ସଂଜୟ ନିରୁପମ ନିଲମ୍ବିତ, ଗୌରବ ବଲ୍ଲଭ କଂଗ୍ରେସ ଛାଡିଲେ
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୦୪
ଆଜି କଂଗ୍ରେସ ଦଳ ମହାରାଷ୍ଟ୍ରର ବରିଷ୍ଠ ନେତା ସଂଜୟ ନିରୁପମଙ୍କୁ ଦଳ ବିରୋଧୀ ବୟାନ ଦେଉଥିବା ଅଭିଯୋଗରେ ଛଅ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି । ଅପରପକ୍ଷରେ, କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏପ୍ରିଲ ୧୯ରୁ ଆରମ୍ଭ ହୋଉଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ଘଂଟାକୁ ଘୋଡା ଛୁଟୁଥିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ନିରୁପମ ମଧ୍ୟ କଂଗ୍ରେସର ଜାତୀୟ ମୁଖପାତ୍ର ଥିଲେ ଏବଂ ଦଳ ପାଇଁ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ବିତର୍କରେ ଭାଗ ନେଉଥିଲେ । ମହାରାଷ୍ଟ୍ରରେ ‘ଇଣ୍ଡିଆ’ ମେଂଟରେ ପ୍ରମୁଖ ଭାଗିଦାର ଥିବା ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ଉତ୍ତର ପଶ୍ଚିମ ମୁମ୍ବାଇ ସମେତ କିଛି ଲୋକସଭା ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିବାରୁ କଂଗ୍ରେସ ନେତା ନିରୁପମ କ୍ଷୁବ୍ଧ ହୋଇ ଶିବସେନା (ୟୁବିଟି) ବିରୋଧରେ ଗଣମାଧ୍ୟମରେ ଲଗାତର ବୟାନ ଦେଇ କଂଗ୍ରେସ ନେତୃତ୍ୱର କ୍ରୋଧର ସମ୍ମୁଖୀନ ହୋଇଛନ୍ତି । ନିରୁପମ ମହାରାଷ୍ଟ୍ରର ଉତ୍ତର ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ନିଜେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ । ଏହା ପୂର୍ବରୁ କଂଗ୍ରେସ ନେତା ସଂଜୟ ନିରୁପମ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଗିରଫକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ, ଯାହା କି କଂଗ୍ରେସର ସାଂପ୍ରତିକ ନୀତିରୁ ଭିନ୍ନ ଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ହେଉଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଏବଂ ‘ଆପ୍’ ‘ଇଣ୍ଡିଆ’ ମେଂଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି । ସଂଜୟ ନିରୁପମଙକ ବିରୋଧରେ ଦଳୀୟ ଶୃଂଖଳା ଭଂଗ ଅଭିଯୋଗମାନ ଆସିବା ସହ ତାଙ୍କ ଦଳ-ବିରୋଧୀ ବୟାନ କଂଗ୍ରେସ ନେତୃତ୍ୱକୁ କ୍ଷୁବ୍ଧ କରିଛି । ତେଣୁ, କଂଗ୍ରେସ ସଭାପତି ତାଙ୍କୁ ତୁରନ୍ତ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି ବୋଲି ଏଆଇସିସି ସାଧାରଣ ସଂପାଦକ କେ.ସି.ବେଣୁଗୋପାଳ ଗତକାଲି ବିଳମ୍ବିତ ସମୟରେ ଏକ ବିବୃତି ଜାରି କରିଛନ୍ତି । ବୁଧବାର ସକାଳେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ ଦଳର ବରିଷ୍ଠ ନେତା ସଂଜୟ ନିରୁପମଙ୍କୁ ଦଳର ‘ଷ୍ଟାର କ୍ୟାଂପେନର’ ତାଲିକାରୁ ବାଦ ଦେଇଥିଲେ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିରୁପମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ନିରୁପମ ମଧ୍ୟ ଦଳର ‘ଷ୍ଟାର କ୍ୟାଂପେନର’ ତାଲିକାରୁ ବାଦ ପଡିବା ପରେ ନଇଁ ନଯାଇ ଗୁରୁବାର ଦିନ ସେ ତାଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେବେ ବୋଲି ଗଣମାଧ୍ୟମକୁ କହିଥିଲେ । ଏଠାରେ ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି)-ଏନସିପି-କଂଗ୍ରେସ ୨୦୧୯ରୁ ମେଂଟ ରହିଛି । ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଏହି ତିନି ଦଳକୁ ନେଇ ଗଠିତ ମହା ବିକାଶ ଅଘାଡି ମହାରାଷ୍ଟ୍ରରେ ସରକାର କରିଥିଲା । ୨୦୨୨ରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଦଳରେ ବିଦ୍ରୋହ ଘଟି ଏମଭିଏ ସରକାର ପତନ ଘଟି ଥିଲା ଏବଂ ସିନ୍ଧେ ଗୋଷ୍ଠୀ ବିଜେପି ସହ ସାମିଲ ହୋଇ ରାଜ୍ୟରେ ସରକାର କରିଛନ୍ତି । ଏମଭିଏ ସରକାରର ପତନ ପରେ ମଧ୍ୟ ମହାରାଷ୍ଟ୍ରରେ ତିନି ଦଳର ମେଂଟ ରହିଛି ଏବଂ କଂଗ୍ରେସ ସହ ଏନସିପି ଓ ଶିବସେନା (ୟୁବିଟି) ଗତ ବର୍ଷ ଦେଶରେ ଗଠିତ ବିରୋଧୀ ମେଂଟ ‘ଇଣ୍ଡିଆ’ରେ ପ୍ରମୁଖ ଅଂଶୀଦାର ରହିଛନ୍ତି । ମହାରାଷ୍ଟ୍ରରେ ତିନି ଦଳ ମଧ୍ୟରେ ଆସନ ବୁଝାମଣା କଥାବାର୍ତ୍ତା ଚାଲିଥିବା ବେଳେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମାର୍ଚ୍ଚ ୨୭ ତାରିଖ ଦିନ ୧୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ, ଯେଉଁଥିରେ କି ଉତ୍ତର ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ମୌଜୁଦା ସାଂସଦଙ୍କ ପୁଅ ଅମୋଲ କିର୍ତୀକରଙ୍କ ନାମ ରହିଛି । କଂଗ୍ରେସ ନେତା ସଂଜୟ ନିରୁପମ ଉତ୍ତର ପଶ୍ଚିମ ମୁମ୍ବାଇ ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିବା ବେଳେ ଶିବସେନା ତାଙ୍କ ସହ ଆଲୋଚନା ନକରି ଅମୋଲ କିର୍ତୀକରଙ୍କ ନାମ ଘୋଷଣା କରିବାରୁ ନିରୁପମ ଉତକ୍ଷୀପ୍ତ । ଶିବସେନା (ୟୁବିଟି) ମୁମ୍ବାଇର ପାଂଚଟି ଲୋକସଭା ଆସନରୁ ପ୍ରାର୍ଥୀ ଦେଇ କଂଗ୍ରେସକୁ ଆଣ୍ଠୁମାଡି ବସାଇବାକୁ ଚାହୁଁଛି । କଂଗ୍ରେସ ମେଂଟରୁ ଓହରି ଆସିବା ଆବଶ୍ୟକ ବୋଲି ବରିଷ୍ଠ ନେତା ନିରୁପମ ବୟାନ ଦେବା ସହ ଉତ୍ତର ପଶ୍ଚିମ ମୁମ୍ବାଇରୁ ଶିବସେନା ପ୍ରାର୍ଥୀ ହୋଇଥିବା ଅମୋଲ କିର୍ତୀକରଙ୍କୁ ‘ଖେଚୁଡି ଚୋର’ ଓ ଉଦ୍ଧବ ଠାକରେଙ୍କୁ ମଧ୍ୟ ‘ବଚି କୁଚି ଶିବସେନା ପ୍ରମୁଖ’ ବୋଲି ଆକ୍ଷେପ କରିବାକୁ ପଛାଇ ନଥିଲେ । ସଂଜୟ ନିରୁପମଙ୍କ ଲଗାତର ବୟାନବାଜୀ ମହାରାଷ୍ଟ୍ରରେ ଶିବସେନା ସହ କଂଗ୍ରେସର ଆସନ ବୁଝାମଣା ଆଲୋଚନାକୁ ସଂକଟରେ ପକାଇ ଥିବାରୁ କଂଗ୍ରେସ ନେତୃତ୍ୱ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସଂଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସଂଜୟ ନିରୁପମ ମଧ୍ୟ ଆଜି ମୁମ୍ବାଇରେ ଗଣମାଧ୍ୟମକୁ କହିଛନ୍ତି, ସେ ଗତକାଲି ରାତି ପ୍ରାୟ ୧୦ଟା ୪୦ ମିନିଟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଏବଂ ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । କଂଗ୍ରେସରେ ପାଂଚଟି କ୍ଷମତା କେନ୍ଦ୍ର ରହିଛି । ପ୍ରଥମ କ୍ଷମତା କେନ୍ଦ୍ର ସୋନିଆ ଗାନ୍ଧୀ ହୋଇଥିବା ବେଳେ ଦ୍ୱିତୀୟ କ୍ଷମତା କେନ୍ଦ୍ର ରାହୁଲ ଗାନ୍ଧୀ, ତୃତୀୟ କ୍ଷମତା କେନ୍ଦ୍ର ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଚତୁର୍ଥ କ୍ଷମତା କେନ୍ଦ୍ର ମଲ୍ଲିକାର୍ଜୁନ ଖାର୍ଗେ ଓ ପଂଚମ ବା ଶେଷ କ୍ଷମତା କେନ୍ଦ୍ର ହେଉଛନ୍ତି ଦଳର ସାଧାରଣ ସଂପାଦକ କେ.ସି.ବେଣୁଗୋପାଳ । କଂଗ୍ରେସରେ ଆଉ ନୀତି ବୋଲି କିଛି ନାହିଁ । ଦଳର ସଂଗଠନ ସଂପୂର୍ଣ୍ଣ ଦିଗହରା ହୋଇ ଭୁଶୁଡି ପଡିଲାଣି । ପୂର୍ବରୁ ଦଳରେ ଗୋଟିଏ କ୍ଷମତା କେନ୍ଦ୍ର ଥିଲା, ତାହା ଚାରି ପାଖରେ ଗୋଟିଏ କୋଟେରୀ ଥିଲା ଏବଂ ଅନ୍ୟ ନେତାମାନେ ତାହା ବିରୋଧରେ ଲଢେଇ କରୁଥିଲେ । ଏବେ, ଦଳରେ ପାଂଚଟି କ୍ଷମତା କେନ୍ଦ୍ର ରହିଛି ଏବଂ ସେମାନଙ୍କ ଭିନ୍ନ ଭିନ୍ନ କୋଟେରୀ ରହିଛି । ଦଳରେ ଯେଉଁ ଉଦୀୟମାନ ନେତା ଅଛନ୍ତି ସେମାନେ ଏକ ପ୍ରକାର ଅଣନିଶ୍ୱାସୀ ହୋଇ ରହିଛନ୍ତି । ସେ ମଧ୍ୟ ଦୀର୍ଘ ଦିନ ଧରି ଅଣନିଶ୍ୱାସୀ ରହିବା ପରେ ନିଜର ସହ୍ୟଶକ୍ତି ହରାଇ ଦେଇଛନ୍ତି ବୋଲି ନିରୁପମ କହିଛନ୍ତି । କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ଗୌରବ ବଲ୍ଲଭ ମଧ୍ୟ ଆଜି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମରେ କହିଛନ୍ତି, ଦଳ ଯେପରି ଦିଗହରା ହୋଇ ଆଗକୁ ବଢୁଛି ସେଥିରେ ସେ ଖୁସି ନଥିବାରୁ ଦଳ ଛାଡିଛନ୍ତି । ‘ମୁଁ ସନାତନ ଧର୍ମ ବିରୋଧୀ ସ୍ଲୋଗାନ ଦେଇ ପାରିବି ନାହିଁ କି ସଂପତ୍ତି ସୃଷ୍ଟିକାରୀଙ୍କୁ ଗାଳି କରିପାରିବି ନାହିଁ । ତେଣୁ, କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି’ ବୋଲି ଗୌରବ ବଲ୍ଲଭ କଂଗ୍ରେସ ସଭାପତିଙ୍କ ନିକଟକୁ ଲେଖିଥିବା ଦୁଇ ପୃଷ୍ଠାର ଇସ୍ତଫାପତ୍ରରେ କହିଛନ୍ତି । ଏପ୍ରିଲ ୧୯ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ସମୟରେ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡିବା ଓ ବିଜେପି ମୁହାଁ ହେବା ଦଳ ପାଇଁ ଭୋଟ ପୂର୍ବରୁ ବଡ ଝଟକା ବୋଲି ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS