ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ବିଜେପି ପ୍ରୟୋଜିତ ?
ପ୍ରସାଦ ରାଓ
ଏପ୍ରିଲ ୦୯
ବିଜେପି ଦକ୍ଷିଣ ଓ ପୂର୍ବ ଭାରତରେ ତାହାର ଶକ୍ତି ବୃଦ୍ଧି ପାଇଁ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛି । ୨୦୨୪ ନିର୍ବାଚନରେ ତାହାର ସୁଫଳ ପାଇବ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁଣାଇ ଥିବା ଭବିଷ୍ୟବାଣୀ ‘ବିଜେପି ପ୍ରୟୋଜିତ’ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତା ଅଜୟ କୁମାର ଆଜି ଏକ ଜାତୀୟ ଗଣମାଧ୍ୟମରେ ପ୍ରଶାନ୍ତ କିଶୋରଙ୍କୁ ଆରଏସଏସ ଲୋକ ବୋଲି କହିବା ସହ ସେ ଯେଉଁ ଭବିଷ୍ୟବାଣୀ ଶୁଣାଉଛନ୍ତି ତାହା ‘ହାସ୍ୟାସ୍ପଦ’ ବୋଲି ମତ ରଖିଛନ୍ତି । ଅଜୟ କୁମାର ଓଡ଼ିଶା ଭଳି ତାମିଲନାଡୁର ମଧ୍ୟ ଦଳୀୟ ପ୍ରଭାରୀ ରହିଛନ୍ତି । ଚେନ୍ନାଇରେ ଅଜୟ କୁମାର କହିଛନ୍ତି, ନିଜକୁ ନିର୍ବାଚନ ରଣନୀତିକାର ବୋଲି ଦାବି କରୁଥିବା ପ୍ରଶାନ୍ତ କିଶୋର ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ କଂଗ୍ରେସ-ଆରଜେଡ଼ି-ଜେଡୁୟୁ ଗଡବନ୍ଧନ ସରକାର ଚାଲି ଥିବା ବେଳେ ନୀତୀଶ ସରକାରଙ୍କୁ ଅସ୍ଥିର କରିବାକୁ ବିହାରରେ ପଦଯାତ୍ରା ଚଳାଇ ଥିଲେ । ତେବେ, ନୀତୀଶ କୁମାର ମହାଗଠବନ୍ଧନ ଛାଡି ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିଯିବା ପରେ ପ୍ରଶାନ୍ତ କିଶୋରଙ୍କ ପଦଯାତ୍ରା ବନ୍ଦ ହୋଇଯାଇଥିଲା । ତାମିଲନାଡୁରେ କୌଣସି ସରକାର-ବିରୋଧୀ ହାୱା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରମ୍ବାର ତାମିଲନାଡୁ ଗସ୍ତରୁ ଶାସକ ଡିଏମକେ ମେଂଟ ହିଁ ଫାଇଦାରେ ରହିବ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତୀ ଯେଭଳି ଭାବେ କ୍ଷୁର୍ଣ୍ଣ ହେଲଣି ତାହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ହୋଇନଥିଲା ବୋଲି ଅଜୟ କୁମାର କହିଛନ୍ତି । ସେ କହିଛନ୍ତି, ବିଜେପି ନିର୍ବାଚନ ପ୍ରଚାର ଅଭିଯାନକୁ ‘ଷ୍ଟ୍ରିଟ୍ ଫାଇଟ୍’ରେ ପରିଣତ କରି ଦେଇଛି । ଯେଉଁ ସବୁ ବିଷୟର କୌଣସି ପ୍ରାସଙ୍ଗିକତା ନାହିଁ ସେସବୁ ଉଠାଉଛି । ମୋଦୀ ସରକାର ୨୦୧୮ ମସିହାରେ ନିର୍ବାଚନ ପାଂଠି ସଂଗ୍ରହରେ ପାରଦର୍ଶିତା ଆଣିବା ନାମରେ ଯେଉଁ ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ କାର୍ଯ୍ୟକାରୀ କରିଥିଲେ ତାହା ବିଶ୍ୱର ସବୁଠାରୁ ଦୁର୍ନୀତିମୟ ସ୍କମ୍ ପ୍ରମାଣିତ ହୋଇଛି । ସୁପ୍ରିମ କୋର୍ଟ ଗତ ଫେବୃୟାରୀ ୧୫ ତାରିଖରେ ଏକ ଐତିହାସିକ ରାୟ ଦେଇ ଏହି ସ୍କିମ୍ କୁ ‘ଅଣସାମ୍ବିଧାନିକ’ ଘୋଷଣା କରିବା ସହ ତୁରନ୍ତ ତାହାକୁ ରଦ୍ଦ କରିଛନ୍ତି । ମୋଦୀ ଲଗାତର ତାମିଲନାଡୁ ଗସ୍ତ କରୁଥିବା ବେଳେ କଂଗ୍ରେସର କେହି ନେତା ନିର୍ବାଚନ ପ୍ରଚାର ପାଇଁ ଯାଉ ନାହାନ୍ତି କାହିଁକି ବୋଲି ଗଣମାଧ୍ୟମ ଆଡୁ ପ୍ରଶ୍ନ ହେବାରୁ ଅଜୟ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୨ ତାରିଖ ଦିନ କୋଏମ୍ବାଟୁର ଓ ତିରୁନେଲଭେଲିରେ ନିର୍ବାଚନ ସଭା କରିବାକୁ ଯାୁଥିବା ସୂଚନା ଦେଇଥିଲେ । ୨୦୨୪ଲୋକସଭା ନିର୍ବାଚନ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଅଜୟ କୁମାର କହିଲେ, ଆସନ୍ତା ନିର୍ବାଚନରେ ‘ଇଣ୍ଡିଆ’ ମେଂଟ ତାମିଲନାଡୁର ୪୦ରୁ ୪୦ ଲୋକସଭା ଆସନରେ ବିଜୟ ହାସଲ କରିବ । ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଂଗ, ତେଲେଂଗାନା ଓ କର୍ଣ୍ଣାଟକରେ ମଧ୍ୟ ବିରୋଧୀ ମେଂଟର ପ୍ରଦର୍ଶନ ଭଲ ରହିବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ମେଂଟ ଦେଶର ୫୪୩ ଲୋକସଭା ଆସନରୁୁ ୩୦୩ରେ ବିଜୟୀ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୦୧୯ ନିର୍ବାଚନ ତୁଳନାରେ ଅନ୍ତତଃ ୧୫୦ ଆସନ କମ୍ ପାଇବ । କଂଗ୍ରେସର ‘ପରିବାରବାଦ’କୁ ନେଇ ବିଜେପିର ଆକ୍ରମଣ ଉପରେ ପ୍ରଶ୍ନ ହେବାରୁ, ଅଜୟ କୁମାର କହିଲେ, ଗଲା ୨୭ ବର୍ଷ ମଧ୍ୟରେ ଗାନ୍ଧୀ ପରିବାରରୁ କେହି ଦେଶର ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି । ‘ପରିବାରବାଦ’ ଏବେ ବିଜେପିରେ ସୀମିତ ହୋଇଛି । ପିୟୂଷ ଗୋୟେଲଙ୍କଠାରୁ ଆରମ୍ଭ କରି ଅନୁରାଗ ଠାକୁର ଓ ଦେବେନ୍ଦ୍ର ଫଡନାଭିସଙ୍କଠାରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ ପର୍ଯ୍ୟନ୍ତ ସମସ୍ତେ ବିଜେପିର ବୋଲି ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କିଛି ଦିନ ହେଲା ବିଜେପିକୁ ସୁହାଇଲା ଭଳି ବୟାନମାନ ଦେଇ ବିରୋଧୀ ମେଂଟକୁ ଅସ୍ତବ୍ୟସ୍ତ କଲେଣି । ୨୦୨୪ ନିର୍ବାଚନରେ ବିଜେପି ଓ ତାହାର ମେଂଟ ଦଳ ଦକ୍ଷିଣ ଓ ପୂର୍ବ ଭାରତରେ ଭଲ ପ୍ରଦର୍ଶନ କରିବେ; ପଶ୍ଚିମ ବଂଗରେ ବିଜେପି ଏକ ନମ୍ବର ଆଡକୁ ଯାଉଛ ଏବଂ ଓଡ଼ିଶା, ପଶ୍ଚିମ ବଂଗ ସମେତ ଦକ୍ଷିଣ ଭାରତରେ ଏଥର ବିଜେପିର ଫଳାଫଳ ଭଲ ହେବ ବୋଲି ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନ ପାଇଁ ଭୋଟ ହେବାକୁ ମାତ୍ର କିଛି ଦିନ ଥିବା ବେଳେ ଗଣମାଧ୍ୟମରେ ବୟାନବାଜୀ ଚଳାଇ ଥିବାରୁ କଂଗ୍ରେସ ଆଜି ଦଳର ନେତା ଅଜୟ କୁମାରଙ୍କ ମାଧ୍ୟମରେ ତାହାର ଜବାବ ରଖିଛି । ତେବେ, ଅଜୟ କୁମାର ପ୍ରଶାନ୍ତ କିଶୋରଙ୍କୁ ଆରଏସଏସ ଲୋକ କହି ତାଙ୍କ ବୟାନ ସବୁ ‘ବିଜେପି ପ୍ରୟୋଜିତ’ ବୋଲି କଟାକ୍ଷ କରିବା କଥାକୁ ବିଜେପି ମାନିବାକୁ ପ୍ରସ୍ତୁତ ନୁହେଁ । ‘ଯିଏ ସତ କହୁଛି ବିରୋଧୀ ତାଙ୍କୁ ଆରଏସଏସ୍ ଲୋକ କହୁଛି’ ବୋଲି ତାମିଲନାଡୁର ବିଜେପି ମୁଖପାତ୍ର ନାରାୟଣ ତିରୁପତି ମନ୍ତବ୍ୟ ଦେଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ପ୍ରଶାନ୍ତ କିଶୋର ବିଜେପିର ରଣନୀତିକାର ରହି ଥିଲେ । ୨୦୧୫ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ତାଙ୍କୁ ନିର୍ବାଚନ ରଣନୀତିକାର କରିଥିଲା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରାଜ୍ୟରେ ଜେଡିୟୁ ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା ହେବା ପରେ ପ୍ରଶାନ୍ତ କିଶୋର ରାଜନୀତିରେ ଯୋଗ ଦେଇ ଜେଡିୟୁର ବରିଷ୍ଠ କାର୍ଯ୍ୟକର୍ତ୍ତା ରହ ିଥିଲେ । କିନ୍ତୁ, ନୀତୀଶଙ୍କ ସହ ସଂପର୍କ ବିଗିଡିବାରୁ ସେ ଜେଡିୟୁରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ୨୦୨୧ରେ ଅନୁଷ୍ଠିତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରିଥିଲେ । ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ବିଜେପିର ସମସ୍ତ ପ୍ରକାର କୌଶଳକୁ ମାତ୍ ଦେଇ କ୍ଷମତାସୀନ ହେବା ଏବଂ ମମତା ଲଗାତର ତୃତୀୟ ଥର ପାଇଁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ହେବାର ଶ୍ରେୟ ପ୍ରଶାନ୍ତ କିଶୋରଙ୍କୁ ଯାଇଥିଲା । ଏହା ପରେ ପ୍ରଶାନ୍ତ କିଶୋର ଆଉ ନିର୍ବାଚନ ରଣନୀତିକାର ଭାବେ କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିବା ସହ ମମତାଙ୍କ ସହାୟତାରେ ଜାତୀୟସ୍ତରରେ ବିଜେପିକୁ ପରାଜିତ କଲା ଭଳି ଏକ ବିରୋଧୀ ମେଂଟ ଗଠନ ଉଦ୍ୟମରେ ଲାଗିଥିଲେ । ବିଭିନ୍ନ ରାଜ୍ୟ ଗସ୍ତ କରି ବରିଷ୍ଠ ରାଜନେତାମାନଙ୍କ ସହ ଆଲୋଚନା କରିଥିଲେ । ପରେ, କଂଗ୍ରେସରେ ଯୋଗଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ନିଜର ଏକ ଆଂଚଳିକ ସଂଗଠନ କରି ବିହାରରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଗାଁ ଗାଁ ବୁଲି ପଦଯାତ୍ରା କରୁଥିଲେ । ନୀତୀଶ କୁମାର ମହାଗଠବନ୍ଧନରୁ ଦୂରେଇ ପୁନର୍ବାର ବିଜେପି କୋଳକୁ ଫେରିବା ପରେ ପ୍ରଶାନ୍ତ କିଶୋରଙ୍କ ନୀତୀଶ ବିରୋଧୀ ଅଭିଯାନ ଥଣ୍ଡା ପଡିଗଲା । ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଶାନ୍ତ କିଶୋର ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲକୁ ଯାଇ ବିଜେପି ନେତୃତ୍ୱକୁ ପ୍ରଶଂସା କଲା ଭଳି ମନ୍ତବ୍ୟ ରଖିବା ଏବଂ ବିରୋଧୀ ମେଂଟ ନେତାଙ୍କୁ ନ୍ୟୂନ କରି ଦେଖାଇବା ବିରୋଧୀଙ୍କୁ କ୍ଷୁବ୍ଧ କରିଛି । ତେଣୁ, ପ୍ରଶାନ୍ତ କିଶୋର ଯେଉଁ ଟିଭି ସୋ’ ସବୁ କରୁଛନ୍ତି ସେଗୁଡିକ ବିଜେପି ପ୍ରୟୋଜିତ ବୋଲି ଆଜି ଅଜୟ କୁମାରଙ୍କ ମାଧ୍ୟମରେ କଂଗ୍ରେସ କହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS