କଂଗନାଙ୍କୁ ନେଇ ରାଜନୈତିକ ଝଡ଼ !
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୬ ମାର୍ଚ୍ଚ
ବଲିଉଡ୍ ଅଭିନେତ୍ରୀ କଂଗନା ରଣାୱତଙ୍କ ନେଇ ରାଜନୈତିକ ଝଡ଼ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ । ଅତୀତରେ ନିଜକୁ କଟ୍ଟର ମୋଦୀ ଭକ୍ତ ଓ ହିନ୍ଦୁତ୍ୱବାଦୀ ଦର୍ଶାଇବା ପାଇଁ କଂଗନା ଯେଭଳି ବୟାନବାଜୀ କରିଛନ୍ତି ତାହା ବିରୋଧୀ ପକ୍ଷଙ୍କୁ ଘାଇଲା କରିବା ସହ ତାଙ୍କୁ ବିବାଦ ଭିତରେ ରଖି ଆସିଛି । ତେବେ, ସେ ସିଧାସଲଖ ରାଜନୀତିରେ ପ୍ରବେଶ କରିବା ପରେ ଏବେ ବିରୋଧୀଙ୍କ ସହଜ ଟାର୍ଗେଟ୍ ହୋଇଛନ୍ତି । ବିଜେପି ତାହାର ପଂଚମ ପ୍ରାର୍ଥୀ ତାଲିକାରେ କଂଗନାଙ୍କୁ ତାଙ୍କ ନିଜ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ‘ମଣ୍ଡି’ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି । କଂଗନା ଅଭିନୟ ଜଗତରୁ ନିର୍ବାଚନ ମଇଦାନକୁ ଉତୁରି ଥିବା ଦେଖି କଂଗ୍ରେସ ତାଙ୍କୁ କଟାକ୍ଷ କଲା ଭଳି କିଛି ଅଶୋଭନୀୟ ପୋଷ୍ଟ୍ ସାମାଜିକ ଗଣମାଧ୍ୟମରେ ଛାଡି ଥିବା ଅଭିଯୋଗ ହୋଇଛି । କଂଗ୍ରେସର ଜାତୀୟ ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ସୁପ୍ରିୟା ସୁନେତଙ୍କ ସାମାଜିକ ଗଣମାଧ୍ୟମ ଆକାଂଉଟରେ ପୋଷ୍ଟ୍ ହୋଇଥିବା କିଛି ଅଶାଳୀନ ଫଟୋକୁ ନେଇ ବିଜେପି ଆପତ୍ତି ଉଠାଇ ଗତକାଲିଠାରୁ ରାଜନୈତିକ ଝଡ଼ ସୃଷ୍ଟି କରିଥିବା ବେଳେ ସୁପ୍ରିୟା ସୁନେତ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଂଟ ହ୍ୟାକ୍ କରି ଆଉ କେହି ଏଭଳି ଅଶାଳୀନ ଫଟୋ ପୋଷ୍ଟ କରିଥିବା ଅଭିଯୋଗ କରିଛନ୍ତି । କିଏ ଏଭଳି କରିଛି ତାହା ବିଜେପି ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସୁନେତଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଗଣମାଧ୍ୟମ ଜରିଆରେ ଆହ୍ୱାନ ଦେଇଛନ୍ତି । ଅସନ୍ତା ମାସ ୧୯ ତାରିଖରୁ ଦେଶରେ ଲୋକସଭା ନିର୍ବାଚନ ମହାପର୍ବ ଆରମ୍ଭ ହେଉଥିବ ବେଳେ ‘କଂଗ୍ରେସ ମହିଳା ବିରୋଧୀ ଏବଂ ମହିଳାଙ୍କ ପ୍ରତି ଦଳର ମୋଟେ ସମ୍ମାନ ନାହିଁ’ ବୋଲି ବିଜେପି ନେତୃବର୍ଗ ଓ ଆଇଟି ସେଲ୍ ବ୍ୟାଖ୍ୟାୟନ ସୃଷ୍ଟି କରିବା କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିଜେପି ନେତାମାନେ କିଛି କଂଗ୍ରେସ ନେତାଙ୍କ ଖାମଖିଆଲି ଟିପ୍ପଣୀକୁ ନେଇ ନିର୍ବାଚନ ସମୟରେ କଂଗ୍ରେସ ବିରୋଧୀ ବ୍ୟାଖ୍ୟାୟନ ସୃଷ୍ଟି କରିବା କିଛି ନୂଆ କଥା ନୁହେଁ । ତେବେ, ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବାକୁ ମାସେରୁ କମ୍ ସମୟ ଥିବା ବେଳେ ବିଜେପିର ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହେଉଥିବା ଫିଲ୍ମ ଅଭିନେତ୍ରୀ ତଥା ନିର୍ଦେଶକ କଂଗନା ରଣାୱତଙ୍କ କିଛି ଅଶାଳୀନ ଫଟୋ ଓ ମନ୍ତବ୍ୟ କଂଗ୍ରେସର ଆଇଟି ସେଲ ମୁଖ୍ୟ ସୁପ୍ରିୟା ସୁନେତଙ୍କ ସାମାଜିକ ଗଣମାଧ୍ୟମ ଆକାଉଂଟରେ ପ୍ରସାରିତ ହେବା କଂଗ୍ରେସକୁ ପ୍ରତିରକ୍ଷାତ୍ମକ ସ୍ଥିତିରେ ପକାଇବା ସ୍ୱାଭାବିକ । ଦେଶର ପ୍ରାୟ ଅଧା ମତଦାତା ହେଉଛନ୍ତି ମହିଳା । ପ୍ରଥମ କରି ଭୋଟ ଦେବାକୁ ଥିବା ବାଳକ, ବାଳିକା ଏବଂ ଯୁବ ଭୋଟରଙ୍କ ମଧ୍ୟରେ ବଲିଉଡ୍ ତାରକାଙ୍କୁ ନେଇ କ୍ରେଜ୍ ରହିଛି । ତେଣୁ, ବିଜେପି କଂଗ୍ରେସ ବିରୋଧରେ ବ୍ୟାଖ୍ୟାୟନ ସୃଷ୍ଟି କରି ମହିଳା, ନୂଆ ଭୋଟର ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ମଧ୍ୟ ବିଜେପିକୁ କଡା ଜବାବ ଦେବାକୁ ଆଗେଇ ଆସିଛି । ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ (ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ)ଙ୍କ ପ୍ରତି ବିଜେପି ନେତୃବର୍ଗ ଯେଭଳି ଅଶାଳୀନ ଟିପ୍ପଣୀ ଦେଇ ଆସୁଛନ୍ତି ତାହା ମହିଳା ବିରୋଧୀ ନୁହେଁ କି (?) ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସୁପ୍ରିୟା ସୁନେତ ଆଜି ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ପଶ୍ଚିମ ବଂଗର ପୂର୍ବତନ ବିଜେପି ମୁଖ୍ୟ ତଥା ମେଦିନିପୁର ଏମପି ଦିଲ୍ଲୀପ ଘୋଷ ‘ମମତା ବାନାର୍ଜୀଙ୍କ ପିତା କିଏ ?’ ବୋଲି ପ୍ରଶ୍ନ କରିବା ଅଶାଳୀନ ମନ୍ତବ୍ୟ ନୁହେଁ କି (?) ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ଏମପି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର ପଦକପ୍ରାପ୍ତ ମହିଳା ରେସଲର୍ ମାନେ ଯୌନ ଉତ୍ପିଡନ ଅଭିଯୋଗ କରିବା ସମୟରେ ବିଜେପି ନିରବ ଥିଲା କାହିଁକି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ନେତ୍ରୀ ସୁସ୍ମିତା ଦେଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଆଜି ପ୍ରଶ୍ନ କରିଛନ୍ତି । କଂଗନାଙ୍କୁ ବିଜେପି ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବା ପରେ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ବିଜେପି ନେତାମାନେ ବଡ ବଡ ଭାଷଣ ଦେଉଛନ୍ତି । ସେ (ମହିଳା କମିଶନ ମୁଖ୍ୟା) ନିଜେ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ତେବେ, ବିଜେପି ନେତାମାନେ ଟିଏମସି ମୁଖ୍ୟା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସମୟରେ ସେ ଲଜ୍ଜିତ ଅନୁଭବ କରିବା ବଦଳରେ ନିରବ ରହୁଛନ୍ତି କାହିଁକି ? ବଲିଉଡ୍ ଅଭିନେତ୍ରୀ ତଥା ‘କୁଇନ୍’ର ନାୟିକା କଂଗନା ରଣାୱତ ବିଭିନ୍ନ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ହିନ୍ଦି ଚିତ୍ର ‘ରଜ୍ଜୋ’ରେ ସେ ‘ଦେହଜୀବୀ’ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ‘ଥାଲାଇଭି’ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ‘କୁଇନ୍’ରେ ଜଣେ ସଂଘର୍ଷ କରୁଥିବା ମଡେଲ୍ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ, ସେ ନିଜ ଅଭିନୟ ପାଇଁ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ତେବେ, ଗଲା କିଛି ବର୍ଷ ହେଲା କଂଗନା ବିଜେପିର ନିକଟତର ହୋଇ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ମତକୁ ତାଚ୍ଛଲ୍ୟ କଲା ଭଳି ମନ୍ତବ୍ୟମାନ ଦେଇ ବିବାଦୀୟ ଥିଲେ । ଏପରିକି, ତିନି ନୂଆ କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ସମୟରେ କଂଗନା ଆନ୍ଦୋଳନ ବିରୋଧୀ ମନ୍ତବ୍ୟ ଦେଇ ଚାଷୀ ସଂଗଠନଙ୍କ କ୍ରୋଧର ଶିକାର ହୋଇଥିଲେ । କଂଗ୍ରେସ ନେତ୍ରୀ ସୁପ୍ରିୟା ସୁନେତ ଆଜି ତାଙ୍କ ‘ଏକ୍ସ’ ପୋଷ୍ଟରେ କହିଛନ୍ତି, କେହି ଜଣେ ତାଙ୍କତାଙ୍କ ଅଜ୍ଞାତରେ ତାଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଂଟରେ ଅଭିନେତ୍ରୀ କଂଗେନାଙ୍କୁ ନେଇ ଅଶାଳୀନ ଫଟୋ ଓ ଟିପ୍ପଣୀମାନ ପୋଷ୍ଟ କରିଥିଲେ । ସେ ଜାଣିଲା ପରେ ସେସବୁକୁ ‘ଡିଲିଟ୍’ କରିଛନ୍ତି । ‘ଯେଉଁମାନେ ମୋତେ ଜାଣନ୍ତି, ସେମାନେ ଭଲରେ ଜାଣନ୍ତି ମୁଁ ମହିଳାଙ୍କୁ ନେଇ କେବେ ବ୍ୟକ୍ତିଗତ ବା ଅଶାଳୀନ ଟିପ୍ପଣୀ ଦେଇ ନଥାଏ’ । ସୁପ୍ରିୟା ସୁନେତଙ୍କ ସଫେଇ ପରେ ମଧ୍ୟ କଂଗାନା ବିବାଦ ଥବମିବା ଆଶା ନାହିଁ । କାରଣ, ଆସନ୍ତା ନିର୍ବାଚନରେ ବିଜେପି ଏହାକୁ ପ୍ରସଙ୍ଗ କରି ଆଖିରୁ ଲୁହ ଝରାଇବ ଏବଂ ଦେଶର ୪୯ ପ୍ରତିଶତ ମହିଳା ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଉଦ୍ୟମ କରିବ । ନହେଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘୪୦୦ ପାର୍’ ସ୍ୱପ୍ନ କେମିତି ସାକାର ହେବ (?) ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS