ଛଅ ମାସ ଜେଲରେ ରହିବା ପରେ ସଂଜୟ ସିଂହଙ୍କୁ ଜାମିନ ମିଳିଲା
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୦୨
ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର କାର୍ଯ୍ୟକାରିତାରେ ଦୁର୍ନୀତି ମାମଲାରେ ୨୦୨୩ ଅକ୍ଟୋବରରେ ଗିରଫ ହୋଇ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଆଜି ସୁପ୍ରିମ କୋର୍ଟରୁ ଜାମିନ ମିଳିଛି । ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା, ଜଷ୍ଟିସ ଦୀପଂକର ଦତ୍ତ ଓ ଜଷ୍ଟିସ ପ୍ରସନ୍ନ ବି ବାରାଲେଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ବେଂଚ୍ ଆଜି ଆପ୍ ନେତା ସିଂହଙ୍କ ଜାମିନ ମଂଜୁର କରିଛନ୍ତି । ସୁପ୍ରିମ କୋର୍ଟ ଆଜି ସିଂହଙ୍କ ଜାମିନ ଆବେଦନର ଶୁଣାଣୀ ସମୟରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି । ଅଭିଯୁକ୍ତି ସିଂହ ଦୁଇ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିବା ବେଳେ ସେହି ଟଙ୍କା କୁଆଡେ ଗଲା ଓ ବିନା ବିଚାରରେ ତାଙ୍କୁ କାହିଁକି ଛଅ ମାସ ହେଲା ଜେଲରେ ରଖା ଯାଇଛି ବୋଲି ସୁପ୍ରିମ କୋର୍ଟ ବେଂଚ୍ ଇଡିକୁ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତିରେ ମଦ ଦୋକାନ ଲାଇସେନ୍ସ ଦେବା ପାଇଁ ଦକ୍ଷିଣୀ ଲବିଠାରୁ ଆମ୍ ଆଦମୀ ପାର୍ଟି ୬୦୦ କୋଟି ଟଙ୍କା ଲାଂଚ ନେଇଛି ବୋଲି ଇଡି ଅଭିଯୋଗପତ୍ରରେ ଦର୍ଶାଇ ଥିବା ବେଳେ ସେଥିରୁ ଟଙ୍କାଟିଏ ମଧ୍ୟ ଜବତ କରିବାରେ ସଫଳ ହୋଇନାହିଁ । ଅଭିଯୁକ୍ତଙ୍କ ନିକଟରୁ କିଛି ଜବତ ହୋଇ ନାହିଁ, ଲାଂଚ ଟଙ୍କାର ମଧ୍ୟ ପତ୍ତା ନାହିଁ । ଏଭଳି ସ୍ଥିତିରେ ଅଭିଯୁକ୍ତ ସିଂହଙ୍କୁ ଇଡି ନିଜ ହେପାଜତକୁ ନେବାକୁ ଚାହୁଁଛି କି (?) ବୋଲି ସୁପ୍ରିମ କୋର୍ଟ ବେଂଚ୍ ଇଡି ଓକିଲ ତଥା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁଙ୍କୁ ପ୍ରଶ୍ନ କରିବା ସହ ଇଡି ଅଧିକାରୀଙ୍କ ସହ ପରାମର୍ଶ କରି ଜଣାଇବାକୁ କହିଥିଲେ । ତେବେ, ସିଂହଙ୍କୁ ଇଡି ହେପାଜତକୁ ନେବାକୁ ଚାହୁଁ ନାହିଁ ବୋଲି ରାଜୁ ଜଣାଇବାରୁ ସୁପ୍ରିମ କୋର୍ଟ ବେଂଚ୍ ସଂଜୟ ସିଂହଙ୍କ ଜାିନ ମଂଜୁର କରିଥିଲେ । ସଂଜୟ ସିଂହଙ୍କୁ ଅବକାରୀ ଦୁର୍ନୀତି ମାମଲା ସହ ସଂପୃକ୍ତ ଏକ ପିଏମଏଲଏ ମାମଲାରେ ଗତ ଅକ୍ଟୋବର ମାସରେ ଇଡି ଗିରଫ କରିଥିଲା । ଛଅ ମାସ ହେଲା ସେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପରେ ସରକାରୀ ସାକ୍ଷୀ ହୋଇଥିବା ଦିନେଶ ଆରୋରା ତାହାର ପ୍ରାଥମିକ ବୟାନରେ ‘ଆପ୍’ ସାଂସଦ ସଂଜୟ ସିଂହଙ୍କ ସଂପର୍କରେ କିଛି କହି ନାହିଁ । ତେବେ, ଅଗଷ୍ଟ ମାସରେ ଜାମିନ ପାଇଥିବା ଆରୋରା ପରେ ଦେଇଥିବା ବୟାନ ଆଧାରରେ ଇଡି ସଂଜୟ ସିଂହଙ୍କୁ ଗିରଫ କରିଥିଲା । ଗତ ଫେବୃୟାରୀ ମାସରେ ଦିଲ୍ଲୀ ହାଇକୋର୍ଟ ସଂଜୟ ସିଂହଙ୍କୁ ଜାମିନ ଦେବାର କୌଣସି ଆଧାର ନାହିଁ କହି ତାଙ୍କ ଆବେଦନ ଖାରଜ କରିଥିଲେ । ପରେ, ସିଂହ ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS