୨୦୨୪ ନିର୍ବାଚନ ପଲିଟିକ୍ସ.. ବିରୋଧୀ ମେଂଟରେ ମୋଦୀଙ୍କ ବିକଳ୍ପ କିଏ ?
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୦୩
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଜେପିର ଏକମାତ୍ର ଶୀର୍ଷ ନେତା । ଦଳ ତାଙ୍କ ନେତୃତ୍ୱରେ ସବୁ ନିର୍ବାଚନ ଲଢୁଛି । କିଛି ହାରୁଛି, କିଛି ଜିତୁଛି । ବିରୋଧୀ ମେଂଟ ‘ଇଣ୍ଡିଆ’ର ଶୀର୍ଷ ନେତା କିଏ, ଯାହାକୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ବିକଳ୍ପ କୁହାଯିବ ? ବିରୋଧୀ ମେଂଟ ଗଠନ ଦିନରୁ ବିଜେପି ଓ ତାହାର ସମର୍ଥକମାନେ ଏହି ପ୍ରଶ୍ନ କରି ଆସୁଛନ୍ତି । ମେଂଟରେ ସାମିଲ ଥିବା ସବୁ ନେତା ନିଜକୁ ମୋଦୀଙ୍କ ବିକଳ୍ପ ବୋଲି ଦାବି କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ହେବାକୁ ଲାଳାୟିତ ଅଛନ୍ତି । ତେଣୁ, ବିରୋଧୀ ମେଂଟ ଦିଗହରା ହୋଇ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ସାମ୍ନା କରିବାକୁ ଯାଉଛି ବୋଲି ଦେଶବ୍ୟାପୀ ଏକ ବ୍ୟାଖ୍ୟାୟନ (ନ୍ୟାରେଟିଭ୍) ସୃଷ୍ଟି କରିବାରେ ବିଜେପି ସଫଳ ହୋଇଛି । ତେବେ, ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ ରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି । କେରଳର ଥିରୁଭନାଥପୁରମରୁ ତିନି ଥରର ସାଂସଦ ତଥା ଚତୁର୍ଥ ଥର ପାଇଁ ଏହି ଆସନରୁ ଲଢିବାକୁ ପ୍ରଚାର ଆରମ୍ଭ କରିଥିବା ଥରୁର ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି, ବିରୋଧୀ ମେଂଟ ନେତାଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କିଏ ହୋଇପାରିବ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ । ପାର୍ଲାମେଂଟାରୀ ଗଣତନ୍ତ୍ରରେ ଏହି ପ୍ରଶ୍ନ ‘ଅମୂଳକ’ । କାରଣ, ଦେଶ ଜଣେ ବ୍ୟକ୍ତିଙ୍କୁ ନୁହେଁ ଗୋଟିଏ ଦଳ ବା ବିଭିନ୍ନ ରାଜନୈତିକ ଦଳଙ୍କ ନେଇ ଗଠିତ ମେଂଟଙ୍କୁ ଭୋଟ ଦେଉଛି, ଯେଉଁମାନଙ୍କର କି ଦେଶର ବିବିଧତାକୁ ସୁରକ୍ଷିତ ରଖିବା ଓ ବିକାଶକୁ ଆଗେଇ ନେବା ଦିଗରେ ନିଦ୍ଧିଷ୍ଟ ନୀତି ଓ ଆଭିମୁଖ୍ୟ ରହୁଛି । ମୋଦୀଙ୍କ ବିକଳ୍ପ ହେଉଛି ଦେଶର ବିଭିନ୍ନ ପ୍ରାନ୍ତର ଦକ୍ଷ ଓ ଅଭିଜ୍ଞ ରାଜନେତାମାନଙ୍କ ଏକ ସମୂହ, ଯେଉଁମାନେ କି ‘ଆତ୍ମଗର୍ବୀ’ ନୁହନ୍ତି, ଲୋକଙ୍କ ସହ ରହି ସେମାନଙ୍କ ଅଭାବ, ଅସୁବିଧା ବୁଝିବାକୁ ସକ୍ଷମ । ଦେଶର ଗଣତନ୍ତ୍ର ଓ ବିବିଧତାର ସୁରକ୍ଷା ସର୍ବଦା ପ୍ରାଥମିକତା ପାଇବ । କେଉଁ ନିର୍ଦ୍ଧିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବେ, ତାହା ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ । କେବଳ ରାଷ୍ଟ୍ରପତି ପଦ୍ଧତ ଶାସନରେ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯାଇଥାଏ ବୋଲି ଥରୁର କହିଛନ୍ତି । ଥରୁରଙ୍କ ପୋଷ୍ଟ୍ ବିରୋଧୀ ମେଂଟ ‘ଇଣ୍ଡିଆ’ ଗଠନ ଦିନରୁ ‘ତୁମର ନେତା କିଏ ?’ ବୋଲି ପ୍ରଶ୍ନ କରି ଆସୁଥିବା ଶାସକ ମେଂଟ ଏବଂ ତାହାର ସମର୍ଥକଙ୍କୁ ସନ୍ତୁଷ୍ଟ କରିନପାରେ । କିନ୍ତୁ, ୨୦୨୪ ସାଧାରଣରେ ବିଜେପିକୁ ମାତ୍ରାଧିକ ସଫଳତା ନଦେଇ ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ବିରୋଧୀ ମତକୁ ଯେ କିଛିମାତ୍ରାରେ ସନ୍ତୁଷ୍ଟ କରିବ, ଏଥିର କୌଣସି ସନ୍ଦେହ ନାହିଁ । କଂଗ୍ରେସ ନେତା ଥରୁର ଦେଶରେ ଦ୍ୱତୀୟ ପର୍ଯ୍ୟାୟରେ (ଏପ୍ରିଏ ୨୬)ରେ ହେବାକୁ ଥିବା ମତଦାନରେ ଥିରୁଭନାଥପୁରମ ଲୋକସଭା ଆସନରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ବାମ ମେଂଟ ପ୍ରାର୍ଥୀ ପାନ୍ୟାନ ରବିନ୍ଦ୍ରନଙ୍କ ସାମ୍ନା କରିବାକୁ ଯାଉଛନ୍ତି ।
୨୫ରୁ ୨୩ ରାଜନେତାଙ୍କ ଦୁର୍ନୀତି ଧୋଇ ହୋଇଗଲା !
ଗତ ୧୦ ବର୍ଷ ମଧ୍ୟରେ ୨୫ ଜଣ ଦୁର୍ନୀତି ଅଭିଯୁକ୍ତ ନେତା ବିଜେପିକୁ ଯିବା ପରେ ସେଥିରୁ ୨୩ ଜଣଙ୍କ ଦୁର୍ନୀତି ଧୋଇ ହୋଇଯାଇଛି ବୋଲି ‘ଇଣ୍ଡିଆନ ଏକ୍ସପ୍ରେସ୍’ର ଏକ ଅନୁସଂଧାନମୂଳକ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟରେ କୁହାଯାଇଛି, ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତିଷ୍ଠା ହେବା ପରେ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ହୋଇ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ତଦନ୍ତର ସାମ୍ନା କରୁଥିବା ଅନ୍ୟୁନ ୨୫ ଜଣ ପୁରୁଖା ବିରୋଧୀ ନେତା ବିଜେପିକୁ ଡିଆଁ ମାରିବା ପରେ ସେଥିରୁ ୨୩ ଜଣଙ୍କ ମାମଲା ଥଣ୍ଡାବାକ୍ସକୁ ଚାଲିଯାଇଛି ବା ମାମଲାର ଫାଇନାଲ ରିପୋର୍ଟ ହୋଇଯାଇଛି । କେବଳ, ଦୁଇ ଜଣଙ୍କ ମାମଲା ଚାଲୁ ରହିଛି । ବିଭିନ୍ନ ଦୁର୍ନୀତି ଅଭିଯୋଗରେ ସଂପୃକ୍ତ ଥାଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ଯାଂଚର ସମ୍ମୁଖୀନ ହେଉଥିବା ରାଜନେତାଙ୍କ ମଧ୍ୟରୁ ଯେଉଁ ୨୫ ଜଣେ ୨୦୧୪ ପରେ ବିଜେପିକୁ ଯାଇଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସରୁ ୧୦ ଜଣ ନେତା ଥିବା ବେଳେ ଏନସିପି, ଶିବସେନାରୁ ଚାରି ଜଣ ଲେଖାଏଁ, ଟିଏମସିରୁ ତିନି ଜଣ, ଟିଡିପିରୁ ଦୁଇ ଜଣ ଏବଂ ସମାଜବାଦୀ ପାର୍ଟିର୍ ଓ ୱାଇଏସଆରସିପିରୁ ଜଣେ ଲେଖାଏଁ ନେତା ଥିବା ଜଣାପଡିଛି । ଏହି ନେତାମାନେ ବିଜେପିକୁ ଚାଲି ଯିବା ପରେ ତିନିଟି ମାମଲାର ତଦନ୍ତ ବନ୍ଦ ହୋଇସାରିଥିବା ବେଳେ ଅନ୍ୟ ୨୦ଟି ମାମଲାର ତଦନ୍ତ ଶିଥିଳ ରହିଛି ବା ଥଣ୍ଡାବାକ୍ସକୁ ଚାଲି ଯାଇଛି । ବିଜେପିରେ ଯୋଗଦେବା ପରେ ଅନୁଗୃହିତ ହୋଇଥିବା ୨୫ ନେତାଙ୍କ ମଧ୍ୟରୁ ୦୬ ଜଣ ଚଳିତ ବର୍ଷ, ଅର୍ଥାତ ସାଧାରଣ ନିର୍ବାଚନ ଘୋଷଣାର କିଛି ସପ୍ତାହ ପୂର୍ବରୁ ଦଳତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା ପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ରାଜନେତାଙ୍କ ବିରୋଧରେ ଯେତେ ସବୁ ଦୁର୍ନୀତି ମାମଲା ହୋଇଛି ସେଥିରୁ ୯୫ ପ୍ରତିଶତ ବିରୋଧୀ ଦଳର ପୁରୁଖା ନେତାଙ୍କ ବିରୋଧରେ ଥିବା ‘ଇଣ୍ଡିଆନ ଏକ୍ସପ୍ରେସ୍’ର ଅନୁସଂଧାନରୁ ଜଣାପଡିଛି । ବିରୋଧୀ ରାଜନେତା, ଯେଉଁମାନେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇ ସିବିଆଇ ବା ଇଡି ଦ୍ୱାରା ତଦନ୍ତର ସମ୍ମୁଖୀନ ହୋଇଛନ୍ତି ସେମାନେ ନିଜ ଦଳ ଛାଡି ବିଜେପିରେ ଯୋଗଦେବା ପରେ ସେମାନଙ୍କ ବିରୋଧରେ ତଦନ୍ତ ଶିଥିଳ ପଡିଯିବା ଗଲା ୧୦ ବର୍ଷରେ ଦେଖିବାକୁ ମିଳିଛି, ଯାହାକୁ କି ବିରୋଧୀ ବିଜେପିର ‘ୱାସିଂ ମେସିନ୍’ କହୁଛନ୍ତି । ୨୦୨୨ ଓ ୨୦୨୩ରେ ମହାରାଷ୍ଟ୍ରରେ ସିବିଆଇ ଓ ଇଡିର ଅଧିକ ତତ୍ପରତା ଦେଖିବାକୁ ମିଳିଥିଲା । ଏହାର ପରିଣତି ସ୍ୱରୂପ ୨୦୨୨ରେ ଶିବସେନାରେ ଓ ୨୦୨୩ରେ ଏନସିପିରେ ବିଭାଜନ ଘଟିଥିଲା । ୨୦୨୨ରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନାର ଗୋଟିଏ ଗୋଷ୍ଠୀ ଉଦ୍ଧବ ଠାକରେ ସରକାର ବିରୋଧରେ ବିଦ୍ରୋହ କରି ଦଳତ୍ୟାଗ କରିଥିଲେ ଏବଂ ରାଜ୍ୟରେ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ । ସେହିପରି, ୨୦୨୩ରେ ଏନସିପିର ଅଜିତ ପାୱାର ଗୋଷ୍ଠୀ ଦଳର ନେତା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଦଳରେ ବିଭାଜନ ଘଟାଇବା ସହ ମହାରାଷ୍ଟ୍ରରେ ସିନ୍ଧେ-ବିଜେପି ମିଳିତ ସରକାରରେ ସାମିଲ ହୋଇଯାଇଥିଲେ । ଦଳ ବଦଳ ପରେ ଏନସିପି ଅଜିତ ପାୱାର ଗୋଷ୍ଠୀର ନେତା ଅଜିତ ପାୱାର ଓ ପ୍ରଫୂୁଲ୍ଲ ପଟେଲଙ୍କ ବିରୋଧରେ ପୂର୍ବରୁ ଚାଲିଥିବା ଦୁର୍ନୀତି ମାମଲାରେ ତଦନ୍ତକାରୀ ସଂସ୍ଥା ଡୋରି ବାନ୍ଧି ଦେଇଥିବା ଅନୁସଂଧାନ ବେଳେ ଜଣାପଡିଛି । ଯେଉଁ ୨୫ ଜଣ ପୁରୁଖା ରାଜନେତା ଦଳ ବଦଳ କରି ବିଜେପିରେ ଯୋଗଦେବା ପରେ ସ୍ୱଚ୍ଛ ହୋଇଯାଇଛନ୍ତି ସେଥିରୁ ୧୨ ଜଣ ହେଉଛନ୍ତି ମହାରାଷ୍ଟ୍ରର ନେତା । ସେମାନଙ୍କ ମଧ୍ୟରୁ ୧୧ ଜଣ ୨୦୨୨ରେ ବା ତାହା ପରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ୧୨ ନେତାଙ୍କ ମଧ୍ୟରୁ ଚାରି ଜଣ କଂଗ୍ରେସର ହୋଇଥିବା ବେଳେ ଚାରି ଜଣ ଏନସିପିର ଓ ଚାରି ଜଣ ଶିବସେନାର । ବିଜେପିରେ ଯୋଗ ଦେଇଥିବା ୨୫ ନେତାଙ୍କ ମଧ୍ୟରୁ କେବଳ ଦୁଇ ଜଣ ପୂର୍ବତନ କଂଗ୍ରେସ ଏମପି ଜ୍ୟୋତି ମିର୍ଦ୍ଧା ଓ ପୂର୍ବତନ ଟିଡିପି ଏମପି ୱାଇ.ଏସ.ଚୌଧୁରୀଙ୍କ ବିଜେପିରେ ଯୋଗଦେବା ପରେ ମଧ୍ୟ ଏପର୍ଯ୍ୟନ୍ତ ଇଡି ତଦନ୍ତରୁ କୌଣସି ଆଶ୍ୱସ୍ତି ମିଳିନଥିବା ବେଳେ ଅନ୍ୟ ୨୩ ଜଣଙ୍କୁ ଆଶ୍ୱସ୍ତି ମିଳିଛି ବୋଲି ଏହି ଅନୁସଂଧାନମୂଳକ ରିପୋର୍ଟରେ କୁହାଯାଇଛି ।
୦୭ ତାରିଖ ‘ଯନ୍ତର ମନ୍ତର’ରେ ‘ଆପ୍’ ନେତାଙ୍କ ଅନଶନ, ଧାରଣା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଗିରଫଦାରୀ ପ୍ରତିବାଦରେ ‘ଆପ୍’ ନେତାମାନେ ଆସନ୍ତା ୦୭ ତାରିଖ ଦିନ ଦିଲ୍ଲୀର ‘ଯନ୍ତର ମନ୍ତ୍ରର’ରେ ଅନଶନରେ ବସିବେ ବୋଲି ଆଜି ଦଳର ନେତା ତଥା ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଳ ରାଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କେଜରୀୱାଲ ‘ଆପ୍’ର ଜାତୀୟ ଆବାହକ ଅଛନ୍ତି । ତେଣୁ, ତାଙ୍କ ବିରଫ ବିରୋଧରେ ୦୭ ତାରିଖ ଦିନ ଦେଶବ୍ୟାପୀ ଅନଶନ କରାଯିବାକୁ ସେ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ‘ତୁମେ ଯଦି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଗିରଫକୁ ବିରୋଧ କରୁଛ ସେଦିନ ଘରେ ହେଉ କି ନିଜ ସହରରେ ବା ଯେକୌଣସି ସ୍ଥାନରେ ଅନଶନରେ ବସିବ’ ବୋଲି ସେ ଦଳୀୟ ନେତା ଓ କର୍ମୀଙ୍କୁ ନିବେଦନ କରିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତ ମାସ ୨୧ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଗିରଫ କରିଥିଲା । ୨୨ ତାରିଖ ଅପରାହ୍ନରେ ତାଙ୍କୁ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଇବା ପରେ ଦୁଇ ପର୍ଯ୍ୟାୟରେ ୧୦ ଦିନ ରାମିଣ୍ଡରେ ନେଇ ଜେରା କରିଥିଲା । ଏପ୍ରିଲ ୧ ତାରିଖରେ ରିମାଣ୍ଡ ଅବଧି ସରିବା ପରେ କୋର୍ଟ ତାଙ୍କୁ ଏପ୍ରଇ ୧୫ ତାରିଖ ପର୍ଯ୍ୟନ୍ତ ତିହାର ଜେଲକୁ ପଠାଇ ଦେଇଛନ୍ତି । ତିନି ଦିନ ହେଲା ସେ ଜେଲରେ ଅଛନ୍ତି । ଇଡିର ଗିରଫଦାରୀ ଓ ରିକାଣ୍ଡକୁ ଚ୍ୟାଲେଂଜ କରି କେଜରୀୱାଲ ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ କରିଛନ୍ତି ଆଜି ତାହାର ଶୁଣାଣୀ ହୋଇଛି । ତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଇଡି ଜରିଆର ସରକାରଙ୍କ ଏହା ଏକ ଷଡଯନ୍ତ୍ର ଏବଂ ମିଥ୍ୟା ଆରୋପରେ ତାଙ୍କୁ ଗିରଫ କରି ଜେଲରେ ରଖାଯାଇଛି ବୋଲି କେଜରୀୱାଲ ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି ଦର୍ଶାଇ ଥିବା ବେଳେ ଇଡିର ଓକିଲ ତଥା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁ କୋର୍ଟରେ କହିଛନ୍ତି, ଜଣେ ଅପରାଧୀ ଗିରଫ ହୋଇ ଜେଲରେ ରହିବା ସ୍ୱାଭାବିକ ଘଟଣା । ଜଣେ ବିଚାରାଧୀନ ବନ୍ଦୀ ‘ଆମେ ଅପରାଧ କରିବୁ, କିନ୍ତୁ ନିର୍ବାଚନ ସମୟ ହୋଇଥିବାରୁ ଗିରଫ ହୋଇ ଜେଲରେ ରହିବୁ ନାହିଁ’ ବୋଲି ଯୁକ୍ତି ରଖିବା ଅଧିକାର ରଖନ୍ତି ନାହିଁ’ । କେଜରୀୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରି ଜେଲରେ ରଖାଯିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଅପମାନିତ କରିବା ଓ ଅକାମୀ କରିଦେବା ବୋଲି ହାଇକୋଟରେ ଯୁକ୍ତି ରଖିଛନ୍ତି । ଇଡି କୌଣସି ପ୍ରମାଣ ନଥାଇ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି । ନିର୍ବାଚନର ଠିକ୍ ପୂର୍ବରୁ ଇଡି ତାଙ୍କୁ ଗିରଫ କରି ଜେଲରେ ରଖିବାର କୌଣସି ଆବଶ୍ୟକତା ନଥିଲା । ସେ ଫେରାର ହେବା ସମ୍ଭାବନା ମଧ୍ୟ ନଥିଲା । ଇଡି ଗିରଫ କରିବା ପୂର୍ବରୁ ତାଙ୍କ ବୟାନ ରେକର୍ଡ କରିନଥିଲା କାହିଁକି ବୋଲି ସିଂଘଭି ପ୍ରଶ୍ନ ଉଠାଇଛନ୍ତି । ହାଇକୋର୍ଟ ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଆସନ୍ତା କାଲି ପର୍ଯ୍ୟନ୍ତ ରାୟ ସ୍ଥଗିତ ରଖିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS