ସୁପ୍ରିମ କୋର୍ଟରୁ ତ୍ୱରିତ ଆଶ୍ୱସ୍ତି ମିଳିଲାନି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ
ପ୍ରସାଦ ରାଓ
ଏପ୍ରିଲ ୧୦
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଆଜି ସୁପ୍ରିମ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳି ନଥିବାରୁ ଆସନ୍ତା ସପ୍ତାହ ପ୍ରାରମ୍ଭ ପର୍ଯ୍ୟନ୍ତ ସେ ତିହାର ଜେଲରେ ରାତି କଟାଇବା ନିଶ୍ଚିତ ହୋଇଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସଂପର୍କିତ ଏକ ପିଏମଏଲଏ ମାମଲାରେ ମାର୍ଚ୍ଚ ୨୧ ତାରିଖ ରାତିରେ କେଜରୀୱାଲ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ଇଡିର ଗିରଫଦାରୀକୁ ବିରୋଧ କରି ସେ ତଳ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଖାରଜ ହୋଇଯିବାରୁ କେଜରୀୱାଲ ଦିଲ୍ଲୀ ହାଇକୋର୍ଟରେ ତାହା ବିରୋଧରେ ଆବେଦନ କରିଥିଲେ । ଗତକାଲି ଦିଲ୍ଲୀ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ଅବକାରୀ ଦୁର୍ନୀତିରେ ସେ ସଂପୃକ୍ତ ଥିବାରୁ ଯଥେଷ୍ଟ ପ୍ରମାଣ ଇଡି ଅଦାଲତରେ ଉପସ୍ଥାପନ କରିଛି । ତେଣୁ, ତାଙ୍କ ଗିରଫଦାରୀ ଯଥାର୍ଥ ବୋଲି ଦିଲ୍ଲୀ ହାଇକୋର୍ଟର ଏକ ଜରଇକଆ ବେଂଚ୍ ଗତକାଲି ରାୟ ଦେବା ପରେ ଆଜି ସୁପ୍ରିମ କୋର୍ଟରେ ଏହି ଚ୍ୟାଲେଂଜ କରି ଏକ ଆବେଦନ କରାଯାଇ ତ୍ୱରିତ ଶୁଣାଣୀ ପାଇଁ ନିବେଦନ କରାଯାଇଥିଲା । ତେବେ, ସୁପ୍ରିମ କୋର୍ଟ ଏହି ଆବେଦନର ଶୁଣାଣୀ ପାଇଁ ତୁରନ୍ତ କୌଣସି ପଦକ୍ଷେପ ନ ନେଇ ତାହା ଉପରେ ବିଚାର କରାଯିବ ବୋଲି କହିଛନ୍ତି । ଗୁରୁବାର ଓ ଶୁକ୍ରବାର ସରକାରୀ ଛୁଟି ଥିବାରୁ ଏବଂ ତାହା ପରେ ସପ୍ତାହାନ୍ତ ଛୁଟି ରହୁ ଥିବାରୁ ସୋମବାର ସୁପ୍ରିମ କୋର୍ଟ ଖୋଲିଲେ ହିଁ କେଜରୀୱାଲଙ୍କ ଆବେଦନର ଶୁଣାଣୀ ସମ୍ଭାବନା ରହିଛି । ତେଣୁ, ଚଳିତ ସପ୍ତାହ ସରିବା ପର୍ଯ୍ୟନ୍ତ କେଜରୀୱାଲ ତିହାର ଜେଲରେ ରହିବା ନିଶ୍ଚିତ ।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଆବେଦନ ଉପରେ ଶୁଣାଣୀ ପାଇଁ ଆଜି ସୁପ୍ରିମ କୋର୍ଟ ସ୍ୱତନ୍ତ୍ର ବେଂଚ ଗଠନ କରି ନାହାନ୍ତି । ଗୁରୁବାର ଇଦ୍-ଉଲ୍-ଫିତର ପାଇଁ କୋର୍ଟ ଛୁଟି ରହୁଥିବା ବେଳେ ଶୁକ୍ରବାର ଦିନ ସ୍ଥାନୀୟ ଏକ ଛୁଟି ରହିଛି । କୋର୍ଟ ସୋମବାର ଖୋଲିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଓକିଲ ତଥା ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଆଜି ସକାଳେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ସମ୍ମୁଖରେ କେଜରୀୱାଲଙ୍କ ମମଲା ଉପସ୍ଥାପନ କରି ଜରୁରୀ ଶୁଣାଣୀ ପାଇଁ ନିବେଦନ କରିଥିଲେ । ତେବେ, ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆଜି ଜରୁରୀ ଶୁଣାଣୀ ପାଇଁ ଆବେଦନକୁ ଟାଳି ଦେଇ ‘ଆମେ ଦେଖୁବୁ, ଆମେ ବିଚାର କରିବୁ’ ବୋଲି କହିଥିଲେ । ଆଜି ଜରୁରୀ ଶୁଣାଣୀ ପାଇଁ କେଜରୀୱାଲଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଟାଳି ଦେବାରୁ ଓ କାଲିଠାରୁ କୋର୍ଟ ଛୁଟି ରହୁଥିବାରୁ ସୋମବାର କୋର୍ଟ ଖୋଲିଲେ ହିଁ ଆବେଦନର ବିଚାର ହେବ । ଇତିମଧ୍ୟରେ, ଇଡି ବିରୋଧରେ କେଜରୀୱାଲଙ୍କ ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟରେ ଖାରଜ କରିବା ସହ ବିଚାରପତି ମାମଲାକୁ ନେଇ ଯେଉଁ ସବୁ ଟିପ୍ପଣୀ ଦେଇଛନ୍ତି ତାହା ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି ।
ମୁଖ୍ୟମନ୍ତ୍ରୀ କେଜରୀୱାଲ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଇଡିର ନଅଟି ସମନକୁ ଏଡାଇ ଯିବା ପରେ ଇଡି ଦଶମ ସମନ ସହ ମାର୍ଚ୍ଚ୨୧ ତାରିଖ ସନ୍ଧ୍ୟାରେ ତାଙ୍କ ସରକାରୀ ବାସଭବନରେ ଚଢାଉ କରିଥିଲେ ଏବଂ ଦୁଇ ଘଂଟା ଜେରା କରି ରାତି ୯ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲେ । ୨୨ ତାରିଖ ତାଙ୍କୁ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇ ଦୁଇ ପର୍ଯ୍ୟାୟରେ ୧୦ ଦିନ ରିମାଣ୍ଡରେ ନେଇ ଜେରା କରାଯାଇଥିଲା । ଇଡି ଜେରା ପରେ କୋର୍ଟ କେଜରୀୱାଲଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଇଡିର ଗିରଫଦାରୀ ଓ ରିମାଣ୍ଡ କୁ କେଜରୀୱାଲ ଚ୍ୟାଲେଂଜ କରି ହାଇକୋର୍ଟରେ ପିଟିସନ ଦାଏର କରିଥିଲେ, ଯାହାକି ଗତକାଲି ଖାରଜ ହୋଇଛି । ତଦନ୍ତକାରୀ ସଂସ୍ଥାଙ୍କ ତଦନ୍ତ ସାଧାରଣ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ଭିନ୍ନ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ ଗତକାଲି ରାୟରେ କହି ଇଡି ଗିରଫଦାରୀକୁ ଯଥାର୍ଥ କହିଛନ୍ତି । ସାଧାରଣ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରାଯିବା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି କେଜରୀୱାଲଙ୍କ ଯୁକ୍ତିକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରି ଆଇନ ତାହା କାର୍ଯ୍ୟ କରୁଛି, ରାଜନୀତି ସହ ଆଇନ କାର୍ଯ୍ୟକାରିତାର କିଛି ସଂପର୍କ ନାହିଁ ବୋଲି ହାଇକୋର୍ଟ ବିଚାରପତି ସ୍ୱରନ କାନ୍ତ ଶର୍ମା ରୁଲିଂ ଦେଇଛନ୍ତି । ତେବେ, ସୁପ୍ରିମ କୋର୍ଟ ମୁଖମନ୍ତ୍ରୀ କେଜରୀୱାଲଙ୍କ ଆବେଦନ ଉପରେ ଏକ ଅନୁକୂଳ ରାୟ ଦେବେ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱଜ ଆଶାବ୍ୟକ୍ତ କରିଛନ୍ତି । ଦୀଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କାଣିଚାଏ ପ୍ରମାଣ ନଥାଇ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରାଯିବା ଭାରତ ଇତିହାସରେ ସବୁଠାରୁ ବଡ ‘ରାଜନୈତିକ ଷଡଯନ୍ତ୍ର’ ବୋଲି ‘ଆପ୍’ ନେତାମାନେ ଦାବି କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS