ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପ୍ରିଲ ୧୫ ଯାଏଁ ତିହାର ଜେଲରେ ରହିବେ
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୦୧
ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ରିମାଣ୍ଡ ସମୟ ଆଜି ସରିବା ପରେ ରାଉଜ୍ ଏଭିନ୍ୟୁ କୋର୍ଟ ବିଚାରପତି କାବେରୀ ବାଜୱା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ବା ତିହାର ଜେଲକୁ ପଠାଇ ଦେଇଛନ୍ତି । ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ତାଙ୍କ ୨୧ ତାରିଖ ରାତିରେ ଗିରଫ କରିବ ୨୨ ତାରିଖ କୋର୍ଟରେ ହାଜର କରିବା ପରେ ସାତ ଦିନ ପାଇଁ ଅର୍ଥାତ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା । ପରେ, ମାର୍ଚ୍ଚ ୨୮ ତାରିଖରେ କୋର୍ଟରେ ହାଜର କରି ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା । ଆଜି ରିମାଣ୍ଡ ଅବଧି ସରିଛି ଏବଂ ଇଡି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ କୋର୍ଟରେ ହାଜର କରାଇବା ପରେ ବିଚାରପତି ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଦିଲ୍ଲୀ ସରକାର ୨୦୨୧-୨୨ ବର୍ଷ କାର୍ଯ୍ୟକାରୀ କରିଥିବା ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ବେନିୟମ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିବାରୁ ସିବିଆଇ ଓ ଇଡି ତାହାର ତଦନ୍ତ କରୁଛନ୍ତି । କିଛି ଅଭିଯୁକ୍ତଙ୍କ ରେକର୍ଡ ହୋଇଥିବା ବୟାନ ଭିତ୍ତିରେ ଇଡି ୫୫ ବର୍ଷ ବୟସ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ସ୍ୱତନ୍ତ୍ର ପିଏମଏଲଏ ଆଇନରେ ମାମଲା ରୁଜୁ କରି ଗତ ମାସ ୨୧ ତାରିଖ ରାତିରେ ତାଙ୍କୁ ଗିରଫ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ହଜାତରେ ଜେରା କରାଯିବା ସମୟରେ କିଛି ଅଭିଯୁକ୍ତଙ୍କ ରେକର୍ଡ କରାଯାିଥିବା ବୟାନ ତାଙ୍କ ସାମନାରେ ରଖାଯିବାରୁ ସେ ଇଡି ଅଧିକାରୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲେ ବୋଲି ଇଡି କୋର୍ଟରେ ଅଭିଯୋଗ କରିଛି । ଇଡି କୋର୍ଟରେ କହିଛି, ଦିଲ୍ଲୀ ସରକାର ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବା ସମୟରେ ଯେଉଁ ଆର୍ଥିକ ଅନିୟମିତତାମାନ ହୋଇଥିବା ସାମ୍ନାକୁ ଆସିଛି ସେସଂପର୍କରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ପ୍ରଶ୍ନ କରାଯିବାରୁ ‘ଆପ୍’ର କମୁନିକେସନ୍ ଇନ-ଚାର୍ଜ ବିଜୟ ନାୟାର ତାଙ୍କ ସହ ନୁହେଁ, ତାଙ୍କ କ୍ୟାବିନେଟର ଦୁଇ ସହଯୋଗୀ ମନ୍ତ୍ରୀ ଆତିଶୀ ମାର୍ଲିନ ଓ ସୌରଭ ଭରଦ୍ୱଜଙ୍କୁ ରିପୋର୍ଟ କରୁଥିଲେ, ତାଙ୍କ ସହ ନାୟାରଙ୍କ ସଂପର୍କ ‘ସୀମିତ’ ଥିଲା ବୋଲି କେଜରୀୱାଲ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଅବକାରୀ ଦୁର୍ନୀତି ସଂପର୍କରେ ତଦନ୍ତ ବେଳେ ବିଭିନ୍ନ ପ୍ରଶ୍ନକୁ ଏଡାଇ ଯାଉଥିବାରୁ, ଗୋଲମୋଲ ଉତ୍ତର ଦେଉଥିବାରୁ ଏବଂ ତଥ୍ୟ ଚାପି ଦେବାର ପ୍ରୟାସ କରୁଥିବାରୁ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଉ ବୋଲି ଇଡି ଆଜି କୋର୍ଟରେ ଆବେଦନ କରିଥିଲା । ଇଡିର ଆବେଦନ ଉପରେ ବିଚାର କରି ରାଉଜ୍ ଏଭିନ୍ୟୁ ପିଏମଏଲଏ କୋର୍ଟ ବିଚାରପତି କାବେରୀ ବାଜୱା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିବା ପରେ ନୂତନ ଅବକାରୀ ନୀତିିକୁ ସରକାର ପ୍ରତ୍ୟାହାର କରି ନେଇଥିଲେ । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀରୁ ଗିରଫ ହୋଇ ଜେଲରେ ଥିବା ବେଳେ ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଅକ୍ଟୋବରରେ ଗିରଫ ହୋଇ ଜେଲରେ ଅଛନ୍ତି । ବିଜୟ ନାୟାରଙ୍କ ସମେତ ମୋଟ ୧୬ ଜଣ ଗିରଫ ହୋଇଛନ୍ତି । ସେଥିରୁ ତିନି ଜଣ ସରକାରୀ ସାକ୍ଷୀ ହୋଇ ସାରିଛନ୍ତି । ଗିରଫ ହୋଇ ଜେଲରେ ଥିବା ରାଜନେତାଙ୍କ ମଧ୍ୟରେ ଅଛନ୍ତି ବିଆରଏସ୍ ନେତ୍ରୀ ତଥା ତେଲେଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତା । ଦିଲ୍ଲୀରେ ମଦ ଠିକା ହାସଲ କରିବାକୁ ‘ଆପ୍’ ସରକାରଙ୍କୁ ୧୦୦ କୋଟି ଟଙ୍କା ଲାଂଚ ଦେଇଥିବା ‘ଦକ୍ଷିଣୀ ଲବି’ର ମୁଖ୍ୟ ହେଉଛନ୍ତି କେ.କବିତା ବୋଲି ଇଡି କୋର୍ଟରେ ଦାଖଲ କରିଥିବା ଅଭିଯୋଗପତ୍ରରେ କୁହାଯାଇଛି । ନିକଟରେ, ଆଉ ଏକ ଗୁରୁତର କଥା ଗଣାମଧ୍ୟମ ସାମ୍ନାକୁ ସାମନାକୁ ଆସିଛି । ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ଏସବିଆଇ ‘ନିର୍ବାଚନ ବଣ୍ଡ୍’ ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପରେ ନିର୍ବାଚନ କମିଶନ ତାହାକୁ ସର୍ବସାଧାରଣଙ୍କ ପାଇଁ ନିଜ ‘ୱେବ୍ ସାଇଟ୍’ରେ ଉପଲବ୍ଧ କରାଇଛନ୍ତି । ଉପଲବ୍ଧ ତଥ୍ର ମୁତାବକ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପରେ ରାଜସାକ୍ଷୀ ହୋଇ ଜାମିନରେ ଥିବା ହାଇଦ୍ରାବାଦର ଜଣେ ମଦ ବ୍ୟବସାୟୀଙ୍କ ଫାର୍ମା କଂପାନୀ ଏସବିଆଇରୁ ୫୨ କୋଟି ଟଙ୍କାର ନିର୍ବାଚନ ବଣ୍ଡ୍ କିଣିଛି । ସେଥିରୁ ୬୦ ପ୍ରତିଶତ ବିଜେପିକୁ ମିଳିଛି । ମଦ ବ୍ୟବସାୟୀ ଜଣକ ଗିରଫ ହେବା ପରେ ତାଙ୍କ କଂପାନୀ ୫ କୋଟି ଟଙ୍କାର ନିର୍ବାଚନ ବଣ୍ଡ୍ କିଣିଥିଲା ଓ ବିଜେପିକୁ ତାହା ମିଳିବା ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରାଜସାକ୍ଷୀ କରାଯାଇ ଜାମିନ ଦିଆଯାଇଛି । ଏହି ତଥ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିରୋଧୀ ବିଜେପିକୁ ଘେରିଥଲେ ମଧ୍ୟ ତାହାକୁ ବଡ ପ୍ରସଙ୍ଗ କରିବାରେ ବିଫଳ ହୋଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS