ବିଜେଡ଼ିରୁ ଆଉ ଏକ ଇସ୍ତଫା, ସନ୍ଧ୍ୟାବତୀ ଛାଡିଲେ ଦଳ
ପ୍ରସାଦ ରାଓ
ଭୁବନେଶ୍ୱର/ଏପ୍ରିଲ ୦୧
ଆସନ୍ତା ମେ’ ମାସରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଶାସକ ବିଜୁ ଜନତା ଦଳ (ବିଜେଡ଼ି)ରୁ ନେତାଙ୍କ ଇସ୍ତଫା ରାଜ୍ୟବାସୀଙ୍କ ପାଇଁ ରୋଚକ ଖବର ହେବାରେ ଲାଗିଛି । ଗତ କିଛି ଦିନ ଭିତରେ ବିଜେଡ଼ିର ବହୁ ତୁଙ୍ଗ ନେତା ଓ ଷ୍ଟାର ପ୍ରଚାରକ ଇସ୍ତଫା ଦେଲେଣି । ଆଜି ଏଥିରେ ଯୋଡି ହୋଇଛନ୍ତି ବିଜେଡ଼ିର ବରିଷ୍ଠ ନେତ୍ରୀ ତଥା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ୍ (ଓଏସସିପିସିଆର)ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ । ବିଜେଡ଼ି ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଇସ୍ତଫାପତ୍ରରେ ସେ ଯାହା ଲେଖିଛନ୍ତି ତାହା ପରୋକ୍ଷରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଦାୟି କଲା ଭଳି ହୋଇଛି । ଦଳର ମୁଖ୍ୟ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବା ‘କୋଟେରୀ’ ଦ୍ୱାରା ଆବଦ୍ଧ ରହି ଥିବାରୁ ନେତା ଓ କର୍ମୀଙ୍କ ପାଇଁ ଅପହଂଚ ରହିଛନ୍ତି । ସେମାନଙ୍କ ସ୍ୱର ନେତାଙ୍କ କାନରେ ପହଂଚି ପାରୁନି । ତେଣୁ, ଦଳରେ ସେମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହା ନିଷ୍ଠାପର ଭାବରେ କାର୍ଯ୍ୟକାରୀ କରୁଥିଲେ ମଧ୍ୟ କୋଟେରୀ ଘେରରେ ଥିବା ନେତା ସେମାନଙ୍କ ପାଇଁ ଅପହଂଚ ହୋଇପଡିଥିବାରୁ କିଛି ନେତା ଦୁଃଖର ସହ ଦଳତ୍ୟାଗ କରୁଥିବା ସନ୍ଧ୍ୟାବତୀଙ୍କ ଇସ୍ତଫାପତ୍ରରୁ ସୂଚନା ମିଳୁଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଓଏସସିପିସିଆର) ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବିଜେଡ଼ି ମୁଖ୍ୟଙ୍କ ନିକଟକୁ ପଠାଇ ଥିବା ଇସ୍ତଫାପତ୍ରରେ ଲେଖିଛନ୍ତି, ‘ଆପଣ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଘେରରେ ଆବଦ୍ଧ ଥିବା କାରଣରୁ ଆମ ସ୍ୱର ଆପଣଙ୍କ ନିକଟରେ ପହଂଚି ପାରୁନି । ଆମ ସୁବିଧା, ଅସୁବିଧା ଆପଣ ଜାଣିପାରୁ ନାହାନ୍ତି । ଆମେ ମଧ୍ୟ ଆପଣଙ୍କ ପରାମର୍ଶ ପାଇବାରୁ ବଂଚିତ ହେଉଛୁ । ଏହା ମୋର ହୃଦବୋଧ ହେବା ପରେ ଅତ୍ୟନ୍ତ ଦୁଃଖର ସହ ମୁଁ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି’ । ସନ୍ଧ୍ୟାବତୀଙ୍କ ଇସ୍ତଫାକୁ ନେଇ ବିଜେଡ଼ିରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଆସି ନାହିଁ । ତେବେ, ବିଳମ୍ବରେ ହେଲେ ମଧ୍ୟ ପ୍ରତିକ୍ରିୟା ଆସିବ ଏବଂ ସନ୍ଧ୍ୟାବତୀଙ୍କ ଇସ୍ତଫା ଦଳକୁ କୌଣସି ପ୍ରଭାବିତ କରିବ ନାହିଁ ବୋଲି ଶାସକ ଦଳ ମୁଖପାତ୍ରମାନେ ବିବୃତି ଦେବେ – ଏଥିରେ କୌଣସି ସନ୍ଦେହ ନାହିଁ । ନିର୍ବାଚନ କମିଶନଙ୍କ ଦ୍ୱାରା ଦେଶରେ ସାଧାରଣ ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡ଼ିରୁ ଇସ୍ତଫାର ସୁଅ ଛୁଟିଛି । ଦଳର ବହୁ ବରିଷ୍ଠ ନେତା ବିଜେଡ଼ିରୁ ଇସ୍ତଫା ଦେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିରେ ଯୋଗ ଦେଲେଣି । ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିବା ତୁଙ୍ଗ ନେତାଙ୍କ ମଧ୍ୟରେ ଅଛନ୍ତି କଟକରୁ ଲଗାତର ଛଅ ଥର ସାଂସଦ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ, ପୂର୍ବତନ ବିଧାୟକ ଦେବାଶିଷ ନାୟକ, ପ୍ରିୟଦର୍ଶୀ ମିଶ୍ର, ଡମ୍ବୁରୁ ସିସା, ଷ୍ଟାର୍ ଅଭିନେତା ଅରିନ୍ଦମ ରାୟ, ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଅକାଶ ଦାସ ନାୟକ, ପୂର୍ବତନ ସାଂସଦ ଅନୁଭବ ମହାନ୍ତି ପ୍ରମୁଖ । ଅନୁଭବଙ୍କ ବ୍ୟତୀତ ଅନ୍ୟମାନେ ବିଜେଡ଼ି ଛାଡିବା ସଂଗେ ସଂଗେ ବିଜେପିରେ ଯୋଗ ଦେଇଛନ୍ତି । ଓଡଲିଉଡ୍ ଷ୍ଟାର ତଥାପୂର୍ବତନ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଆଜି ବିଜେପିରେ ଯୋଗ ଦେଉଥିବା ସୂଚନା ମିଳିଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ଦିନକ ତଳେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିଛି । ବିଜେପି ଟିକଟ ସହ ଦିଲ୍ଲୀରୁ ଗତକାଲି ଭୁବନେଶ୍ୱର ଫେରିବା ପରେ ମହତାବଙ୍କୁ ବିପୁଳ ସମ୍ବର୍ଦ୍ଧନା ମିଳିଛି । ଓଡ଼ିଶାରେ ୨୪ ହେଲା କ୍ଷମତାରେ ଥିବା ବିଜେଡ଼ିର ସମୟ ସରି ଆସୁଛି ବୋଲି ମହତାବ ଭୁବନେଶ୍ୱରରେ ବୟାନ ଦେଇଛନ୍ତି । ବିଜେଡ଼ି ଛାଡି ବିଜେପିରେ ଯୋଗଦେଇଥିବା ଅନ୍ୟ ନେତାମାନେ ମଧ୍ୟ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକାରେ ଥଇଥାନ ହେବେ ବୋଲି ଆଶା ରଖିଛନ୍ତି । ତେବେ, ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି କିଛି ଦଳ ଛାଡିଥିବା ନେତାଙ୍କ ବୟାନ ହେଉଛି, ଦଳ ଭିତରେ ଥିବା କେଟେରୀ ସେମାନଙ୍କୁ ଅଣନିଶ୍ୱାସୀ କରିଥିଲା । ସେମାନେ ଦଳ ପାଇଁ କଠିନ ପରିଶ୍ରମ କରୁଥିଲେ ମଧ୍ୟ ସେମାନଙ୍କୁ ପରିଶ୍ରମକୁ ଉଚିତ ସ୍ୱୀକୃତି ମିଳୁ ନଥିଲା । ତେଣୁ, ଅନ୍ତରାତ୍ମାର ସ୍ୱର ଶୁଣି ସେମାନେ ନିଜ ସ୍ୱାଭିମାନ ରକ୍ଷାପାଇଁ ଦଳ ଛାଡିଛନ୍ତି । ଏହି ନେତାମାନେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବା କୋଟେରୀ କତା କହିଥିଲେ । ଓଏସସିପିସିଆର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ଆଜି ବିଜେଡ଼ିରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ତାହା ଅଧିକ ପ୍ରାଂଜଳ ଭାବେ ଦର୍ଶାଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଗଲା ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବିଜେଡ଼ି ମୁଖ୍ୟ ନିଜ ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ମଧ୍ୟ ଅପହଂଚ ହୋଇପଡିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚାରି ପାଖରେ ଘେରିକି ଥିବା ‘କୋଟେରୀ’ରେ କିଛି ମୁଷ୍ଠିମେୟ ପ୍ରଶାସକ ଓ ନେତା ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ କାହାକୁ ଭେଟିବେ ଓ କାହାକୁ ନାହିଁ ନିର୍ଣ୍ଣୟ ନେଉଥିଲେ ଓ ସମସ୍ତ କାର୍ଯ୍ୟକମକୁ ନିୟନ୍ତ୍ରଣ କରୁଥିଲେ । ଏହା ଦଳ ଭିତରେ ଚାପା ଅସନ୍ତୋଷ ସୃଷ୍ଟି କରିଥିଲା । କିଛି ନେତା ଏହାର ବିରୋଧ କରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପରେ ନିରବୀ ଯାଇଛନ୍ତି । ଆଉ କିଛି ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଦଳରୁ ଇସ୍ତଫା ଦେଇ ବିରୋଧୀ ଦଳରେ ସାମିଲ ହୋଇଛନ୍ତି । ଯେଉଁମାନେ ବିଜେଡ଼ିରୁ ଇସ୍ତଫା ଦେଇ ବିରୋଧୀ ଦଳରେ ସାମିଲ ହୋଇଛନ୍ତି ସେମାନଙ୍କର ନିଜସ୍ୱ ଜନାଧାର ନଥିଲା, ନବୀନଙ୍କ ଲୋକପ୍ରିୟତା ଆଧାରରେ ହିଁ ସେମାନେ ନେତା ହେବାର ସୁଯୋଗ ପାଇଥିଲେ । ଏବେ ସେମାନେ ବିରୋଧୀଙ୍କ ସହ ସାମିଲ ହୋଇଥିଲେ ସୁଦ୍ଧା ସେମାନଙ୍କ ଭୋଟ ଅମଳ କରି ପାରିବେ ନାହିଁ ବୋଲି ବିଜେଡ଼ି କହୁଛି । ସନ୍ଧ୍ୟାବତୀଙ୍କ କ୍ଷେତ୍ରରେ ମଧ୍ୟ ବିଜେଡ଼ି ସେହି ଏକା କଥା କହିବ । ତେବେ, ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ମାତ୍ର ୪୦ ଦିନ ବାକି ଥିବା ସମୟରେ ବିଜେଡ଼ିରୁ ଏତେ ସଂଖ୍ୟାରେ ଜଣାଶୁଣା ନେତା ଇସ୍ତଫା ଦେବା ଓ ବିରୋଧୀ ଦଳରେ ସାମିଲ ହେବା ଶାସକ ଦଳ ପ୍ରତି ରାଜ୍ୟବାସୀଙ୍କ ମନରେ ଭ୍ରମ ସୃଷ୍ଟି କରିବାକୁ ଯଥେଷ୍ଟ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS