ଭାରତରେ ଶିକ୍ଷିତ ବେକାର ସମସ୍ୟା ଉଦବେଗଜନକ – ଆଇଏଲଓ
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୮ ମାର୍ଚ୍ଚ
ଭାରତରେ ବେକାର ସମସ୍ୟା ଉଦବେଗର ବିଷୟ ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଦେଶରେ ଅନ୍ୟୁନ ୮୩ ପ୍ରତିଶତ ଯୁବକ, ଯୁବତୀ କର୍ମ ନିଯୁକ୍ତି ଅଭାବରୁ ବେକାର ରହିଛନ୍ତି । ଶିକ୍ଷିତ ବେକାରଙ୍କ ସଂଖ୍ୟା ୫୪.୨ ପ୍ରତିଶତରୁ ୨୦୨୨ରେ ୬୫.୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ କୁହାଯାଇଛି । ତେବେ, ଭାରତ ସରକାର ଆଇଏଲଓ ରିପୋର୍ଟକୁ ଅଗ୍ରାହ୍ୟ କରି ଇପିଏଫଓରେ ପଂଜୀକୃତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି ଯୁକ୍ତି ବାଢିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଭାଗ ନେଇ ଆଇଏଲଓ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ ଦେଶରେ କର୍ମ ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଘଟି ଥିବାର ଗୋଲାପୀ ଚିତ୍ର ପ୍ରଦାନ କରିଛନ୍ତି । ସେକହିଛନ୍ତି, କେନ୍ଦ୍ରରେ ୨୦୧୪ରେ ବିଜେପି ନେତୃତ୍ୱରେ ସରକାର ପ୍ରତିଷ୍ଠା ହେବା ପରେ ବିଭିନ୍ନ ବାଟରେ କର୍ମ ନିଯୁକ୍ତିରେ ବୃଦ୍ଧି ଘଟିଛି । ୬୪ ନିୟୁତ ଲୋକ ଇପିଏଫଓରେ ପଂଜୀକୃତ ହୋଇଥିବା ଏହାର ବଡ ଉଦାହରଣ । ଅଷ୍ଟ୍ରଲିଆ, ନ୍ୟଜିଲାଣ୍ଡ ଓ ଅନ୍ୟ କିଛି ରାଷ୍ଟ୍ରଙ୍କ ଜନସଂଖ୍ୟାଠାରୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଦେଶରେ ନିଯୁକ୍ତି ସୁବିଧା ସୃଷ୍ଟି ପାଇଁ ସରକାର ୩୪ କୋଟି ମୁଦ୍ରା ଲୋନ୍ ଦେଇଛନ୍ତି । ମୁଦ୍ରା ଲୋନ୍ ପାଇଥିବା ବ୍ୟକ୍ତିମାନେ ନିଜ ପାଇଁ ଚାକରୀ କଥା କହିବା ପରିବର୍ତ୍ତେ ନିଯୁକ୍ତିଦାତା ହୋଇଛନ୍ତି । ଭାରତ ବର୍ଷ ବର୍ଷ ଧରି ଆନ୍ତର୍ଜାତିକ ଏଜେନ୍ସୀଙ୍କ ରେଟିଂ ଉପରେ ଭରସା କରି ଆସିଛି । ବର୍ତ୍ତମାନ ଘରୋଇ ତଥ୍ୟ ଆଧାରରେ ଭାରତୀୟ ସଂସ୍ଥାଙ୍କ ଦ୍ୱାରା ହେଉଥିବା ବିଶ୍ଲେଷଣକୁ ବିଶ୍ୱାସ କରିବାକୁ ପଡିବ । କାରଣ, ଭାରତୀୟ ସଂସ୍ଥାମାନେ ମଧ୍ୟ ଏଭଳି ବିଶ୍ଲେଷଣ ପାଇଁ ସମାନ ଦକ୍ଷତା ରଖିଛନ୍ତି । ଆଇଏଲଓ ରିପୋର୍ଟରେ ଭାରତରେ ବେକାର ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ଦର୍ଶାଇ ଚିନ୍ତା ପ୍ରକଟ କରାଯିବା ସହ ପାଂଚଟି ନୀତିର ଅନୁସରଣ କଲେ ଭାରତ ଆସନ୍ତା ଦଶ ବର୍ଷରେ ୭୦ରୁ ୮୦ ଲକ୍ଷ ଯୁବକ, ଯୁବତୀଙ୍କ ନିଜ ଶ୍ରମଶକ୍ତି ସହ ଯୋଡି ପାରିବ ବୋଲି କୁହାଯାଇଛି । ଏହି ପାଂଚଟି ନୀତି ହେଉଛି – ନୂତନ ନିଯୁକ୍ତି ସୃଷ୍ଟି, ନିଯୁକ୍ତି କ୍ଷେତ୍ରରେ ଗୁଣାତ୍ମକତା, ଶ୍ରମ ବଜାରରେ ରହିଥିବା ଅସମାନତା ଦୂର ହେବା, କୌଶଳ ଓ ନୀତିକୁ ଗୁରୁତ୍ୱ ଦେଇ ସକ୍ରିୟ ଶ୍ରମ ବଜାରକୁ ସୁଦୃଢ କରାଯିବା ଏବଂ ଲେବର ମାର୍କେଟ ପ୍ୟାଟର୍ଣ୍ଣସ୍ ଓ ବେକାର ଯୁବଶକ୍ତି ମଧ୍ୟରେ ଥିବା ଜ୍ଞାନଗତ ଅଭାବ ଦୂର କରାଯାଇ ଏହି ଦୁଇଟି ମଧ୍ୟରେ ସଂପର୍କର ସେତୁ ନିର୍ମାଣ କରାଯିବା ଅନ୍ୟତମ । ତେବେ, କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଠାକୁର ଏକ ଟିଭି କାର୍ଯ୍ୟକ୍ରମରେ ଆଇଏଲଓ ରିପୋର୍ଟକୁ ବିଶ୍ୱାସ କରାଯିବା ‘ଦାସତ୍ୱ’ ମାନସିକତା ବୋଲି କହିଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦେଶରେ ସରକାର ପ୍ରତିଷ୍ଠା ହେବା ପରେ ଶିଳ୍ପଦ୍ୟୋଗଗୁଡିକୁ ଆର୍ଥିକ ସହାୟତା ଦେବା ଦିଗରେ ନୂତନ ନୀତି କାର୍ଯ୍ୟକାରୀ କରାଯାଇଛି ଏବଂ ଏହାଦ୍ୱାରା ଦେଶରେ ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ଆସନ୍ତା ମାସରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ଏବଂ ବିରୋଧୀ ରାଜନୈତିକ ଦଳମାନେ ଦେଶରେ ବେକାର ସମସ୍ୟା ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଥିବା ବେଳେ ଆଇଏଲଓ ଦ୍ୱାରା ପ୍ରକାଶିତ ରିପୋର୍ଟ ସରକାରଙ୍କୁ ପ୍ରତିରକ୍ଷାତ୍ମକ ସ୍ଥିତିରେ ପକାଇଛି । ଜାତୀୟ ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ ହେଉଥିବା ସମୟରେ ବିରୋଧୀ ଦଳମାନେ ଦେଶର ବେକାର ସମସ୍ୟାକୁ ନେଇ ସରକାରଙ୍କୁ ଘେରୁଥିବା ବେଳେ ଶାସକ ଦଳ ଇପିଏଫଓରେ ପଂଜୀକରଣ ବୃଦ୍ଧିକୁ ଆଳ ଦେଖାଇ ବିରୋଧୀଙ୍କୁ ଚୁପ୍ କରିବାକୁ ଉଦ୍ୟମ କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବେକାର ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ସରକାରୀ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଥିବା ବେଳେ କେନ୍ଦ୍ର ସରକାର ସେସବୁ ପୂରଣ ଦିଗରେ ମୋଟେ ଆଗ୍ରହ ପ୍ରକାଶ କରିନଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଏହି ସମସ୍ୟାକୁ ଗୌଣ କରି ଦେବାକୁ ଶାସକ ଦଳ ଅନ୍ୟ ପ୍ରସଙ୍ଗକୁ ଆଗକୁ ଆଣୁଛି, ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଉଦ୍ୟୋଗକୁ ଗୁରୁତ୍ୱ ଦେବା ବଦଳରେ ସରକାର ଭିତ୍ତିଭୂମି ସୃଷ୍ଟିକୁ ଗୁରୁତ୍ୱ ଦେଇ ହଜାର ହଜାର କୋଟି ଟଙ୍କା ସେଥିରେ ବିନିଯୋଗ କରୁଛନ୍ତି ବୋଲି ବିରୋଧୀ ଦଳମାନେ କହୁଛନ୍ତି । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ କରିବ ଏବଂ ସେସବୁ ପଦବୀରେ ଶିକ୍ଷିତ ଓ ଦକ୍ଷ ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବ ବୋଲି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବେକାର ସମସ୍ୟା ପ୍ରମୁଖ ପ୍ରସଙ୍ଗ ଥିଲା । କିନ୍ତୁ, ମତଦାନ ସମୟରେ ଏହି ପ୍ରସଙ୍ଗ ଗୌଣ ହୋଇଯାଇଥିଲା । ୨୦୨୪ରେ ମଧ୍ୟ ସେହଭଳିି ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS