ଦଳ ଡିଆଁ କିଛି ନୂଆ ନୁହେଁ…
ପ୍ରସାଦ ରାଓ
ଏପ୍ରିଲ ୦୫
ନିର୍ବାଚନ ସମୟରେ ରାଜନେତାଙ୍କ ଦଳ ଡିଆଁ କିଛି ନୂଆ ନୁହେଁ । ଆଶାୟୀ ନେତାମାନେ ନିଜ ଦଳରୁ ଟିକଟ ନ ପାଇଲେ ଟିକଟ ପାଇବା ସମ୍ଭାବନା ଥିବା ଦଳକୁ ଡିଆଁ ମାରିଥା’ନ୍ତି । ବାହାନା ଦେଖାନ୍ତି, ସେ ଯେଉଁ ଦଳରେ ଥିଲେ ସେଠି କିଛି ଠିକଠାକ ନଥିଲା । ଦଳର ନେତା ବଡ ଅନ୍ୟାୟ କରୁଥିଲେ । ତେଣୁ, ସେ ଦଳ ଛାଡିବାକୁ ବାଧ୍ୟ ହେଲେ । ସେ ତାଙ୍କ ବହୁ ସମର୍ଥକଙ୍କ ସହ ପୁରୁଣା ଦଳରୁ ଇସ୍ତଫା ଦେଇ ନୂଆ ଦଳରେ ସାମିଲ ହୋଇଛନ୍ତି । ଦଳ ବଦଲୁ ନେତାଙ୍କ ପାଇଁ ରାଜନୈତିକ ଦଳମାନେ ନାଲି କାର୍ପେଟ ବିଛାଇ ଅପେକ୍ଷା କରିଥା’ନ୍ତି । ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ନାମରେ ଦଳ ବଦଲୁ ନେତାଙ୍କୁ ସମର୍ଥକମାନଙ୍କ ସହ ନିଜ ଦଳକୁ ସ୍ୱାଗତ କରିବାକୁ ଭବ୍ୟ ଆୟୋଜନମାନ ହୋଇଥାଏ । ଧୁଆ ମୂଳା, ଅଧୁଆ ମୂଳା ସବୁ ଆସିଥା’ନ୍ତି । କେବଳ ସେଥିରୁ ବାଛିବା କଥା – ନିର୍ବାଚନରେ କିଏ ଉପଯୋଗୀ ହେବ । ପ୍ରତ୍ୟେକ ନିର୍ବାଚନରେ ଏଭଳି ପର୍ବ ଦେଖିବାକୁ ମିଳିଥାଏ । ସାଧାରଣ ଜନତା ଏଭଳି ପର୍ବ ଦେଖି ଦେଖି ଏତେଦୂର ବିତସ୍ପୃହ ଯେ କିଏ କୁଆଡେ ଗଲେ, କିଏ ଆସିଲେ ସେ ନେଇ ଆଲୋଚନା କରିବାକୁ ମଧ୍ୟ ପସନ୍ଦ କରି ନଥା’ନ୍ତି । କେବଳ ଛୋଟ ଛୋଟ ସହର ବା ନିର୍ବାଚନ ମଣ୍ଡଳୀରେ ନୁହେଁ, ବଡ ସହର ବା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଭଳି ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଥାଏ । ଆମେ ଯଦି ନିର୍ବାଚନକୁ ‘ମହାପର୍ବ’ ବୋଲି ଭାବୁଥିବା ନିର୍ବାଚନ ତାରିଖ ଘୋଷଣାରୁ ନାମାଂକନ ସରିବା ପର୍ଯ୍ୟନ୍ତ ଚାଲୁଥିବା ମିଶ୍ରଣ ପର୍ବ ସବୁକୁ ‘ମିନି ପର୍ବ’ କହିବାରେ କାହାରି ଆପତ୍ତି ନଥିବ । କିଛି ରାଜନୈତିକ ଦଳଙ୍କ ପାଇଁ ଏହା ‘ବିଜୟ ପର୍ବ’ ମଧ୍ୟ ହୋଇପାରେ । ଆମେ ଆଜି ଦଳ ଡିଆଁଙ୍କ ସଂପର୍କରେ ଖାସ୍ ଆଲୋଚନା କରିବା ଉଦ୍ଦେଶ୍ୟ ହେଉଛି, ପୂର୍ବ ନିର୍ବାଚନଗୁଡିକ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଥିବା ଦଳ ଡିଆଁ ସଂପୂର୍ଣ୍ଣ ନିଆରା । ସମଗ୍ର ଦେଶରେ ସାଧାରଣ ନିର୍ବାଚନ ମହାପର୍ବ ପୂର୍ବରୁ ଦଳତ୍ୟାଗୀଙ୍କୁ ସ୍ୱାଗତ କରିବା ମିନି ମହାପର୍ବ ଧୁମଧାମରେ ଚାଲିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଯେଉଁ ନାରୀ ନେତ୍ରୀ ‘ହାତ’ର ହାତ ଛାଡି ଗେରୁଆ ଶିବରକୁ ଚାଲି ଯାଇଥିଲେ ଓ ପାଂଚ ବର୍ଷ ଗେରୁଆ ଦଳ ନେତାଙ୍କ ପାଇଁ ଓକିଲାତି କରିବାରେ ଥକି ନଥିଲେ ୨୦୨୪ ନିର୍ବାଚନର ପ୍ରାୟ ଟିକଟ ବଂଟା ସରିବା ପରେ ଅଚାନକ ତାଙ୍କୁ ପୁରୁଣା ଦଳ ମନେ ପଡିଲା । ଗେରୁଆ ଦଳ ଆଶ୍ରାରୁ ବାହାରି ପୁରୁଣା ଦଳକୁ ଲଂପ ମାରିଲେ । ଜଣେ ସାମ୍ବାଦିକ ବଂଧୁ ପ୍ରଶ୍ନ କରିବାରୁ ତାଙ୍କ ଅଲାଜୁକ ଉତ୍ତର ଥିଲା – ସେ ଗେରୁଆ ଦଳକୁ ଯାଇ ଥିଲେ ମଧ୍ୟ ପୁରୁଣା ଦଳ ପ୍ରତି ତାଙ୍କର ମୋହ ରହିଥିଲା । ତେଣୁ, ପାଂଚ ବର୍ଷ ପରେ ପୁରୁଣା ଦଳକୁ ଫେରି ଆସିଲେ । ଗେରୁଆ ଦଳ ଟିକଟ ନ ଦେବାରୁ ସେ ‘ହାତ’କୁ ଫେରିଲେ କି (?) ବୋଲି ପ୍ରଶ୍ନ ହେବାରୁ ଥତମତ ହୋଇଥିଲେ ନେତ୍ରୀ ଜଣକ । ଏଥର ମଲା ପର୍ଯ୍ୟନ୍ତ ପୁରୁଣା ଦଳରେ ହିଁ ରହିବେ ବୋଲି ଟେଲିଭିଜନ ମାଧ୍ୟମରେ ‘ହାତ’ ଦଳକୁ ଆଶ୍ୱାସନା ଦେଇଥିଲେ । ଏକା ଏହି ନେତ୍ରୀ ଜଣକୁ ନୁହନ୍ତି, ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ପୂର୍ବରୁ ଓଡ଼ିଶାରେ ଯେଭଳି ଦଳଡିଆଁ ହୋଇଛି ଏବଂ ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଭିତରେ ଯେପରି ଗୋଳିଆଘଂଟା ହୋଇଯାଇଛି ତାହା ଯେକୌଣସି ଘାଂଟ ତରକାରୀର ସ୍ୱାଦକୁ ଟପି ଯିବ ବୋଲି ଆମ ଭଳି ରାଜନୈତିକ ସମାଲୋଚକମାନେ ଭାବୁଛନ୍ତି । ଭୋଟର ମଧ୍ୟ କହାକୁ ଭୋଟ ଦେବେ, କାହାକୁ ନଦେବେ ସେନେଇ ଦ୍ୱନ୍ଦ୍ୱରେ ଥିବା ଅନୁମାନ କରାଯାଉଛି । ନିକଟରେ ରାଜଧାନୀର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ୨୦୨୪ ଓଡ଼ିଶା ଭୋଟ ଉପରେ ଆଲୋଚନା ବେଳେ ବନ୍ଧୁ ଜଣକ ନିଃସଂକୋଚରେ କହିଲେ, ଓଡ଼ିଶାରେ ସିନା ବିଜେଡ଼ି-ବିଜେପି ମେଂଟ ହେଲାନି, ଦୁଇ ଦଳ ‘ମ୍ୟାଚ୍ ଫିକ୍ସିଂ’ ହୋଇଥିବା ପ୍ରାର୍ଥୀ ଚୟନରୁ ସ୍ପଷ୍ଟ ହେଉଛି । କିଛି ଲୋକସଭା ଆସନରେ ବିଜେପି ବିଜେଡ଼କୁ ସୁହାଇଲା ଭଳି ପ୍ରାର୍ଥୀ ହେଇଥିବା ବେଳେ ଆଉ କିଛିରେ ବିଜେଡ଼ି ବିଜେପିକୁ ସୁହାଇଲା ଭଳି ପ୍ରାର୍ଥୀ ଦେଇଛି । ଅବଶ୍ୟ, ବିଧାନସଭା ପାଇଁ ବିଜେଡ଼ି ଟାଣୁଆ ପ୍ରାର୍ଥୀ ଦେଇ ଥିବାରୁ ଦୁଇ ଦଳ ଭିତରେ କଡା ମୁକାବିଲା ହେବ । ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗକୁ ଶାସକ ବିଜେଡ଼ି ବା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି କେବେ ସ୍ୱୀକାର କରିବେ ନାହିଁ । କାରଣ, ରାଜ୍ୟରେ କଂଗ୍ରେସର ସ୍ଥିତି ପୂର୍ବପେକ୍ଷା ଦୁର୍ବଳ ହୋଇସାରିଥିଲେ ମଧ୍ୟ ‘ବାଘକୁ ଫାଗର ଭୟ’ ଭଳି ଓଡ଼ିଶାରେ ଜନମତ କଂଗ୍ରେସ ଆଡକୁ ବୁଲି ଯିବ କି (?) ବୋଲି ଉଭୟ ବିଜେଡ଼ି ଓ ବିଜେପି ନେତାଙ୍କ ଭୟ ରହିଛି । ତେବେ, ଗୋଟିଏ କଥା ସତ ଯେ, ରାଜ୍ୟରେ ବିଜେଡ଼ି-ବିଜେପି ଏକା ଏକା ନିର୍ବାଚନ ମଇଦାନରେ ଥିଲେ ମଧ୍ୟ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛନ୍ତି । ୨୦୨୪ରେ ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବା ଏବଂ ନବୀନ ମୁଖ୍ୟମନ୍ତ୍ରୀ ହୋଇ ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ପବନ ଚାମଲିଂଙ୍କ ରେକର୍ଡ ଭାଂଗି ନିଜ ନାମରେ ନୂଆ ରେକର୍ଡ କରିବା ବିଜେଡ଼ିର ଟାର୍ଗେଟ୍ ଥିବା ବେଳେ ରାଜ୍ୟ ବିଜେପିର ଟାର୍ଗେଟ ହେଉଛି – ୨୦୨୪ରେ ଓଡ଼ିଶାରୁ ଅଧିକରୁ ଅଧିକ ସଂଖ୍ୟକ ବିଜେପି ସାଂସଦଙ୍କୁ ଦିଲ୍ଲୀ ପଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇସ୍ ବାର୍ ମୋଦୀ ସରକାର, ୪୦୦ ପାର୍’ ଲକ୍ଷ୍ୟ ସାଧନରେ ସହାୟକ ହେବା । ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ପ୍ରତଷ୍ଠା ଦିନରୁ ଓଡ଼ିଶାର ଶାସକ ବିଜେଡ଼ି ମୋଦୀ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ସଂସଦରେ ନିଃସର୍ତ୍ତ ସମର୍ଥନ ଦେଇ ଆସିଛି । ଆଗକୁ ମଧ୍ୟ ଦେବା ନିଶ୍ଚିତ । ତେଣୁ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ିରୁ କେତେ ଓ ବିଜେପିରୁ କେତେ ସାଂସଦ ନିର୍ବାଚିତ ହେଲେ ତାହା ଦୁଇ ଦଳ ପାଇଁ ବିଶେଷ ଗୁରୁତ୍ୱ ରଖୁନି । କିନ୍ତୁ, ମତଦାତାଙ୍କ ପାଇଁ ତାହା ଗୁରୁତ୍ୱ ରଖୁଛି । ଯେତେସବୁ ପ୍ରାର୍ଥୀ ହେବାକୁ ଦଳଡିଆଁ ମାରିଛନ୍ତି ବା ଦଳଡିଆଁ ମାରିବା ପରେ ପ୍ରାର୍ଥୀ ହୋଇଛନ୍ତି ସମସ୍ତେ ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ତେଣୁ, ୨୦୨୪ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନରେ ମତଦାନ ନିଆରା ହେବ ବୋଲି ଆମେ ଆଶା କରୁଛୁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS