କେଜରୀୱାଲଙ୍କ ଗିରଫଦାରୀ ଦେଶର ରାଜନୀତିକୁ କେତେଦୂର ପ୍ରଭାବିତ କରିବ ?
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୧୩
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ତାଙ୍କ ଗିରଫଦାରୀକୁ ଚ୍ୟାଲେଂଜ କରି ଗତ ବୁଧବାର ଦିନ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଛନ୍ତି ତାହାର ଶୁଣାଣୀ ସୋମବାର ଅର୍ଥାତ ଏପ୍ରିଲ ୧୫ ତାରିଖରେ ହେବ ବୋଲି ସୂଚନା ମିଳିଛି । ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପଂକର ଦତ୍ତଙ୍କୁ ନେଇ ଗଠିତ ଏକ ବେଂଚ କେଜରୀୱାଲଙ୍କ ଆବେଦନର ଶୁଣାଣୀ କରିବେ । ମଂଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ଇଡି ବିରୋଧରେ କେଜରୀୱାଲଙ୍କ ଆବେଦନକୁ ଖାରଜ କରିଦେବା ପରେ ବୁଧବାର ସେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ବିରୋଧରେ କାଣିଚାଏ ପ୍ରମାଣ ନଥାଇ ଇଡି ତାଙ୍କୁ ଗିରଫ କରିବା ଅବୈଧ ଓ ରାଜନୈତିକ ଉଦ୍ଦେଶ୍ୟ ଦ୍ୱାରା ପ୍ରେରିତ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ କୋର୍ଟ ସିଧା ସିଧା କହିଥିଲେ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିଧାସଳଖ ତାଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ଇଡି ଅଦାଲତରେ ଉପସ୍ଥାପନ କରିଛି । ରାଜନୀତି ସହ ଆଇନର କୌଣସି ସଂପର୍କ ନାହିଁ । ଆଇନ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ଯାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ତାହା । ତେଣୁ, ତାଙ୍କ ଗିରଫଦାରୀ ବୈଧ । ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ଜଣିକିଆ ବେଂଚ ମଂଗଳବାର ୧୦୩ ପୃଷ୍ଠାର ଏହି ରାୟ ଦେବା ପରେ ମାମଲା ସୁପ୍ରିମ କୋର୍ଟରେ ପହଂଚିଛି ।
ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଇଡି ଲଗାତର ନଅଟି ସମନ ଜାରି କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଳ ଦେଖାଇ ତାହାକୁ ଏଡାଇ ଯାଇଥିଲେ । ପ୍ରଥମେ କାର୍ଯ୍ୟବ୍ୟସ୍ତତା ଦର୍ଶର୍ାଇ ଥିଲେ । ପରେ, ଇଡିର ସମନ ପଛରେ ଶାସକ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରି ସମନ ଏଡାଇ ଥିଲେ । ଏହା ବିରୋଧରେ ଇଡି ଦିଲ୍ଲୀର ଏକ ଅଦାଲତରେ ପିଟିସନ ଦାଖଲ କରି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଇଡି ସମ୍ମୁଖରେ ହାଜର ହେବାକୁ ନିର୍ଦେଶ ଦିଆଯିବାକୁ ନିବେଦନ କରିଥିଲେ । ଇଡି ସମନକୁ ଏଡାଇବା ମାମଲାରେ କେଜରୀୱାଲ ଜମାନତରେ ଅଛନ୍ତି । ତାଙ୍କ ସମ୍ଭାବ୍ୟ ଗିରଫଦାରୀ ଉପରେ ରହିତାଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କେଜରୀୱାଲ ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହାକୁ ହାଇକୋର୍ଟ ଖାରଜ କରିଦେବାରୁ ଇଡି ଦଶମ ସମନ ସହ ମାର୍ଚ୍ଚ ୨୧ ତାରିଖରେ ତାଙ୍କ ସରକାରୀ ବାସଭବନରେ ପହଂଚି ଥିଲେ ଏବଂ ଦୁଇ ଘଂଟା ଜେରା କରିବା ପରେ ରାତି ୯ଟାରେ ଗିରଫ କରିଥିଲେ ।
କେଜରୀୱାଲ ଦୁଇ ପର୍ଯ୍ୟାୟରେ ୧୦ ଦିନ ଇଡି ରିମାଣ୍ଡରେ ରହିବା ପରେ ଏପ୍ରିଲ ୦୧ ତାରିଖରୁ ତିହାର ଜେଲରେ ବିଚାରାଧୀନ ବନ୍ଦୀ ଅଛନ୍ତି । ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ବିଚାରପତି କାବେରୀ ବାୱେଜା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ କେଜରୀୱାଲଙ୍କୁ ନ୍ୟାୟିକ ହାଜତକୁ ପଠାଇଥିବା ବେଳେ ଇଡିର ଗିରଫଦାରୀ ବିରୋଧରେ କେଜରୀୱାଲଙ୍କ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଗତ ମଂଗଳବାର ଅର୍ଥାତ ଏପ୍ରିଲ ୦୯ ତାରିଖ ଦିନ ଖାରଜ ହୋଇଛି । କେଜରୀୱାଲଙ୍କ ଗିରଫକୁ ନେଇ ଇଡି କୋର୍ଟରେ ଯଥେଷ୍ଟ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଛି । ଏହାଛଡା, ଗିରଫ ସମୟ (ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ)କୁ ନେଇ କେଜରୀୱାଲଙ୍କ ଆଡୁ ଯେଉଁ ଅଭିଯୋଗ ହୋଇଛି ସେଥିରେ ଇଡି କିଛି ବ୍ୟତିକ୍ରମ କରିଥିବା ଭଳି ଲାଗୁ ନାହିଁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଏହି ପରିସ୍ଥିତି ପାଇଁ ହାଇକୋର୍ଟ ଇଡିକୁ ନୁହେଁ କେଜରୀୱାଲଙ୍କୁ ଦାୟି କରି ଗିରଫଦାରୀ ବୈଧ ବୋଲି ରାୟରେ ଦର୍ଶାଇଛନ୍ତି ।
ପ୍ରଥମତଃ, କେଜରୀୱାଲ ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟମାନଙ୍କ ସହ ମିଶି ଦିଲ୍ଲୀ ପାଇଁ ନୂତନ ଅବକାରୀ ନୀତି ପ୍ରଣୟନ କରିଥିଲେ ଏବଂ ମଦ ଦୋକାନ ଠିକା ପାଇଁ ଲାଂଚ ମାଗି ଥିଲେ । ଦ୍ୱିତୀୟରେ, ଆମ୍ ଆଦମୀ ପାର୍ଟି ବା ‘ଆପ୍’ର ଜାତୀୟ ଆବାହକ ଭାବେ ସେ ଦୁର୍ନୀତିପୂର୍ଣ୍ଣ ଉପାୟରେ ସଂଗୃହୀତ ଅର୍ଥରୁ ୪୫ କୋଟି ଟଙ୍କା ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ‘ଆପ୍’ର ପ୍ରଚାର ବାବଦରେ ଖର୍ଚ୍ଚ କରିଥିଲେ, ଯାହାକି ପିଏମଏଲଏ (ପ୍ରଭେନ୍ସନ୍ ଅଫ୍ ମନିଲଂଡରିଂ ଆକ୍ଟ)ର ୭୦ (୧) ଧାରାକୁ ଆକର୍ଷିତ କରୁଛି ବୋଲି ଦିଲ୍ଲୀ ହାଇକୋର୍ଟର ରାୟରେ କୁହାଯାଇଛି । ଗତ ମାର୍ଚ୍ଚ ୨୩ ତାରିଖରେ କେଜରୀୱାଲ ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ତାଙ୍କୁ ଗିରଫ କରି ଅଟକ ରଖାଯିବା ମାନବାଧୀକାରର ଉଲଂଘନ କରୁଛି ବୋଲି ଅଭିଯୋଗ କରିଥିଲେ ।
ଏହି ମାମଲାରେ ଦିଲ୍ଲୀ ସରକାରର ପୂର୍ବତନଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଗତ ଫେବୃୟାରୀ ମାସରୁ ତିହାର ଜେଲରେ ଥିବା ବେଳେ ଅକ୍ଟୋବର ମାସରେ ଗିରଫ ହୋଇଥିବା ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ସୁପ୍ରିମ କୋର୍ଟରୁ ଜାମିନ ପାଇ ଏବେ ବାହାରେ ଅଛନ୍ତି । ‘ଆପ୍’ ନେତାମାନେ ଦିଲ୍ଲୀରେ ନୂତନ ଅବକାରୀ ନୀତି ପ୍ରଣୟନ କରି ମଦ ଦୋକାନ ଲାଇସେନ୍ସ ଦେବାକୁ ଗୋଟିଏ ଗୋଷ୍ଠୀ ରାଜନେତା ଓ ମଦ ବ୍ୟବସାୟୀଙ୍କଠାରୁ ୧୦୦ କୋଟି ଟଙ୍କା ଲାଂଚ ନେଇଥିବା ସିବିଆଇ ଓ ଇଡି ଅଦାଲତରେ ଅଭିଯୋଗ କରିଛନ୍ତି । ନୂଆ ଅବକାରୀ ନୀତିରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଛି ବୋଲି ତଦନ୍ତକାରୀ ସଂସ୍ଥା ଦ୍ୱୟ ଅଭିଯୋଗ କରିଥିବା ବେଳେ ‘ଆପ୍’ ଏହି ଅଭିଯୋଗକୁ ଅସ୍ୱୀକାର କରି ଆସୁଛି । ସିବିଆଇ ତଦନ୍ତ ଆରମ୍ଭ ପରେ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ ।
ସିବିଆଇ ହାଜତରେ କେସିଆର କନ୍ୟା କବିତା
ତେଲେଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା କେ.କବିତା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଅବସ୍ଥାରେ ଗୁରୁବାର ଦିନ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାର ଓ ଆମ୍ ଆଦମୀ ପାର୍ଟି (ଆପ୍) ସହ ୧୦୦ କୋଟି ଟଙ୍କାର ଲାଂଚ କାରବାର କରିଥିବା ‘ଦକ୍ଷିଣୀ ଗୃପ୍’ର ମୁଖ୍ୟ ସଂଚାଳକ ବୋଲି ଇଡି ଓ ସିବିଆଇ କୋର୍ଟରେ ଦାଖଲ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ସିବିଆଇ ଗୁରୁବାର କବିତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟରେ ହାଜର କରିବା ପରେ ୧୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି । ସିବିଆଇ ଦିଲ୍ଲୀ ପିଏମଏଲଏ କୋର୍ଟରେ ଅଭିଯୋଗ କରିଛି, ବିଆରଏସ୍ ନେତ୍ରୀ କେ. କବିତା ଦିଲ୍ଲୀ ସହରରେ ପାଂଚଟି ଜୋନର ମଦ ବିକ୍ରି ଲାଇସେନ୍ସ ପାଇବା ସକାଶେ ଶାସକ ଦଳ ଆମ୍ ଆଦମୀ ପାର୍ଟିକୁ ୨୫ କୋଟି ଟଙ୍କା ଲାଂଚ ଦେବାକୁ ହାଇଦ୍ରାବାଦର ପ୍ରତିଷ୍ଠିତ ଫାର୍ମା କଂପାନୀ ଅରବିନ୍ଦ ଫାର୍ମାର ପ୍ରମୋଟର ଶରତ ଚନ୍ଦ୍ର ରେଡିଙ୍କୁ ବାଧ୍ୟ କରିଥିଲେ । ‘ଆପ୍’କୁ ୨୫ କୋଟି ଟଙ୍କା ଲାଂଚ ନଦେଲେ ତାଙ୍କ ବ୍ୟବସାୟରେ କ୍ଷତି ପହଂଚାଇବେ ବୋଲି କୁଆଡେ କବିତା ଅରବିନ୍ଦ ଫାର୍ମା ମାଲିକ ଶରତ ରେଡିଙ୍କୁ ଧମକ ଦେଇଥିଲେ । ରେଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲରେ ଅନ୍ୟତମ ଅଭିଯୁକ୍ତ ଥାଇ ଇଡି ଦ୍ୱାରା ଗିରଫ ହୋଇ ପରବର୍ତ୍ତୀ ସମୟରେ ଇଡିର ରାଜସାକ୍ଷୀ ହୋଇଛନ୍ତି ।
ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ ବିଚାରପତି କାବେରୀ ବାୱେଜାଙ୍କ ନିକଟରେ ସିବିଆଇ ଅଭିଯୋଗ କରିଛି, ପୂର୍ବତନ ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ଚାପରେ ହିଁ ଶରତ ରେଡି ଦିଲ୍ଲୀ ସରକାରଙ୍କ ମଦ ବ୍ୟବସାୟରେ ସାମିଲ ହୋଇଥିଲେ । ହୋଲେସେଲ ମଦ ଠିକା ପାଇଁ ୨୫ କୋଟି ଟଙ୍କା ଏବଂ ପ୍ରତ୍ୟେକ ଜୋନ୍ ରେ ମଦ ରିଟେଲ ବିକ୍ରି ପାଇଁ ୫ କୋଟି ଟଙ୍କା ଲେଖାଏଁ ଲାଂଚ ଦେବାକୁ ରେଡିଙ୍କୁ କୁହାଯାଇଥିଲା କେ.କବିତାଙ୍କ ଘନିଷ୍ଟ ସହଯୋଗୀ ଅରୁଣ ଆର.ପିଲାଇ ଓ ଅଭିଷେକ ବୋଇନପାଲ୍ଲୀଙ୍କୁ ଲାଂଚ ଟଙ୍କା ଦେବାକୁ ରେଡିଙ୍କୁ କୁହାଯିବ ସହ ଏହି ଦୁଇ ଜଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଟ ସହଯୋଗୀ ତଥା ‘ଆପ୍’ର ଯୋଗଯୋଗ ମୁଖ୍ୟ ବିଜୟ ନାୟାରଙ୍କ ସଂପର୍କରେ ରହିବେ ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା । ୨୦୨୧ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ କବିତାଙ୍କ ଘନିଷ୍ଟ ସହଯୋଗୀ ଅରୁଣ ପିଲାଇ, ଅଭିଷେକ ବୋଇନପାଲ୍ଲୀ ଓ ବୁଚିବାବୁ ଗେରେନ୍ଥଲା ଦିଲ୍ଲୀର ହୋଟେଲ ଓବରାଇରେ ରହି ଦକ୍ଷିଣୀ ଲବିକୁ ସୁହାଇଲା ଭଳି ବ୍ୟବସ୍ଥା ନୂତନ ଅବକାରୀ ନୀତିରେ ଯୋଡିବା କାର୍ଯ୍ୟ କରିଥିଲେ । କବିତାଙ୍କ ସହଯୋଗ ମିଳିବ ବୋଲି ଭରସା ପାଇବା ପରେ ରେଡିଙ୍କ କଂପାନୀ ଅରବିନ୍ଦ ରିଏଲିଟି ଏଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍ କବିତାଙ୍କ ଏନଜିଓ ‘ତେଲେଂଗାନା ଜାଗୃତି’କୁ ୮୦ ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲେ ବୋଲି ସିବିଆଇ ସ୍ୱତନ୍ତ୍ର କୋର୍ଟରେ କହିଛି ।
ସିବିଆଇ ଏହା ମଧ୍ୟ ଅଭିଯୋଗ କରିଛି ଯେ, କବିତା ୨୦୨୧ ଜୁନ-ଜୁଲାଇରେ ତେଲେଂଗାନାର ମେହେବୁବ ନଗରରେ ଥିବା ଏକ ଚାଷ ଜମିକୁ ୧୪ କୋଟି ଟଙ୍କାରେ କିଣିବାକୁ ରେଡିଙ୍କ ଉପରେ ଚାପ ପକାଇ ଥିଲେ । ରେଡି ଅନିଚ୍ଛା ସତ୍ତ୍ୱେ ଏହି ରାଜିନାମା କରିଥିଲେ । କବିତାଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖାଯିବା ପରେ ମଧ୍ୟ ସେ ଜେରା ବେଳେ ତାହାର ଉତ୍ତର ଦେଉନଥିବା ସିିବିଆଇ ଗତକାଲି ବିଚାରପତି କାବେରୀ ବାୱେଜାଙ୍କ କୋର୍ଟକୁ ଜଣାଇବା ପରେ କବିତାଙ୍କୁ ତିନି ଦିନିଆ ସିବିଆଇ ରିମାଣ୍ଡ ଦିଆଯାଇଛି । ସୋମବର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଇଡିର ପିଏମଏଲଏ ମାମଲାରେ ବାୱେଜାଙ୍କ କୋର୍ଟରେ ହାଜର ହେବାକୁ ଥିବା ବେଳେ ବିଆରଏସ୍ ନେତ୍ରୀ କେ.କବିତା ମଧ୍ୟ ସିବିଆଇ ମାମଲାରେ କୋର୍ଟରେ ହାଜର ହେବେ । ସେହିଦିନ ଇଡିର ଗିରଫଦାରୀର ବୈଧତାକୁ ଚ୍ୟାଲେଂଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଛନ୍ତି ତାହା ଉପରେ ଜଷ୍ଟିସ ଖାନ୍ନା ଓ ଜଷ୍ଟିସ ଦତ୍ତଙ୍କ ଦୁଇ ଜଣିଆ ବେଂଚ୍ ଣୁଣାଣୀ କରିବେ ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ସାତ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେଉଥିବା ବେଳେ ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି (ବାତିଲ ହୋଇସାରିଛି)ର କାର୍ଯ୍ୟକାରିତାରେ ଶତାଧିକ କୋଟି ଟଙ୍କାର ଲାଂଚ କାରବାର ହୋଇଥିବା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଏହି ଦୁର୍ନୀତିରେ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଦେଶର ରାଜନୀତିକୁ ସରଗରମ କରି ରଖିଛି । କେଜରୀୱାଲ ଜେଲରେ ଥାଇ ସରକାର ଚଳାଇବାର ଦମ୍ବୋକ୍ତି କରୁଥିବା ବେଳେ ଦୁର୍ନୀତି ଅଭିଯୋଗରେ ସେ ଗିରଫ ହୋଇ ଜେଲରେ ଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ ବୋଲି ବିଜେପି ଆଡୁ ଦାବି ଜୋର ଧରିଛି । ବିରୋଧୀ ମେଂଟ କେଜରୀୱାଲଙ୍କ ଗିରଫ ବିରୋଧରେ ଏକାଠି ହୋଇ ବିଜେପି ବିରୋଧରେ ମୋର୍ଚ୍ଚ ଖେଲିଥିବା ବେଳେ ବିଜେପି ବିରୋଧୀ ମେଂଟ ବିରୋଧରେ । ତେଣୁ, ଲଢେଇ ଏବେ ବିଜେପି ବନାମ ବିରୋଧୀ ମେଂଟ ହୋଇଥିବା ଦେଖିବାକୁ ମିଳୁଛି ।
କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ସରକାରକୁ ବରଖାସ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଯୋଜନାରେ ଥିବା ‘ଆପ୍’ ମନ୍ତ୍ରୀ ଆତିଶୀ ମାର୍ଲେନା ଗତକାଲି ଗଣମାଧ୍ୟମରେ ଗୁରୁତର ଅଭିଯୋଗ ଆଣିଛନ୍ତି । ତେବେ, ବିଜେପି ଏଭଳି ଆଶଙ୍କାକୁ ଅଗ୍ରାହ୍ୟ କରିଛି । ତେବେ, ଦୁର୍ନୀତି ବିରୋଧରେ ତାଙ୍କ ସରକାର କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭନ୍ନ ନିର୍ବାଚନ ସଭାରେ ଘୋଷଣା କରୁଥିବାରୁ ଆଗାମୀ ଦିନରେ ଦିଲ୍ଲୀରେ ବଡ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ସୃଷ୍ଟି ହୋଇଛି । ଅରବିନ୍ଦ ଫାର୍ମା ମୁଖ୍ୟ ଶରତ ରେଡି ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ପ୍ରଣୟନ ସମୟରେ ୪.୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣି ଥିଲେ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସେ ଇଡି ଦ୍ୱାରା ଗିରଫ ହେବା ପରେ ତାଙ୍କ କଂପାନୀ ୫୫ କୋଟି ଟଙ୍କାର ନିର୍ବାଚନ ବଣ୍ଡ୍ କିଣିଛି, ଯାହାକି ବିଜେପି ଖାତାକୁ ଯାଇଛି । ସିବିଆଇ ଓ ଇଡି ଏହାର ତଦନ୍ତ କରୁନାହାନ୍ତି କାହିଁକି (?) ବୋଲି ‘ଆପ୍’ ପ୍ରଶ୍ନ ଉଠାଇଛି । ଏଭଳି ଏକ ଗମ୍ଭୀର ରାଜନୈତିକ ସ୍ଥିତିରେ ଦେଶରେ ଲୋକସଭା ନିର୍ବାଚନ ହେଉଥିବାରୁ ଜନମତ କାହା ସପକ୍ଷରେ ଯିବ, ତାହା ଉପରେ ସମଗ୍ର ଦେଶର ନଜର ରହିଛି । ଜୁନ ୪ ତାରିଖରେ ଫଳାଫଳ ଆସିଲେ ଦେଶବାସୀ ମୋଦୀଙ୍କୁ ବିଶ୍ୱାସକୁ ନେଲେ କି ବିରୋଧୀ ମେଂଟକୁ – ତାହା ଉପରୁ ପରଦା ହଟିଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS