ରାମଲିଳା ମଇଦାନରୁ ବିରୋଧୀ ମେଂଟ ନେତାଙ୍କ ଆହ୍ୱାନ, ଗଣତନ୍ତ୍ରକୁ ବଂଚାଇବା ପାଇଁ ବିଜେପିକୁ ପରାସ୍ତ କର ..
ପ୍ରସାଦ ରାଓ
ନୂଆଦିଲ୍ଲୀ/୩୧ ମାର୍ଚ୍ଚ
ଏପ୍ରିଲ ୧୯ରୁ ଦେଶରେ ସାଧାରଣ ନିର୍ବାଚନର ମହାପର୍ବ ଆରମ୍ଭ ହେଉଥିବା ବେଳେ ମୋଦୀ ସରକାରଙ୍କୁ କ୍ଷମତାଚ୍ୟୁତ କରି ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ହଲପ ଖାଇଥିବା ବିରୋଧୀ ‘ଇଣ୍ଡିଆ’ ମେଂଟ ଆଜି ନୂଆଦିଲ୍ଲୀ ରାମଲିଳା ମଇଦାନରୁ ତାହାର ଧର୍ମଯୁଦ୍ଧ ଆରମ୍ଭ କରିଛି । କିଛି ଦିନ ହେଲା ଆସନ ବୁଝାମଣାକୁ ନେଇ ପରସ୍ପର ବିରୋଧରେ ଲଢୁଥିବା ଏବଂ ବିରୋଧୀ ମେଂଟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ନେତାମାନେ ଆଜି ରାମଲିଳା ମଇଦାନରେ ଏକାଠି ହୋଇ ବିରାଟ ସଭାକୁ ସମ୍ବୋଧିତ କରିବା ଓ ଦେଶରେ ଗଣତନ୍ତ୍ରକୁ ବଂଚାଇବା ପାଇଁ ୨୦୨୪ ସାଧାରଣ ନିର୍ବାଚନ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଶବାସୀଙ୍କୁ ସନ୍ଦେଶ ଦେଇଥିବା ଆସନ୍ତା ନିର୍ବାଚନର ଗୁରୁତ୍ୱ ବଢାଇ ଦେଇଛି ।
ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରି ଜେଲରେ ପୁରାଇବା ଓ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦୀର୍ଘ ବର୍ଷ ହେଲା ଆୟକର ବକେୟା ରଖିଥିବା ଦର୍ଶାଇ ଆୟକର ବିଭାଗ କଂଗ୍ରେସଠାରୁ ବକେୟା ଟଙ୍କ ସୁଧ ଓ ଜରିମାନା ସହ ଆଦାୟ ପାଇଁ ନୋଟିସ ଜାରି କରି ଦଳକୁ ଆର୍ଥିକ ଦୃଷ୍ଟିରୁ ପଙ୍ଗୁ କରି ଦେବାକୁ ଉଦ୍ୟମରେ ଥିବା ଛିନ୍ନଛତ୍ର ଅବସ୍ଥାରେ ଥିବା ବିରୋଧୀ ନେତାଙ୍କୁ ଏକାଠି ହେବାର ସୁଯୋଗ ସୃଷ୍ଟି କରିଛି । ଆଜି ୨୭ଟି ବିରୋଧୀ ଦଳର ନେତାମାନେ ରାମଲିଳା ମଇଦାନରେ ଏକାଠି ହୋଇ ବିରୋଧୀଙ୍କ ଉପରେ ଶାସକ ଦଳର ଆକ୍ରମଣ ଦେଶରେ ଏକଛତ୍ରବାଦ ପ୍ରତିଷ୍ଠାର ଅୟମାରମ୍ଭ କହି ଏହା ବିରୋଧରେ ମିଳିତ ଭାବେ ଲଢିବାକୁ ସଂକଳ୍ପ ନେଇଛନ୍ତି । ବିରୋଧୀ ଦଳଙ୍କ ମହାସମାବେଶରେ ଯୋଗ ଦେଇଥିବା ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ କଡା ସମାଲୋଚନା କରିବା ସହ ତାନାସାହୀ ବିରୋଧରେ ଏକାଠି ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ରାମଲିଳା ମଇଦାନରେ ଆଜି ଅନୁଷ୍ଠିତ ‘ଇଣ୍ଡିଆ’ ମେଂଟ ସମାବେଶରେ ଯୋଗ ଦେଇଥିବା ବିରୋଧୀ ନେତାଙ୍କ ମଧ୍ୟରେ ପ୍ରମୁଖ ଆକର୍ଷଣ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପତ୍ନୀ ସୁନିତା କେଜରୀୱାଲ ଓ ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । ଦୁହେଁ ସକ୍ରିୟ ରାଜନୀତିରେ ନଥିଲେ । ତେବେ, ଉଭୟଙ୍କ ସ୍ୱାମୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରି ଜେଲରେ ପୁରାଇ ଦେଇଥିବାରୁ ଆପେ ଆପେ ସେମାନେ ରାଜନୀତିରେ ସକ୍ରିୟ ହୋଇଛନ୍ତି । ହେମନ୍ତ ସୋରେନ ଇଡି ଦ୍ୱାରା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜେଏମଏମର ବରିଷ୍ଠ ନେତା ଚଂପେଇ ସୋରେନଙ୍କ ହାତରେ ରାଜ୍ୟର ଶାସନ ଭାର ସମର୍ପି ଦେଇଥିବା ବେଳେ ଅରବିନ୍ଦ କେଜରୀୱାଲ ୨୧ ତାରିଖ ରାତିରେ ଇଡି ଦ୍ୱାରା ଗିରଫ ହୋଇ ହାଜତରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାନ୍ତି । ଇଡି ହାଜତରେ ରହି ସେ ସରକାର ଚଳାଉଛନ୍ତି ।
ସୁନିତା ସ୍ୱାମୀଙ୍କ ଗିରଫଦାରୀ ବିରୋଧରେ ‘ଆପ୍’ ପକ୍ଷରୁ ଚାଲିଥିବା ଅଭିଯାନର ନେତୃତ୍ୱ ନେଇ ଦେଶବାସୀଙ୍କ ସାମ୍ନାକୁ ଆସିଛନ୍ତି । ଅରବିନ୍ଦ କେଜରୀୱାଲ ଯଦି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତ ତେବେ ପତ୍ନୀ ସୁନିତା ଶାସନର ମଂଗ ଧରି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଇଣ୍ଡିଆ ମେଂଟ ନେତାଙ୍କ ଗହଣରେ ମଂଚ ଉପରେ ତାଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ବସି ଥିବା ଓ ଦୁହିଁଙ୍କ ମଧ୍ୟରେ ଦୁଇ ପଦ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚଂପେଇ ସୋରେନଙ୍କ ସହ ମଂଚାସୀନ ଥିଲେ ଓ ବିରୋଧୀ ନେତାଙ୍କ ମହାସମାବେଶରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପ୍ରତିନିଧିତ୍ୱ କରିଥିଲେ । ମଂଚରେ କଂଗ୍ରେସର ସର୍ବାଧିକ ସଂଖ୍ୟକ ନେତା ଉପସ୍ଥିତ ଥିଲେ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଂଚାସୀନ ଥିଲେ ।
କିନ୍ତୁ, ମହାସମାବେଶରେ କଂଗ୍ରେସ ସଭାପତି ଖାର୍ଗେ, ରାହୁଲ ଓ ପ୍ରୟଙ୍କା ଗାନ୍ଧୀ ଜନତାଙ୍କୁ ସମ୍ବୋଧିତ କରିଥିଲେ । ସୋନିଆ ଗାନ୍ଧୀ ମଂଚରେ ଉପସ୍ଥିତ ରହି ବିରୋଧୀ ମେଂଟ ସହ ସେ ଥିବାର ଆଭାସ ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ଲୋକତନ୍ତ୍ର ବଚାଓ ରାଲି’ର ସର୍ବଶେଷରେ ‘ଇଣ୍ଡିଆ’ ମେଂଟର ପଂଚସୂତ୍ରୀ ଦାବି ପ୍ରସ୍ତାବ ପାଠ କରିଥିଲେ । ରାମଲିଳା ମଇଦାନରେ ପ୍ରତିବର୍ଷ ରାବଣ ପୋଡି ଉତ୍ସବ ପାଳନ ସମୟରେ ଜେଜେମା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଉପସ୍ଥିତ ରହି ଏବଂ ଜେଜେମାଙ୍କ ପାଦ ତଳେ ବସି ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ଦହନ କରୁଥିବାର ଦୃଶ୍ୟ ଉପଭୋଗ କରିଥିବା ପ୍ରିୟଙ୍କା ମନେ ପକାଇବା ସହ ରାବଣ ଭଳି ମହାପ୍ରତାପୀର ଅହଂକାରକୁ ଯେମିତି ଶ୍ରୀରାମଚନ୍ଦ୍ର ଚୂର୍ଣ୍ଣ କରିଥିଲେ ଆସନ୍ତା ନିର୍ବାଚନରେ ବିରୋଧୀ ମେଂଟ ଅହଂକାରୀ ମୋଦୀ ସରକାରର ଦର୍ପ ଚୂର୍ଣ୍ଣ କରିବ ବୋଲି ଚେତାବନୀ ଦେଇଥିଲେ ।
ବିରୋଧୀ ‘ଇଣ୍ଡିଆ’ ମେଂଟର ପାଂଚସୂତ୍ରୀ ପ୍ରସ୍ତାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯିବାକୁ ଏବଂ ଆସନ୍ତା ଲୋକସଭା ନିର୍ବାଚନରେ ସବୁ ରାଜନୈତିକ ଦଳମାନେ ନିର୍ବାଚନ ଲଢିବା ପାଇଁ ଯେପରି ସମାନ୍ତରାଲ କ୍ଷେତ୍ର ବା ସମାନ ସୁଯୋଗ ପାଇବେ ତାହା ନିର୍ବାଚନ ଗମିଶନ ଯୋଗାଇ ଦେବାକୁ ଦାବି କରାଯାଇଛି । ଏହାଛଡା, ନିର୍ବାଚନ ସମୟରେ ବିରୋଧୀ ଦଳ ନେତାଙ୍କ ବିରୋଧରେ ସିବିଆଇ, ଇଡି ଓ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ନିର୍ବାଚନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମଧ୍ୟ ‘ଇଣ୍ଡିଆ’ ମେଂଟ ନିର୍ବାଚନ କମିଶନଙ୍କୁ ଆହ୍ୱାନ ଦେଇଛି । ବିଜେପି ପକ୍ଷରୁ ଅନୈତିକ ଚାପ ସୃଷ୍ଟି କରାଯାଉଥିଲେ ମଧ୍ୟ ବିରୋଧୀ ମେଂଟ ତାହା ବିରୋଧରେ ଲଢିବାକୁ, ଜିତିବାକୁ ଓ ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ବଦ୍ଧପରିକର ବୋଲି ବିରୋଧୀ ମେଂଟର ପ୍ରସ୍ତାବରେ କୁହାଯାଇଛି ।
ମେଂଟର ଶେଷ ଦୁଇଟି ପ୍ରସ୍ତାବ ହେଉଛି, ନିର୍ବାଚନ ସମୟରେ ବିରୋଧୀ ରାଜନୈତିକ ଦଳଙ୍କୁ ଆର୍ଥିକ ଦୃଷ୍ଟିରୁ ପଂଗୁ କରିବାକୁ ଶାସକ ଦଳ ପକ୍ଷରୁ ବିଭିନ୍ନ ସରକାରୀ ଏଜେନ୍ସୀଙ୍କ ମାଧ୍ୟମରେ ଯେଉଁ କାର୍ଯ୍ୟାନୁଷ୍ଠାନ ଚାଲିଛି ତାହାକୁ ନିର୍ବାଚନ କମିଶନ ରୋକିବା ଦିଗରେ ପଦକ୍ଷେପ ନେଉ ଏବଂ ଇଲୋକ୍ଟୋରାଲ ବଣ୍ଡ୍ ଓ ଅନ୍ୟ ଅନୈତିକ ଉପାୟରେ ବିଜେପି ନିର୍ବାଚନ ପରିଚାଳନା ପାଇଁ ଯେଉଁ ବିପୁଳ ପୁଂଜୀ ଠୁଳ କରିଛି ସୁପ୍ରିମ କୋର୍ଟ ତାହାର ଏସଆଇଟି ତଦନ୍ତ କରାନ୍ତୁ । ‘ଆପ୍’ ଦ୍ୱାରା ଆୟୋଜିତ ଏହା ମହାରାଲିରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ (ପଂଜାବ) ଓ ଚଂପେଇ ସୋରେନ (ଝାଡଖଣ୍ଡ) ଯୋଗ ଦେଇଥିଲେ । ମଂଚାସୀନ ଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ – ଶରଦ ପାୱାର (ଏନସିପି ଶରତଦଚନ୍ଦ୍ର ପାୱାର), ଜାତୀୟ କନ୍ଫରେନ୍ସ (ଏନସି) ମୁଖ୍ୟ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡ଼ିପି ମୁଖ୍ୟା ମେହେବୁବା ମୁଫତି, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ସମାଜବାଦୀ ପାର୍ଟି ନେତା ତା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ସିପିଆଇ ନେତା ଡି.ରାଜା, ସିପିଏମ ନେତା ସୀତାରାମ ୟାଚୁରୀ, ଟିଏମସିର ବରିଷ୍ଠ ନେତା ଡେରେକ ଡ’ବେନ୍, ଆରଜେଡି ନେତା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତେଲେଂଗାନା ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ.ଷ୍ଟାଲିନଙ୍କ ପ୍ରତିନିଧି, ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀ ମାର୍ଲିନ ପ୍ରମୁଖ । ‘ଆପ୍’ର ବରିଷ୍ଠ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାଏ ମହାରାଲିର ସଂଯୋଜନା କରିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏସପି ନେତା ଅଖିଳେଶ ଯାଦବ ଓ ଆରେଜେଡ଼ି ନେତା ତେଜସ୍ୱୀ ଯାଦବ ସେମାନଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିର୍ ଇସ୍ ବାର ମୋଦୀ ସରକାର-୪୦୦ ପାର୍’ ସ୍ଲୋଗାନକୁ କଡା ସମାଲୋଚନା କରିଥିଲେ । ଦେଶବାସୀ ମତଦାନ କରିବା ପୂର୍ବରୁ ବିଜେପି, ବଶେଷକରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଦମ୍ଭୋକ୍ତି ପ୍ରକାଶ କରିବା ‘ଇଭିଏମ-ଫିକ୍ସିଂ’ ଦ୍ୱାରା ହିଁ ସମ୍ଭବ ବୋଲି ସେମାନେ କହିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ‘୪୦୦ ପାର୍’ ନୁହେଁ, ‘୪୦୦ ହାର୍’ ବୋଲି ଅଖିଳେଶ କହିଥିଲେ । ଏହା ଏକ ସାଧାରଣ ନିର୍ବାଚନ ନୁହେଁ, ଦେଶରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ସୁରକ୍ଷିତ କରିବା ପାଇଁ ଏକ ଧର୍ମଯୁଦ୍ଧ । ଦେଶର ଜନତା ଏତର ଭାବି ଚିନ୍ତି ଭୋଟ ଦେଇ ବିଜେପିକୁ ପରାହତ ନକଲେ ଦେଶ ଏକଛତ୍ର ଶାସନକୁ ଚାଲିଯିବ, ଭବିଷ୍ୟତରେ ଆଉ ନିର୍ବାଚନ ହେବ ନାହିଁ ବୋଲି ଏଆଇସିସି ସଭାପତି ଖାର୍ଗେ ଚେତାଇ ଦେଇଛନ୍ତି । ଆଜି ରାମଲିଳା ମଇଦାନରୁ ବିରୋଧୀ ମେଂଟ ନେତାମାନେ ଦେଶବାସୀଙ୍କୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ଜନସାଧାରଣଙ୍କୁ ପ୍ରଭାବିତ କରିବାରେ କେତେ ସଫଳ ହେଉଛି ତାହା ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ହିଁ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS