ତିହାର ଜେଲରେ ଗିରଫ ହେଲେ କବିତା
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୧୧
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ତେଲେଂଗାନା ବିଆରଏସ୍ ନେତ୍ରୀ କେ.କବିତାଙ୍କୁ ଆଜି ସିବିଆଇ ତିହାର ଜେଲକୁ ଯାଇ ଗିରଫ କରିଛି । କବିତା ହେଉଛନ୍ତି ତେଲାଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ଓ ବିଆରଏସ୍ ଏମଏଲସି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ବେଳେ ୪୬ ବର୍ଷ ବୟସ୍କା କବିତାଙ୍କୁ ଇଡି ଏକା ମାମଲାରେ ମାର୍ଚ୍ଚ ୧୫ ତାରିଖ ଦିନ ହାଇଦ୍ରାବାଦସ୍ଥିତ ବଂଜାରା ହିଲ୍ସ୍ ବାସଭବନରୁ ଗିରଫ କରିଥିଲେ । ଦୁହେଁ ତିହାର ଜେଲରେ ଅଛନ୍ତି । ଇଡି ମାମଲାରେ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଥିବା ବେଳେ ମଂଗଳବାର ଦିନ କବିତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜକୁ ପଠାଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡିତ ଏକ ପିଏମଏଲଏ (ମନିଲଂଡରିଂ) ମାମଲାରେ ଉଭୟ କେଜରୀୱାଲ ଓ କବିତା ଗିରଫ ହୋଇଛନ୍ତି । ସିବିଆଇ ଅଧିକାରୀମାନେ ତିହାର ଜେଲରେ କବିତାଙ୍କୁ ମାରାଥନ ଜେରା କରିବାର ଦିନକୁ ପରେ ଜେଲ ଭିତରକୁ ଯାଇ ଆଜି ତାଙ୍କୁ ଗିରଫ କରିଛନ୍ତି । ଦିଲ୍ଲୀ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଦୁଇ ବର୍ଷ ତଳେ ଏକ ନୂତନ ଅବକାରୀ ନୀତି ପ୍ରଣୟନ କରି ତାହା କାର୍ଯ୍ୟକାରୀ କରିବା ସମୟରେ ଶତାଧିକ କୋଟି ଟଙ୍କାର ଲାଂଚ କାରବାର କରିଥିବା ତଦନ୍ତକାରୀ ଏଜେନ୍ସୀ ଅଭିଯୋଗ କରିଛନ୍ତି । ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ମଦ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଇ ଥିବା ବେଳେ ତେଲେଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା ତଥା ବିଆରଏସ୍ ନେତ୍ରୀ କେ.କବିତାଙ୍କୁ ‘ଦକ୍ଷିଣୀ ଲବି’ର ମୁଖ୍ୟ ଭାବେ ‘ଆପ୍’ ସରକାରଙ୍କ ଦ୍ୱାରା ବଂଟନ ହୋଇଥିବା ମଦ ଆଉଟଲେଟ୍ ଲାଇସେନ୍ସର ସିଂହଭାଗ ପାଇବା ସକାଶେ ‘ଆପ୍’କୁ ଶହେ (୧୦୦) କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ରହିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ପୂର୍ବରୁ କବିତାଙ୍କ ଘନିଷ୍ଟ ସହଯୋଗ କୁହାଯାଉଥିବା ବୁଚି ବାବୁଙ୍କୁ (ମାମଲାରେ ସହ-ଅଭିଯୁକ୍ତ ଅଛନ୍ତି) ଗିରଫ କରିଥିଲେ । ବୁଚି ବାବୁଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନ୍ ର ‘ହ୍ୱାଟସ୍ ଆପ୍’ ଚାଟ୍ ଏବଂ ଏକ ଜମି କାରବାରର ଡକୁମେଂଟ୍ ଆଧାରରେ ସିବିଆଇ କବିତାଙ୍କୁ ତିହାର ଜେଲରେ ଜେରା କରିଥିଲା । ଦକ୍ଷିଣୀ ଲବି ଦିଲ୍ଲୀ ସରକାରଙ୍କ ଦ୍ୱାରା ବିତରଣ ହୋଇଥିବା ମଦ ଦୋକାନ ଲାଇସେନ୍ସର ସିଂହଭାଗ ପାଇବା ସକାଶେ ‘ଆପ୍’ ନେତାଙ୍କୁ ଶହେ କୋଟି ଟଙ୍କା ଲାଂଚ ଦେଇଥିଲା । ନଗଦ ଆକାରରେ ଦିଆଯାଇଥିବା ଏହି ଟଙ୍କା ‘ଆପ୍’ ଗୋଆ ବିଧାନସଭା ନିର୍ବାଚନ ଏବଂ କିଛି ଅଂଶ ପଂଜାବ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଦାଲତରେ ଦାଖଲ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛି । ଶନିବାର ଦିନ ସିବିଆଇ ଅଧିକାରୀମାନେ ତିହାର ଜେଲକୁ ଯାଇ କବିତାଙ୍କୁ ଜେରା କରିବା ପରେ ଆଜି ଆନୁଷ୍ଠାନିକ ଭାବେ ଜେଲରେ ତାଙ୍କୁ ଗିରଫ କରିଛନ୍ତି । ଇତିମଧ୍ୟରେ, କବିତା କୋର୍ଟକୁ ଚିଠି ଲେଖି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ଦ୍ୱାରା ଯେଉଁ ତଦନ୍ତ ହେଉଛି ତାହାକୁ ‘ମିଡ଼ିଆ ଟ୍ରାଏଲ’ ବୋଲି ଦର୍ଶାଇଛନ୍ତି ଏବଂ ତାହା ତାଙ୍କ ଭାବମୂର୍ତ୍ତୀ ଓ ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁର୍ଣ୍ଣ କରିଛି ବୋଲି ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ମାମଲାର ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ତାଙ୍କ ବ୍ୟାଙ୍କ ଆକାଉଂଟ୍ ତଥ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥାଙ୍କୁ ଦେଇଛନ୍ତି । ତେବେ, ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ତାଙ୍କ ମୋବାଇଲ ଫୋନ୍ କୁ ଯେଭଳି ସମସ୍ତ ଟିଭି ଚ୍ୟାନେଲରେ ପ୍ରଦର୍ଶନ କରାଯାଉଛି ତାହା ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଯଶକୁ କ୍ଷତି ପହଂଚାଉଛି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କଲା ଭଳି ମନେ ହେଉଛି । ସେ ଯେଉଁ ସବୁ ମୋବାଇଲ୍ ଫୋନ୍ କୁ ନଷ୍ଟ କରିଦେଇଛନ୍ତି ବୋଲି ଇଡି କୋର୍ଟରେ ଦର୍ଶାଇଛି ସେସବୁ ମୋବାିଲ୍ ଫୋନ୍ ସେ କୋର୍ଟ ନିକଟରେ ଉପସ୍ଥାପିତ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ କବିତା କୋର୍ଟଙ୍କୁ ଜଣାିଛନ୍ତି । କବିତାଙ୍କ ଚିଠି ତାଙ୍କ ଓକିଲ ଅଦାଲତରେ ପଢି ଶୁଣାଇଛନ୍ତି । ଦିଲ୍ଲୀ ସରକାର ୨୦୨୦-୨୧ରେ ଯେଉଁ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ ତାହାକୁ ନେଇ ବିବାଦ ଉପୁଜିବାରୁ ଏବଂ ‘ଆପ୍’ ସରକାର ଏହି ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରି ବିପୁଳ ଅର୍ଥ ଲାଂଚ ଭାବେ ନେଇଥିବା ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି) ସିବିଆଇରେ ଅଭିଯୋଗ କରିବାରୁ ପ୍ରଥମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା । ସିବିଆଇ ତଦନ୍ତ ଆରମ୍ଭ ପରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ପ୍ରତ୍ୟାହାର କରିନେଇଥିଲେ । ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଏକ ମନିଲଂଡରିଂ ମାମଲା (ପିଏମଏଲଏ) କରି ମଦ ଦୁର୍ନୀତିର ତଦନ୍ତ କରୁଛି । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀ ମାସରୁ ଗିରଫ ହୋଇ ଜେଲରେ ଥିବା ବେଳେ ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଅକ୍ଟୋବର ମାସରେ ଗିରଫ ହୋଇ ଜେଲରେ ଥିଲେ । ତାଙ୍କୁ ଛଅ ମାସ ଜେଲରେ ଅଟକ ରଖିବା ପରେ ମଧ୍ୟ ଇଡି ଆର୍ଥିକ କାରବାରକୁ ନେଇ ତାଙ୍କ ବିରୋଧରେ କୋର୍ଟରେ କାଣିଚାଏ ପ୍ରମାଣ ଉପସ୍ଥାପିତ କରିବାକୁ ସକ୍ଷମ ହୋଇନଥିବାରୁ ସୁପ୍ରିମ କୋର୍ଟ ଇଡି ଉପରେ ବର୍ଷିଥିଲେ ଏବଂ ‘ବିନା ବିଚାରଣାରେ ଆଉ କେତେ ଦିନ ଜଣକୁ ଜେଲରେ ରଖିବ’ ବୋଲି ପ୍ରଶ୍ନ କରିଥିଲେ । ସୁପ୍ରିମ କୋର୍ଟରୁ ସିଂହ ଜାମିନ ପାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ନପାଇ ଗତକାଲି ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା ସପ୍ତାହରେ ସୁପ୍ରିମ କୋର୍ଟ ତାଙ୍କ ଆବେଦନର ଶୁଣାଣୀ କରିବେ ବୋଲି ଆଶା କରାଯାଉଛି । ତାଙ୍କ ବିରୋଧରେ କାଣିଚାଏ ପ୍ରମାଣ ନଥାଇ ଇଡି ତାଙ୍କୁ ପିଏମଏଲଏ ମାମଲାରେ ଗିରଫ କରି ଜେଲରେ ରଖିବା ଅନୈତିକ କାର୍ଯ୍ୟ ଏବଂ ‘ଆପ୍’କୁ ନିଶ୍ଚିହ୍ନ କରିବା ପାଇଁ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅଦାଲତରେ ଅଭିଯୋଗ କରିଆସୁଛନ୍ତି । ଦିଲ୍ଲୀ ହାଇକୋର୍ଟ କେଜରୀୱାଲଙ୍କ ଦଲିଲକୁ ଅଗ୍ରାହ୍ୟ କରି ତାଙ୍କ ବିରୋଧରେ ଇଡି ଯଥେଷ୍ଟ ପ୍ରମାଣ ଉପସ୍ଥାପିତ କରିଥିବା କହିଥିଲେ ଏବଂ ମାମଲା ଖାରଜ ପାଇଁ କେଜରୀୱାଲଙ୍କ ଆବେଦନକୁ ମଂଗଳବାର ଖାରଜ କରି ଦେଇଥିଲେ । ହାଇକୋର୍ଟଙ୍କ ମଂଗଳବାରର ରାୟକୁ ଚ୍ୟାଲଂଜ କରି କେଜରୀୱାଲ ବୁଧବାର ଦିନ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଜରୁରୀ ଶୁଣାଣୀ ପାଇଁ ସୁପ୍ରିମ କୋର୍ଟ ମନା କରିଥିଲେ ମଧ୍ୟ ସୋମବାର କୋର୍ଟ ଖୋଲିଲେ ତାହାର ଶୁଣାଣୀ ହେବା ସମ୍ଭାବନା ରହିଛି । ‘ଆପ୍’ ସାଂସଦ ସଂଜୟ ସିଂହଙ୍କ କ୍ଷେତ୍ରରେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏଭଳି ପ୍ରତିକୂଳ ଟିପ୍ପଣୀ ଦେଇଥିଲେ । କିନ୍ତୁ, ସୁପ୍ରିମ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୁପ୍ରିମ କୋର୍ଟରୁ ଅଶ୍ୱସ୍ତି ମିଳିବ ବୋଲି ‘ଆପ୍’ ନେତା ଓ କେଜରୀୱାଲଙ୍କ ସମର୍ଥକମାନେ ଆଶା ରଖିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS