‘ଆପ୍’ରେ ସୁନିତାଙ୍କ ଗ୍ରହଣୀୟତା ବଢିବାର ଲାଗିଛି
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୦୫
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଚାଲି ଯିବା ପରେ ତାଙ୍କ ପତ୍ନୀ ସୁନିତା କେଜରୀୱାଲ ମୁଖ୍ୟମନ୍ତ୍ରୀ ଏବଂ ‘ଆପ୍’ ନେତା ଓ କର୍ମୀଙ୍କ ମଧ୍ୟରେ ଏକମାତ୍ର ସଂପର୍କର ସେତୁ ହୋଇ ରହିଛନ୍ତି । ଜେଲରୁ ସେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଆଣୁଛନ୍ତି ଓ ତାହା ଦଳର ନେତା ଓ କର୍ମୀଙ୍କ ନିକଟରେ ପହଂଚାଇ ସେମାନଙ୍କ ମନୋବଳ ବଢାଉଛନ୍ତି । ଏହାଦ୍ୱାରା ଦଳର ନେତା ଓ ର୍କମୀଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପଡୁଛି । ତେଣୁ, ଆଜିର ପରିସ୍ଥିତିରେ ଦଳକୁ ସଂଗଠିତ ରଖିବାରେ ସୁନିତା ହେଉଛନ୍ତି ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ‘ଆପ୍’ର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସୌରଭ ଭରଦ୍ୱଜ ଆଜି ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାର ସଂପାଦକମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଜେଲରେ ଥିବାରୁ ଆସନ୍ତା ଲୋକସଭା ନିର୍ବାଚନରେ ସୁନିତା କେଜରୀୱାଲ ଦଳ ପାଇଁ କ୍ୟାଂପେନିଂ କରିବେ କି ବୋଲି ପ୍ରଶ୍ନ ହେବାରୁ ଭରଦ୍ୱଜ କହିଛନ୍ତି, ତାହା ଯଦି ହୁଅନ୍ତା ଦଳ ଖୁସି ହୁଅନ୍ତା । କିନ୍ତୁ, ନିର୍ବାଚନରେ ଦଳ ପାଇଁ ସୁନିତା କ୍ୟାଂପେନିଂ କରିବେ କି ନାହିଁ – ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ମାର୍ଚ୍ଚ ୨୧ ତାରିଖ ରାତିରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ହେଉଛନ୍ତି ‘ମୁଖ୍ୟ ଷଡଯନ୍ତ୍ରକାରୀ’ ବୋଲି ଇଡି ଅଦାଲତରେ ଅଭିଯୋଗ କରିଛି । ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେବା ପରେ କେଜରୀୱାଲ ତିହାର ଜେଲରେ ଅଛନ୍ତି । ଇଡିର ଗିରଫଦାରୀକୁ ଚ୍ୟାଲେଂଜ କରି ସେ ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ କରିଛନ୍ତି ତାହା ଉପରେ ଶୁଣାଣୀ ସରି ରାୟ ସ୍ଥଗିତ ରହିଛି । ଇତିମଧ୍ୟରେ, କେଜରୀୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବା ସକାଶେ ଦିଲ୍ଲୀ ଏଲଜିଙ୍କୁ ନିର୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକାଧିକ ଆବେଦନ ଖାରଜ ହୋଇଯାଇଛି । କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଗତକାଲି ମଧ୍ୟ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଦେବା ସହ ଦିଲ୍ଲୀ ଏଲଜି ଗଣତାନ୍ତ୍ରିକ ପଦ୍ଧତି ଓ ଆଇନ ବ୍ୟବସ୍ଥା ମଧ୍ୟରେ ଯାହା କିଛି ପଦକ୍ଷେପ ନେଇ ପାରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ରାଉଜ ଏଭିନ୍ୟୁ କୋର୍ଟର ବିଚାରପତି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଜେଲରେ ଯାଇ ଭେଟିବାକୁ କେବଳ ତାଙ୍କ ପତ୍ନୀ ସୁନିତାଙ୍କୁ ଅନୁମତି ଦେଇଛନ୍ତି । ତାହା ମଧ୍ୟ ସପ୍ତାହକୁ ତିନି ଦିନ । ସୁନିତା ଇତିମଧ୍ୟରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀଙ୍କ ତିନିଟି ଭିଡ଼ିଓ ବାର୍ତ୍ତା ‘ଆପ୍’ ନେତା ଓ କର୍ମୀଙ୍କ ନିକଟରେ ପହଂଚାଇଛନ୍ତି ଏବଂ ସେମାନଙ୍କ ମନୋବଳ ବଢାଇଛନ୍ତି । ଦିଲ୍ଲୀ ମନ୍ତ୍ରୀ ଭରଦ୍ୱଜ କହିଛନ୍ତି, ଗୋଟିଏ ରାଜନୈତିକ ଦଳ କେବଳ ତାହାର ଇସ୍ତାହାର ଦ୍ୱାରା ପରିଚାଳିତ ନୁହେଁ, ଦଳର ମୁଖ୍ୟଙ୍କ ସହ ନେତା ଓ କର୍ମୀଙ୍କ ଭାବୁକ ସଂପର୍କ ରକ୍ଷା ଉପରେ ଉପରେ ଦଳର ସଂଗଠନ ଏକାଠି ରହିବା ନିର୍ଭର କରୁଛି । ସୁନିତା ନିଜକୁ ‘ବାର୍ତ୍ତାବହ’ ବୋଲି କହୁଥିଲେ ମଧ୍ୟ ବାସ୍ତବରେ ଦଳକୁ ସଂଗଠିତ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦଳରେ ସୁନିତାଙ୍କ ଉପସ୍ଥିତି ହିଁ ସକାରତ୍ମକ ବାତାବରଣ ସୃଷ୍ଟି କରୁଛି । ପତିଙ୍କ ଅନୁପସ୍ଥିତିରେ ପତ୍ନୀ ସୁନିତା ‘ଆପ୍’ ରାଜନୀତିର କେନ୍ଦ୍ରବିନ୍ଦୁ ହେବେ କି (?) ବୋଲି ପ୍ରଶ୍ନ ହେବାରୁ ଭରଦ୍ୱାଜ ମନା କରିଥିଲେ । ତେବେ, ଅବକାରୀ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଗିରଫ ହୋଇ ଗତ ଅକ୍ଟୋବର ମାସରୁ ଜେଲରେ ଥିବା ଏବଂ ନିକଟରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ଖଲାସ ହୋଇଥିବା ‘ଆପ୍’ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ଜେଲରୁ ବାହାରିବା ପରେ ସୁନିତା କେଜରୀୱାଲଙ୍କୁ ଭେଟି ପାଦ ଛୁଇଁ ପ୍ରଣାମ କରିଥିଲେ । ତେବେ, ସୌରଭ ଭରଦ୍ୱଜ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଆପ୍ ସାଂସଦ ସଂଜୟ ସିଂହ ବଡ ଭାଇର ସମ୍ମାନ ଦିଅନ୍ତି । ତେଣୁ, ଭାରତୀୟ ସଂସ୍କୃତି ଅନୁସାରେ ସିଂହ ଜେଲରୁ ବାହାରିବା ପରେ କେଜରୀୱାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟି ପାଦ ଛୁଇଁ ପ୍ରଣାମ କରିଥିଲେ । ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜରୀୱାଲ ଜେଲରେ ଥାଇ ଦିଲ୍ଲୀ ସରକାର ପରିଚାଳନା କରିବେ ବୋଲି ‘ଆପ୍’ ଆରମ୍ଭରୁ କହି ଆସୁଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଦ କରିବାକୁ ମନା କରି ଦେବା ପରେ ଦିଲ୍ଲୀ ଏଲଜିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କୌଣସି ପରିସ୍ଥିତିରେ କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ଯଦି ହୁଅନ୍ତି ତେବେ ପତ୍ନୀ ସୁନିତା ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଛି । କେଜରୀୱାଲଙ୍କ ଗିରଫ ପ୍ରତିବାଦରେ ଗତ ମାର୍ଚ୍ଚ ୩୧ ତାରିଖ ଦିନ ଦିଲ୍ଲୀ ରାମଲିଳା ମଇଦାନରେ ଅନୁଷ୍ଠିତ ‘ଇଣ୍ଡିଆ’ ମେଂଟ ନେତାଙ୍କ ମହାସମାବେଶରେ ‘ଆପ୍’ ପକ୍ଷରୁ ସୁନିତା କେଜରୀୱାଲ ସେଥିରେ ଯୋଗଦେବା ସହ ମୋଦୀ ସରକାରଙ୍କ ସମାଲୋଚନା କରିଥିଲେ । ମିଥ୍ୟା ମାମଲାରେ ମୋଦୀ ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ଜେଲରେ ରଖିଛନ୍ତି । କାରଣ, ମୋଦୀ ସରକାର ତାଙ୍କ ପତିଙ୍କୁ ଭୟ କରୁଛନ୍ତି । ଅରବିନ୍ଦ କେଜରୀୱାଲ ହେଉଛନ୍ତି ‘ସିଂହ’, ତାଙ୍କୁ ବେଶି ଦିନ କେହି ଜେଲରେ ଅଟକାଇ ପାରିବ ନାହିଁ ବୋଲି ସୁନିତା ମଂଚ ଉପରୁ ହୁଙ୍କାର ଦେଇଥିଲେ । ‘ଆପ୍’ରେ ସୁନିତାଙ୍କ ଗ୍ରହଣୀୟତା ବଢିବା ସହ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ନେତାଙ୍କ ଗହଣରେ ସେ ଗୋଟିଏ ମଂଚରୁ ମୋଦୀ ସରକାରଙ୍କ ବିରୋଧରେ ବର୍ଷିବା ତାଙ୍କ ଭାବମୂର୍ତ୍ତୀକୁ ସୁଦୃଢ କରିଛି । ଆଗାମୀ ଦିନରେ ସୁନିତା ‘ଆପ୍’ ରାଜନୀତିର କେନ୍ଦ୍ରବିନ୍ଦୁ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS