ଥୀଙ୍କୁ ତାଲିକାରେ ସ୍ଥାନ ଦିଆଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ପୁନର୍ବାର ଟିକଟ ପାଇଥିବା ବେଳେ ବରଗଡ଼ ସାଂସଦ ସୁରେଶ ପୁଜାରୀ, ମୟୁରଭଂଜ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ସମ୍ବଲପୁର ସାଂସଦ ନୀତିଶ ଗଂଗଦେବ ଏଥର ପ୍ରାର୍ଥୀ ତାଲିକାରୁ ବାଦ ପଡିଛନ୍ତି । ସୁରେଶ ପୁଜାରୀ ଓ ବସନ୍ତ ପଣ୍ଡା ରାଜ୍ୟରେ ବିଜେପିର ଟାଣୁଆ ନେତାଙ୍କ ମଧ୍ୟରେ ରହିଥିବା ବେଳେ ବିଜେପି ନେତୃତ୍ୱ ଦୁହିଁଙ୍କୁ ଏଥର ଟିକଟ ଦେଲେ ନାହିଁ କାହିଁକି ସ୍ପଷ୍ଟ ହୋଇ ନାହିଁ । ଅପରପକ୍ଷରେ, ମୟୁରଭଂଜ ସାଂସଦ ଟୁଡୁ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ । ବିଭିନ୍ନ ସମୟରେ ସେ ନିଜ ନିର୍ବାଚନ ମଣ୍ଡଳୀରେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ପୁଲିସ ମାମଲାର ସମ୍ମୁଖୀନ ହୋଇଥିଲେ । ଆଉ, ସମ୍ବଲପୁର ସାଂସଦ ନିର୍ବାଚନ ସମୟରେ ହିଁ ଲୋକଙ୍କ ପାଖକୁ ଯାଉଥିଲେ । ଅନ୍ୟ ସମୟରେ ସେ ଅପହଂଚ ଦୂରତାରେ ରହୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା । ଏହାଛଡା, କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ମନ ବଳାଇ ଜନସଂପର୍କ ବଢାଇବା କାର୍ଯ୍ୟରେ ମାତି ଥିଲେ । ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ତାଙ୍କ ଅଭିଳାଷ ପୂରଣ କରି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛନ୍ତି ।
ପ୍ରଧାନ ୨୦୦୦ ମସିହାରେ ପାଲଲହଡାରୁ ବିଧାୟକ ଓ ୨୦୦୪ରେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୦୯ରେ ପରାଜିତ ହୋଇଥିଲେ । ବିହାର ଓ ମଧ୍ୟ ପ୍ରଦେଶରୁ ସେ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ସରକାରରେ ମନ୍ତ୍ରୀ ଅଛନ୍ତି । ୧୫ ବର୍ଷ ପରେ ସେ ଓଡ଼ିଶାରୁ ଲୋକସଭା ନନିର୍ବାଚନ ଲଢିବାକୁ ଯାଉଛନ୍ତି । ବିଜେପି ଏଥର ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କ ସ୍ଥାନରେ ପରାଜିତ ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ପୁରୋହିତ ପଶ୍ଚିମ ଓଡ଼ିଶାର ଜଣେ ତୃଣମୂଳସ୍ତରର ନେତା ଭାବେ ପରିଚିତ । ସେହିପରି, କଳାହାଣ୍ଡି ଲୋକସଭା ଆସନରେ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓ ଓ ମୟୁରଭଂଜରୁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରିଛି । କେନ୍ଦୁଝରରୁ ଅନନ୍ତ ନାଏକ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ନବରଂଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ସମ୍ବିତ ପାତ୍ର, ଆସିକାରୁ ଅନିତା ଶୁଭଦର୍ଶିନୀ, କୋରାପୁଟରୁ କାଲେରାମ ମାଝୀ ଓ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ୨୦୧୯ ଲୋକସଭା ନିର୍ବାଚନରେ ବୈଜୟନ୍ତ ପଣ୍ଡା କେନ୍ଦ୍ରପଡା ଆସନରେ ଓଡ଼ିଆ ସିନେ ତାରକା ଅଭିନବ ମହାନ୍ତିଙ୍କଠାରୁ ବହୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଅବଶ୍ୟ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବୈଜୟନ୍ତ ବିଜେଡ଼ିରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗଦେଇ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ନିଜ ପୂର୍ବ ଆସନରୁ ପ୍ରାର୍ଥୀ ହେବାରୁ ତାଙ୍କ ପରାଜିତ କରିବା ପାଇଁ ବିଜେଡ଼ି ସମସ୍ତ ଶକ୍ତି ଖଟାଇ ଥିଲା । ବତ୍ ର୍ତମାନ ସେ ବିଜେପି ସଂଗଠନରେ ଜାତୀୟ ଉପ ସଭାପତି ଅଛନ୍ତି । ତାଙ୍କୁ ପରାଜିତ କରିବାକୁ ବିଜେଡ଼ି ଆସନ୍ତା ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ଦେଖିବା ସମୟ ଆସିଛି ।
ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇ ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ । ୨୦୨୪ରେ ବିଜେଡ଼ି ପୂର୍ବତନ ଆଇପିଏସ୍ ଅରୂପ ପଟ୍ଟନାୟକଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି । ଅରୂପ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ଦଳୀୟ ଟିକଟରେ ନିର୍ବାଚନ ଲଢିଥିଲେ । ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ଥିଲେ ଚାକିରୀରୁ ଆଗୁଆ ଅବସର ନେଇରାଜନୀତିକୁ ଆସିଥିବା ଆଇଏଏସ ଅପରାଜିତା ଷଡଙ୍ଗୀ । ପୂର୍ବ ଆଇପିଏସ୍ ଓ ଆଇଏଏସ୍ ମଧ୍ୟରେ ଏହି ଲଢେଇରେ ଆଇଏଏସଙ୍କ ଜିତାପଟ ହୋଇଥିଲା ଏବଂ ଅପରାଜିତା ଭୁବନେଶ୍ୱର ସାଂସଦ ନିର୍ବାଚିତ ହୋଇ ବିଜେଡ଼ିକୁ ବଡ ଝଟକା ଦେଇଥିଲେ । ଗଲା ପାଂଚ ବର୍ଷ ହେଲା ଶାସକ ବିଜେଡ଼ିର ଗଳାରେ କଂଟା ସାଜିଥିବା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଏଥର ପରାଜିତ କରିବା ପାଇଁ ବିଜେଡ଼ି ଶ୍ରୀମୟୀ ମିଶ୍ର ନାମକ ଜଣେ ମହିଳା ନେତ୍ରୀଙ୍କୁ ପ୍ରାର୍ଥୀ କରିବା ସୂଚନା ମିଳୁଛି । ଶ୍ରୀମୟୀ ଅତ୍ୟନ୍ତ ଉତ୍ସାହର ସହ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବୁଲାଚଲା କରୁଥିଲେ ମଧ୍ୟ ଅପରାଜିତାଙ୍କୁ କେତେଦୂର ଟକ୍କର ଦେବାରେ ସକ୍ଷମ ହେବେ – ତାହା ପ୍ରଶ୍ନବାଚୀ ହୋଇଛି । ଏହାର କାରଣ ହେଉଛି, ବିଜେପିରେ ଅପରାଜିତା ଜଣେ ଆଗ ଧାଡିର କାମିକା ନେତ୍ରୀ ଭାବେ ନିଜ ପରାଚୟକୁ ସୁଦୃଢ କରି ସାରିଛନ୍ତି । ଓଡ଼ିଶା କ୍ୟାଡର ଆଇଏଏସ୍ ଭାବେ ସେ ରାଜ୍ୟର ବିଭିନ୍ନ ଅଂଚଳରେ ପଦପଦବୀରେ ରହିଥିଲେ । ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ । ଗଲା ପାଂଚ ବର୍ଷ ମଧ୍ୟରେ ସେ ନିଜ ନିର୍ବାଚନ ମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ କରିବା ସହ ତାଙ୍କ ଲୋକସଂପର୍କ ସୁଦୃଢ କରି ‘ଭାବି-ମୁଖ୍ୟମନ୍ତ୍ରୀ’ ବୋଲି ଏକ ଧାରଣା ମଧ୍ୟ ସୃଷ୍ଟି କରି ସାରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିର କଡା ସମାଲୋଚନା କରି ଗଣମାଧ୍ୟମରେ ସେ ଜଣେ ଚର୍ଚ୍ଚିତ ଚେହେରା ହୋଇ ମଧ୍ୟ ରହିଛନ୍ତି ।
ବିଜେପି ଭିତରେ ରହିଥିବା ଅନ୍ତଦ୍ୱର୍ନ୍ଦ୍ୱ କାରଣରୁ ସେ କୋଣଠେସା ହେଉଥିଲେ ମଧ୍ୟ ଦଳର ରାଷ୍ଟ୍ରୀୟ ନେତୃତ୍ୱ ସହ ସିଧାସଳଖ ସଂପର୍କରେ ଥିବାରୁ ରାଜ୍ୟରେ ବିଜେପିର ଜଣେ ପ୍ରଭାବୀ ନେତ୍ରୀ ଭାବେ ପରିଗଣିତ ହେଉଛନ୍ତି । ତେଣୁ, ବିଜେଡ଼ି ଶ୍ରୀମୟୀଙ୍କ ଭଳି ଜଣେ ହାଲୁକା ପ୍ରାର୍ଥୀଙ୍କ ଦେଇ ଅପରାଜିତାଙ୍କ ବିଜୟ ସମ୍ଭାବନାକୁ ରୋକିବାରେ କେତେ ସଫଳ ହେବ, ତାହା ଆଗକୁ ଜଣାପଡିବ । ଏହି ୧୮ ଜଣିଆ ତାଲିକାରେ ସ୍ଥାନ ପାଇଥିବା ଆଉ ଜଣେ ବହୁ ଚର୍ଚ୍ଚିତ ନେତା ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରହୀ । ସେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅତି ନିକଟତର ନେତା ଥିଲେ । ଗଂଜାମ ଜିଲ୍ଲା ବିଜେଡ଼ିର ସଭାପତି ଭଳି ଗୁରୁଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ମଧ୍ୟ କରିଥିଲେ । ତେବେ, ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେଡ଼ି ଟିକଟରୁ ନିର୍ବାଚିତ ହେବା ପରେ ତୃତୀୟ ମହଲା ସହ ତାଙ୍କ ସଂପର୍କ ଏମିତି ବିଗିଡି ଗଲା ଯେ ସେ ଦଳ ଭିତରେ କୋଣଠେସା ହୋଇ ରହି ଗଲେ । ରାଜ୍ୟ ସରକାର କୋଭିଡ଼ ପରିସ୍ଥିତି ସହ ଲଢୁଥିବା ବେଳେ ପାଣିଗ୍ରାହୀ ଭାବି ସମୁଦୀ (ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବହିଷ୍କୃତ ଜଣେ ପୂର୍ବତନ ବନ ବିଭାଗ ବରିଷ୍ଠ ଅଧିକାରୀ) ଏବଂ ଭାବି ଜାମାତାଙ୍କ ଚାଟର୍ଡ ପ୍ଲେନରେ ବୁଲୁ ଥିଲେ ଏବଂ ବହୁ ତାରକା ହୋଟେଲରେ ମଉଜ କରୁଥିଲେ ବୋଲି ବିଜେଡ଼ି ହିଁ ପରବର୍ତ୍ତୀ ସମୟରେ ଅଭିଯୋଗ କରିଛି । ନିଜ ଭାବି ଜାମାତାଙ୍କୁ ଟାଟା ମୋଟର୍ସର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଦର୍ଶାଇ ଟାଟା ମୋଟର୍ସରେ ଚାକିରୀ କରାଇ ଦେବା ନାଁରେ ସେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବେକାର ଯୁବକ, ଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ରାଜ୍ୟ ଭିଜିଲାନ୍ସ ଓ ରାଜ୍ୟ ପୁଲିସର କ୍ରାଇମ୍ ବ୍ରାଂଚ ତାଙ୍କ ନାମରେ ମାମଲା କରିଛି । ସେ ଗିରଫ ହୋଇ ଭୁବନେଶ୍ୱର ଝାରପଡା ଜେଲରେ ଥିଲେ । ଜାମିନରେ ଥାଇ ସେ ଏବେ ଅଦାଲତରେ ମାମଲା ଲଢୁଛନ୍ତି ।
ପ୍ରଦୀପ ବିଜେଡ଼ିରୁ ବହିଷ୍କୃତ ହେବା ପରେ ଦୀର୍ଘ ଦିନ ଧରି ନିରବ ଥିଲେ । ପରେ, ସେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ନିକଟରେ ସେ ବିଜେପିରେ ଯୋଗ ଦେଇଛନ୍ତି ଏବଂ ବିଜେପି ତାଙ୍କୁ ୨୦୨୪ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଆସନ୍ତା ବିଧାନସଭା ନିର୍ବାଚନରେ ସେ ଗୋପାଳପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଆଶା କରି ବିଜେଡ଼ି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ସାରି ଦେଇଥିଲା । ଆକସ୍ମିକ ଭାବେ ବିଜେପି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରଛି । ସେଠାରେ ବିଜେଡ଼ି ସାଂସଦ ଅଛନ୍ତି ବରିଷ୍ଠ ନେତା ଚନ୍ଦ୍ର ଶେଖର ସାହୁ । ୨୦୨୪ ନିର୍ବାଚନରେ ବିଜେଡ଼ି ଯଦି ସାହୁଙ୍କୁ ବ୍ରହ୍ମପୁରରୁ ରିପିଟ୍ କରେ ତେବେ ଲଢେଇ ସାହୁ ଓ ପାଣିଗ୍ରାହୀଙ୍କ ମଧ୍ୟରେ ହେବ । ବ୍ରହ୍ମପୁର ଲୋକସଭା ଆସନ ଅଧିନରେ ବ୍ରହ୍ମପୁର, ଗୋପାଳପୁର, ଚିକିଟି, ପାରଳାଖେମୁଣ୍ଡି, ଦିଗପହଣ୍ଡି ପ୍ରଭୃତି ସାତଟି ବିଧାନସଭା ଆସନ ଆସୁଛି । ଏହା ହେଲା ଗତକାଲି ଘୋଷଣା ହୋଇଥିବା ବିଜେପି ତାଲିକାରେ ଥିବା ନେତାଙ୍କ ବିବରଣୀ । ବିଜେପି ଗତକାଲି କଟକ ସମେତ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ । ଏହି ତିନିଟି ଲୋକସଭା ଆସନ ହେଉଛି କଟକ, ଯାଜପୁର ଓ କନ୍ଧମାଳ । କଟକ ଆସନ ହେଉଛି ଉଭୟ ବିଜେଡ଼ି ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ, ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ଭତ୍ତୃହରି ମହତାବ ହେଉଛନ୍ତି ଜଣେ ଖବରକାଗଜ ସଂପାଦକ ଓ ପ୍ରତିଷ୍ଠିତ ରାଜନେତା । କଟକ ଲୋକସଭା ଆସନରୁ ସେ ସାତ ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି ଏବଂ ଶ୍ରେଷ୍ଠ ସାଂସଦ ଭାବେ ମଧ୍ୟ ସମ୍ମାନୀତ ହୋଇଛନ୍ତି । ସେ ବିଜେଡ଼ିରେ ଥାଇ ମଧ୍ୟ ସରକାରଙ୍କ ବିରୋଧରେ ସଂପାଦକୀୟ ଲେଖି ଦଳରେ କୋଣଠେସା ହୋଇସାରିଥିଲେ ।
ବିଜେପି ନେତୃତ୍ୱ ସହ ତାଙ୍କ ଘନିଷ୍ଠତା ବିଜେଡ଼ିି ନେତୃତ୍ୱରେ ଚିନ୍ତାର କାରଣ ହୋଇଥିଲା । ଦଳ ଭିତରେ ସେ ଅଣନିଶ୍ୱାସୀ ହୋଇପଡିବାରୁ ଅତ୍ୟନ୍ତ ଦୁଃଖର ସହ ଦଳ ଛାଡୁଛନ୍ତି ବୋଲି ମହତାବ ବଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଥିଲେ । ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । ଯାଜପୁର ମଧ୍ୟ ବିଜେଡ଼ିର ଗଡ଼ ଭାବେ ପରିଚିତ । ଦଳର ପ୍ରଭାବଶାଳୀ ନେତା ତଥା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଯାଜପୁର ଜିଲ୍ଲାର ପ୍ରତିନିଧିତ୍ୱ କରୁଛନ୍ତି । ବରୀର ପୂର୍ବତନ ବିଧାୟକ ତଥା ଏକଦା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଘନିଷ୍ଟ ସହଯୋଗୀ ଦେବାଶିଷ ନାୟକ ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବା ସ୍ପଷ୍ଟ ହୋଇଯିବା ପରେ ବିଜେଡ଼ି ତାହା ତୂଣୀରର ଶ୍ରେଷ୍ଠ ଅସ୍ତ୍ର କୁହାଯାଉଥିବା ବବି ଦାସଙ୍କୁ ସମ୍ବଲପୁର ମୁହାଁ କରିଛି । ବିଜେଡ଼ି ସମ୍ବଲପୁରକୁ ନେଇ ରଣନୀତିରେ ବ୍ୟସ୍ତ ଥିବା ବେଳେ ବିଜେପି ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ନକରି ଲଟକାଇ ରଖିବା ପଛରେ ଜଣେ ଟାଣୁଆ ନେତାଙ୍କ ସନ୍ଧାନରେ ଥିବା ଅନୁମାନ କରାଯାଉଛି । ଭତ୍ତୃହରିଙ୍କ ଭଳି ଦେବାଶିଷ ନାୟକ ମଧ୍ୟ ବିଜେପିର ଏହି ତରାଜୁରେ ଥାଇ ପାରନ୍ତି ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । କନ୍ଧମାଳ ହେଉଛି ଏକ ସ୍ପର୍ଶକାତର ଜିଲ୍ଲା ଏବଂ ଓଡ଼ିଶାରେ ହିନ୍ଦୁତ୍ୱର ଗବେଷଣାଗାର । ବର୍ତ୍ତମାନ ଏହି ଆସନ ବିଜେଡ଼ି ହାତରେ ରହିଛି । ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ଉଦ୍ୟମ ବିଫଳ ହେବା ପରେ ବିଜେପି ଅଧିକ ଆକ୍ରମଣାତ୍ମକ ହୋଇଥିବା ବେଳେ ବିଜେଡ଼ି ମଧ୍ୟ ୨୦୧୯ ଫଳାଫଳ ଅପେକ୍ଷା ଭଲ ଫଳାଫଳ କରିବା ରଣନୀତିରେ ବ୍ୟସ୍ତ । ବିଜେଡ଼ି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାରେ ଦୁଇ ପକ୍ଷ ମଧ୍ୟରେ ନିର୍ବାଚନ ଯୁଦ୍ଧ କେତେଦୂର ମୁକାବିଲାତ୍ମକ ହେବ, ସ୍ପଷ୍ଟ ହେବ । ଭୁବନେଶ୍ୱର ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହେବାର ସୁଯୋଗ ପାଇବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଅତି ଉତ୍ସାହରେ ଗଣମାଧ୍ୟମରେ ବୟାନ ରଖିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ବିଜେଡ଼ି ବିରୋଧୀ ‘ଅଣ୍ଡରକରେଂଟ୍’ ବା ଭିତିରି ହାୱା ରହିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ- ବୋଲି ଲୋକ ପ୍ରଶ୍ନ କରୁଛନ୍ତି । ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡକୁ ଇଂଗିତ କରୁଥିବା ବେଳେ ରାଜ୍ୟର ଶାସନ ଅନ୍ୟ ଜଣେ ଚଳାଉଛନ୍ତି । ତେଣୁ, ଓଡ଼ିଶାବାସୀ ବିତସ୍ପୃହ । ଏଥର ରାଜ୍ୟର ଜନତା ବିଜେଡ଼ି ହାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସପକ୍ଷରେ ମତ ରଖିବେ । ବିଜେପି ରାଜ୍ୟର ୨୧ ଲୋକସଭା ଆସନରୁ ଅନ୍ତତଃ ୧୫ଟି ଜିତିବ । ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ଫଳାଫଳ କରି ଓଡ଼ିଶାରେ ସରକାର କରିବ ବୋଲି ଅପରାଜିତା କହିଛନ୍ତି । ତେବେ, ଆଜି ମଧ୍ୟ ଓଡ଼ିଶାରେ ନବୀନଙ୍କ ଗୋଟି ଚାଲି ଥିବାରୁ ଅପରାଜିତାଙ୍କ ବୟାନ ରାଜୀନିତିରେ ସୀମିତ ରହିବ କି ଓଡ଼ିଶାବାସୀ କିଛି ନୂଆ କରି ଦେଖାଇବେ, ତାହା ଜୁନ ୪ ତାରିଖ ଫଳାଫଳରୁ ହିଁ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS