ଚର୍ଚ୍ଚାରେ ସୁନିତା କେଜରୀୱାଲ !
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୯ ମାର୍ଚ୍ଚ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ଯିବା ପରେ ଏହି ଗିରଫଦାରୀକୁ ନେଇ ବିବାଦ ଥମିବା ନାଁ ନେଉ ନାହିଁ । ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଏହି କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଦ୍ୱାରା ପ୍ରୟୋଜିତ କହି ‘ଆପ୍’ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ତାହାର ବିରୋଧ ଜାରି ରଖିଥିବା ବେଳେ ଜର୍ମାନୀ ପରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟର କୁଟନୀତିଜ୍ଞମାନେ କେଜରୀୱାଲଙ୍କ ବିଚାରଣା ମୁକ୍ତ ଓ ନିରପେକ୍ଷ ହେବା ସପକ୍ଷରେ ମତ ଦେଇ ଭାରତ ସରକାରଙ୍କ ରୋଷର ସମ୍ମୁଖୀନ ହୋଇଛନ୍ତି । ଏହା ଭାରତର ଆ୍ୟନ୍ତରୀଣ ନ୍ୟାୟିକ ପଦକ୍ଷେପରେ ବିଦେଶୀ ରାଷ୍ଟ୍ରଙ୍କ ଅଯାଚିତ ହସ୍ତକ୍ଷେପ ବୋଲି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖିବା ପରେ ମଧ୍ୟ ଆମେରିକୀୟ କୁଟନୀତିଜ୍ଞମାନେ ବୟାନ ଦେବା ବନ୍ଦ କରି ନାହାନ୍ତି । ଏହା ଆମ୍ ଆଦମୀ ପାର୍ଟି ନେତା ଓ କର୍ମୀଙ୍କ ମନୋବଳ ବଢାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦବିବା ଲୋକ ନୁହନ୍ତି, ସେ ଜେଲରେ ରହି ସରକାର ଚଳାଇବେ ବୋଲି ‘ଆପ୍’ର ନେତା ଓ ଦିଲ୍ଲୀ ସରକାରର ମନ୍ତ୍ରୀମାନେ ବୟାନ ଦେବା ଜାରି ରଖିଥିବା ବେଳେ କେଜରୀୱାଲ ମଧ୍ୟ ଇଡି ହାଜତରେ ଥାଇ ତାଙ୍କ ସରକାରର ବିଭିନ୍ନ ବିଭାଗକୁ ଚିଠି ଲେଖୁଥିବା ଓ ଦିଲ୍ଲୀବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ଦେଶନାମା ଜାରି କରୁଥିବା କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । କେବରୀୱାଲ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରାଯିବାକୁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଗତକାଲି ଖାରଜ ହୋଇଥିଲା । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ କେଜରୀୱାଲଙ୍କ ସ୍ଥିତି ସୁଦୃଢ ହୋଇଛି । ଅବଶ୍ୟ, ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ୨୮ ତାରିଖ ଦିନ କେଜରୀୱାଲଙ୍କ ଇଡି ହାଜତ ମିଆଦ ଏପ୍ରିଲ ୦୧ ତାରିଖକୁ ବଢାଇ ଦେଇ ତାଙ୍କ ଅଡୁଆ ବଢାଇଛନ୍ତି ସତ, କିନ୍ତୁ କେଜରୀୱାଲ ବା ଆପ୍ କର୍ମୀଙ୍କ ମନୋବଳକୁ ଭାଂଗି ପାରି ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜରୀୱାଲଙ୍କୁ ଭୟ କରୁଛନ୍ତି, ତେଣୁ ଠିକ୍ ନିର୍ବାଚନ ପୂର୍ବରୁ ତାଙ୍କୁ ଜେଲରେ ପୁରାଇ ଦିଆଯାଇଛି ବୋଲି ‘ଆପ୍’ ନେତା ଓ କର୍ମୀମାନେ ତାଙ୍କୁ ମୁକ୍ତ କରାଯିବା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚଳାଇ ଥିବା ବେଳେ କୌଣସି ମୁଖ୍ୟମନ୍ତ୍ରୀ ଜେଲରେ ରହି ସରକାର ଚଳାଇବା ଅସାମ୍ବିଧାନିକ, ଏଭଳି ଚାଲିରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ପରିସ୍ଥିତି ସୃଷ୍ଟି ହେବ ବୋଲି ଦିଲ୍ଲୀ ଏ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି) ଭି.କେ.ସାକ୍ସେନା ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପରୋକ୍ଷ ଚେତାବନୀ ଦେଇଛନ୍ତି । ଏଭଳି ପରିସ୍ଥିତିରେ, କେଜରୀୱାଲଙ୍କ ପତ୍ନୀ ସୁନିତା କେଜରୀୱାଲ (୫୮) ‘ଆପ୍’ ମୋର୍ଚ୍ଚା ସମ୍ଭାଳିବାକୁ ଆଗେଇ ଆସିଥିବା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ଭାବନାକୁ ବଢାଇ ଦେଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଭଳି ତାଙ୍କ ପତ୍ନୀ ସୁନିତା କେଜରୀୱାଲ ମଧ୍ୟ ଜଣେ ଆଇଆରଏସ୍ (ଇଣ୍ଡିଆନ ରେଭିନ୍ୟୁ ସଭିସେସ୍) ଅଧିକାରୀ ଥିଲେ । ଦୀର୍ଘ ୨୨ ବର୍ଷ ସେ ଆୟକର ବିଭାଗରେ କାର୍ଯ୍ୟ କରିଥିଲେ । ସୁନିତା ୧୯୯୪ ବ୍ୟାଚର ଆଇଆରଏସ୍ ହୋଇଥିବା ବେଳେ ଅରବିନ୍ଦ କେଜରୀୱାଲ ୧୯୯୫ ବ୍ୟାଚର ଆଇଆରଏସ୍ ଅଧିକାରୀ ଥିଲେ । ୨୦୧୬ରେ ସୁନିତା ଆୟକର ବିଭାଗ ଚାକିରୀରୁ ସ୍ୱଚ୍ଛାକୃତ ଭାବେ ଅବସର ନେଇଥିଲେ । ଅବସର ନେବା ବେଳକୁ ସେ ଆୟକର ବିଭାଗର ଆପିଲେଟ୍ ଟ୍ରିବ୍ୟୁନାଲ (ଆଇଟିଏଟି)ର ଦିଲ୍ଲୀ କାର୍ଯ୍ୟାଳୟରେ ଆୟକର କମିଶନର ଭାବେ କାର୍ଯ୍ୟ କରୁଥିଲେ । ସୁନିତା ଆନ୍ନା ହଜାରେଙ୍କ ‘ଇଣ୍ଡିଆ ଏଗେନେଷ୍ଟ୍ କରପ୍ସନ୍’ ଆନ୍ଦୋଳନ ସମୟରେ ଏବଂ ଅରବିନ୍ଦ କେଜରୀୱାଲ ‘ଆମ୍ ଆଦମୀ ପାର୍ଟି ଗଠନ କରିବାର ପ୍ରାରମ୍ଭ ସମୟରେ ଅନେକ ଥର ଅରବିନ୍ଦ କେଜରୀୱଲଙ୍କ ସହ ଦେଖିବାକୁ ମିଳି ଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ୟୁପିର ବାରାଣସୀ ଆସନରୁ ନରେନ୍ଦ୍ର ମୋଦୀ ପ୍ରାର୍ଥୀ ହୋଇଥିବା ବେଳେ ଅରବିନ୍ଦ କେଜରୀୱାଲ ତାଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ସୁନିତା ଅଫିସରୁ ଛୁଟି ନେଇ ଅରବିନ୍ଦଙ୍କୁ ନିର୍ବାଚନ ପ୍ରଚାରରେ ସହାୟତ କରୁଥିବା ଦେଖିବାକୁ ମିଳିଥିଲା । ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ୍’ ୭୦ରୁ ୬୭ ବିଧାନସଭା ଆସନରେ ବିଜୟୀ ହେବା ପରେ ଅରବିନ୍ଦ କେଜରୀୱାଲଙ୍କ ପ୍ରଥମ ଟ୍ୱିଟ୍ ଥିଲା ସୁନିତାଙ୍କୁ । ସେ ସୁନିତାଙ୍କୁ ସମସ୍ତ ପ୍ରକାର ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଥିଲେ । ଏବେ, ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଅରବିନ୍ଦ କେଜରୀୱାଲ ଇଡି ହାଜତରେ ରହିଥିବା ଅବସ୍ଥାରେ ଧର୍ମପତ୍ନୀ ସୁନିତା ହିଁ ତାଙ୍କ ବାର୍ତ୍ତାବାହକ ହୋଇଛନ୍ତି । ଆଜି ସୁନିତା ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ପାଇଁ ତୃତୀୟ ଭିଡ଼ିଓ ଜାରି କରିବା ସହ ‘କେଜରୀୱାଲ କୋ ଆଶୀର୍ବାଦ ଦୋ’ କ୍ୟାଂପେନ୍ ଆରମ୍ଭ କରିଛନ୍ତି । ସେ ପଠାଇ ଥିବା ‘ହ୍ୱାଟସଆପ୍’ ନମ୍ବରରେ ଅରବିନ୍ଦ କେଜରୀୱାଲଙ୍କ ସମର୍ଥନରେ ବହୁ ସଂଖ୍ୟାରେ ବାର୍ତ୍ତା ପଠାଇବାକୁ ସୁନିତା ଅରବିନ୍ଦ କେଜରୀୱାଲଙ୍କ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି । ଅରବିନ୍ଦ ନିଜ କାର୍ଯ୍ୟାଳୟରେ ବସୁଥିବା ଚଉକିରେ ବସି ସୁନିତା ଗଣାମଧ୍ୟମରେ ବୟାନ ରଖିବା ଓ ଭିଡ଼ିଓ ବାର୍ତ୍ତା ଜାରି କରିବା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ ଅଧିକ ପ୍ରତିକ୍ରିୟାଶୀଳ କରିଛି । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଏକ ବୟାନ ଦେଇ ବିହାରର ଲାଲୁ ଯାଦବ ଚାରା ଘୋଟାଲା ମାମଲାରେ ଜେଲ ଯିବା ସମୟରେ ପତ୍ନୀ ରାବ୍ରୀ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ, ଏବେ ସୁନିତା ଅରବିନ୍ଦଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତୁତରେ ଅଛନ୍ତି ବୋଲି ଆଜି କଟାକ୍ଷ କରିଛନ୍ତି । ଅରବିନ୍ଦ କେଜରୀୱାଲ ଜେଲରୁ ଦିଲ୍ଲୀ ସରକାର ଚଳାଇବେ ବୋଲି ‘ଆପ୍’ ନେତା ଓ କର୍ମୀମାନେ ବାରମ୍ବାର କହୁଥିଲେ ମଧ୍ୟ ପତି ଜେଲ ଯିବା ପରେ ପତ୍ନୀ ସୁନିତା ‘ଆପ୍’ ସଂଗଠନକୁ ସଂଭାଳୁ ଥିବା ଓ ଅରବିନ୍ଦଙ୍କ ସପକ୍ଷରେ କ୍ୟାପେନ୍ ଜାରି ରଖିବା ସହ ଇଡି ହାଜତରେ ଥିବା ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଏକମାତ୍ର ବାର୍ତ୍ତାବହ ଭାବେ କାର୍ଯ୍ୟ କରୁଥିବା ସେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେଉଥିବା ସମ୍ଭାବନାକୁ ଦୃଢ କରିଛି । ତେବେ, କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହିଁ ଏହା ସମ୍ଭବ ହେବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS