ବିଜେପି ‘ଅପରାଜିତ’ ନୁହେଁ, ବିରୋଧୀ ସୁଯୋଗ ନେବାରେ ବିଫଳ !
ପ୍ରସାଦ ରାଓ
ଏପ୍ରିଲ ୦୭
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ବିଜେପିକୁ ନିର୍ବାଚନରେ ରୋକିବା ‘ଅସମ୍ଭବ’ ବୋଲି ଯାହା କୁହାଯାଉଛି ତାହାକେବଳ ଏକ ‘ଧାରଣା’ ଏବଂ ‘ବିରାଟ ଭ୍ରମ’ । ବିରୋଧୀ ସେମାନଙ୍କୁ ମିଳୁଥିବା ସୁଯୋଗକୁ ବାରମ୍ବାର ହାତଛଡା କରିବା ଦ୍ୱାରା ସର୍ବସାଧାରଣରେ ଏଭଳି ଧାରଣା ସୃଷ୍ଟି ହୋଇଛି । ଗୋଟିଏ କ୍ରିକେଟ ମ୍ୟାଚ୍ ରେ ଫିଲଡର ବାରମ୍ବାର ‘କ୍ୟାଚ୍’ ମିସ୍ କରୁଥିବା ବେଳେ ‘କ୍ୟାଚ୍ ଆଉଟ୍’ରୁ ବର୍ତ୍ତି ଯାଇଥିବା ବ୍ୟାଟର୍ ଶତକ ମାରିବା ଭଳି କଥା ହୋଇଛି । ଏକଥା କହିଛନ୍ତି ପୂର୍ବତନ ଜେଡ଼ିୟୁ ନେତା ତଥା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ।
ଦେଶର ୫୪୩ ଲୋକସଭା ଆସନ ପାଇଁ ଆସନ୍ତା ୧୯ ତାରିଖରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବା ବେଳେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ସହ ଆଜି ସ୍ୱତନ୍ତ୍ର ଆଷଳାଚନା ବେଳେ ଏକଥା କହିଛନ୍ତି । ସେ କହିଛନ୍ତି, ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଆଧିପତ୍ୟ ରହିଛି ସତ, କିନ୍ତୁ ବିଜେପି ବା ମୋଦୀ ‘ଅପହଂଚ’ ବା ଅପରାଜିତ ନୁହନ୍ତି । ତେବେ, ବିଜେପି ଯେତେବେଳେ ପଛୁଆ ରହିଛି ବିରୋଧୀ, ବିଶେଷ କରି କଂଗ୍ରେସ ସେଥିରୁ ଫାଇଦା ନେବାରେ ବିଫଳ ହୋଇଛି ।
୨୦୧୫ ଓ ୨୦୧୬ରେ ବିଜେପି ଆସାମ ବ୍ୟତୀତ ଅନ୍ୟ ବହୁ ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜିତ ହୋଇ ବିରୋଧୀଙ୍କ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା । କିନ୍ତୁ, ସେମାନେ ତାହାର ସୁଯୋଗ ନେଇ ନପାରି ବିଜେପିକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରର ପ୍ରଥମ ଦଫାରେ ଦେଶରେ ବିମୁଦ୍ରୀକରଣ ହୋଇଥିଲା । ଏହାକୁ ନେଇ ଜନସାଧାରଣରେ ପ୍ରବଳ ଅସନ୍ତୋଷ ଥିବା ସତ୍ତ୍ୱେ ୨୦୧୭ରେ ୟୁପି ବିଧାନସଭା ନିର୍ବାଚନରେ ବିଜେପି ବଡ ବିଜୟ ହାସଲ କରିଥିଲା । କିନ୍ତୁ, ସେହି ବର୍ଷ ଡିସେମ୍ବରରେ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ଦଳ କଷ୍ଟେମଷ୍ଟେ ଜିତିଥିଲା । ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟ । ରାଜ୍ୟରେ ପାଖାପାଖି ତିନି ଦଶକ ଧରି ବିଜେପିର ଶାସନ ଚାଲିଛି ।
ତେବେ, ୨୦୧୯ ସାଧାରଣ ନିର୍ବାଚନର ଚାରି ମାସ ପୂର୍ବରୁ ୨୦୧୮ ଡିସେମ୍ବରରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ପରାଜିତ କରିଥିଲା । କୋଭିଡ଼ -୧୯ ମହାମାରୀ ପରେ ୨୦୨୧ ଏପ୍ରିଲ-ମେ’ରେ ପଶ୍ଚିମ ବଂଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ବିଜେପିକୁ ପରାଜିତ କରିଥିଲା । ତେବେ, ବିରୋଧୀ ନେତାମାନେ ବିଜୟ ପରେ ହାତବାନ୍ଧି ବସି ଯିବାରୁ ବିଜେପିକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିଛି ।
ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟ ‘ଇଣ୍ଡିଆ’ ଯଦି ବିଜେପିର ଗଡ଼ କୁହାଯାଉଥିବା ଉତ୍ତର ଓ ପଶ୍ଚିମ ଭାରତରୁ ଅନ୍ୟୁନ ୧୦୦ଟି ଆସନ ଦଖଲ କରିପାରିବ ବିଜେପି ନିର୍ବାଚନ ତାତିକୁ ଅନୁଭବ କରି ପାରିବ । କିନ୍ତୁ, ଏହା ହେବା ସମ୍ଭାବନା ନାହିଁ । ଅପରପକ୍ଷରେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୩୭୦ ଲୋକସଭା ଆସନରୁ ବିଜୟ ହେବାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ । ତଥାପି ଦଳ ପାଖାପାଖି ୩୦୦ ଆସନ ପାଇବ ଏବଂ ଓଡ଼ିଶା, ପଶ୍ଚିମ ବଂଗ, ତେଲେଂଗାନା ଓ ତାମିଲନାଡୁରେ ଦଳର ପ୍ରଦର୍ଶନ ଭଲ ରହିବ ବୋଲି ପ୍ରଶାନ୍ତ କିଶୋର ମତ ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କ ସରକାର ବହୁମତରେ ପ୍ରତିଷ୍ଠା ହେବାକୁ ଯାଉଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପୂର୍ବରୁ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।
ନିର୍ବାଚନ ପାଖଉ ଥିବା ବେଳେ ବିରୋଧୀ ମେଂଟରେ ଥିବା ରାଜନୈତିକ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଆଲୋଚନା ସରୁନାହିଁ । ମିଳିତ କାର୍ଯ୍ୟସୂଚୀ ଓ କାର୍ଯ୍ୟକ୍ରମର ଅଭାବ ମଧ୍ୟରେ ସେମାନେ ବିଜେପିର ସାମ୍ନା କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରି ବିରୋଧୀଙ୍କୁ ‘ଦୁର୍ନୀତିଗ୍ରସ୍ତ’, ‘ପରିବାରବାଦୀ’ ବୋଲି ଆକ୍ଷେପ କରୁଛନ୍ତି । ବିରୋଧୀ ‘କମିଶନ’ରେ ବିଶ୍ୱାସ କରୁଥିବା ବେଳେ ବିଜେପି ‘ମିଶନ’ରେ ବିଶ୍ୱାସ କରେ ବୋଲି ମୋଦୀଙ୍କ ବ୍ୟାଖ୍ୟାନ ଜନତାଙ୍କୁ କେତେଦୂର ପ୍ରଭାବିତ କରୁଛି ତାହା ଜୁନ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ଜଣାପଡିବ । ତେବେ, ବିରୋଧୀ ୨୦୨୪ରେ ମିଳିଥିବା ସୁଯୋଗକୁ ମଧ୍ୟ ହାତଛଡା କରିବାକୁ ଯାଉଛନ୍ତି ବୋଲି ପ୍ରଶାନ୍ତ କିଶୋରଙ୍କ ବୟାନରୁ ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS