କଂଗ୍ରେସ ମୁକାବିଲା ପାଇଁ ପ୍ରସ୍ତୁତ, ତେବେ ଭୋଟରଙ୍କ ମନ ଜିଣିବ କେମିତି ?


ପ୍ରସାଦ ରାଓ
ଭୁବନେଶ୍ୱର/ଏପ୍ରିଲ ୧୪
୨୦୨୪ ସାଧାରଣ ନିର୍ବାଚନ ସମଗ୍ର ଦେଶ ପାଇଁ ବେଶ୍ ମହତ୍ତ୍ୱ ରଖୁଛି । ଗୋଟିଏ ପଟେ ଶାସକ ମେଂଟ କଟ୍ଟର ହିନ୍ଦୁତ୍ୱ, ଜାତୀୟତାବାଦ, ଗତ ଦଶ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଏବଂ ବିରୋଧୀଙ୍କ ଦୁର୍ବଳତାକୁ ପ୍ରଚାର ଅସ୍ତ୍ର କରି ନିର୍ବାଚନ ଜିତିବାକୁ ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ ଅନ୍ୟପଟେ ବିରୋଧୀ ରାଜନୈତିକ ଦଳମାନେ ମୋଦୀ ସରକାରଙ୍କ କଥିତ ଏକଛତ୍ର ଶାସନ ବିରୋଧରେ ଏକାଠି ହୋଇଛନ୍ତି । ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ହେଲେ ଦେଶବାସୀଙ୍କ ପାଇଁ ଏହା ଶେଷ ସୁଯୋଗ, ଯଦି ଏଥର ପ୍ରଚଣ୍ଡ ଜନମତରେ ବିଜେପି ଯଦି କେନ୍ଦ୍ରରେ ସରକାର ପ୍ରତିଷ୍ଠା କରେ ତେବେ ଆଗାମୀ ଦିନରେ ଆଉ ଗଣତନ୍ତ୍ର ବୋଲି କିଛି ରହିବ ନାହିଁ, ଆଗକୁ ନିର୍ବାଚନ ମଧ୍ୟ ହେବ ନାହିଁ ବୋଲି ବ୍ୟାଖ୍ୟାୟନକୁ ନେଇ ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ଓ ମୋଦୀଙ୍କ ବିରୋଧରେ ବିରୋଧୀ ଏକାଠି ହୋଇଥିଲେ ମଧ୍ୟ ଦେଶକୁ ଏକ ବିକଳ୍ପ ନେତୃତ୍ୱ ଦେଲା ଭଳି ଆବହାୱା ସୃଷ୍ଟି କରିବାରେ ବିରୋଧୀ ମେଂଟ ‘ଇଣ୍ଡିଆ’ ଏଯାବତ୍ ସଫଳ ହୋଇନଥିବା ବେଳେ ବିଜେପିର ବ୍ୟାଖ୍ୟାୟନ ଦେଶବାସୀଙ୍କୁ ଭ୍ରମିତ କଲା ଭଳି ହୋଇଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ଓ ବିଜେପି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଥିବା ନେଇ ଏକ ଅବଧାରଣା ସୃଷ୍ଟି ହୋଇସାରିଲାଣି । ତେବେ, ମତଦାତା ହେଉଛନ୍ତି ଶ୍ରେଷ୍ଠ ବିଚାରକ । ଭୋଟ ଦେବା ସମୟରେ ସେମାନେ ବିଜେପି ଓ ତାହାର ସହଯୋଗୀ ଦଳମାନଙ୍କ ବ୍ୟାଖ୍ୟାୟନକୁ ବିଶ୍ୱାସ କରି ଏକପାଖିଆ ମତଦାନ କରିବେ କି ବିରୋଧୀ ରାଜନୈତିକ ଦଳମାନଙ୍କ ‘ଗଣତନ୍ତ୍ର ଅସୁରକ୍ଷିତ’ ବ୍ୟାଖ୍ୟାୟନକୁ ବିଶ୍ୱାସ କରି ଏକ ବିରୋଧୀ ମେଂଟ ସରକାର ସପକ୍ଷରେ ମତଦାନ କରିବେ – ତାହା ଆଗକୁ ଜଣାପଡିବ । ବିରୋଧୀ ମେଂଟ ବାହାରକୁ ଯେତେ ଦୁର୍ବଳ ଦିଶୁଥିଲେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ରାଜ୍ୟର ଆଂଚଳିକ ଦଳମାନେ ନିଜ ନିଜ ରାଜ୍ୟରେ ବିଜେପିକୁ ପ୍ରତିହତ କରିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବେ, ଏଥିରେ କିଛି ସନ୍ଦେହ ନାହିଁ । ତେଣୁ, ଅଣ ବିଜେପି ଶାସିତ ରାଜ୍ୟ, ବିଶେଷକରି ଦକ୍ଷିଣୀ ରାଜ୍ୟରେ ବିଜେପି ଓ ଏହାର ନେତୃବର୍ଗ ରାମ ମନ୍ଦିର ନିର୍ମାଣ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦରୁ ଆରମ୍ଭ କରି ୟୁସିସି, ସିଏଏ ଭଳି ଆୟୁଧକୁ ଧରି ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ଓ ବିରୋଧୀ ମେଂଟ ସଦସ୍ୟମାନଙ୍କ ପାରିବାରବାଦୀ ରାଜନୀତି ଓ କଥିତ ଦୁର୍ନୀତିକୁ ନେଇ ବିଜେପି ଆଡୁ ପ୍ରଚଣ୍ଡ ଆକ୍ରମଣ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ, କଂଗ୍ରେସ ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା , ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ବିଜେପିର ମୋର୍ଚ୍ଚା ସମ୍ଭାଳି ବିରୋଧୀଙ୍କୁ ଅଣନିଶ୍ୱାସୀ କରିବା ସହ ଏଥର ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଓ ଏନଡିଏ ମେଂଟ ୪୦୦ରୁ ଅଧିକ ଲୋକସଭା ଆସନ ପାଇବ ବୋଲି ଏକ ଅବାସ୍ତବ ବ୍ୟାଖ୍ୟାୟନ ସୃଷ୍ଟି କରିବାରେ ସଫଳ ହୋଇଥିବା ମନେ ହେଉଛି । ତେବେ, କଂଗ୍ରେସ ନହେଲେ ବି ବିଜେପି-ବିରୋଧୀ ଆଂଚଳିକ ଦଳମାନେ ନିଜ ନିଜ ରାଜ୍ୟରେ ବିଜେପିକୁ କଡା ଟକ୍କର ଦେବାକୁ ଥିବାରୁ ବିଜେପିର ‘୩୭୦/୪୦୦ ପାର୍’ ଅଂକ ଯେ ଅବାସ୍ତବ – ତାହା ନିର୍ବାଚନ ପୂର୍ବରୁ ଲୋକଙ୍କ ମନକୁ ପରଖିବାରେ ସକ୍ଷମ ମନସ୍ତତ୍ତ୍ୱ ବିଶେଷଜ୍ଞମାନେ ମଧ୍ୟ ସ୍ୱୀକାର କରୁଛନ୍ତି । କିନ୍ତୁ, ମୋଦୀ ସରକାରଙ୍କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ଦେଉଥିବା ଦେଶର ପ୍ରତିଷ୍ଠିତ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲମାନେ ଯେଭଳି ମୋଦୀ-ସପକ୍ଷବାଦୀ ପ୍ରଚାର ଓ ବିତର୍କ କାର୍ଯ୍ୟକ୍ରମ ଚଳାଇଛନ୍ତି (ମିଡ଼ିଆ ଟ୍ରାଏଲ୍) ତାହା ମତଦାତାଙ୍କୁ ଭ୍ରମିତ କଲା ଭଳି ହୋଇଛି । ବରୋଧୀଙ୍କୁ ଅତ୍ୟନ୍ତ ଦୁର୍ବଳ ଏବଂ ଶାସକ ଦଳକୁ ମାତ୍ରାଧିକ ଶକ୍ତିଶାଳୀ ଭାବେ ଉପସ୍ଥାପନା କରିବା ଯେପରି ଆଜିର ମୁଖ୍ୟସ୍ରୋତ ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ହୋଇଛି । ଏଭଳି ଏକ ପୃଷ୍ଠଭୂମୀରେ ଏପ୍ରିଲ ୧୯ ତାରିଖରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଦେଶର ୫୪୩ ଲୋକସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି । ଏହି ଲଢେଇରେ ଓଡ଼ିଶା ମଧ୍ୟ ସାମିଲ ହୋଇଛି । ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ମାର୍ଚ୍ଚ ୧୩ ତାରିଖରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ ମତଦାନ ହେବ । ଗଲା ୨୪ ବର୍ଷ ହେଲା ଓଡ଼ିଶାରେ ବିଜେଡ଼ି ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ଥିବା ଏବଂ ବିଜେଡ଼ି ଲଗାତର ଷଷ୍ଠ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସୁଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଦୁର୍ବଳ ବିଜେପି ଏଥର ଶକ୍ତି ଗୋଟାଇ ବିଜେଡ଼ିକୁ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରି ଥିବାରୁ ଅଂକ ବଦଳିବା ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ଗତ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନକୁ ଆସିଥିଲା । ୨୦୨୪ରେ ଏକ ନମ୍ବର ହେବାକୁ ସମସ୍ତ ରଣନୀତି ଆପଣାଇଛି । ବିଜେଡ଼ି କ୍ଷମତା କେନ୍ଦ୍ରରେ ପରିବର୍ତ୍ତନ ଏବଂ ମୁଖ୍ୟମନ୍ତ୍ରୀ ରାଜନେତାଙ୍କ ଅପେକ୍ଷା ପ୍ରଶାସକଙ୍କୁ ଅଧିକ ମାତ୍ରାରେ ଭରସା କରିବା ସରକାର ପ୍ରତି ଜନସାଧାରଣରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଇଛି ବିଜେପି ତାହାର ଫାଇଦା ନେବାକୁ ଉଦ୍ୟମ କରିବା ସହ ବିଜେଡ଼ି ଅସନ୍ତୁଷ୍ଟଙ୍କୁ ବିଜେପିରେ ସାମିଲ କରି ନିର୍ବାଚନ ମଇଦାନରେ ଉତାରିଛି । ଫଳରେ, ଏଥର ବିଜେଡ଼ି-ବିଜେପି ଲଢେଇ ବେଶ୍ ରୋଚକ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ପର୍ଯ୍ୟନ୍ତ ବିଜେଡ଼ି ରାଜ୍ୟରେ ବିଜେପି ସହ ମେଂଟରେ ନିର୍ବାଚନ ଲଢିବାକୁ ଉଦ୍ୟମ କରିଥିଲା । ତେବେ, ବିଜେପି ନେତୃତ୍ୱ ଏକାକୀ ଲଢିଲେ ଭଲ ଫଳାଫଳ ହେବା ସମ୍ଭାବନାକୁ ଦେଖି ବିଜେଡ଼ିର ମେଂଟ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ । ପରେ, ଦୁଇ ଦଳ ଲଢେଇ ପାଇଁ ଯେଉଁ ମଇଦାନ ପ୍ରସ୍ତୁତ କରିଛନ୍ତି ତାହା କେତେ ‘ବାସ୍ତବ’ ବା ‘ଛଳନାପୂର୍ଣ୍ଣ’ – ସେନେଇ ସାଧାରଣ ଭୋଟର ସନ୍ଦେହରେ ଅଛନ୍ତି । କଂଗ୍ରେସକୁ ବାଟ ନ ଛାଡିବା ପାଇଁ ଏହା ଏକ ଛଳନାର ଲଢେଇ ହୋଇଥାଇପାରେ ବୋଲି ଅନେକ ସନ୍ଦେହ କରୁଛନ୍ତି । ଏହି ପରିସ୍ଥିତିରେ ରାଜ୍ୟରେ କଂଗ୍ରେସ ଉଭୟ ବିଜେଡ଼ି ଓ ବିଜେପି ସହ ଲଢିବା ପାଇଁ ନୂଆ, ପୁରୁଣା ମୁହଁଙ୍କୁ ମଇଦାନକୁ ଆଣିଲାଣି ଶ୍ରୀକାନ୍ତ ଜେନା, ଅନନ୍ତ ସେଠୀ, ଅଂଚଳ ଦାସ, ଭୁଜବଳ ମାଝୀ, ରବି ସେଠୀ, ସଂଜୟ ଭୋଇଙ୍କ ଭଳି ପୁରୁଣା ମୁହଁଙ୍କ ସହ ଭୁବନେଶ୍ୱର ଲୋକସଭା ଆସନରେ ୟାସିର ନୱାଜଙ୍କ ଭଳି ଜଣେ ଟାଣୁଆ ଛାତ୍ର ନେତାଙ୍କୁ ପ୍ରାର୍ଥୀ କରିବା ମାଧ୍ୟମରେ କଂଗ୍ରେସ ବିଜେଡ଼ି,ବିଜେପି ସହ କଡା ମୁକାବିଲାର ସୂଚନା ଦେଉଛି । ଇତିମଧ୍ୟରେ ବିଜେଡ଼ି ଓ ବିଜେପି ସେମାନଙ୍କ ୨୧ ଲୋକସଭା ଆସନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଦୁଇ ପର୍ଯ୍ୟାୟରେ ୧୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣାରେ କିନ୍ତୁ କଂଗ୍ରେସ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ପଛରେ ରହିଛି । ବିଜେଡ଼ି ଓ ବିଜେପି ପାଖରେ ନିର୍ବାଚନ ଲଢିବା ପାଇଁ ଅର୍ଥବଳର ଅଭାବ ନଥିବା ବେଳେ କଂଗ୍ରେସ ସଂଗଠନ ଓ ଅର୍ଥକୁ ନେଇ ସଂଘର୍ଷ କରୁଥିବାରୁ ଏହି ଦୁଇ ଶକ୍ତିଙ୍କୁ ଟକ୍କର ଦେବାରେ କେତେଦୂର ସକ୍ଷମ ହେବ – ସେନେଇ ସମସ୍ତଙ୍କ ସନ୍ଦେହ ରହିଛି । ତଥାପି, ଗଣତନ୍ତ୍ରର ସୁରକ୍ଷା ନାମରେ ଯଦି ଭୋଟ ହୁଏ ରାଜ୍ୟରେ କଂଗ୍ରେସ ୨୦୨୪ ନିର୍ବାଚନରେ କିଛିଟା କମାଲ୍ ଦେଖାଇବ ବୋଲି କଂଗ୍ରେସ ସମର୍ଥକ ଆଶା ରଖିଛନ୍ତି । ତେବେ, ଦେଶର ଗଣତନ୍ତ୍ର ବିପନ୍ନ ରହିଛି ବୋଲି କଂଗ୍ରେସ ନେତୃତ୍ୱର ବ୍ୟାଖ୍ୟାୟନକୁ ସହରାଂଚଳ ଭୋଟର ସିନା କିଛିମାତ୍ରାରେ ଗ୍ରହଣ କରିବେ, କିନ୍ତୁ ଗାଁ ଗହଳର ଭୋଟର …? ସେମାନେ ଦେଖିବେ – ରାଜ୍ୟ ହେଉ ବା କେନ୍ଦ୍ର, କେଉଁ ଦଳ କ୍ଷମତାକୁ ଆସିଲେ ସେମାନଙ୍କୁ କେତେ ସୁବିଧା ମିଳିବ । ଏଭଳି ସ୍ଥିତିରେ କଂଗ୍ରେସ ଓ ବିରୋଧୀ ମେଂଟ ସେମାନଙ୍କ ‘ଗଣତନ୍ତ୍ର ବିପନ୍ନ’ ବ୍ୟାଖ୍ୟାୟନ ସାଂଗରେ ଦେଶକୁ ଏକ ବିକଳ୍ପ ସରକାର ଦେଇ ପାରିବେ ବୋଲି ଯଦି ଜନତାକୁ ଆଶ୍ୱସ୍ତ କରି ପାରିବେ ତେବେ ୨୦୨୪ ନିର୍ବାଚନର ଫଳାଫଳ ଭିନ୍ନ ହୋଇପାରେ । କିନ୍ତୁ, କଂଗ୍ରେସ ତାହାର ‘ଷ୍ଟେରିଓ ଟାଇପ୍’ ଚରିତ୍ରକୁ କଣ ଏତେଶୀଘ୍ର ବଦଳାଇ ପାରିବ ?
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS