ନିର୍ବାଚନ ପୂର୍ବରୁ ଷ୍ଟାର୍ ପ୍ରଚାରକମାନେ ଛାଡୁଛନ୍ତି ବିଜେଡ଼ି – ଦଳ ପାଇଁ କେତେ ଶୁଭଂକର ?
ପ୍ରସାଦ ରାଓ
ଭୁବନେଶ୍ୱର/୩୦ ମାର୍ଚ୍ଚ
କୌଣସି ନା କୌଣସି କାରଣରୁ ବିଜେଡ଼ିରେ ଅସନ୍ତୋଷ କୁହୁଳୁ ଥିଲେ ମଧ୍ୟ ଚପି ରହିଥିଲା । ବିଧାନସଭା ନିର୍ବାଚନ ପାଖକୁ ଆସୁଥିବା ସମୟରେ ସେଥିରେ ବିସ୍ଫୋରଣ ଘଟିଛି । ବିଶେଷକରି, ବିଜେଡ଼ିର ଷ୍ଟାର୍ କ୍ୟାଂପେନରମାନେ ‘ସ୍ୱାଭିମାନ’ର ଦ୍ୱାହି ଦେଇ ଦଳ ଛାଡୁଥିବା ଓ ବିଜେପିରେ ସାମିଲ ହେଉଥିବା ଅନେକ କିଛି କହୁଛି । ପ୍ରଥମେ ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ । ସେ ହେଉଛନ୍ତି ବିଜେଡ଼ିର ପ୍ରଭାବଶାଳୀ ନେତା ତଥା ରାଜ୍ୟ ସଂଗଠନ ସଂପାଦକ ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ପରିବାର ସଦସ୍ୟ । ଅରିନ୍ଦମ ଦଳ ଭିତରେ ଚାଲିଥିବା କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ । ଦଳ ଛାଡିବେ ଛାଡିବେ ହେଉଥିଲେ । ତେଣୁ, ତାଙ୍କ ଦଳତ୍ୟାଗକୁ କେହି ବିଶେଷ ଗୁରୁତ୍ୱ ଦେଇ ନଥିଲେ । ଏବେ, ଓଡ଼ିଆ ତାରକା ସିଦ୍ଧାନ୍ତ ମହାପାତ୍ର (ପୂର୍ବତନ ବ୍ରହ୍ମପୁର ସାଂସଦ), ଆକାଶ ଦାସ ନାୟକ (ପୂର୍ବତନ କୋରେଇ ବିଧାୟକ) ଓ ଅନୁଭବ ମହାନ୍ତି (ପୂର୍ବତନ କେନ୍ଦ୍ରାପଡା ସାଂସଦ) ବିଜେଡ଼ି ଛାଡି ବିଜେପି ଆଡକୁ ମୁହାଁଇବା ଦଳ ଭିତରେ ସବୁ କିଛି ଯେ ଠିକଠାକ ଚାଲିନି ସେଭଳି ସୂଚନା ଦେଉଛି । ସିଦ୍ଧାନ୍ତ ମହାପାତ୍ର ଦିନକ ତଳେ ଦିଲ୍ଲୀରେ ଅନୁଷ୍ଠିତ ବିଜେପିର ଏକ ମିଶ୍ରଣ କାର୍ଯ୍ୟକ୍ରମରେ କଟକ ସାଂସଦ ଭତୃହରି ମହତାବଙ୍କ ସହ ବିଜେପିରେ ସାମିଲ ହୋଇଥିଲେ । ଅନୁଭବ ମହାନ୍ତି ମଧ୍ୟ ବିଜେଡ଼ି ଛାଡି ବିଜେପିକୁ ଯାଉଥିବା ଗଲା କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଆଜି ସେ ବିଜେଡ଼ି ଛାଡିଛନ୍ତି ଓ ବିଜେପିକୁ ଯାଉଥିବା ସଂକେତ ମିଳିଛି । ଓଲିଉଡ଼ ଅଭିନେତା ତଥା ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ବିଜେପିରେ ଯୋଗ ଦେଉଥିବା ସୂଚନା ମିଳୁଛି । ବଲିଉଡ଼ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକପ୍ରିୟତା ଯେତେବେଳେ ଚରମରେ ଥିଲା ବିଜେଡ଼ି ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଦଳରେ ସାମିଲ କରିଥିଲା ଏବଂ ୨୦୦୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା । ୨୦୦୯ ନିର୍ବାଚନରେ ସେ କଂଗ୍ରେସର ପୂର୍ବତନ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାଶ ହଜାରରୁ ଅଧିକ ଭୋଟରେ ପରାଜିତ କରି ବିଜୟୀ ହୋଇଥିଲେ । ସାଂସଦ ଥିବା ଅବସ୍ଥାରେ ସିଦ୍ଧାନ୍ତ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କୌଣସି ଆଖିଦୃଶିଆ ବିକାଶ କାର୍ଯ୍ୟ କରିନଥିଲେ ମଧ୍ୟ ଜଣେ ଓଡ଼ିଆ ତାରକା ଭାବରେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ତାଙ୍କର ବେଶ ଲୋକପ୍ରିୟତା ରହିଥିଲା । ବିଜେଡ଼ି ୨୦୧୪ ନିର୍ବାଚନରେ ମଧ୍ୟ ତାଙ୍କୁ ରିପିଟ୍ କରିଥିଲା । କିନ୍ତୁ, ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଟିକଟ ମିଳି ନଥିଲା । ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡ଼ି ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରି ସିଦ୍ଧାନ୍ତଙ୍କୁ ଏକପ୍ରକାର କୋଣଠେସା କରି ରଖି ଥିଲା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତି ଅଭିଯୋଗରେ ଫସି ଜେଲ ଯିବା ସହ ବିଜେଡ଼ିରୁ ବହିଷ୍କୃତ ହେବା ପରେ ବିଜେଡ଼ି ବିରୋଧରେ ଯେତେବେଳେ ଖୋଲାଖୋଲି ବୟାନବାଜୀ କଲେ ବିଜେଡ଼ି ତାଙ୍କୁ ମୁକାବିଲା କରିବା ପାଇଁ ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସିଦ୍ଧାନ୍ତ ମହାପାତ୍ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରୟୋଗ କଲା । ସିଦ୍ଧାନ୍ତ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସହ ମିଶିବା ଆରମ୍ଭ କରିବାରୁ ସେ ପୁଣି ଥରେ ବ୍ରହ୍ମପୁର ଲୋକସଭା ଆସନରୁ ବା ଗୋପାଳପୁର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ, ବିଜେଡ଼ି ନେତୃତ୍ୱ ୨୦୧୯ରେ ବ୍ରହ୍ମପୁରରୁ ବିଧାୟକ ନିର୍ବାଚତ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କ ବିରୋଧରେ ସକ୍ରିୟ କରିବାରୁ ଏବଂ ୨୦୨୪ ନିର୍ବାଚନ ପାଇଁ ଗୋପାଳପୁର ବିଧାନସଭା ଆସନପାଇଁ ପଣ୍ଡାଙ୍କ ନାମ ଘୋଷଣା କରିବାରୁ ଅନ୍ୟ ଆଶାୟୀଙ୍କ ଆଶା ମଉଳି ଯାଇଛି । ବିଜେଡ଼ି ଆଜି ସୁଦ୍ଧା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ କାହାକୁ ପ୍ରାର୍ଥୀ କରିବାକୁ ଯାଉଛି ଘୋଷଣା କରିନଥିବାରୁ ବର୍ତ୍ତମାନ ଏହି ଆସନରୁ ସାଂସଦ ଥିବା ସାହୁ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପୂର୍ବତନ ବିଜେଡ଼ି ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେଡ଼ିରେ ତାଙ୍କ ଭବିଷ୍ୟତ ଅନ୍ଧକାର ଥିବା ଜାଣି ବିଜେପିକୁ ଡିଆଁ ମାରିଛନ୍ତି । ତେବେ, ଦଳରୁ ଟିକଟ ମିଳିବା ସମ୍ଭାବନା ନଥିବାରୁ ନୁହେଁ, ଦଳ ଭିତରେ କୋଣଠେସା ହୋଇସାରିଥିବାରୁ ଅଣନିଶ୍ୱାସୀ ହୋଇ ସେ ବିଜେଡ଼ି ଛାଡିଛନ୍ତି । ଟିକଟ ପାଇଁ ଛାଡିଥିଲେ ୨୦୧୯ ନିର୍ବାଚନରୁ ହିଁ ବିଜେଡ଼ି ଛାଡି ସାରନ୍ତେଣି ବୋଲି ସିଦ୍ଧାନ୍ତ ନିକଟରେ ଏକ ଆଂଚଳିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓଲିଉଡ଼ ତାରକା ଅନୁଭବ ମହାନ୍ତି ମଧ୍ୟ ୨୦୧୪ ନିର୍ବାଚନରେ ବିଜେଡ଼ିର ଜଣେ ଷ୍ଟାର ପ୍ରଚାରକ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭାକୁ ପଠାଇ ଥିଲେ । ଦିନେ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଟ ସହଯୋଗୀ ଥିବା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ବିଜେଡ଼ିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗଦେବା ସହ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରପଡା ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବାରୁ ତାଙ୍କୁ ପରାଜିତ କରିବା ଉଦ୍ଦେଶ୍ୟରେ ବିଜେଡ଼ି ସୁପ୍ରିମୋ ଦଳର ଷ୍ଟାର୍ ନେତା ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭାରୁ ହଟାଇ ଆଣି ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିଥିଲେ । ବିଜେଡ଼ିର ସବୁ ବଡ ନେତା ବୈଜୟନ୍ତ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ । ଅନୁଭବ ମହାନ୍ତି ରେକର୍ଡ ଭୋଟ ବ୍ୟବଧାନରେ ବୈଜୟନ୍ତଙ୍କୁ ପରାଜିତ କରିଥିଲେ । ତେବେ, ଷ୍ଟାର୍ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅନୁଭବଙ୍କ ବୈବାହିକ ସଂପର୍କକୁ ନେଇ କଳହ ଏଭଳି ଏକ ପରସ୍ଥିତି ସୃଷ୍ଟି କଲା ଯେ ବିଜେଡ଼ି ଅନୁଭବଙ୍କୁ ଦୂରେଇ ଦେବାକୁ ବାଧ୍ୟ ହେଲା । ଅନୁଭବ ଦଳରେ ଥାଇ ମଧ୍ୟ ଅଲୋଡା ହୋଇପଡିବାରୁ ମାନସିକ ଯାତନା ଭୋଗୁଥିଲେ । ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ପାଉଥିବା ଦେଖି ଆଜି ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତାଫା ଦେଇଛନ୍ତି ଓ ବିଜେପିର ବରିଷ୍ଠ ନେତାଙ୍କ ସଂପର୍କରେ ରହିଛନ୍ତି ବୋଲି ଆଲୋଚନା ହେଉଛି । କୋରଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଓଲିଉଡ଼ର ଜଣେ ଆଗ ଧାଡିର ଅଭିନେତା । ବିଜେଡ଼ିର ଷ୍ଟାର୍ ପ୍ରଚାରକ ଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ କୋରେଇ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ବିଜେଡ଼ି ତାଙ୍କୁ ଟିକଟ ଦେଇ ନଥିଲେ ମଧ୍ୟ ସେ ଦଳରେ ରହି କାର୍ଯ୍ୟ କରୁଥିଲେ । ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ି ତାହାର ୭୨ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଣାଣା କରିଛି । ସେଥିରେ କୋରେଇ ବା ଆକାଶ ଦାସ ନାୟକଙ୍କ ନାମ ନାହିଁ । ଆକାଶ ଦାସ ନାୟକ ଆଜି ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିକୁ ଯିବେ ବୋଲି ଅନୁମାନ କରାଯାଉଥଛି । ନାୟକ ଆଜି ଏକ ଭିଡ଼ିଓ ଜାରି କରି କହିଛନ୍ତି, ଗଲା ଚାରି ବର୍ଷ ହେଲା ସେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି ଏବଂ କଠିନ ପରିଶ୍ରମ ମାଧ୍ୟମରେ ଦଳର ସଂଗଠନକୁ ସୁଦୃଢ କରିଛନ୍ତି । ତେବେ, ବିଜେଡ଼ି ନେତୃତ୍ୱ ତାହା ବୁଝି ପାରି ନାହାନ୍ତି । ସେ ନିଜ ଅନ୍ତରାତ୍ମାକୁ ଶୁଣିବା ସହ ନିଜର ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନକୁ ଆଖିରେ ରଖି ଦୁଃଖର ସହ ବିଜେଡ଼ି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କୋରେଇର ଜନସାଧାରଣ ଓ ନିଜ ସମର୍ଥକମାନଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ । କେବଳ ଷ୍ଟାର୍ ନୁହନ୍ତି, ଅନ୍ୟ କିଛି ନେତା ମଧ୍ୟ ଇତିମଧ୍ୟରେ ବିଜେଡ଼ିରୁ ଇସ୍ତଫା ଦେଲେଣି । ଆଜି ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରର ଗୋଟିଏ ବିଧାନସଭା ଆସନର ପୂର୍ବତନ ବିଜେଡ଼ି ବିଧାୟକ ପ୍ରିୟଦର୍ଶୀ ମିଶ୍ର । ବିଜେଡ଼ିରୁ ଇସ୍ତଫା ଦେବା ପରେ ମିଶ୍ର ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଓଡ଼ିଶା ପାଇଁ ନିଯୁକ୍ତ ବିଜେପିର ନିର୍ବାଚନ ପରିଚାଳନା ପ୍ରଭାରୀ ବିଜୟପାଲ ସିଂହ ତୋମର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ମିଶ୍ରଙ୍କ ପୂର୍ବରୁ ବିଜେଡ଼ିର ପୂର୍ବତନ ବିଧାୟକ ଡ଼ମ୍ବୁରୁ ସିସା ମଧ୍ୟ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଶ ଦେଇଥିଲେ । କେବଳ ବିଜେଡ଼ିରେ ନୁହେଁ, ରାଜ୍ୟ କଂଗ୍ରେସରେ ମଧ୍ୟ ଇସ୍ତଫାର ସୁଅ ଛୁଟିଛି । ଗତକାଲି ବଲାଂଗୀର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବି ବିଶ୍ୱାଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡ଼ି ଓ କଂଗ୍ରେସର ପୁରୁଖା ନେତାମାନେ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ଦ୍ୱାରା ରାଜ୍ୟରେ ବିଜେପି ସପକ୍ଷରେ ଏକ ହାୱା ରହିଥିବା ଆଲୋଚନା ହେଉଛି । ଅବଶ୍ୟ, ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଭଳି କିଛି କଂଗ୍ରେସ ଓ ବିଜେପି ନେତା ଦଳତ୍ୟାଗ କରି ବିଜେଡ଼ିରେ ସାମିଲ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଜି ନାରାୟଣ ରାଓ ବିଜେଡ଼ିରେ ଯୋଗ ଦେଇଛନ୍ତି । ଯେଉଁ ଷ୍ଟାର୍ ନେତାମାନେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ବା ହେବାକୁ ଯାଉଛନ୍ତି ସେମାନଙ୍କର ନିଜର କିଛି ରାଜନୈତିକ ପତିଆରା ନାହିଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସେମାନେ ଜିତୁଥିଲେ, ଏହି ଆଶୀର୍ବାଦ ବିନା ସେମାନେ ୱାର୍ଡ ମେମ୍ବର ମଧ୍ୟ ହୋଇ ପାରିବେ ନାହିଁ ବୋଲି ବିଜେଡ଼ି ମୁଖପାତ୍ରମାନେ ପ୍ରତିକ୍ରିୟା ଦେଉଥିବା ବେଳେ ବିଜେଡ଼ିର ଷ୍ଟାର ପ୍ରଚାରକମାନେ ଦଳ ଛାଡି ବିଜେପିକୁ ଚାଲି ଯିବା ଦ୍ୱାରା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ବାଚନ ପ୍ରଚାରର ଚାପ ବଢିବ, ବିଜେପିର ପ୍ରଚାର ସହଜ ହେବ, କିନ୍ତୁ ସେମାନେ ବିଜେଡ଼ି ଭୋଟକୁ ବିଜେପିକୁ ସ୍ଥାନାନ୍ତର କରିବାରେ ସଫଳ ହେବେ ନାହିଁ ବୋଲି ରାଜ୍ୟର ବରିଷ୍ଠ ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି । ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡ଼ି ଏକ ଅଭଦ୍ୟ ଦୁର୍ଗ ଥିଲା । ଅଚାନକ ୨୦୨୪ ନିର୍ବାଚନ ପୂର୍ବରୁ ଦଳର ବହୁ ପୁରୁଖା ନେତା ନବୀନଙ୍କ ହାତ ଛାଡି ବିଜେପି ମୁହାଁ ହେବା ପଛରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ଆକର୍ଷଣ ବଢିଛି ବୋଲି କୁହାଯିବ ନା ଶାସକ ବିଜେଡ଼ରେ ଅଣ-ରାଜନୈତିକ ନେତୃତ୍ୱକୁ ନେଇ ଗତ ଦୁଇ ବର୍ଷ ହେଲା ଯେଉଁ ଚାପା ଅସନ୍ତୋଷ ଥିଲା ନିର୍ବାଚନ ତାରିଖ ଘୋଷଣା ପରେ ସେଥିରେ ଉଦ୍ଗିରଣ ହୋଇଛି କୁହାଯିବ – ଆଜି ଦିନରେ ତାହା ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS