ଓଡ଼ିଶା ରାଜନୀତିରେ ହାଇବ୍ରିଡ୍ ପରିବା ଘାଂଟ…
ପ୍ରସାଦ ରାଓ
ଭୁବନେଶ୍ୱର/ ଏପ୍ରିଲ ୦୮
ସାଧାରଣତଃ ଶୀତ ଦିନରେ ପରିବା ବଜାରରେ ବିଭିନ୍ନ ପରିବା ମିଳାଥାଏ । ଫୁଲ କୋବି, ପତ୍ର କୋବି, ଉଲ କୋବି, ବାଇଗଣ, କଂଚା ମଟର, ଟମାଟୋ ପ୍ରଭୃତି ପରିବା ତାଜା ତାଜା ବଜାରକୁ ଆସିଥାଏ । ଦର ମଧ୍ୟ କମ୍ ଥାଏ । ରାଜଧାନୀର ପରିବା ବଜାରରେ ଏସବୁ ପରିବା ଆଖପାଖ ଗାଁରୁ ଆସି ବିକ୍ରି ହେଉଥିବାରୁ ଗ୍ରାହକ ମଧ୍ୟ ସୁଆଦିଆ ପରିବା ଘାଂଟ ଖାଇବାକୁ ମନ ବଳାଇ ଥା’ନ୍ତି । ଶୀତ ଦିନ ସରିବା ବେଳକୁ ପରିବା ବଜାରକୁ ଆସୁଥିବା ଆଖପାଖ ଅଂଚଳ ଚାଷୀଙ୍କ ପରିବା ବଜାରରୁ ଧୀରେ ଧୀରେ ଉଭାନ ହୋଇଯାଏ । ସେହି ସ୍ଥାନ ନିଏ ରାଜ୍ୟ ବାହାରୁ ଆସୁଥିବା ପରିବା । ମହାରାଷ୍ଟ୍ର, ରାୟପୁରୁ, ବାଂଗାଲୁରୁରୁ ଆସୁଥିବା ହାଇବ୍ରିଡ୍ ପରିବା ଘାଂଟ ପାଇଁ ସୁଆଦିଆ ନଥିଲେ ମଧ୍ୟ ଅଧିକ ମୂଲ୍ୟ ଦେଇ ଗ୍ରାହକ କିଣିବାକୁ ବାଧ୍ୟ ହୋଇଥା’ନ୍ତି । ପୋଟଳ, ଜହ୍ମି ପ୍ରଭୃତି ଖରା ଦିନିଆ ପରିବା ଯାହାକୁ ଯେତେ ମିଳିଥାଏ । ଗ୍ରାହକଙ୍କ ଅପେକ୍ଷା ରୁହେ ପୁଣି ସେହି ଶୀତ ଋତୁକୁ ଆଖପାଖ ଅଂଚଳର ଚାଷୀଙ୍କ ଦ୍ୱାରା ଉତ୍ପାଦିତ ତାଜା ପରିବା ଖାଇବାକୁ । ଏବେ ଶୀତ ଯାଇ ଗ୍ରୀଷ୍ମ ପ୍ରାରମ୍ଭରୁ ଅଗ୍ନୀବର୍ଷା ହେଉଥିବା ବେଳେ ବଜାରରୁ ସଂପୂର୍ଣ୍ଣ ଭାବରେ ଶୀତ ଦିନିଆ ପରିବା ଉଭାନ ହୋଇନଥିଲେ ମଧ୍ୟ ଯାହା ମିଳୁଛି ଦାମ୍ ଉପର ମୁହାଁ । ଗ୍ରାହକଙ୍କ ରୋଷଶାଳରୁ ପରିବା ଘାଂଟ ଏକପ୍ରକାର ଉଭାନ ହେବାକୁ ବସିଲାଣି । ତେବେ, ସଂପୂର୍ଣ୍ଣ ଭାବେ ଉଭାନ ହୋଇ ନାହିଁ । ଦରଦାମ ଯାହା ହେଲେ ବି ଗ୍ରାହକ ଯେଉଁଠି ଟିକେ ଭଲ ପରିବା ଦେଖୁଛନ୍ତି କିଣୁଛନ୍ତି ଏବଂ ଆଗ ଭଳି ପରିବା ସବୁ ଅଧିକ ଦିନ ରହୁନଥିବାରୁ ଓ ଦୁଇ ଚାରି ଦିନରେ ପଚି ସଢି ଯାଉଥିବାରୁ ବିକଳରେ ସେସବୁକୁ ଘାଂଟ କରି ଖାଇ ଦେବାକୁ ବାଧ୍ୟ ହେଉଛନ୍ତି ।
ଏହା ହେଉଛି ଆମ ପରିବା ବଜାର ଓ ଘାଂଟ-ପ୍ରେମୀଙ୍କ କଥା । ଚଳିତ ବର୍ଷ ଏପ୍ରିଲ ମାସ ପ୍ରାରମ୍ଭରେ ଓଡ଼ିଶା ବଜାରରେ ଆଉ ଏକ ଘାଂଟ ଚର୍ଚ୍ଚାର ବିଷୟ ହୋଇଛି । ତାହା ହେଉଛି, ରାଜନୈତିକ ଘାଂଟ । ଦେଶରେ ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଓଡ଼ିଶାରେ ମେ’ ୧୩ରୁ ବିଧାନସଭା ଭୋଟ ହେବାକୁ ଯାଉଛି । ଏହି ଦୁଇଟି ଯାକ ଭୋଟ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ, ଆଗାମୀ ପାଂଚ ବର୍ଷ ପାଇଁ ଦେଶରେ କିଏ ଓ ରାଜ୍ୟରେ କିଏ ରାଜୁତି କରିବ – ତାହା ଏଇ ଦୁଇଟି ଭୋଟରେ ନିର୍ଣ୍ଣୟ ହେବାକୁ ଯାଉଛି । ଦୁଇଟି ଯାକ ନିର୍ବାଚନ ଜୁନ ୦୧ ତାରିଖ ଯାଏଁ ଚାଲିବ ଓ ଜୁନ ୦୪ ତାରିଖରେ ଜନାଦେଶ ସାମ୍ନାକୁ ଆସି ଆଗାମୀ ଦିନର ରାଜନୈତିକ ଦୃଶ୍ୟପଟ୍ଟକୁ ସ୍ପଷ୍ଟ କରି ଦେବ । ମତଦାତା ନିଜ ମନମୁତାବକ ନେତା ବାଛିବା ପାଇଁ ପାଂଚ ବର୍ଷରେ ଥରେ ସୁଯୋଗ ପାଇଥା’ନ୍ତି । ୨୦୧୯ ପରେ ୨୦୨୪ରେ ଏହି ସୁଯୋଗ ଆସିଛି । ତେବେ, ଏଥର ରାଜନୈତିକ ବଜାରରୁ ନୂଆ ଘାଂଟର ଚିତ୍ର ଆସୁଛି, ଯାହାକି ମତଦାତାଙ୍କୁ ଅଶ୍ୱସ୍ତିରେ ପକାଇଛି । ଗୋଟିଏ ନୁହେଁ, ରାଜ୍ୟର ସବୁ ରାଜନୈତିକ ଦଳରେ ନେତାଙ୍କ ଘାଂଟ ମତଦାତାଙ୍କୁ ଭ୍ରମିତ କଲା ଭଳି ହୋଇଛି । କାଲି ଯେଉଁମାନେ ବିରୋଧୀ ଦଳରେ ରହି ସରକାରୀ ଦଳର ନେତାଙ୍କୁ ନିର୍ଧୁମ ଗାଳି ଫଜିତ କରୁଥିଲେ ଏବଂ ସେମାନଙ୍କୁ ମହିଳା-ବିରୋଧୀ, ଲଂପଟ ବୋଲି ରାସ୍ତାଘାଟରେ ଆକ୍ଷେପ କରୁଥିଲେ ଆଜି ସେମାନେ ନିଜ ଦଳରେ ଅଲୋଡା ହୋଇ ସରକାରୀ ଦଳରେ ଯୋଗ ଦେବା ପରେ ମିଳିଥିବା ଗାମୁଛା ଖଣ୍ଡକୁ ବେକରେ ପକାଇ ସରକାରୀ ଦଳର ଗୁଣ ଗାଉଛନ୍ତି ଓ ନିର୍ବାଚନ ଲଢିବାକୁ ଟିକଟ ଖଣ୍ଡିଏ ମିଳି ଗଲେ ହାତରେ ଧରି ଭୋଟ ପାଇଁ ଲୋକଙ୍କ ପାଖକୁ ଧାଉଁଛନ୍ତି ।
ବିରୋଧୀ ଦଳଙ୍କ ଅବସ୍ଥା ମଧ୍ୟ ଏକା ଭଳି । ପାଂଚ ବର୍ଷ ହେଲା ସରକାରୀ ଦଳର ନେତାଙ୍କୁ ସେମାନେ ନିକମ୍ମା, ଲଂପଟ ଓ ମିଛୁଆ ବୋଲି ଗାଳି କରୁଥିଲେ । କିନ୍ତୁ, ଠିକ୍ ନିର୍ବାଚନ ପୂର୍ବରୁ ସରକାରୀ ଦଳ ଟିକଟ ନପାଇ ଦଳ ଛାଡି ବିରୋଧୀ ଶିବିରକୁ ଡିଆଁ ମାରୁଥିବା ନେତାଙ୍କୁ ନାଲି କାର୍ପେଟ୍ ବିଛାଇ ପାଛୋଟି ନିଆଯାଉଛି ଏବଂ ସେମାନଙ୍କୁ ମାହାମାନ୍ୟ କହି ଗାମୁଛା ଖଣ୍ଡେ ଖଣ୍ଡେ ବେକରେ ପକାଇ ଦିଆଯାଇ ନିର୍ବାଚନ ଲଢିବାକୁ ଟିକଟ ଖଣ୍ଡେ ଖଣ୍ଡେ ଧରାଇ ଦିଆଯାଉଛି । ସରକାରୀ ଦଳକୁ ଡିଆଁ ମାରିଥିବା ନେତାଙ୍କ ଭଳି ବିରୋଧୀ ଶିବିରକୁ ଡିଆଁ ମାରିଥିବା ନେତା ମଧ୍ୟ ଅଲାଜୁକ ଭଳି ନୂଆ ନେତାଙ୍କ ଗୁଣଗାନ କରି ନିଜ ନିଜ ସମର୍ଥକଙ୍କୁ ଭୁଆଁ ବୁଲାଇବାକୁ ପଛାଉ ନାହାନ୍ତି । ପୂର୍ବରୁ ମଧ୍ୟ ନିର୍ବାଚନ ସମୟ ଆସିଲେ ଅସନ୍ତୁଷ୍ଟିଆ ନେତା ଦଳଡିଆଁ ମାରୁଥିଲେ ଓ ଟିକଟ ଖଣ୍ଡେ ପାଇଁ ନିର୍ବାଚନରେ ନିଜ ପରାକ୍ରମ ଦେଖାଉ ଥିଲେ । ମତଦାତା ମଧ୍ୟ ଏହି ସଂସ୍କୃତିକୁ ନେଇ ଅଭ୍ୟସ୍ତ । କିନ୍ତୁ, ୨୦୨୪ର ଚିତ୍ର ସଂପୂର୍ଣ୍ଣ ଭିନ୍ନ । ବର୍ଷ ବର୍ଷ ଧରି ଦଳରେ ରହି ନେତାଙ୍କ ସବୁ ପ୍ରକାର ବୋଲହାକ ମାନୁଥିବା ନେତା, କର୍ମୀମାନେ ନିର୍ବାଚନ ସମୟରେ ସାଂସଦ ବା ବିଧାୟକ ହେବା ସକାଶେ ଟିକଟ ଖଣ୍ଡିଏ ପାଇବା ପାଇଁ ନେତାଙ୍କ ଦୁଆରେ ଅଧିଆ ପଡିଥିବା ବେଳେ ଚୋରା ବାଟରେ ପଶି ଆସୁଥିବା ବିରୋଧୀ ନେତା ଟିକଟ ଧରି ପାର୍ । ଯେଉଁମାନେ ନେତାଙ୍କ ଦୁଆରେ ଅଧିଆ ପଡି ପଡି କଳା ବାଳକୁ ଧଳା କରି ସାରିଲେଣି ସେମାନେ ଯେଉଁ ନିକୁଛିଆକୁ ସେଇ ନିକୁଛିଆ !
ବିଜେଡ଼ି, ବିଜେପି, କଂଗ୍ରେସ – ସବୁ ଦଳରେ ଏକା ଅବସ୍ଥା । ଟିକଟ ସଂଖ୍ୟା କମ୍, ଆଶାୟୀ ବହୁ ଅଧିକ । ତା’ଛଡା ବିରୋଧୀ ଶିବରରୁ ପଶି ଆସୁଥିବା ଅସନ୍ତୁଷ୍ଟିଆଙ୍କୁ ନିଜ ଦଳରେ ଥଇଥାନ କରିବାକୁ ସୁପ୍ରିମୋମାନେ ଦଳର ମୁଣ୍ଡିଆଳ ନେତାମାନଙ୍କୁ ଲଗାଇ ଦେଇଥିବାରୁ ଦଳ ପାଇଁ ବର୍ଷ ବର୍ଷ ଧରି କାମ କରି ଆସୁଥିବା ଦ୍ୱିତୀୟ ଧାଡିର ବା କୁଜୀ ନେତାଙ୍କ କଥା କିଏ ପଚାରେ ? ୨୦୨୪ ନିର୍ବାଚନରେ ତିନି ଦଳରେ ଏଭଳି ଘାଂଟ ଦେଖିବାକୁ ମିଳୁଛି । ତାହା ସହ ପୁରୁଣା ନେତାଙ୍କ ବିଦ୍ରୋହ ମଧ୍ୟ ମତଦାତା ଦେଖୁଛନ୍ତି । ସେମାନେ ବୁଝିପାରୁ ନାହାନ୍ତି ନିର୍ବାଚନରେ ଦଳକୁ ଦେଖି ଭୋଟ ଦେବେ ନା ପ୍ରାର୍ଥକୁ ଦେଖି ଭୋଟ ଦେବେ । କାଲି ଯିଏ ବିଜେପି ଗାମୁଛା ବେକରେ ପକାଇ ଭୋଟ ମାଗିବାକୁ ଯାଇଥିଲା ଆଜି ସେ ବିଜେଡ଼ି ଗୁମୁଛା ବେକାରେ ପକାଇ ଥିବା ଦେଖିବାକୁ ମିଳୁଥିବା ବେଳେ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଯିଏ ଭୋଟ ମାଗୁଥିଲା ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିବା କହି ପଦ୍ମ ଫୁଲିଆ ଗାମୁଛା ଖଣ୍ଡେ ବେକରେ ପକାଇ ଭୋଟରେ ଦୁଆରେ ପହଂଚି ଯାଇଛି । କଂଗ୍ରେସିଆ ନେତା ବି ପଛରେ ନାହାନ୍ତି । ବର୍ଷ ବର୍ଷ ଧରି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋକୁ ଛାତିରେ ମାରି କ୍ଷମତା ଉପଭୋଗ କରି ଆସିଥିବା କଂଗ୍ରେସିଆ ନେତାରୁ ଅନେକ ଏବେ ନବୀନ ବା ନରେନ୍ଦ୍ରଙ୍କ ଶିବିରକୁ ଯାଇ ସେମାନେ ଦେଇଥିବା ଗାମୁଛା ପକାଇ ଭୋଟରଙ୍କ ନିକଟକୁ ଗଲେଣି । ଆଉ କିଛି ଏଭଳି ଏକ ସୁଯୋଗ ଅପେକ୍ଷାରେ ଧାଡିରେ ଅଛନ୍ତି । ପୂର୍ବ ନିର୍ବାଚନ ସବୁରେ ଏତେ ସଂଖ୍ୟାରେ କ୍ଷମତା-ବିକଳୀ ନେତାଙ୍କୁ ଓଡ଼ିଶାବାସୀ ଦେଖି ନଥିଲେ । ୨୦୨୪ରେ କଂଗ୍ରେସକୁ ଛାଡି ଦେଲେ ଅନ୍ୟ ଦୁଇ ଦଳ ଏଥିରେ ନୂଆ ରେକର୍ଡ ସୃଷ୍ଟି କଲେଣି ।
ଏଇଥି ପାଇଁ ନୂଆରେ ବିଜେଡ଼ର ମଂଗ ଧରିଥିବା ପୂର୍ବତନ ଆଇଏଏସ୍ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ କର୍ମୀ ସମାବେଶରେ ଭାଷଣ ଦେଇ କିଏ କେଉଁଠି ପ୍ରାର୍ଥୀ ହୋଇଛି ତାହା ନ ଦେଖିବାକୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁକୁ ଦେଖି ଉଭୟ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଉପସ୍ଥିତ ଜନତାକୁ ଆହ୍ୱାନ ଦେଉଛନ୍ତି । ନବୀନ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଜେଡ଼ି ରାଜ୍ୟ ବିଧାନସଭାର ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ ବୋଲି ପାଣ୍ଡିଆନ ଜୋର ଦେଇ କହୁଥିବା ବେଳେ ବିଜେପି କହୁଛି ଏଥର ଓଡ଼ିଶାରେ ‘ଡବଲ ଇଂଜିନ’ ସରକାର ନିଶ୍ଚିତ । ୨୦୧୪ ଓ ୨୦୧୯ରେ ମଧ୍ୟ ବିଜେପି ଏକା କଥା କହିଥିଲା । କିନ୍ତୁ, ଓଡ଼ିଶାର ମତଦାତା ଲୋକସଭା ପାଇଁ ମୋଦୀ ଓ ବିଧାନସଭା ପାଇଁ ନବୀନଙ୍କ ସପକ୍ଷରେ ଭୋଟ ଦେଇଥିଲେ । ୨୦୨୪ରେ ମଧ୍ୟ ମତଦାନ ସେହିଭଳି ହେବା ଆଶା କରାଯାଉଛି । ତେବେ, ପ୍ରଶାନ୍ତ କିଶୋରଙ୍କ ଭଳି ଚତୁର ରଣନୀତିକାର କହିଲେଣି, ଓଡ଼ିଶା, ପଶ୍ଚିମ ବଂଗ, ତାମିଲନାଡୁ ଓ ତେଲେଂଗାନାରେ ଏଥର ବିଜେପି ଭଲ ପ୍ରଦର୍ଶନ କରିବ । ଏଭଳି ଅବଗଣନାର ବଳିଷ୍ଠ କାରଣ ହେଉଛି, ବିଜେପି ଏଥର ଓଡ଼ିଶାରେ ବିଜେଡ଼ି ଓ କଂଗ୍ରେସରୁ ତଡା ଖାଇଥିବା ବା ଦଳ ଛାଡିଥିବା ନେତାଙ୍କୁ ବହୁ ସଂଖ୍ୟାରେ ଲୋକସଭା ବା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗେରୁଆ ଦଳ ପ୍ରତି ଆକର୍ଷଣ ମଧ୍ୟ ପୂର୍ବାପେକ୍ଷା ବଢିଛି । ତେବେ, ବୁଦ୍ଧିଜୀବୀ କମ୍ ଓ ଗ୍ରାମାଂଚଳର ଶିକ୍ଷିତ, ଅଶିକ୍ଷିତ ଜନତା ନିର୍ବାଚନରେ ଅଧିକ ସଂଖ୍ୟାରେ ମତଦାନ କରିଥାନ୍ତି । ତେଣୁ, ସବୁଜ ଗାମୁଛାକୁ କାନ୍ଧରୁ ଓହ୍ଲାଇ ଗେରୁଆ ଗାମୁଛା କାନ୍ଧରେ ପକାଇ ଥିବା ନେତା ନିଜ ବଳରେ ନିର୍ବାଚନ ଜିଣି ଆସିଛନ୍ତି କି ନବୀନଙ୍କ ନାମରେ ନିର୍ବାଚନ ଜିଣୁଛନ୍ତି – ତାହା ୨୦୨୪ରେ ସ୍ପଷ୍ଟ ହୋଇଯିବ ।
ଏହା ହେଉଛି ନେତାଙ୍କ କଥା । ମତଦାତା ସବୁ ବେଳେ ନେତାଙ୍କ ମୁହଁକୁ ଚାହିଁ ଭୋଟ ଦେଇଥା’ନ୍ତି । ପୂର୍ବରୁ ରାଜନୈତିକ ଦଳମାନଙ୍କରେ ବିଚାରଗତ ଆଦର୍ଶ ଓ ମୂଲ୍ୟବୋଧ ରହୁଥିଲା । ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଲୋକମାନେ ପରିସ୍ଥିତି ଯାହା ଥାଉନା କାହିଁକି ବିଜୁଙ୍କ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେଉଥିଲେ । ସେହିଭଳି କଂଗ୍ରେସରେ ମଧ୍ୟ ବିଚାରଗତ ଆଦର୍ଶ ଓ ମୂଲ୍ୟବୋଧ ଥିଲା ଏବଂ ମତଦାତା କଂଗ୍ରେସ ସପକ୍ଷରେ ଭୋଟ ଦେଉଥିଲେ । ଆଜି ଦିନରେ ବାମପନ୍ଥୀଙ୍କୁ ଛାଡି ଦେଲେ ଅନ୍ୟ କେଉଁଠି ବିଚାରଗତ ଆଦର୍ଶ ବା ମୂଲ୍ୟବୋଧ ନାହିଁ । ରାଜନୈତିକ ଦଳମାନେ ବିଚାରଗତ ଆଦର୍ଶ ଓ ମୂଲ୍ୟବୋଧକୁ ଜଳାଜଂଳୀ ଦେଇ କର୍ପୋରେଟ୍ ସଂସ୍କୃତିରେ ରାଜନୈତିକ ଦଳ ଚଳାଉଛନ୍ତି । ନିର୍ବାଚନ ଜିତି କ୍ଷମତା ଦଖଲ ହେଉଛି ସେମାନଙ୍କ ପ୍ରାଥମିକତା । ତେଣୁ, କିଏ କେଉଁ ଦଳରୁ ଆସିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଟିକଟ ଦେଲେ ଜିତିବା ସମ୍ଭାବନା କେତେ – ତାହା ପ୍ରାର୍ଥୀ ଚୟନର ମୂଳମନ୍ତ୍ର ହୋଇଛି । ତେଣୁ, ସରକାରରେ ଥିବା ବା ସରକାରକୁ ଆସିବା ସମ୍ଭାବନା ଥିବା ରାଜନୈତିକ ଦଳ ନୈତିକତାକୁ ଭୁଲି ଦଳଡିଆଁକୁ ଉତ୍ସାହିତ କରୁଥିବା ଏବଂ ଦଳଡିଆଁମାନେ ନିଃସଂକୋଚରେ ଦଳ ବଦଳାଇ କ୍ଷମତା ଦଖଲ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ୨୦୨୪ର ଏହି ଖରା ଦିନିଆ ଘାଂଟ ଓଡ଼ିଶାବାସୀଙ୍କୁ କେତେ ପସନ୍ଦ ଆସିବ ଆମେ ଜାଣିନୁ । ତଥାପି, ହାଇବ୍ରିଡ୍ ପରିବା ଘାଂଟ ଯେ ଦେଶୀ ପରିବା ଘାଂଟ ଭଳି ସୁଆଦିଆ ରହିବ ନାହିଁ – ତାହା ନିଃସଂକୋଚରେ କହିପାରିବୁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS