କେଜରୀୱାଲଙ୍କୁ ନେଇ ଦିଲ୍ଲୀରେ ଆପ୍-ବିଜେପି ମୁହାଁମୁହିଁ
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୬ ମାର୍ଚ୍ଚ
କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ‘ମୁଖ୍ୟ ଷଡଯନ୍ତ୍ରକାରୀ’ ଦର୍ଶାଇ ଗୁରୁବାର ରାତିରେ ଗିରଫ କରିବା ପରେ ରାଜଧାନୀରେ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଗିରଫ ହେବା ପରେ ତାଙ୍କ ପଦରୁ ଇସ୍ତଫା ନଦେଇ ଇଡିର ରିମାଣ୍ଡରେ ଥିବା ଅବସ୍ଥାରେ ସରକାର ଚଳାଇବାର ଉପକ୍ରମ କରୁଛନ୍ତି । ପ୍ରଥମେ ସେ ଇଡି କାର୍ଯ୍ୟାଳୟରୁ ପତ୍ନୀ ସୁନୀତା କେଜରୀୱାଲଙ୍କ ମାଧ୍ୟମରେ ଦିଲ୍ଲୀବାସୀଙ୍କ ପାଇଁ ଏକ ବାର୍ତ୍ତା ଦେଇ ତାଙ୍କ ଜୀବନ ସଂଘର୍ଷ କରିବାକୁ ଉଦ୍ଦିଷ୍ଟ, ଜେଲରେ ଥାଇ ମଧ୍ୟ ସେ ଦିଲ୍ଲୀବାସୀଙ୍କ ସେବା ପାଇଁ ନିଜକୁ ସମର୍ପିତ କରିବେ ବୋଲି କହିଥିଲେ । ପରେ, ଦିଲ୍ଲୀ ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତଶୀଙ୍କୁ ଏକ ନିର୍ଦେଶନାମା ମାଧ୍ୟମରେ ତାଙ୍କ ଅନୁପସ୍ଥିତିରେ ଯେପରି ଦିଲ୍ଲୀବାସୀ ମାଗଣା ସ୍ୱାସ୍ଥ୍ୟ ସେବାରୁ ବଂଚିତ ନହୁଅନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସରକାରର ଅନ୍ୟତମ ମନ୍ତ୍ରୀ ସୌରଭ ଭରଦ୍ୱଜଙ୍କୁ ଚିଠି ପଠାଇ ଚଳିତ ଗ୍ରୀଷ୍ମ ଋତୁରେ ଦିଲ୍ଲୀବାସୀ ଯେପରି ପାନୀୟ ଜଳ ସଂକଟର ସମ୍ମୁଖୀନ ନହେବେ ସେଦିଗରେ ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି । ଇଡି ହେପାଜତରେ ଥିବା ଅବସ୍ଥାରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ନିଜ ସରକାରର ମନ୍ତ୍ରୀମାନଙ୍କୁ କିଭଳି ଚିଠି ଲେଖୁଛନ୍ତି ଏବଂ ଚିଠି ଲେଖିବା ପାଇଁ ଷ୍ଟେସନାରୀ କେଉଁଠୁ ପାଉଛନ୍ତି – ତାହା ଇଡି ପାଇଁ ମୁଣ୍ଡବ୍ୟଥା ହୋଇଛି । ଇଡି ହାଜତରେ ଥିବା ଅଭିଯୁକ୍ତମାନଙ୍କୁ କାଗଜ, କଲମ ବା ଅନ୍ୟ ଷ୍ଟେସନାରୀ ଯୋଗାଇ ଦେବାର ବ୍ୟବସ୍ଥା ନଥିବା ବେଳେ କେଜରୀୱାଲ ଏସବୁ ପାଉଛନ୍ତି କେମିତି, ସେ ନେଇ ଇହି ତଦନ୍ତ ଆରମ୍ଭ କରିଛି ଏବଂ ଦିଲ୍ଲୀ ମନ୍ତ୍ରୀ ଅତଶୀଙ୍କୁ ସେଥିରେ ପକ୍ଷଭୁକ୍ତ କରିଛି । କଥା ସେତିକିରେ ଅଟକି ନାହିଁ । ମୁଖ୍ୟମନ୍ତ୍ରୀ କେଜରୀୱାଲ ଜଣେ ‘କ୍ଷମତାଲୋଭୀ’ ବୋଲି ଦର୍ଶାଇ ବିଜେପି ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫା ଦାବି କରିଛି । କେଜରୀୱାଲଙ୍କୁ ମୁକ୍ତ କରାଯିବା ଦାବିରେ ‘ଆମ୍ ଆଦମୀ ପାର୍ଟି’ (ଆପ୍) ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କାର୍ଯ୍ୟକ୍ରମ ରଖା ଯାଇଥିଲା । ବହୁ ସଂଖ୍ୟାରେ ‘ଆପ୍’ ନେତା ଓ କର୍ମୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା କରିବାକୁ ପଟେଲ ମାର୍ଗରେ ଏକାଠି ହୋଇଥିବା ବେଳେ ପୁଲିସ ସେମାନଙ୍କୁ ବାଟରୁ ଗିରଫ କରି ନେଇଛି । ଦିଲ୍ଲୀ ପୁଲିସ ମହିଳାଙ୍କ ସମତେ ‘ଆପ୍’ କର୍ମୀଙ୍କୁ ରାସ୍ତାରୁ ଘୋଷାଡି ନେଇ ପୁଲିସ ଗାଡିରେ ଭର୍ତ୍ତି କରୁଥିବା ଦୃଶ୍ୟ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ସେମାନଙ୍କୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ‘ଜେଲରୁ ସରକାର ଚଳାଇବା’ ଯୋଜନା ଲଜ୍ୟାଜନକ କହି ତାଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଦିଲ୍ଲୀରେ ଏକ ‘ମେଗା ମାର୍ଚ’ ହୋଇଛି । ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଆଜି ଦିଲ୍ଲୀ ଫିରୋଜଶାହା କୋଟାଲା ଷ୍ଟାଡିୟମ ନିକଟରେ ଏକାଠି ହୋଇ ରାଜ୍ୟ ସଚିବାଳୟ ଅଭିମୁଖେ ଶୋଭାଯାତ୍ରା କରିଛନ୍ତି । କେଜରୀୱାଲ ସରକାର ଦୁର୍ନୀତିଗ୍ରସ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ବାହାରି ଥିବା ‘ଆପ୍’ ସଦସ୍ୟ ନିକଟରେ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଅନୁମତି ନଥିଲା । ତଥାପି, ସେମାନେ ବହୁ ସଂଖ୍ୟାରେ ପଟେଲ ଚୌକ୍ ମେଟ୍ରୋ ଷ୍ଟେସନ ନିକଟରେ ଏକାଠି ହେଉଥିବା ଜାଣି ସେମାନେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି ଦିଲ୍ଲୀ ପୁଲିସର ଡେପୁଟି କମିଶନର ଦେବେଶ କୁମାର ଆଜି ଗଣମାଧ୍ୟମକୁ କହିଛନ୍ତି । କେଜରୀୱାଲଙ୍କ ଗିରଫଦାରୀ ବିରୋଧରେ ରବିବାର ଦିନ ମଧ୍ୟ ‘ଆପ୍’ ପକ୍ଷରୁ ପ୍ରତିବାଦ ସଭା ହୋଇଥିଲା । ବିରୋଧୀ ମେଂଟ ‘ଇଣ୍ଡିଆ’ରେ ଥିବା ରାଜନୈତିକ ଦଳର ପ୍ରତିନିଧୀମାନେ ସେଥିରେ ଯୋଗ ଦେଇଥିଲେ । ଯେଉଁ ଭଳି ଭାବେ କେଜରୀୱାଲଙ୍କୁ ଗିରଫ କରାଗଲା ତାହା ଦିଲ୍ଲୀବାସୀଙ୍କ ମନରେ ପ୍ରବଳ କ୍ରୋଧ ସୃଷ୍ଟି କରିଛି ବୋଲି ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଲ ରାଏ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଇତିମଧ୍ୟରେ, ‘ଆପ୍’ ନେତା ଓ କର୍ମୀମାନେ ଇଡି ହାଜତରେ ବନ୍ଦୀ ଅବସ୍ଥାରେ ଥିବା ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସହିତ ସେମାନେ ଅଛନ୍ତି ବୋଲି ଦର୍ଶାଇବାକୁ ଯାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଥିବା ସେମାନଙ୍କ ଆକାଉଂଟର ଡିପି (ଡିସପ୍ଲେ ଫଟୋ) ପରିବର୍ତ୍ତନ କରିଛନ୍ତି । ‘ଆମେ ସବୁ କେଜରୀୱାଲଙ୍କ ସହିତ ଅଛୁ’ ବୋଲି ସାମାଜିକ ଗଣମାଧ୍ୟମରେ ସେମାନେ ଲେଖିଛନ୍ତି । କେଜରୀୱାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ ମେଂଟ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ଦିନ ଦିଲ୍ଲୀରେ ଏକ ବଡ ଧରଣର ସମାବେଶ କରାଯାଉଥିବା ଘୋଷଣା ହୋଇସାରିଥିବାରୁ ଆସନ୍ତା ଏପ୍ରିଲ-ଜୁନ ସାଧାରଣ ନିର୍ବାଚନରେ ଏହା ଉଭୟ ବିଜେପି ଓ ବିରୋଧୀ ମେଂଟ ପାଇଁ ବଡ ପ୍ରସଙ୍ଗ ହେବାକୁ ଯାଉଥିବା ସ୍ପଷ୍ଟ ହେଲାଣି । ମୁଖ୍ୟମନ୍ତ୍ରୀ କେଜରୀୱାଲ ତାଙ୍କ ଗିରଫଦାରୀ ଏବଂ ତଳ କୋର୍ଟ ତାଙ୍କୁ ସାତ ଦିନ ପାଇଁ ଇଡି ରିମାଣ୍ଡକୁ ପଠାଇବା ନିର୍ଦେଶକୁ ଚ୍ୟାଲେଂଜ କରି ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଉପରେ ଆସନ୍ତା କାଲି ଶୁଣାଣୀ ହେବାକୁ ରହିଛି । ଦିଲ୍ଲୀ ହାଇକୋର୍ଟ ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରିଦେବାର କିଛି ଘଂଟା ମଧ୍ୟରେ ଇଡି ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଦଶମ ସମନ ଜାରି କରି ସରକାରୀ ବାସଭବନରେ ଚଢାଉ କରିଥିଲା ଏବଂ କେଜରୀୱାଲଙ୍କୁ ଦୁଇ ଘଂଟା ଜେରା କରିବା ପରେ ରାତି ୯ଟା ସମୟରେ ଗିରଫ କରିଥିଲା । ଶୁକ୍ରବାର ଅପରାହ୍ନରେ ଇଡି ତାଙ୍କୁ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଇବା ପରେ ବିଚାରପତି ଉଭୟ କେଜରୀୱାଲ ଓ ଇଡି ଓକିଲଙ୍କ ଯୁକ୍ତି ଶୁଣି ଥିଲେ । ଏହି ଦୁର୍ନୀତିରେ କେଜରୀୱାଲ ମୁଖ୍ୟ କାର୍ପଟଦାର ଥିବାରୁ ତାଙ୍କୁ ଅଧିକ ଜେରାର ଆବଶ୍ୟକତା ରହିଛି ବୋଲି ଇଡି କୋର୍ଟଙ୍କୁ ଜଣାଇବା ସହ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଚାହିଁଥିଲା । ତେବେ, କୋର୍ଟ କେଜରୀୱାଲଙ୍କୁ ସାତ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି । ଆସନ୍ତା ୨୮ ତାରିଖ ଦିନ ଇଡି ତାଙ୍କୁ କୋର୍ଟରେ ହାଜର କରିବ । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ତେଲେଂଗାନା ବିଆରଏସ୍ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା କେ.କବିତାଙ୍କ ଜାମିନ ଆବେଦନ ମଧ୍ୟ ଆଜି ମଧ୍ୟ ତଳ କୋର୍ଟରେ ଖାରଜ ହୋଇଛି । କୋର୍ଟ ତାଙ୍କୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଯେଉଁ ‘ଦକ୍ଷିଣୀ ଲବି’ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ୧୦୦ କୋଟି ଟଙ୍କା ଲାଂଚ ଦେଇଛନ୍ତି ତାହାର ମୁଖ୍ୟ ହେଉଛନ୍ତି କେ.କବିତା ବୋଲି ଇଡି ତାହାର ଅଭିଯୋଗପତ୍ରରେ ଦର୍ଶାଇଛି । କବିତା ଜଣେ ପ୍ରଭାବଶାଳୀ ମହିଳା ହୋଇଥିବାରୁ ତାଙ୍କୁ ଜାମିନ ମିଳିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଆଜି ଇଡି ଯୁକ୍ତି ଦର୍ଶାଇ ଥିଲା । ଏହି ମାମଲାରେ ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ରାଜ୍ୟସଭା ସାଂସଦ ଗତ ବର୍ଷରୁ ଜେଲରେ ଅଛନ୍ତି । ସେମାନଙ୍କୁ ମଧ୍ୟ ଅଦାଲତରୁ ଆଶ୍ୱସ୍ତି ମଳୁ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS