ବିସ୍ଫୋରଣ ଘଟିଥିଲା ବେଂଗାଲୁରୁରେ, ଅଭିଯୁକ୍ତ ଗିରଫ ହେଲେ ବେଂଗଲରୁ, ରାଜନୀତି ସରଗରମ
ପ୍ରସାଦ ରାଓ
ଏପ୍ରିଲ ୧୨
ଗତ ମାର୍ଚ୍ଚ ୦୧ ତାରିଖ ଦିନ ବେଂଗାଲୁରୁର ଲୋକପ୍ରିୟ ‘ରାମଶ୍ୱେରମ କାଫେ’ରେ ବିସ୍ଫାରଣ ଘଟାଇ ଫେରାର ଥିବା ଦୁଇ ଅଭିଯୁକ୍ତ ମୁସାଭିର ହୁସେନ ସାଜେବ ଓ ଅବଦୁଲ ମଥିନ ତାହା ଆଜି ସକାଳେ ପଶ୍ଚିମ ବଂଗ ପୂର୍ବ ମିଦିନାପୁର ଜିଲ୍ଲାର କାନ୍ଥି ସହରରୁ ଗିରଫ ହୋଇଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ସେମାନଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ କାଫେରେ ବିସ୍ଫୋରକ ରଖିବା ସହ ବିସ୍ଫୋରଣ ଘଟାଇବାରେ ପ୍ରମୁଖ ଭୂମିକାରେ ଥିଲେ ବୋଲି ଏନଆଇଏ କହିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ବେଂଗଲ, କର୍ଣ୍ଣାଟକ, ତେଲେଂଗାନା ଏବଂ କେରଳ ପୁଲିସର ସହଯୋଗରେ ମିଳିତ ଅପରେସନ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିବା ଏନଆଇଏ କହିଛି । ତେବେ, ଅଭିଯୁକ୍ତ ଦ୍ୱୟ ପଶ୍ଚିମ ବଂଗରୁ ଧରା ପଡିଥିବାରୁ ରାଜନୀତି ଜୋର୍ ଧରିଛି । ବେଂଗାଲୁର କାଫେ ବିସ୍ଫୋରଣ ଘଟଣାର ଦୁଇ ପ୍ରମୁଖ ଅଭିଯୁକ୍ତ ସାଜେବ ଓ ତାହା ପଶ୍ଚିମ ବଂଗର କାନ୍ଥି ସହରରୁ ଗିରଫ ହୋଇଥିବା ନେଇ ବିଜେପି ଟିଏମସିକୁ ଆକ୍ଷେପ କରିଥିବା ବେଳେ ପଶ୍ଚିମ ବଂଗର ଶାସକ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ବିଜେପିକୁ ତାହହାର ପାଲଟା ଜବାବ ଦେଇଛି, ଯାହାକି ନିର୍ବାଚନ ସମୟରେ ରାଜନୀତିକୁ ଉଷ୍ଣ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଶାସନରେ ପଶ୍ଚିମ ବଂଗ ଆତଙ୍କବାଦୀଙ୍କ ପାଇଁ ‘ସୁରକ୍ଷିତ ଭୂସ୍ୱର୍ଗ’ରେ ପରିଣତ ହୋଇଛି ବୋଲି ବିଜେପି ପକ୍ଷରୁ ଆଜି ଆକ୍ଷେପ କରାଯାଇଥିବା ବେଳେ ଟିଏମସି ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାହାର ପାଲଟା ଜବାବ ଦେଇ ଯେଉଁ ଦୁଇ ଜଣ କାନ୍ଥିରୁ ଗିରଫ ହୋଇଛନ୍ତି ସେମାନେ ପଶ୍ଚିମ ବଂଗ ବାସିନ୍ଦା ନୁହନ୍ତି, ଏଠି ଆସି ଲୁଚି ରହିଥିଲେ, ଦୁଇ ଘଂଟା ମଧ୍ୟରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି । ଆଜି ପଶ୍ଚିମ ବଂଗ କୁଚ ବିହାରର ଦିନହାଟାଠାରେ ଏକ ନିର୍ବାଚନ ରାଲିରେ ଭାଷଣ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମମତା ଏହା କହିଛନ୍ତି । ପଶ୍ଚିମ ବଂଗରେ ଶାନ୍ତି ଲାଗି ରହିଲେ ବିଜେପି ଉଧେଇ ପାରିବ ନାହିଁ ବୋଲି ମମତା କଟାକ୍ଷ କରିବା ସହ ବିଜେପି ଶାସିତ ରାଜ୍ୟ ୟୁପି, ରାଜସ୍ଥାନ ଓ ବିହାର କେତେ ସୁରକ୍ଷିତ (?) ବୋଲି ପାଳଟା ପ୍ରଶ୍ନ କରିଛନ୍ତି । ପଶ୍ଚିମ ବଂଗ ପୁଲିସର ସକ୍ରିୟ ସହଯୋଗରେ ଆତଙ୍କୀ ସାଜେବ ଓ ତାହା ଗିରଫ ହୋଇଛନ୍ତି । ଏନଆଇଏର ପ୍ରେସ୍ ବିବୃତି ମଧ୍ୟ ଏହା ସ୍ପଷ୍ଟ କରିଛି । ଏନଆଇଏ ଜଏଂଟ୍ ଅପରେସନ କଥା ସେଥିରେ କହିଛି ବୋଲି ବରିଷ୍ଠ ଟିଏମସି ନେତା କୁନାଲ ଘୋଷ ଆଜି ଏକ ବିବୃତିରେ କହିଛନ୍ତି । ପଶ୍ଚିମ ବଂଗ ସରକାର ଜାତୀୟତବାଦୀ-ବିରୋଧୀ ଶକ୍ତିଙ୍କୁ ଦୃଢତାର ସହ ଦମନ କରିବାରେ ସର୍ବଦା ଯତ୍ନଶୀଳ ଏବଂ ଏକ୍ଷେତ୍ରରେ ଅନ୍ୟ ତଦନ୍ତକାରୀ ଏଜେନ୍ସୀଙ୍କୁ ମଧ୍ୟ ସହଯୋଗ କରୁଛନ୍ତି ବୋଲି ଘୋଷ କହିବା ସହ ବେଂଗାଲୁରୁ ରାମଶ୍ୱେରମ କାଫେ ବିସ୍ଫୋରଣ ଘଟଣାରେ ଏନଆଇଏ ଜଣେ ବିଜେପି କର୍ମୀଙ୍କୁ ଜେରା କରିଥିବା କଥା ବିଜେପିକୁ ମନେ ପକାଇ ଦେଇଛନ୍ତି । ମାର୍ଚ୍ଚ ୦୧ ତାରିଖ ବେଂଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣରେ ୧୦ ଜଣ କର୍ମଚାରୀ ଓ ଗ୍ରାହକ ଆହତ ହୋଇଥିଲେ । ଏହା ଏକ ସ୍ୱଳ୍ପଶକ୍ତି ସଂପନ୍ନ ବିସ୍ଫୋରଣ ଥିଲା । ମୁସାଭିର ହୁସେନ ସାଜେଦ ଓ ଅବଦୁଲ ମଥିନ ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ ବୋଲି ଏନଆଇଏ କହିଛି । ସାଜେବ ବିସ୍ଫୋରକ ଥିବା ବ୍ୟାଗ କାଫେରେ ଗୋଟିଏ କାନ୍ଥକୁ ଆଉଜାଇ ରଖିଥିଲେ । ତାହା ତାଙ୍କୁ ଲଜିଷ୍ଟିକ୍ ସପୋର୍ଟ ଦେଇଥିଲେ ବୋଲି ତଦନ୍ତକାରୀ ଦଳ କହିଛନ୍ତି । କୋଲକାତାରୁ ୧୮୦ କିମି ଦୂର ପୂର୍ବ ମିଦିନାପୁର ଜିଲ୍ଲାର କାନ୍ଥି ବା କୋନ୍ତାଇ ନାମକ ଏକ କ୍ଷୁଦ୍ର ସହରରେ ସେମାନେ ଲୁଚି ଥିବା ଜଣାପଡିବା ପରେ ଏନଆଇଏ ଏହି ମିଳିତ ଅପରେସନ୍ କରିଥିଲା । କୋନ୍ତାଇ ହେଉଛି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୃଢ ଦୁର୍ଗ । ଶୁଭେନ୍ଦୁ ଅଧିକାରୀ ଅତୀତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଥିଲେ । ଠିକ୍ ୨୦୨୧ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେବା ସହ ନନ୍ଦିଗ୍ରାମ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ତାଙ୍କୁ ପରାଜିତ କରିଥିଲେ । ୨୦୨୧ ବିଧାନସଭା ନିର୍ବାଚନରୁ ପଶ୍ଚିମ ବଂଗରେ ବିଜେପି ଓ ଟିଏମସି ମଧ୍ୟରେ ସଂପର୍କ ତୀକ୍ତ ରହିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସାଜେବ ଓ ତାହା ପଶ୍ଚିମ ବଂଗରୁ ଗିରଫ ହେବା କଥାକୁ ନେଇ ପଶ୍ଚିମ ବଂଗ ଆତଙ୍କବାଦୀଙ୍କ ‘ସୁରକ୍ଷିତ ଭୂସ୍ୱର୍ଗ’ ହୋଇଛି ବୋଲି ‘ଏକ୍ସ’ରେ ପୋଷ୍ଟ୍ କରିଥିବା ବେଳେ ଟିଏମସି କଡା ପ୍ରତିକ୍ରିୟା ରଖିଛି । ଏହି ଦୁଇ ଆତଙ୍କୀ କର୍ଣ୍ଣାଟକର ଆଇଏସଆଇଏସ ସେଲ୍ ସହ ସଂପୃକ୍ତ ଥାଇପାରନ୍ତି ଟିଏମସି କହିଛି । ପଶ୍ଚିମ ବଂଗ ପୁଲିସ ମଧ୍ୟ ମାଲବ୍ୟଙ୍କ ପୋଷ୍ଟ୍ କୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ପଶ୍ଚିମ ବଂଗ ପୁଲିସର ତ୍ୱରିତ ପଦକ୍ଷେପ ଏବଂ ସହଯୋଗ ବଳରେ ଏନଆଇଏ ଏହି ଦୁଇ ଆତଙ୍କୀଙ୍କୁ ଗିରଫ କରିଛି ବୋଲି ସ୍ୱୀକାର କରିଛି । ପଶ୍ଚିମ ବଂଗ କେବେ ଆତଙ୍କବାଦୀଙ୍କ ପାଇଁ ସୁକ୍ଷିତ ଭୂସ୍ୱର୍ଗ ନଥିଲା, ରାଜ୍ୟ ପୁଲିସ ସର୍ବଦା ଏଭଳି କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖି ଆସିଛନ୍ତି ବୋଲି ପୁଲିସ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ୍ କରାଯାଇଛି । ବେଂଗାଲୁରୁରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ମାର୍ଚ୍ଚ ୦୧ ତାରିଖରେ ବେଂଗାଲୁରୁ ରାମେଶ୍ୱରମ କାଫେରେ ଘଟିଥିବା ବିସ୍ଫୋରଣରେ ମୁସାଭିର ହୁସେନ ସାଜେବ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟତମ ଆତଙ୍କୀ ତାହା ବିସ୍ଫୋରଣ ଏବଂ ବିସ୍ଫୋରଣ ପରେ ଖସି ପଳାଇବା ଯୋଜନା ପ୍ରସ୍ତୁତ କରିଥିଲେ । ସାଜେବ ଓ ତାହା ଘଟଣା ପରେ ଖସି ପଳାଇବା ପାଇଁ ଅନ୍ୟତମ ଅଭିଯୁକ୍ତ ମୁଜାମିଲ ସରିଫ ଲଜିଷ୍ଟିକ୍ ସପୋର୍ଟ ଦେଇଥିଲେ । ମୁଜାମିଲ ସରିଫଙ୍କୁ ଗତ ମାସରେ ବେଂଗାଲୁରୁାର ଗିରଫ କରାଯାଇଥିଲା । ସାଜେବ ଓ ତାହା ହେଉଛନ୍ତି କର୍ଣ୍ଣାଟକର ସିବମୋଗା ଜିଲ୍ଲା ବାସିନ୍ଦା । ଏନଆଇଏ ଅଧିକାରୀମାନେ କର୍ଣ୍ଣାଟକ, ତାମିଲନାଡୁ ଓ ୟୁପିର ୧୮ଟି ସ୍ଥାନରେ ଚଢାଉ କରିବା ପରେ ଏହି ଦୁଇ ମୁଖ୍ୟ ଷଡଯନ୍ତ୍ରକାରୀ ପଶ୍ଚିମ ବଂଗ ପୂର୍ବ ମିଦିନାପୁରର କାନ୍ଥିରେ ଲୁଚି ରହିଥିବା ସୁରାକ ପାଇଥିଲେ । ଦୁଇ ଆତଙ୍କୀଙ୍କ ସଂପର୍କରେ ଯିଏ ସୂଚନା ଦେବ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ମଧ୍ୟ ଏନଆଇଏ ଘୋଷଣା କରିଥିଲା । ସେମାନଙ୍କ ସ୍କୁଲ, କଲେଜ ସାଥୀଙ୍କୁ ମଧ୍ୟ ଏନଆଇଏ ପଚରା ଉଚୁରା କରିଥିଲା । ଆଜି ସକାଳେ ସେମାନେ ଧରା ପଡିଛନ୍ତି । ରାମେଶ୍ୱରମ କାଫେ ବିସ୍ଫୋରଣ ପରେ ବେଂଗାଲୁରୁ ପୁଲିସ ୟୁଏପିଏରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ପରେ, ଏନଆଇଏ ହାତକୁ ତଦନ୍ତ ଦାୟିତ୍ୱ ଯାଇଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS