ମୁଖତାର ଆନସାରୀଙ୍କ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୯ ମାର୍ଚ୍ଚ
ୟୁପିର ବାହୁବଳୀ ନେତା ମୁକ୍ତାର ଆନସାରୀଙ୍କ ବାନ୍ଦା ଜେଲରେ ଗତକାଲି ହୃଦଘାତ ହେବା ଏବଂ ରାତିରେ ବାନ୍ଦା ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିବା ଏକ ସ୍ୱାଭାବିକ ଘଟଣା ବୋଲି ସରକାର ଦାବି କରୁଥିବା ବେଳେ ତାଙ୍କୁ ଜେଲରେ ‘ସ୍ଲୋ ପଏଜନ୍’ ଦିଆଯାଉଥିଲା ବୋଲି ପରିବାର ସଦସ୍ୟଙ୍କ ଅଭିଯୋଗ ଘଟଣାକୁ ଜଟିଳ କରିଛି । ଆନସାରୀ ବାନ୍ଦା ଜେଲ କାରାଗାରରେ ସଜା କାଟୁଥିଲେ । ଗତକାଲି ସକାଳେ ହୃଦଘାତ କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ଜିଲ୍ଲା କାରଗାରାରୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ରାତି ୮ଟା ୨୫ ମିନିଟରେ ମୁଖତାର ଆନସାରୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ରାତି ସାଢେ ୧୦ଟା ପରେ ହପ୍ପିଟାଲ ପ୍ରଶାସନ ମୁଖତାରଙ୍କ ମୃତ୍ୟୁ ଘଟିଥିବା ନେଇ ବୁଲେଟିନ୍ ଜାରି କରିଥିଲେ । ମୁଖତାରଙ୍କ ମୃତ୍ୟୁ ସଂବାଦ ଶୁଣିବା ପରେ ତାଙ୍କ ସମର୍ଥକମାନେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ପାରନ୍ତି ବୋଲି ରାଜ୍ୟ ପୁଲିସ କର୍ତ୍ତୃପକ୍ଷ ଆଲର୍ଟ ଜାରି କରିବାରୁ ଯେେକୌଣସି ପରିସ୍ଥିତିର ମୁକାବିଲା ରାଜ୍ୟର ସାଧାରଣ ଓ ପୁଲିସ ପ୍ରଶାସନ ଆବଶ୍ୟକ ସୁରକ୍ଷା ପଦକ୍ଷେପ ପାଇଁ ସମୟ ନେଇଥିଲେ । ତେଣୁ, ମୁଖତାରଙ୍କ ମୃତ୍ୟୁ ଘୋଷଣା ବିଲମ୍ବିତ ହୋଇଥିଲା ବୋଲି କୁହାଯାଉଛି । ମାଫିଆ ଡନ୍ ମୁଖତାର ଆନସାରୀଙ୍କ ମୃତ୍ୟୁ ସନ୍ଦେହଜନକ ହୋଇଥିବାରୁ ସୁପ୍ରିମ କୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱବଧାନରେ ଏହାର ତଦନ୍ତ କରାଯିବାକୁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ କରି ଦାବି କରିଛନ୍ତି । ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଜଣକୁ ଜୀବନକୁ ସୁରକ୍ଷିତ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ୟୁପି ସରକାର ଏତିରେ ବିଫଳ ହୋଇଛନ୍ତି ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ବୋଲି ଅଖିଳେଶ ହିନ୍ଦିରେ ଜାରି କରିଥିବା ତାଙ୍କ ପୋଷ୍ଟ୍ ରେ କହିଛନ୍ତି । ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ ‘ଏକ୍ସ’ରେ ଏକ ପୋଷ୍ଟ୍ କରି ମୁଖତାର ଆନସାରୀଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ମାୟାବତୀ କହିଛନ୍ତି, ଗୁରୁବାର ବିଳମ୍ବ ରାତ୍ରୀରେ ମୁଖତାରଙ୍କ ପୁଅ ଉମାର ଆନସାରୀ ବାନ୍ଦାରେ ପହଂଚିବା ପରେ ଗଣମାଧ୍ୟମରେ ବାପାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଜେଲରେ ତାଙ୍କୁ ଗତ ୧୯ ତାରିଖ ରାତ୍ରୀ ଭୋଜନରେ ‘ସ୍ଲୋ-ପଏଜନ୍’ ଦିଆଯାଇଛି ବୋଲି ମୁଖତାର ନିଜେ କୋର୍ଟକୁ ଜଣାି ଥିଲେ । ତେଣୁ, ଏହା ଏକ ସନ୍ଦେହଜନକ ମୃତ୍ୟୁ ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି । ୟୁପିର ବିଜେପି ନେତା କ୍ରିଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏକ ଏମପି ଏମଏଲଏ କୋର୍ଟ ବାହୁବଳୀ ନେତା ମୁଖତାର ଆନସାରୀଙ୍କୁ ଗତ ବର୍ଷ ଏପ୍ରିଲ ମାସରେ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇ ଥିଲେ । ୧୯୯୦ରେ ଆର୍ମ ଲାଇସେନ୍ସ ପାଇବା ପାଇଁ ସେ ଜାଲି କାଗଜପତ୍ର ବ୍ୟବହାର କରିଥିବା ମାମଲାରେ ମଧ୍ୟ ମୁଖତାର ଆନସାରୀ ଗତ ୧୩ ତାରିଖରେ କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ୟୁପି ସରକାର ମୁଖତାର ଆନାସାରୀଙ୍କ ସନ୍ଦିଗ୍ଧ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିବା ବେଳେ ଅଖିଳେଶ ଯାଦବ ସୁପ୍ରିମ କୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଓ ମାୟାବତୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଆଜି ମୁଖତାର ଆନସାରୀଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଶେଷକୃତ୍ୟ ସମାପନ ପାଇଁ ତାଙ୍କ ପରିବାରବର୍ଗ ପାରିବାରିକ କବରସ୍ଥାନ ଗାଜିଆବାଦର କାଲି ବାଗକୁ ନେଇ ଯାଇଥିବା ସୂଚନା ମିଳିଛି । ସେଠାରେ ତାଙ୍କୁ କବର ଦିଆଯିବ । ମୁଖତାରଙ୍କ ପ୍ରତିପତ୍ତି ରହି ଆସିଥିବା ଅଂଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ ବନ୍ଦୋବସ୍ତ ହୋଇଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS