ପଶ୍ଚିମ ବଂଗରେ ଇଡି ପରେ ଏନଆଇଏ ପାଳି !
ପ୍ରସାଦ ରାଓ
ଏପ୍ରିଲ ୦୬
ଆଜି ସକାଳେ ପଶ୍ଚିମ ବଂଗ ପୂର୍ବ ମେଦିନାପୁର ଜିଲ୍ଲାର ଭୂପତିନଗରରେ ଏନଆଇଏର ଏକ ତଦନ୍ତକାରୀ ଦଳ ଉପରେ ଅଂଚଳବାସୀଙ୍କ ଆଡୁ ଅକ୍ରମଣ ହୋଇଥିବା ସୂଚନା ମିଳିଛି । ଏନଆଇଏ ଅଧିକାରୀମାନେ ୨୦୨୨ରେ ଭୂପତିନଗରରେ ଘଟିଥିବା ଏକ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଯାଇଥିଲେ । ଏହି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଦୁଇ ଜଣ ବ୍ୟକ୍ତି ବଲାଇ ଚରଣ ମାଇତି ଓ ମନୋବ୍ରତ ଜେନାଙ୍କୁ ସେମାନେ ଗିରଫ କରିବା ସହ ଜେନାଙ୍କ ବାସଭବନ ସମେତ ପାଂଚଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ ଚଳାଇଥିବା ବେଳେ ଉତ୍ତେଜିତ ଜନତାର ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ଉତ୍ତେଜିତ ଲୋକମାନେ ଏନଆଇଏ ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ସହ ବ୍ୟାପକ ଭଂଗାରୁଜା କରିଛନ୍ତି । ଏନଆଇଏର ଗୋଟିଏ ଗାଡିର ୱିଣ୍ଡସ୍କ୍ରନ ଭାଂଗିଛି ଓ ଜଣେ ଅଧିକାରୀ ଆହତ ହୋଇଛନ୍ତି । ଏନଆଇଏ ଟିମ୍ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଭୂପତିନଗର ଥାନାକୁ ନେଇ ଗିରଫଦାରୀ ସଂପର୍କିତ ଆବଶ୍ୟକ ଆଇନଗତ କାର୍ଯ୍ୟ ସଂପୂର୍ଣ୍ଣ କରିବାର ଥିଲା । ତେବେ, ସେମାନଙ୍କୁ ଭୂପତିନଗର ଥାନାକୁ ଯିବାରେ ରୋକିବାକୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଆକ୍ରମଣ ଘଟଣାକୁ ନେଇ ଏନଆଇଏ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି । ଏନଆଇଏର ଅଭିଯୋଗ ଅନୁଯାୟୀ, ମାଇତି ଓ ଜେନା ଦେଶୀ ବୋମା ତିଆରି କରିବା ସହ ବୋମା ଫୁଟାଇବା ଷଡଯନ୍ତ୍ରରେ ସାମିଲ ଥିଲେ । ୨୦୨୨ ଡିସେମ୍ବରରେ ପୂର୍ବ ମେଦିନାପୁର ଜିଲ୍ଲା ନାରୁଆବିଲା ଗ୍ରାମର ରାଜକୁମାର ମାନାଙ୍କ ଘରେ ବୋମା ବିସ୍ଫୋରଣ ଘଟି ମାନାଙ୍କ ସମେତ ବିଶ୍ୱଜିତ ଗାଏନ ଓ ବୁଦ୍ଧଦେବ ମାନାଙ୍କ ମୃତ୍ୟୁ ଘଟିଥିଲା । ସେହି ବର୍ଷ ଡିସେମ୍ବର ୩ ତାରିଖରେ ପଶ୍ଚିମ ବଂଗ ପୁଲିସ ପ୍ରାଥମିକ ଏତଲା (ଏଫଆଇଆର) ପଂଜୀକୃତ କରିଥିଲେ ମଧ୍ୟ ପ୍ରାଥମିକସ୍ତରରେ ମାମଲାରେ ଏକ୍ସପ୍ଲୋସିଭ ସବଷ୍ଟାନ୍ସେସ୍ ଆକ୍ଟରେ କୌଣସି ଦଫା ଲଗାଇ ନଥିଲେ । ପରେ, କୋଲକାତା ହାଇକୋର୍ଟରେ ଏନେଇ ଏକ ରିଟ୍ ପିଟିସନ ଦାଏର ହୋଇଥିଲା ଏବଂ ମାମଲାରେ ଏକ୍ସପ୍ଲୋସିଭ ସବଷ୍ଟାନ୍ସେସ୍ ଆକ୍ଟର ବିଭିନ୍ନ ଦଫା ଯୋଡିବାକୁ ଏବଂ ମାମଲା ତଦନ୍ତ ପାଇଁ ଏନଆଇଏକୁ ହସ୍ତାନ୍ତର କରାଯିବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ନିବେଦନ କରିଥିଲେ । କୋଲକାତା ହାଇକୋର୍ଟଙ୍କ ନିର୍ଦେଶରେ ଏନଆଇଏ ମାମଲାର ତଦନ୍ତ କରୁଛନ୍ତି । ଆଜି ଏନଆଇଏ ଅଧିକାରୀମାନେ ଭୂପତିନଗର ଯାଇ ମାମଲାରେ ଦୁଇ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସାରି ସେମାନେ ଅଭିଯୁକ୍ତଙ୍କ ଧରି ସ୍ଥାନୀୟ ଥାନାକୁ ନେବା ପୂର୍ବରୁ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣ ଘଟଣା ପରେ ସଂପୃକ୍ତ ଅଂଚଳକୁ ବହୁ ସଂଖ୍ୟାରେ ପୁଲିସ ବଳ ପଠା ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆକ୍ରମଣ ଘଟଣାରେ ଓଲଟା ଏନଆଇଏକୁ ଦୋଷ ଦେଇଛନ୍ତି । ଏନଆଇଏ ଅଧିକାରୀମାନେ ସ୍ଥାନୀୟ ପୁଲିସକୁ ସୂଚନା ନଦେଇ ରାତି ଅଧିଆ ଭୁପତିନଗରରେ ଚଢାଉ କରିବା କେତେଦୂର ଯୁକ୍ତିଯୁକ୍ତ (?) ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ରାତି ଅଧରେ କେହି ବାହାର ଲୋକ ପଶି ଆସି ଉପଦ୍ରବ କରୁଛି ବୋଲି ଅଂଚଳବାସୀ ସନ୍ଦେହ କରି ଆକ୍ରମଣ କରିଥିବା ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅନୁମାନ ପ୍ରକଟ କରିବା ସହ ଠିକ୍ ନିର୍ବାଚନ ପୂର୍ବରୁ ଏଭଳି ଚଢାଉ କାହିଁକି (?) ବୋଲି ପ୍ରଶ୍ନ କରିଛନ୍ତି । ଏନଆଇଏ ବିଜେପିର ସହଯୋଗୀ ଭାବେ କାର୍ଯ୍ୟ କରୁଛି ବୋଲି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିବା ସହ ସେମାନେ ଭାବୁଛନ୍ତି କି ନିର୍ବାଚନ ବେଳେ ବୁଥ୍ ଏଜେଂଟଙ୍କୁ ଗିରଫ କରି ନେବେ (?) ବୋଲି ପ୍ରଶ୍ନ କରିଛନ୍ତି । ବିଜେପିର ଏହି ଘୃଣ୍ୟ ରାଜନୀତି ସଂପର୍କରେ ସମଗ୍ର ବିଶ୍ୱକୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନଆଇଏ ଅଧିକାରୀମାନେ ପ୍ରଥମେ ଭୂପତିନଗରବାସୀଙ୍କୁ ଆକ୍ରମଣ କରିବାରୁ ପାଲଟା ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ଆକ୍ରମଣର ସମୟରେ ମହିଳାମାନେ ଚୁପ୍ ବସିଥା’ନ୍ତେ କି (?) ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ନିର୍ବାଚନ ଜିତିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର କରୁଛି । ନିର୍ବାଚନ କମିଶନ ‘ବିଜେପି ପରିଚାଳିତ କମିଶନ’ ନହୋଇ ମୁକ୍ତ ଓ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସନ୍ଦେଶଖାଲି ପରେ ଏହା ହେଉଛି ପଶ୍ଚିମ ବଂଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଧିକାରୀଙ୍କ ଉପରେ ଦ୍ୱିତୀୟ ଆକ୍ରମଣ । କିଛି ମାସ ତଳେ ପଶ୍ଚିମ ବଂଗର ସନ୍ଦେଶଖାଲିରେ ବିଭିନ୍ନ ଜଘଣ୍ୟ ଅପରାଧରେ ସଂପୃକ୍ତ ଶେଖ ସାହାଜାହାନକୁ ଗିରଫ କରିବା ପାଇଁ ଇଡି ଅଧିକାରୀମାନେ ସେଠାରେ ଚଢାଉ କରିବା ବେଳେ ଅଂଚଳବାସୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ଶେଖ ସାହାଜାହାନ ଫେରାର ହୋଇଯାଇଥିଲା । କୋଲକାତା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପଶ୍ଚିମ ବଂଗ ପୁଲିସ ଫେରାର ହେବାର ୫୫ ଦିନ ପରେ ଶେଖ ସାହାଜାହାନକୁ ଗିରଫ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS